Advertisment

ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ ।

undefined

Bus Tragedy

Advertisment

ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି । ଗତକାଲି ମଧ୍ୟରାତ୍ରରେ ଗଂଜାମ ଦିଗପହଣ୍ଡି ନିକଟରେ OSRTC ବସ୍ ଓ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗଦେଇ ଲୋକେ ଘରୋଇ ବସରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Advertisment

ରାତି ପ୍ରାୟ ସାଢେ ୧୨ରୁ ଗୋଟାଏ , ଗଞ୍ଜାମର ଦିଗପହଣ୍ଡି । ବ୍ରହ୍ମପୁରରେ ବିବାହ ଉତ୍ସବ ସାରି ଖଣ୍ଡଦେଉଳି ଫେରୁଥିଲା ଘରୋଇ ବସ୍ । ବୀପରିତ ଦିଗରେ ରାୟଗଡା ଗୁଡାରୀରୁ ଭୁବନେଶ୍ୱର ଆସୁଥିଲା OSRTC ବସ୍। ଅନ୍ଧାର ରାତିରେ ଦ୍ରୁତ ଗତିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଗଡି ଚାଲିଥିଲା ଗାଡି। ହଠାତ୍ ଦିଗପହଣ୍ଡି ଖେମୁଣ୍ଡି କଲେଜ୍ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ସବୁ କିଛି ଛିନ୍‌ଛତ୍ର ହୋଇଯାଇଥିଲା । ଆଉ ତାପରର ଦୃଶ୍ୟ ଥିଲା ଲୋମଟାଙ୍କୁରା । ଘରୋଇ ବସରୁ ଛିଟିକି ବାହାରେ ପଡିଥିଲେ ଯାତ୍ରୀ। ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ଘରୋଇ ବସ୍। ବସ୍‌ର ଅବସ୍ଥା ଦେଖିଲେ ଦୁର୍ଘଟଣାର ଭୟାବହତାକୁ ଅନୁମାନ କରାଯାଇପାରିବ।

ଆଉ ମାତ୍ର ୭ କିଲୋମିଟରର ରାସ୍ତା ପରେ ବିବାହ ଭୋଜି ସାରି ଫେରୁଥିବା ଘରୋଇ ବସର ଯାତ୍ରୀ ନିଜ ଘରେ ପହଁଚିଥାନ୍ତେ । ହେଲେ ରାସ୍ତାରେ ଯେମିତି ଜଗି ରହିଥଲା ଯମ । ମର୍ମନ୍ତୁଦ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି। ଆହତ ହୋଇଥିବା ୮ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା ଅଗ୍ନିଶମ ଓ ଆମ୍ବୁଲାନ୍ସ। ରାତି ନପାହୁଣୁ ସରିଥିଲା ଉଦ୍ଧାର କାର୍ଯ୍ୟ। ହେଲେ ଶୋକ ଭରି ଦେଇଥିଲା ୧୧ ଜଣଙ୍କ ମୃତ୍ୟୁର ଖବର। 

Advertisment

କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା ? ଦ୍ରୁତ ଗତି, ବେପରୁଆ ଗାଡି ଚାଳନା, ଯାନ୍ତ୍ରିକ ତ୍ରୁଟି ନା ନିଶା ଖାଇ ଗାଡି ଚଲାଉଥିଲେ ଡ୍ରାଇଭର ? ଏନେଇ ଖୋଳତାଡ଼ ଭିତରେ ଜଣାପଡିଛି ଯେ, ଚଳାଚଳ ପାଇଁ ଘରୋଇ ବସ୍‌ର ପରମିଟ୍ ନଥିଲା। ଗଂଜାମ ଆରଟିଓ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ଫିଟନେସ୍ ଥିଲା। ହେଲେ ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ଗାଡିର ଇନସୁରାନ୍ସ ବି ନଥିଲା। ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରଟିଓ କହିଛନ୍ତି।

ସେପଟେ ଦୁର୍ଘଟଣାର ତଦନ୍ତ ଚାଲିଛି, ଯିଏ ବି ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି। ତେଣେ ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାଯାଇଥିବା ବେଳେ ତାକୁ ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି। 

Advertisment

ବଡ଼ କଥା ହେଉଛି ଯେ, ରାଜ୍ୟରେ ସ୍କ୍ରାପିଂ ପଲିସି ଲାଗୁ ହୋଇଥିବା ବେଳେ ୧୫ ବର୍ଷର ପୁରୁଣା ଗାଡିକୁ ନଷ୍ଟ କରିବାକୁ ଆଇନ୍ ଅଣାଯାଇଛି। ଏଭଳି ସ୍ଥିତିରେ ୨୫ ବର୍ଷର ପୁରୁଣା ଘରୋଇ ଗାଡିକୁ ଫିଟନେସ ସାର୍ଟିଫିକେଟ୍ ମିଳିଲା କେମିତି, ସେନେଇ ପ୍ରଶ୍ନ ଉଠିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ସଂପର୍କୀୟକଙ୍କୁ ୨ ଲକ୍ଷ ଏବଂ ପ୍ରତି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ଲାଗି ୩ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ