Advertisment

୫୧ ଘଣ୍ଟାର ନନଷ୍ଟପ୍ ଅପରେସନ୍ ପରେ ଗଡ଼ିଲା ଟ୍ରେନ୍‌, ଧନ୍ୟବାଦ ଜଣାଇବା ବେଳେ କାନ୍ଦିଲେ ରେଳମନ୍ତ୍ରୀ

ଠିକ୍ ରାତି ୧୨ଟାରେ ଅପ୍ ଲାଇନରେ ଆଉ ଏକ ଟ୍ରେନ୍ ଗଡ଼ିବା ପରେ ମୁଣ୍ଡିଆ ମାରିବା ସହ ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଥିଲେ ରେଳମନ୍ତ୍ରୀ।

ଅଦ୍ୟତନ ହୋଇଛି
Balasore Train Accident

Balasore Train Accident

Advertisment

ଦୀର୍ଘ ୫୧ ଘଣ୍ଟାର ନନଷ୍ଟପ୍ ଅପରେସନ ପରେ ସ୍ୱାଭାବିକ ହୋଇଛି ବାଲେଶ୍ୱର ବାହାନଗା ଦୁର୍ଘଟଣା ସ୍ପଟରେ ମରାମତି କାମ। ଏକ ହଜାରରୁ ଅଧିକ ଶ୍ରମିକ ଓ ରେଳ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ, ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ରେଳ ମନ୍ତ୍ରୀଙ୍କ ଉପସ୍ଥିତିରେ କାଲି ମଧ୍ୟରାତ୍ରିରୁ ଉଭୟ ଅପ୍ ଓ ଡାଉନ୍ ଲାଇନରେ ପୂର୍ବଭଳି ରେଳ ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଲୁପ୍ ଲାଇନକୁ ମରାମତି କାମ ଚାଲୁ ରଖିଛି ରେଳ ବିଭାଗ।

Advertisment

ଦୀର୍ଘ ୫୧ ଘଣ୍ଟାର ନନଷ୍ଟପ୍ ଅପରେସନ୍। ରାତି-ଦିନ ଏକ କରି କାମ କରିବାର ପ୍ରକ୍ରିୟା। ତାରି ଭିତରେ ଭୟଙ୍କର ଦୁର୍ଘଟଣାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବାହାନଗା ଆକ୍ସିଡେଣ୍ଟ ସ୍ପଟରେ ପୁଣି ଗଡ଼ିଛି ରେଳ, ସ୍ୱାଭାବିକ ହୋଇଛି ଟ୍ରାକ୍। ଶୁକ୍ରବାର ସନ୍ଧ୍ୟାର ଏ ମର୍ମନ୍ତୁଦ ଦୁର୍ଘଟଣା ପରେ ଶନିବାର ସଂଧ୍ୟା ଯାଏଁ ଚାଲିଥିଲା ରେସ୍କ୍ୟୁ ଅପରେସନ୍। ଆଉ ତା ପରେ ଆରମ୍ଭ ହୋଇଥିଲା ରେଳଲାଇନ୍ ପୁନରୁଦ୍ଧାର କାମ। ହଜାରେରୁ ଅଧିକ ଶ୍ରମିକ ଓ ରେଳ କର୍ମଚାରୀ, ଗଣ୍ଡା ଗଣ୍ଡା ଅଧିକାରୀଙ୍କ ତତ୍ୱାବଧାନ ଓ ନିଜେ ରେଳ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ମାରାଥନ୍ ଭାବେ ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ।

ଦିନ-ରାତି ଏକ କରି ଅବିଶ୍ରାମ ଓ ଅବିରତ କାର୍ଯ୍ୟ ପରେ ଗତକାଲି ରାତି  ୧୦ଟା ୪୦ରେ ଡାଉନ୍ ଲାଇନରେ ଗଡ଼ିଥିଲା ପ୍ରଥମ ଟ୍ରେନ୍। ପରେ ଠିକ୍ ରାତି ୧୨ଟାରେ ଅପ୍ ଲାଇନରେ ଆଉ ଏକ ଟ୍ରେନ୍ ଗଡ଼ିବା ପରେ ମୁଣ୍ଡିଆ ମାରିବା ସହ ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଥିଲେ ରେଳମନ୍ତ୍ରୀ। ଏମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ଏ ସାଂଘାତିକ କ୍ଷତିଗ୍ରସ୍ତ ଲାଇନକୁ ପୁନର୍ବାର ପୂର୍ବାବସ୍ଥାକୁ ଫେରାଇ ଅଣାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ବେଳେ ଛଳ ଛଳ ହୋଇଯାଇଥିଲା ରେଳମନ୍ତ୍ରୀଙ୍କ ଆଖି।

Advertisment

ଦୁଇଟି ଯାକ ମୁଖ୍ୟ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ହେବା ପରେ ଆଜି ଅପରାହ୍ଣ ୨ଟା ସୁଦ୍ଧା ଉଭୟ ଲାଇନରେ ୩୦ରୁ ଅଧିକ ଟ୍ରେନ୍ ଯାତ୍ରା କରିଥିଲା। ଏହା ଭିତରେ ବନ୍ଦେ ଭାରତ, ସାଲିମାର ଓ ପୁରୁଷୋତ୍ତମ ଭଳି ସୁପରଫାଷ୍ଟ ମଧ୍ୟ ଏହି ଟ୍ରାକ୍ ଦେଇ ଅତିକ୍ରମ କରିଥିଲା। ତେବେ ପୁନରୁଦ୍ଧାର କାର୍ଯ୍ୟ ଶତ ପ୍ରତିଶତ ଶେଷ ହୋଇନଥିବାରୁ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଏବେ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛନ୍ତି। ମରାମତି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ସ୍ୱାଭାବିକ ହେବା ପରେ ଟ୍ରେନର ଗତି ମଧ୍ୟ ପର୍ଯ୍ୟାୟ କ୍ରମେ ବଢାଯିବ।

ସେପଟେ ବାହାନଗା ବଜାର ଷ୍ଟେସନରେ ରେଳ ସେବା ସ୍ବାଭାବିକ ହେବା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଷ୍ଟେସନର ସିଗନାଲ ସିଷ୍ଟମ୍। ସେହିଭଳି ନିକଟସ୍ଥ ବାଲେଶ୍ବର ଷ୍ଟେସନରେ ୨ ଦିନ ପରେ ରେଳ ସେବା ପୁନର୍ଜିିବିତ ହେବା ସାଙ୍ଗକୁ ଯାତ୍ରୀ ସେବା ମଧ୍ୟ ସ୍ୱାଭାବିକ ହୋଇଛି। ଦୁର୍ଘଟଣା ପରେ ସେଦିନର ଧ୍ବଂସସ୍ତୁପ ଏବେ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରୁଛି। ମେନ୍ ଲାଇନର ମରାମତି ପରେ ଏବେ ନଷ୍ଟଭ୍ରଷ୍ଟ ଲୁପ୍ ଲାଇନକୁ ସଜାଡ଼ିବା ସହ ଅନ୍ୟାନ୍ୟ କ୍ଷତିଗ୍ରସ୍ତ କ୍ଷେତ୍ରର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

Advertisment
Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ