/odishatv-khabar/media/media_files/2026/03/09/edible-oil-prices-surge-in-india-2026-03-09-19-46-18.jpg)
ପୁଣି ହାଣ୍ଡିଶାଳ ଘାଇଲା Photograph: (OTV)
ରୋଷେଇ ଗ୍ୟାସ ପରେ ବଢ଼ିଲା ଆମଦାନୀ ହେଉଥିବା ଖାଇବା ତେଲର ମୂଲ୍ୟ । ସପ୍ତାହରେ ବଢ଼ିଲା ହାରାହାରି ୧୦ ଟଙ୍କା । ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା। ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି। ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ। ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ।
ରନ୍ଧନ ଗ୍ୟାସ ପରେ ଭାରି ପଡିଲା ଖାଇବା ତେଲ ଦରବୃଦ୍ଧି । ହାଣ୍ଡିଶାଳରେ ଉପରେ ମହଙ୍ଗାମାଡ଼ । ରିଫାଇନ୍ ଓ ପାମୋଲିନ ତେଲ ଲିଟର ପିଛା ହାରାହରି ୫ରୁ ୬ ଟଙ୍କା ବୃଦ୍ଧି । ଚିନ୍ତାରେ ଖାଉଟି । ଇରାନ ଆମେରିକା ଯୁଦ୍ଧର ସିଧାସଳଖ ପ୍ରଭାବ ପଡିଛି ଖାଇବା ତେଲ ଉପରେ । ରାଜ୍ୟରେ ବଢିଛି ଆମଦାନୀ ହେଉଥିବା ପାମୋଲିନ୍ ଏବଂ ରିଫାଇନ୍ ତେଲର ମୂଲ୍ୟ ।
ମାଲେସିଆ, ଇଣ୍ଡୋନେସିଆ ଭଳି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରରୁ ଭାରତକୁ ଆମଦାନୀ ହେଉଥିବା ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ଲିଟର ପିଛା ହାରାହାରି ୫ରୁ ୬ ଟଙ୍କା ବୃଦ୍ଧି ପାଇଛି । ଗତ ସପ୍ତାହରେ ରାଜ୍ୟରେ ପାମୋଲିନ୍ ତେଲ ଲିଟର ପିଛା ୧୪୦ ଟଙ୍କା ଥିବା ବେଳେ ଏବେ ତାହା ୧୪୫କୁ ବୃଦ୍ଧି ପାଇଛି ।
ଠିକ୍ ସେହିପରି ରିଫାଇନ ତେଲ ୧୬୦ ଟଙ୍କା ଥିବା ବେଳେ ତାହା ବଢି ୧୬୬ ଟଙ୍କା ହୋଇଛି । ଆଉ କିଛି ଜାଗାରେ ଖୁଚୁରା ବ୍ୟବସାୟୀମାନେ ଏହାକୁ ୧୭୦ ଟଙ୍କାରେ ବି ବିକ୍ରି କରୁଥିବା ଦେଖାଯାଇଛି । ଆଉ ଏସବୁର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । ଏଭଳି ଦରବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଘରର ବଜେଟ ବିଗାଡିଦେବ ବୋଲି ଗୃହିଣୀମାନେ କହିଛନ୍ତି ।
ଖାଇବା ତେଲର ଦରବୃଦ୍ଧି ଯୋଗୁଁ କେବଳ ଯେ ଘରର ବଜେଟ ବିଗିଡି ଯାଇଛି ତାହା ନୁହେଁ । ପାମୋଲିନ୍ ଏବଂ ରିଫାଇନ୍ ତେଲ ଉପରେ ଛୋଟ ଛୋଟ ଜଳଖିଆ ଦୋକାନୀ ଏବଂ ହୋଟଲ ଗୁଡିକ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ ।
ତେବେ କଣ ପାଇଁ ଖାଇବା ତେଲ ବଢୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ବ୍ୟାବସାୟିକ କାରବାର ପ୍ରଭାବିତ ହୋଇଛି । ଯୁଦ୍ଧ ସ୍ଥିତିକୁ ଦେଖି ବୀମା କଂପାନୀଗୁଡିକ ପରିବହନ କରୁଥିବା ଜାହାଜ ଗୁଡିକର ଇନସୁରାନ୍ସ କରୁନାହାନ୍ତି ।
ସେହିପରି ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହି ଦୁଇ ଦେଶରୁ ଭାରତକୁ ଖାଇବା ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଏଥିସହ ରମଜାନ ମାସ ଚାଲିଥିବାରୁ ମାଲେସିଆ, ଇଣ୍ଡୋନେସିଆରୁ ଯୋଗାଣ ହ୍ରାସ ପାଇଛି । ତାସହିତ ଲୋକମାନେ ଦରବୃଦ୍ଧି ଆଶଙ୍କାରେ ଅଧିକ ମାତ୍ରାରେ ତେଲ କିଣୁଥିବାରୁ ସଂକଟ ସ୍ଥିତି ଦେଖାଦେଇଛି ।
ରାଜ୍ୟ ବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ, ପ୍ରତିଦିନ ରାଜ୍ୟରେ ୧୨ଶହରୁ ୧୫ଶହ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ଏବେ ଯଥେଷ୍ଟ ସଂଖ୍ୟାରେ ଖାଇବା ତେଲ ଗଚ୍ଛିତ ଅଛି । ତେଣୁ ଭୟଭୀତ ହେବାର ଆଶଙ୍କା ନାହିଁ । ତେବେ ଅସାଧୁ କାରବାରକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆମଦାନୀକାରୀ ସଂସ୍ଥା ଏବଂ ବ୍ୟବସାୟୀ ସଂଘଙ୍କ ସହ ଆଲୋଚନା କରିବା ଉଚିତ୍ ।
ତଥ୍ୟ ଅନୁସାରେ, ଭାରତ ପ୍ରତିବର୍ଷ ୧୬ ମିଲିୟନ୍ ଟନ୍ ଖାଇବା ତୈଳ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିଥାଏ । ଆଉ ଏହାର ୨୦ ପ୍ରତିଶତ ରୁଷିଆ, ୟୁକ୍ରେନ ଓ ଆର୍ଜେଣ୍ଟିନାରୁ ଆସିଥାଏ । କିନ୍ତୁ ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସମୁଦ୍ର ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)