Advertisment

New Rules From January 1: ଜାନୁଆରୀ ୧ରୁ ନୂଆ ନିୟମ; ଦରମାଠୁ ପାନ୍‌ କାର୍ଡ ଯାଏଁ ହେବ ବଡ ପରିବର୍ତ୍ତନ

୨୦୨୬ ଜାନୁଆରୀ ୧ରୁ ଲାଗିବ ନୂଆ ନିୟମ। ଦରମାଠୁ ପାନ୍‌ କାର୍ଡ ଯାଏଁ ହେବ ବଡ ପରିବର୍ତ୍ତନ। ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ। ଅଚଳ ହୋଇଯିବ ପ୍ୟାନ୍ କାର୍ଡ । ବଢିଯିବ କାର୍ ଦାମ୍ ।

author-image
Pramod Behera
1st January New Rule

ନୂଆବର୍ଷରୁ ବଦଳିବ ଏସବୁ ବଡ଼ ନିୟମ Photograph: (OTV)

ରାତି ପାହିଲେ ନୂଆବର୍ଷ ୨୦୨୬। ନୂଆବର୍ଷର ଆରମ୍ଭ ସହ ଜାନୁଆରୀ ୧ରୁ ଆମ ଦେଶରେ ବଦଳିଯିବ ଅନେକ ଆର୍ଥିକ ନିୟମ। ଆପଣ ଯଦି ଏ ବିଷୟରେ ନ ଜାଣିବେ ତେବେ ବଡ ହଇରାଣରେ ପଡିପାରନ୍ତି। ଅଚଳ ହୋଇଯିବ ପ୍ୟାନ୍ କାର୍ଡ । ବଢିଯିବ କାର୍ ଦାମ୍ । ଏଲପିଜି ଠାରୁ ବ୍ୟାଙ୍କ୍‌ ନିୟମ, ଦରମା, ପେନସନ୍ ଯାଏଁ ଅନେକ ବଡ ବଡ ପରିବର୍ତ୍ତନ ହେବ। ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

କାମ କରିବନି ପ୍ୟାନ୍ କାର୍ଡ: 
ଯଦି ଏ ଯାଏଁ ଆପଣ ପ୍ୟାନ୍-ଆଧାର ଲିଙ୍କ୍ କରିନାହାନ୍ତି, ତାହେଲେ ସମସ୍ୟାରେ ପଡିବେ। ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ୍ କରିବାର ଡିସେମ୍ବର ୩୧ ବା ଆଜି ହେଉଛି ଶେଷ ଦିନ। କାଲିଠୁ ବା  ଜାନୁଆରୀ ୧ରୁ ଆପଣଙ୍କ ପ୍ୟାନ୍ କାର୍ଡ ଆଉ କାମ ନ କରିପାରେ। ଏହାଦ୍ୱାରା ଆପଣ ଆଇଟିଆର ରିଫଣ୍ଡ, ରସିଦ୍ ଓ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ। ଏହାସହ ପ୍ୟାନ୍ କାର୍ଡ ନିଷ୍କ୍ରିୟ ହେବା ଯୋଗୁଁ ଅନେକ ସରକାରୀ ସୁବିଧାର ଲାଭ ପାଇବାରୁ ବି ବଞ୍ଚିତ ହୋଇପାରନ୍ତି।

ମହଙ୍ଗା ହୋଇଯିବ କାର୍ :
୨୦୨୬ରେ ନୂଆ କାର୍ କିଣିବାକୁ ପ୍ଲାନ୍ କରିଛନ୍ତି କି ? ତାହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କାରଣ ୨୦୨୬ ଜାନୁଆରୀରୁ ଅଟୋ ମୋବାଇଲ କମ୍ପାନୀଗୁଡିକ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି। ହୋଣ୍ଡା ଗାଡିର ଦାମ୍ ୧ରୁ ୨ ପ୍ରତିଶତ ବଢିପାରେ। ମର୍ସିଡିଜ୍-ବେଞ୍ଜ ଭଳି ବ୍ରାଣ୍ଡେଡ୍‌ କାରର ମୂଲ୍ୟ ୨ରୁ ୩ ପ୍ରତିଶତ ବଢିପାରେ। ନିସାନ୍, ବିଏମ୍‌ଡବ୍ଲୁ କାର୍ ୩ ପ୍ରତିଶତ ଯାଏଁ ମହଙ୍ଗା ହୋଇପାରେ।  

Advertisment

ଅଷ୍ଟମ ବେତନ କମିସନ ଲାଗୁ: 
ନୂଆବର୍ଷର ପ୍ରଥମ ଦିନକୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। କାରଣ ସରକାର ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି। ଯଦିଓ ଏହାକୁ ଲାଗୁ କରିବାକୁ ଅଧିକ ସମୟ ଲାଗିପାରେ। କିନ୍ତୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଓ ପେନସନ ୨୦୨୬ ଜାନୁଆରୀ ୧ରୁ ହିସାବ କରାଯିବ। କହିରଖୁଛୁ କି, ସପ୍ତମ ବେତନ କମିସନର ଅବଧି ଡିସେମ୍ବର ୩୧ରେ ଶେଷ ହେଉଛି।

EPFO ନିୟମରେ ବଡ ପରିବର୍ତ୍ତନ:
EPFO ଟଙ୍କା ଉଠାଣ ଏକ ବଡ ଜଟିଳ ପ୍ରକ୍ରିୟା। ହେଲେ ନୂଆବର୍ଷରୁ ପିଏଫ୍ ଟଙ୍କା ଉଠାଇବା ପୂର୍ବପେକ୍ଷା ଅଧିକ ସରଳ ହୋଇଯିବ। ପୂର୍ବରୁ ଥିବା ୧୩ଟି ଭିନ୍ନ ଭିନ୍ନ ସର୍ତ୍ତ ବଦଳରେ ପିଏଫ୍ ଉଠାଣ ପାଇଁ କେବଳ ୩ଟି ମୁଖ୍ୟ ବର୍ଗ ରଖାଯାଇଛି- ଯେପରିକି ଜରୁରୀ ଆବଶ୍ୟକତା, ଘର ସହ ଜଡିତ ଖର୍ଚ୍ଚ ଓ ବିଶେଷ ପରିସ୍ଥିତି । ଯାହାଦ୍ୱାରା ମେଡିକାଲ ଏମର୍ଜେନ୍ସି କିମ୍ବା ବିବାହ ସମୟରେ ତୁରନ୍ତ ପିଏଫ୍ ଟଙ୍କା ଉଠାଇବା ପାଇଁ ଅଯଥା ଝିନ୍‌ଝଟ୍ ରହିବନି। 

ବ୍ୟାଙ୍କିଙ୍ଗ୍ ଓ ଟ୍ୟାକ୍ସ ସହ ଜଡିତ ନିୟମ: 
୨୦୨୬ରେ ବ୍ୟାଙ୍କିଙ୍ଗ୍ ଓ ଇନ୍‌କମ୍ ଟ୍ୟାକ୍ସ ସହ ଜଡିତ ଅନେକ ନିୟମ ବଦଳିପାରେ। ଇନ୍‌କମ୍ ଟ୍ୟାକ୍ସ ରିଟର୍ଣ୍ଣ ବା ITR ଫର୍ମରେ ଏଣିକି ଅଧିକ ବିବରଣୀ ଦେବାକୁ ପଡିପାରେ। ଏପ୍ରିଲ ୨୦୨୬ରୁ କ୍ରେଡିଟ୍‌ ସ୍କୋର୍‌ କେବଳ ୭ ଦିନରେ ଅପଡେଟ୍ ହୋଇଯିବ, ଯାହାକି ପୂର୍ବରୁ ୧୫ ଦିନ ଲାଗୁଥିଲା। ୨୦୨୬ ଜାନୁଆରୀରୁ ଷ୍ଟେଟ୍‌ ବ୍ୟାଙ୍କ୍, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌, ଏଚ୍‌ଡିଏଫ୍‌ସି ଭଳି ବ୍ୟାଙ୍କ୍‌ଗୁଡିକର ଋଣ ସୁଧହାର କମିବ। ସେହିପରି ନୂଆବର୍ଷରୁ ନୂଆ ଫିକ୍ସସ୍ ଡିପୋଜିଟ୍ ସୁଧହାର ମଧ୍ୟ ଲାଗୁହେବ। 

ଭିଡିଓ ଦେଖିବା ପାଇଁ ତଳେ କ୍ଲିକ୍ କରନ୍ତୁ:

ବଦଳିବ ଏଲପିଜି ସିଲିଣ୍ଡର ଦର: 
ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ପରିବର୍ତ୍ତନ କରିଥାନ୍ତି। ତେଣୁ  ଜାନୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦାମ୍‌ରେ ହ୍ରାସ କିମ୍ବା ବୃଦ୍ଧି ଘଟିପାରେ। ଏହାର ପ୍ରଭାବ ଆପଣଙ୍କ ରୋଷେଇ ବଜେଟ୍ ଉପରେ ପଡିବ। 

ସିଏନଜି, ପିଏନଜି ଓ ଏଟିଏଫ୍ ଦାମ୍: 
ନୂଆବର୍ଷରୁ ରନ୍ଧନ ଗ୍ୟାସ୍ ସହ ସିଏନଜି, ପିଏନଜି ଓ ଏୟାର ଟର୍ବାଇନ ଫ୍ୟୁଏଲ ବା ଏଟିଏଫ୍ ଦର ବି ବଦଳିପାରେ। ଏଟିଏଫ୍ ଦାମ୍ ବଦଳିବା ଅର୍ଥ ସିଧାସଖଳ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ।

New Year PAN Card 8TH PAY COMMISSION
Advertisment
Advertisment