ଶ୍ରାବଣ ମାସ ତୃତୀୟ ସୋମବାର ସକାଳୁ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଅବସ୍ଥିତ ଅବସାନେଶ୍ବର ଶିବ ମନ୍ଦିରରେ ସୋମବାର ପ୍ରାୟ ୩ଟା ବେଳେ ଏକ ଟିଣ ଛାତ ଉପରେ ଉଚ୍ଚ ଭୋଲଟେଜ ବିଜୁଳି ତାର ଖସି ପଡ଼ିବାରୁ ଦର୍ଶନ ପାଇଁ ଜମା ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଗହଳି ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଲୋନିକାତ୍ରା ଥାନା ଅନ୍ତର୍ଗତ ମୁବାରକପୁର ଗ୍ରାମର ପ୍ରଶାନ୍ତ (୨୨) ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ତ୍ରିବେଦୀଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଛି।
ସୋମବାର ଭୋର ପ୍ରାୟ ୩ଟା ବେଳେ ଏହି ଅଇଟଣ ଘଟିଥିଲା। ସେତେବେଳେ ମନ୍ଦିରରେ ଜଳାଭିଷେକ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମା ହୋଇଥିଲା। ଜଣାପଡିଛି ଯେ ମନ୍ଦିର ପରିସରରେ ଲାଗିଥିବା ଟିଣ ଛାତ ଉପରେ ବିଜୁଳି ତାର ଖସି ପଡ଼ିବାରୁ କରେଣ୍ଟ ଲାଗିଥିଲା। ଯାହାଫଳରେ ଗହଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଜିଲ୍ଲା ମାଜିଷ୍ଟ୍ରେଟ ଶଶାଙ୍କ ତ୍ରିପାଠୀ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଶ୍ରଦ୍ଧାଳୁମାନେ ଏଠାରେ ଶ୍ରାବଣ ମାସ ତୃତୀୟ ସୋମବାର ଦର୍ଶନ ପାଇଁ ଏକାଠି ହୋଇଥିଲେ। କିଛି ମାଙ୍କଡ଼ ଉପରେ ଲାଗିଥିବା ଓଭରହେଡ଼ ବିଜୁଳି ତାର ଉପରେ ଡେଉଁଥିଲେ, ଯାହାଫଳରେ ତାର ଛିଣ୍ଡି ଟିଣ ଛାତ ଉପରେ ଖସି ପଡ଼ିଥିଲା। ଏହାଦ୍ୱାରା ଟିଣରେ କରେଣ୍ଟ ବ୍ୟାପି ଯାଇଥିଲା ଏବଂ ପ୍ରାୟ ୧୯ ଜଣଙ୍କୁ ବିଜୁଳି ଝଟକା ଲାଗିଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି।”
Also Read
ଘଟଣାସ୍ଥଳରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ଗୋଟିଏ ମାଙ୍କଡ଼ ବିଜୁଳି ତାର ଉପରେ ଡେଉଁଥିଲା, ଯାହାଫଳରେ ତାର ଛିଣ୍ଡି ମନ୍ଦିର ପରିସରର ଟିଣ ଛାତ ଉପରେ ଖସି ପଡ଼ିଥିଲା। ସାଙ୍ଗେ ସାଙ୍ଗେ କରେଣ୍ଟ ଚାରିଆଡେ ବ୍ୟାପି ଯାଇଥିଲା ଏବଂ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ପ୍ରବଳ ଗହଳି ମଧ୍ୟରେ କିଛି ଲୋକ ଅନ୍ୟ ମାନଙ୍କ ଉପରେ ଖସି ପଡ଼ିବାରୁ ଏ ଅଘଟଣ ଘଟିଥିଲା।”
ଉଲ୍ଲେଖଯୋଗ୍ୟ ଯେ, ଶ୍ରାବଣ ମାସ ସୋମବାରକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ମନ୍ଦିର ପରିସରରେ ପୋଲିସ୍ ମୁତୟନ ଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ମାମଲାର ତଦନ୍ତ ଜାରି ରହିଛି ଏବଂ ବିଦ୍ୟୁତ ବିଭାଗର ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି। ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ସହାୟତା ଯୋଗାଇବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।