• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । କହିଲେ ଯିଏ ଦୋଷୀ ତାଙ୍କୁ ଆଦୌ ଛଡ଼ାଯିବନି । ଗ୍ରାଉଣ୍ଡ ଜିରୋକୁ ଯାଇ ଦୁର୍ଘଟଣା ସ୍ଥଳରେ ସମୀକ୍ଷା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତା’ସହ ହସ୍ପିଟାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଏହି ଦୁର୍ଘଟଣାକୁ ବର୍ଣ୍ଣନା କରିବା ପାଇଁ ଭାଷା ପାଉନି ବୋଲି ମଧ୍ୟ କହିଥିଲେ ।

ଦୋଷୀକୁ ଆଦୌ ଛଡ଼ା ଯିବ ନାହିଁ । ଏହି ଭୟଙ୍କର ରେଳ ଦୁର୍ଘଟଣା ପଛରେ ଯିଏ ବି ଥିବ, ଚରମ କାର୍ଯ୍ୟାନୁଷ୍ଠାନ ହେବ ।ବାହାନଗାରେ ଛାତିଥରା ରେଳ ଦୁର୍ଘଟଣା ପରେ ଗ୍ରାଉଣ୍ଡ ଜିରୋକୁ ଯାଇ ଆଜି ଏଭଳି କଡ଼ା ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମୟ ଅପରାହ୍ନ ପ୍ରାୟ ସାଢ଼େ ୪ଟା। ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଥମେ ବାହାନଗାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ବାହାନଗାର ଦୁର୍ଘଟଣାସ୍ଥଳକୁ ଯିବା ସହ କ୍ଷତିଗ୍ରସ୍ତ ବଗି ଗୁଡ଼ିକୁ ବୁଲି ଅନୁଧ୍ୟାନ କରିଥିଲେ । ତା’ସହ ବରିଷ୍ଠ ରେଳ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଦୁର୍ଘଟଣା, ଉଦ୍ଧାର, ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ ।

ସମୀକ୍ଷା ପରେ ଘଟଣାସ୍ଥଳରୁ ଫୋନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ କ୍ୟାବିନେଟ ସଚିବଙ୍କ ସହ କଥା ହୋଇଥିଲେ ମୋଦି । ଆହତଙ୍କୁ ଯେପରି ଉତ୍ତମ ଚିକିତ୍ସା ସେବା ମିଳିପାରିବ, ତାର ବନ୍ଦୋବସ୍ତ କରାଯାଇପାରିବ, ସେନେଇ ଆଲୋଚନା କରିଥିଲେ । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କଡ଼ା ସ୍ୱରରେ କହିଥିଲେ, ଘଟଣାର ସବୁ ପ୍ରକାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଦୋଷୀ ଥିବ, ତା ପ୍ରତି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଭଳି ଏକ ଦୁଃଖଦ ଘଟଣାକୁ ପ୍ରକାଶ କରିବାକୁ ମୁଁ ଭାଷା ପାଉନି । 

ବାହାନଗାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । ସ୍ଥିତି ଅନୁଧ୍ୟାନବେଳେ ସାଙ୍ଗରେ ଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ବାହାନଗାରେ ଉପସ୍ଥିତ ଥିଲେ ।

ସେହିପରି ମେଡ଼ିକାଲରେ ମନ୍ତ୍ରୀ ସୁଦାମ ମାର୍ଣ୍ଣି, ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ପ୍ରଧାନମନ୍ତ୍ରୀ ମୋଦି ଆହତ ଯାତ୍ରୀଙ୍କ ପାଖକୁ ଯାଇ କଥା ହୋଇଥିଲେ । ତା’ସହ ସମସ୍ତ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା ସେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।