ନାଁ ଥିଲା ଫିଟନେସ୍... ନାଁ ଥିଲା ଲାଇଫ୍ ଜାକେଟ୍... ଓଭରଲୋଡିଂ ପାଇଁ ଚାଲିଗଲା ୮ ନିରୀହ ଜୀବନ

ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ବାକି ୭ ନିଖୋଜଙ୍କ ମୃତଦେହ ପାଣିତଳୁ ଉଦ୍ଧାର କରାଯାଇଛି ।

Boat Tragedy

ଫିଟନେସ୍ ନଥିଲା... ଲାଇଫ୍ ଜାକେଟ୍ ନଥିଲା... ବୈଧ ଲାଇସେନ୍ସ ନଥିଲା...। ନାହିଁ ନାହିଁ ଭିତରେ ଚାଲିଥିଲା ବେଆଇନ ଓଭରଲୋଡିଂ । କ୍ଷମତା ଥିଲା ୨୦, ଯାଉଥିଲେ ୫୦ରୁ ଅଧିକ ଲୋକ । ପୁରୁଣା, ଫଟାଦଦରା, ଜରାଜୀର୍ଣ୍ଣ ଅ‍ବସ୍ଥାରେ ଥିଲା ଏହି ଡଙ୍ଗା । ଏହାରି ଉପରେ ଭରସା କରି ଅକାଳରେ ନେଇଗଲା ୮ ନିରୀହ ଜୀବନ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଶରଧା ଘାଟ। ମହାନଦୀରେ ମିଳେଇ ଯାଇଛି ପିକନିକରୁ ଫେରିବା ବେଳର ଖୁସି । ମାନସିକ ପୂରଣ ପାଇଁ ବରଗଡ଼ ଅମ୍ବାଭୋନାର ପଥରସେନି ମନ୍ଦିରକୁ ଆସିଥିଲେ ଛତିଶଗଡ଼ ଖରସିଆ ଅଞ୍ଜିଲପାଲି ଗାଁର ୫୦ରୁ ଅଧିକ ଲୋକ । ହେଲେ ଦେବୀଦର୍ଶନ ଓ ପିକନିକ୍ ସାରି ଫେରିବା ବେଳେ ଅଚାନକ ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା।

ଗତକାଲି ଅପରାହ୍ଣର ଡଙ୍ଗାବୁଡ଼ି ଘଟଣାରେ ଆଜି ପାଣି ତଳୁ ସମସ୍ତ ୭ ନିଖୋଜଙ୍କ ମୃତଦେହ ମିଳିଛି। କାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ମୋଟ ୮ ମୃତକଙ୍କ ମଧ୍ୟରେ ୩ ଶିଶୁ ଓ ୫ ମହିଳା ଅଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏଁ ଏବଂ ପୁଣି ଆଜି ଭୋରରୁ ହୋଇଥିଲା ରେସ୍କ୍ୟୁ ଅପରେସନ। ସ୍ୱତନ୍ତ୍ର କ୍ୟାମେରା ସହାୟତାରେ ମୃତଦେହ ଗୁଡ଼ିକୁ ନଦୀଗର୍ଭରୁ ଉଦ୍ଧାର କରିଛନ୍ତି ୪ଟି ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଯବାନ ଓ ୫ ସ୍କୁବା ଡାଇଭର୍ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ମନ୍ଦିରକୁ ଯିବା ବେଳେ ଲୋକମାନଙ୍କୁ ଦୁଇ ଥରରେ ପ୍ରାୟ ୨୫-୨୫ ଜଣ କରି ନେଇଥିଲା ଡଙ୍ଗା । ହେଲେ ଫେରିବା ବେଳେ, ଗୋଟିଏ ଥରରେ ସମସ୍ତେ ଫେରୁଥିଲେ। ଡଙ୍ଗାରେ ୫୦ରୁ ଅଧିକ ଲୋକଙ୍କ ସହ ୫ଟି ବାଇକ ବି ଥିଲା । ପ୍ରଶ୍ନ ଉଠୁଛି ଏଭଳି ବଡ଼ ଅଘଟଣ ପାଇଁ ଦାୟୀ କିଏ ? ଡଙ୍ଗା ଚାଳକ, ଯାତ୍ରୀ ନା ଉଦାସୀନ ପ୍ରଶାସନ ? ଘାଟ ନିଲାମୀ ଦେଇଥିବା ପଞ୍ଚାୟତ, ନା ଡଙ୍ଗାକୁ ଲାଇସେନ୍ସ ଦେଉଥିବା ପରିବହନ ବିଭାଗ ? ମାସ ମାସ ଧରି ଚାଲିଥିବା ଜରାଜୀର୍ଣ୍ଣ ଡଙ୍ଗା ଉପରେ କାହାର ନଜର ପଡ଼ିନଥିଲା କିପରି ? ଜାଣିଶୁଣି ଆଖି ବୁଜିଦେଇଥିଲା କି ପ୍ରଶାସନ ?

ସୂଚନା ଅନୁସାରେ, ଶରଧା ଘାଟର ନିଲାମ କରିଥିଲା ରେମଟା ପଞ୍ଚାୟତ । ତେବେ ଗତକାଲିର ଅଘଟଣ ପରେ, ସ୍ଥାନୀୟ ଲୋକେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ପଞ୍ଚାୟତ ଜ୍ଞାତସାରରେ ଚାଲିଥିଲା ଡଙ୍ଗା । ଫଟା ଦଦରା ଡଙ୍ଗାରେ ମାତ୍ରାଧିକ ଲୋକ ନିଆଯାଉଥିବା ପୂର୍ବରୁ ସେମାନେ ଅଭିଯୋଗ କରିଥିଲେ । ହେଲେ ଡଙ୍ଗା ମାଲିକ ବିରୋଧରେ ପଦକ୍ଷେପ ନିଆଯିବା ତ ଦୂରର କଥା, ଓଲଟି ଅଭିଯୋଗକାରୀଙ୍କୁ ମିଳିଥିଲା ଧମକ । ସେପଟେ ଝାରସୁଗୁଡ଼ା MVI କହିଛନ୍ତି, ଡଙ୍ଗାର ଲାଇସେନ୍ସ ରିନ୍ୟୁ ପାଇଁ ଏହାର ମାଲିକ ନାରାୟଣ ଭୋଇ ଆବେଦନ କରିଥିଲେ । ହେଲେ ଡଙ୍ଗାର ଜରାଜୀର୍ଣ୍ଣ ସ୍ଥିତି ପାଇଁ ଲାଇସେନ୍ସ ରିନ୍ୟୁ କରାଯାଇନଥିଲା। ଏବେ ତାଙ୍କୁ ସୋ-କଜ୍ ନୋଟିସ୍ ହେବ ଏବଂ ଗିରଫ କରାଯିବ । ସେପଟେ ୨ ଡଙ୍ଗା ଚାଳକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ନୋଟିସ୍, ତଦନ୍ତ, କାର୍ଯ୍ୟାନୁଷ୍ଠାନ ଚେତାବନୀ । ଏସବୁ ବି କିଛି ଦିନ ପରେ ମିଳେଇ ଯିବନି ତ ମହାନଦୀ ଗର୍ଭରେ ? କାରଣ ୧୦ ବର୍ଷ ତଳେ ବି ହୀରାକୁଦ ଜଳଭଣ୍ଡାରରେ ଘଟିଥିଲା ୟାଠୁ ବଡ଼ ବୋଟ୍ ଟ୍ରାଜେଡି । ୨୦୧୪ ଫେବୃଆରୀରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସିଥିବା ଏକ ଡଙ୍ଗା ବୁଡ଼ି, ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଜୋରଦାର ହଟଚମଟ ହେବା ପରେ, ବହୁ କଟକଣା ଲାଗୁ କରାଯାଇଥିଲା। ହେଲେ ଦିନ ଗଡ଼ିବା ସହ ସବୁ କିଛି ହୋଇଯାଇଥିଲା ଯଥା ପୂର୍ବଂ, ତଥା ପରଂ।