Advertisment

ଜୀବନ ନେଇଗଲା ତ୍ରୁଟିପୂର୍ଣ୍ଣ ରାସ୍ତା, କେନାଲ ଭିତରକୁ ବରଯାତ୍ରୀ ଗାଡ଼ି ଖସି ୭ମୃତ

ମୁହୂର୍ତ୍ତକ ମଧ୍ୟରେ ଶୋକରେ ବୁଡ଼ିଗଲା ବାହାଘରର ଖୁସି ।

ଅଦ୍ୟତନ ହୋଇଛି
Sambalpur Road Accident Death

Killer Bridge

Advertisment

ଜୀବନ ନେଇଗଲା ତ୍ରୁଟିପୂର୍ଣ୍ଣ ରାସ୍ତା । ସାତ ସାତ ଜଣଙ୍କୁ ମାରିଦେଲା କିଲର ବ୍ରିଜ୍ । ମାରିଦେଲା ନିଦାବିଷ୍ଣୁ ବ୍ୟବସ୍ଥା ! ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ କିଲର ବ୍ରିଜ୍ । କେନାଲ ଉପରେ ମୃତ୍ୟୁ ଦୂତ ସାଜିଥିଲା ପୋଲ । ବ୍ରିଜ୍‌କୁ ଅତିକ୍ରମ କରୁଥିବା ଗାଡ଼ି ସବୁ ଟିକେ ଏପଟ ସେପଟ ହେଲେ ଗଲା ।

Advertisment

ଦୁର୍ଭାଗ୍ୟକୁ କାଲି ରାତିରେ ପାଖ ପରମାଣପୁରରୁ ଝାରସୁଗୁଡ଼ା ବଡ଼ଧରା ଅଭିମୁଖେ ଫେରୁଥିବା ବୋଲେରୋ ଗାଡ଼ିର ସମାନ ଦଶା ହୋଇଥିଲା । ଝିପି ଝିପି ବର୍ଷାରେ ଡ୍ରାଇଭର ସହ ୧୧ ଜଣଙ୍କୁ ଧରି ଫେରୁଥିବା ଗାଡ଼ିଟି ବିଶାଳଖିଣ୍ଡା ଗାଁ ପାଖ ସେହି ତୀଖ ବୁଲାଣିରେ ନିୟନ୍ତ୍ରଣ ହରାଇ ସିଧା କେନାଲକୁ ଖସି ଯାଇଥିଲା। ଫଳରେ ଡ୍ରାଇଭର ସମେତ ୭ ଜଣଙ୍କର ସଲିଳ ସମାଧି ହୋଇଥିଲା ବେଳେ କୌଣସି ଉପାୟରେ ଗାଡ଼ି କାଚ ଭାଙ୍ଗି ପାଣି ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ ୪ ଜଣ ।

ଖବର ପାଇ ସେଇ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ମୃତାହତଙ୍କୁ ତୁରନ୍ତ ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଥିଲା । ଆଉ ସେଇ କାଳ ରାତିର କଳା କାହାଣୀ ବଖାଣିଥିଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ବରଯାତ୍ରୀ।

Advertisment

ଏପଟେ ମୁହୂର୍ତ୍ତକରେ ଦୁର୍ଘଟଣାର ଦୁଃଖରେ ମିଳେଇଗଲା ବାହାଘରର ଖୁସି । ଝିଅ ଘର ପରମାଣପୁର ଗାଁରେ ତ କାହାରି ମୁହଁରେ ଭାଷା ନାହିଁ ଯେମିତି । ବର ପକ୍ଷ ପ୍ରିୟପରିଜନଙ୍କ ମୃତ୍ୟୁର ଶୋକ ଭିତରେ ବି ଭଲରେ ବାହା ସାରି ଝିଅ ଜ୍ୱାଇଁକୁ ବିଦା କରିଛନ୍ତି ସତ୍ୟ ନାରାୟଣ ବେହେରା। ହେଲେ ପୋଡ଼ି ଯାଇଛି ମନ।

ଆଉ ଏପଟେ ସାତ ସାତ ଜଣ ଭେଣ୍ଡିଆଙ୍କୁ ହରାଇ ସ୍ତବ୍ଧ ବର ଘର ଝାରସୁଗୁଡ଼ା ଲଖନପୁର ବ୍ଲକ୍ ବଡ଼ଧାରା ଗାଁ । ଯିଏ ଯେଉଁଠି ବସିଛି ସେଇଠି । କାଲି ଆଉ ଆଜି ଭିତରେ ବହୁ ଫରକ। ଗାଁ ପୁଅ କୁଶ ବେହେରାଙ୍କ ବାହାଘରରେ ବରଯାତ୍ରୀ ହୋଇ କାଲି ଯେଉଁମାନେ ଖୁସିର ନାଚ ନାଚିଥିଲେ, ସେମାନଙ୍କ ଭିତରୁ ୭ ଜଣଙ୍କର ଆଜି ଗାଁରେ ଶବ ସତ୍କାର ପାଇଁ ଗୋଟିଏ ପଟେ କାଠ ଯୋଗାଡ଼ ଚାଲିଥିଲା, ତ ଆରପଟେ କୋହକୁ ଚାପି ବାହାଘର ପରେ ଭାରି ମନରେ ବୋହୂକୁ ଧରି ଗୃହ ପ୍ରବେଶ କରୁଥିଲା ପୁଅ।

Advertisment

ସାତ ସାତଟି ପରିବାରକୁ ଉଚ୍ଛନ୍ନ କରି ଦେଇଥିବା ସେଇ ତ୍ରୁଟିପୂର୍ଣ୍ଣ ରାସ୍ତା ଓ କିଲର ବ୍ରିଜ୍ କଥା ଯଦି କହିବା ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଦୁର୍ଘଟଣା ଏଠି ନୂଆ କଥା ନୁହେଁ। ବହୁ ପୁରୁଣା । ଏ ବ୍ରିଜ ସ୍ଥାନରେ ଆଉ ଏକ ବ୍ରିଜ୍ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଆହୁରି ସାଙ୍ଘାତିକ କଥା ହେଲା ପିଡବ୍ଲୁଡିର ରାସ୍ତା, ଜଳସେଚନ ବିଭାଗର ପୋଲ । କୁଆଡ଼େ ଏଇ ବିବାଦରୁ କାମ ଆଗକୁ ବଢୁନି, ବାରମ୍ବାର ଜୀବନ ଯାଉଛି । ହେଲେ ଏ ସଂପର୍କରେ କିନ୍ତୁ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ