Astrospeak
  • Live TV
  • Read In English

Jaguar Jet Crash : ସରିଥିଲା ନିର୍ବନ୍ଧ, ବିମାନ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ

୨୦୧୬ରେ ଏନ୍‌ଡିଏ ପରୀକ୍ଷାରେ ପାସ୍‌ କରିବା ପରେ ତିନି ବର୍ଷର କଠୋର ତାଲିମ ନେଇଥିଲେ ସିଦ୍ଧାର୍ଥ । ଦୁଇ ବର୍ଷ ଚାକିରି ପରେ ତାଙ୍କର ପ୍ରମୋସନ ହୋଇଥିଲା ଏବଂ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ ଦାୟିତ୍ୱ ମିଳିଥିଲା ।

Flight Lieutenant Siddharth
ବାହାଘର ପୂର୍ବରୁ ଚାଲିଗଲା ଜୀବନ ।

ମାର୍ଚ୍ଚରେ ସରିଥିଲା ନିର୍ବନ୍ଧ ହୋଇଥା'ନ୍ତା ବାହାଘର । ନଭେମ୍ବରରେ ବାଜିଥା'ନ୍ତା ଶାହାନାଇ ଏବଂ ପଡିଥା’ନ୍ତା ହାତଗଣ୍ଠି । ହାତକୁ ଦି ହାତ ହୋଇଥା’ନ୍ତେ ପାଇଲଟ ସିଦ୍ଧାର୍ଥ । ବାହା ହୋଇ ନିଜ ସ୍ୱପ୍ନର ନାୟିକାକୁ ଘରକୁ ଆଣିବା ସହ ନୂଆ କରି ସଂସାର ଗଢ଼ିବେ । ଏଭଳି ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ଭାଙ୍ଗିଗଲା ସବୁ ସ୍ୱପ୍ନ ।

ସବୁକିଛି ଆଖି ପିଛୁଳାକେ ହୋଇଗଲା ଧୂଳିସାତ୍ । ବାହା ବେଦିରେ ବସିବା ପୂର୍ବରୁ ଉଠିଲା କୋକେଇ । ବିମାନ ଦୁର୍ଘଟଣାରେ ଚାଲିଗଲା ଫ୍ଲାଇଟ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ପ୍ରାଣ । ମାର୍ଚ୍ଚ ୨୩ ତାରିଖରେ ସିଦ୍ଧାର୍ଥଙ୍କର ନିର୍ବନ୍ଧ ହୋଇଥିଲା । ପରିବାର ସହ ସମୟ ବିତାଇବା ପରେ ମାର୍ଚ୍ଚ ୩୧ ତାରିଖରେ ଡ୍ୟୁଟିରେ ଯୋଗ ଦେଇଥିଲେ ସିଦ୍ଧାର୍ଥ । ଏପ୍ରିଲ ୨ ତାରିଖରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଜାଗୁଆର ଧରି ନିୟମିତ ଉଡ଼ାଣରେ ବାହାରିଥିଲେ ଏହି ଫ୍ଲାଇଟ୍ ଲେଫ୍ଟନାଣ୍ଟ । ତାଙ୍କ ସହ ଅନ୍ୟ ଜଣେ ପାଇଲଟ ବି ଥିଲେ । ଏତିକି ବେଳେ ବିମାନରେ ଦେଖାଇଥିଲା ସମସ୍ୟା ।

ଏହା ପରେ, ଯୁଦ୍ଧ ବିମାନକୁ ସଠିକ୍ ଭାବରେ ଅବତରଣ କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ, ସବୁ ବିଫଳ ହୋଇଥିଲା । ଜାମନଗର ସହରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାଙ୍କ ବିମାନ । ଏହି ଦୁର୍ଘଟଣା ଘଟିବା ପରେ ସହ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିବା ବେଳେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଛି ।

ନଭେମ୍ବର ୨ ତାରିଖରେ ସାତଫେରା ନେଇଥାନ୍ତେ ସିଦ୍ଧାର୍ଥ । ଏଥିପାଇଁ ଘରେ ଚାଲିଥିଲା ଜୋରଦାର ପ୍ରସ୍ତୁତି । ଘରର ଗୋଟିଏ ବୋଲି ପୁଅକୁ ହାତକୁ ଦି ହାତ କରିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ଦେଖିଥିଲେ ଫ୍ଲାଇଟ ଲେଫ୍ଟନାଣ୍ଟଙ୍କ ବାପା ସୁଶିଲ । ହେଲେ ଦୁର୍ଘଟଣା ସବୁ ସାରିଦେଲା । ପୁଅକୁ ବେଦିରେ ବସାଇବା ପୂର୍ବରୁ ତା’ର ମୃତଦେହକୁ ମୁଖାଗ୍ନି ଦେଇଛନ୍ତି ବାପା । ଛାତିରେ ଛାତିଏ କୋହକୁ ଚାପି ରଖି, ତାଙ୍କ ପୁଅ ଦେଶ ପାଇଁ ଜୀବନ ଦେଇଥିବା ଲାଗି ସେ ଗର୍ବିତ ଥିବା କହିଛନ୍ତି ।

୨୦୧୬ରେ ଏନ୍‌ଡିଏ ପରୀକ୍ଷାରେ ପାସ୍‌ କରିବା ପରେ ତିନି ବର୍ଷର କଠୋର ତାଲିମ ନେଇଥିଲେ ସିଦ୍ଧାର୍ଥ । ଦୁଇ ବର୍ଷ ଚାକିରି ପରେ ତାଙ୍କର ହୋଇଥିଲା ପ୍ରମୋସନ । ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ ଦାୟିତ୍ୱ ମିଳିଥିଲା । ସିଦ୍ଧାର୍ଥ ଯାଦବଙ୍କ ପରିବାରରେ ଥିଲା ଦେଶପ୍ରେମ । ସେ ସାମରିକ ସେବା କରିଆସିଥିବା ପରିବାରରୁ ଆସିଥିଲେ । ତାଙ୍କ ଜେଜେ ବାପା ବ୍ରିଟିଶ ଶାସନରେ ବେଙ୍ଗଲ୍ ଇଞ୍ଜିନିୟର୍ସରେ କାର୍ଯ୍ୟ କରିଥିଲେ । ବାପା ବି LIC ରେ ଯୋଗ ଦେବା ପୂର୍ବରୁ ଭାରତୀୟ ବାୟୁସେନାରେ କାମ କରିଥିଲେ ।

ଅଧିକ ପଢ଼ନ୍ତୁ: କ୍ରାସ୍‌ ହେଲା IAF ଫାଇଟର ଜେଟ୍, ଦୁର୍ଘଟଣା ପରେ ଜଳିଗଲା ଯୁଦ୍ଧ ବିମାନ