Odisha Train Tragedy : ବିହାରର ୮୮ ଜଣ ନିଖୋଜ

ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।

Odisha train tragedy

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନିଜ ଲୋକଙ୍କୁ ଖୋଜି ପାଉନାହାଁନ୍ତି ପରିବାର ଲୋକ । ଏବେ ବି ଅନେକ ଯାତ୍ରୀ ନିଖୋଜ ଅଛନ୍ତି । ଆଜି କିଛି ଏଭଳି ଅଭିଯୋଗ କରି ଭୁବନେଶ୍ୱର ଏମ୍ସ, କଟକ ଏସସିବି ମେଡିକାଲରେ ଖୋଜି ବୁଲୁଛନ୍ତି । କିଏ ନିଜ ସ୍ୱାମୀଙ୍କ ପତ୍ତା ପାଉନି ତ ପୁଣି କିଏ ପୁଅ କିଏ ନିଜ ସମ୍ପର୍କୀୟଙ୍କ ସମ୍ପର୍କରେ କିଛି ବି ଖୋଜଖବର ପାଇପାରୁନି ।

ବିହାରର ୮୮ ଜଣ ନିଖୋଜ ଥିବା କଥା ଆଜି ସାମ୍ନାକୁ ଆସିଛି । ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ ସେହନୱାଜ୍ ଆଲମ୍ ଏନେଇ ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ୩୧ ଜଣ ନିଖୋଜ ଥିବା କଥା ଗତକାଲି କହିଥିଲେ । ତେଣୁ ଏବେ ବିହାର ଓ ପଶ୍ଚିମବଙ୍ଗର ନିଖୋଜ ଯାତ୍ରୀଙ୍କୁ ଖୋଜିବା ବଡ଼ ଚ୍ୟାଲେଞ୍ଜ ହେବ ।...

ଅଧିକ ପଢ଼ନ୍ତୁ: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ଅନ୍ୟପଟେ ମୃତଦେହକୁ ନେଇ ଏମ୍ସ୍‌ ପରିସରରେ ଦ୍ୱନ୍ଦ୍ୱ ଉପୁଜିଛି । ଏବେ ବି ଅନେକ ଶବ ଚିହ୍ନଟ ହୋଇପାରୁନାହିଁ । କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବା ବେଳେ ଗୋଟିଏ ଗୋଟିଏ ମୃତଦେହ ପାଇଁ ୬ଜଣ ଲେଖାଏଁ ଦାବିଦାର ଅଛନ୍ତି ବୋଲି ଭୁବନେଶ୍ୱର ମେୟର କହିଛନ୍ତି । ଏମ୍ସରେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ସଂଗ୍ରହ ହୋଇଥିବା ୩୩ଟି ନମୁନା ନୂଆଦିଲ୍ଲୀ ପଠାଯାଇଛି ।

ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକମାନଙ୍କୁ ଭୁବନେଶ୍ୱର ଏମସରେ ରଖାଯାଇଛି । ତେଣୁ ମୃତକଙ୍କୁ ଚିହ୍ନଟ ପାଇଁ ସମ୍ପର୍କୀୟମାନେ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ଏମ୍ସ ଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି । ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି । ..

ସେହିପରି ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ତଦନ୍ତର ଆଜି ଦ୍ୱିତୀୟ ଦିନ । ସୂଚନା ଅନୁସାରେ ଦୁର୍ଘଟଣା ଦିନ ଯେଉଁ କର୍ମଚାରୀମାନେ ଦାୟିତ୍ୱରେ ଥିଲେ ସେମାନଙ୍କର ଫୋନ୍ ସିଜ୍ କରାଯାଇଛି ଏବଂ କଲ୍ ରେକର୍ଡ ଯାଞ୍ଚ କରାଯାଉଛି । ହ୍ୱାଟସ ଆପ୍ ଚାଟିଂ ମଧ୍ୟ ଯାଞ୍ଚ କରାଯାଉଛି । ଏହା ସହିତ ସିବିଆଇ ରିଲେ ରୁମକୁ ଯାଇ ତନାଘନା କରିବ ବୋଲି ଜଣାପଡ଼ିଛି । ଫିଜିକାଲି ଇଣ୍ଟରଲକିଂ ସଂପର୍କରେ ତଥ୍ୟ ସଂଗ୍ରହ ମଧ୍ୟ କରାଯିବ ।