ତାମିଲନାଡ଼ୁରେ ବଡ଼ ଟ୍ରେନ୍ ଦୁର୍ଘଟଣା, ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍

ଟ୍ରାକରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଛି ଯାତ୍ରୀବାହୀ ଏକ୍ସପ୍ରେସ । ଏଥିରେ ଟ୍ରେନର ୫ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହିତ ସେଥିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।

Train Accident

ତାମିଲନାଡ଼ୁରେ ଟ୍ରେନ୍ ଦୁର୍ଘଟଣା । ତାମିଲନାଡ଼ୁର ଚେନ୍ନାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତି ସୁପରଫାଷ୍ଟ ଏକ୍ସପ୍ରେସ୍ । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ, ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଏବଂ ୨ଟିରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି ଏବଂ କାହାର ପ୍ରାଣହାନୀ ଘଟିନାହିଁ ବୋଲି ସଦର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଉଛି। ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ଆମ୍ବୁଲାନ୍ସ। ସଦର୍ଣ୍ଣ ରେଲୱେ ଜିଏମ୍, ଚେନ୍ନାଇ ଡିଭିଜନ୍ ଡିଆରଏମ୍ ଏବଂ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।