Advertisment

Ranchi Air Ambulance Crash: ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ କ୍ରାସ୍; ଦୁର୍ଘଟଣାରେ ଜଣେ ରୋଗୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ କ୍ରାସ୍। ଦୁର୍ଘଟଣାରେ ଜଣେ ରୋଗୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ। ୮ ଲକ୍ଷର ୠଣ କରି ରୋଗୀଙ୍କୁ ନିଆଯାଉଥିଲା ଏୟାର ଆମ୍ବୁଲାନ୍ସରେ। ଝାଡ଼ଖଣ୍ଡ ଚତ୍ରା ଜିଲ୍ଲାରେ ଜଙ୍ଗଲ ମଧ୍ୟରେ ଖସିପଡ଼ିଲା ବିମାନ।

author-image
Pramod Behera
Ranchi Air Ambulance Crash

ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ କ୍ରାସ୍ Photograph: (OTV)

ପାଖରେ ଯେତେ ଟଙ୍କା ଥାଉ, ଜୀବନ ବଞ୍ଚାଇବାର ଯେତେ ସାଧନ ବି ରହୁ। କପାଳରେ ଯାହା ଲେଖାଥାଏ, ତାହା ବୋଧହୁଏ ଭୋଗିବାକୁ ହୁଏ। ଆମେ କହୁଛୁ, ରାଞ୍ଚିରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ପଛର କଥା। ଜଣେ ରୋଗୀଙ୍କୁ ଦିଲ୍ଲୀ ନେବା ପାଇଁ ୮ ଲକ୍ଷ ଟଙ୍କାର ରୁଣ କରି ଏୟାର ଆମ୍ବୁଲାନ୍ସ ବୁକ୍ କରିଥିଲେ ସଂପର୍କୀୟ। ହେଲେ ଦୁର୍ଭାଗ୍ୟ, ଉଡ଼ାଣର କେଇ ସମୟ ମଧ୍ୟରେ କ୍ରାସ୍ ହୋଇଗଲା ସେହି ଆମ୍ବୁଲାନ୍ସ। ଚାଲିଗଲା ରୋଗୀଙ୍କ ସହ ୭ ଜଣଙ୍କ ଜୀବନ। ଯାହାକୁ ନେଇ ଏବେ ଚାଲିଛି ତନାଘନା।

Advertisment

୮ ଲକ୍ଷର ଲୋନ୍, ଭଡାରେ ଏୟାର ଆମ୍ବୁଲାନ୍ସ, କେଇ ସେକେଣ୍ଡରେ ସବୁକିଛି ଛାରଖାର୍। କିଏ ବାପାକୁ ହରାଇଲା ତ କାହା ମୁଣ୍ଡରୁ ଲିଭିଛି ସିନ୍ଦୂର। ନିମିଷକରେ ଉଜୁଡିଗଲା ଅନେକ ପରିବାର । ରୋଗୀ ନେଇ ଯାଉ ଯାଉ ମଝି ଆକାଶରେ ଶବ ପାଲଟିଗଲେ ସମସ୍ତେ । ଅଜିତ୍ ପାୱାରଙ୍କ ବିମାନ କ୍ରାସ ଘଟଣା ମନରୁ ନ ଲିଭୁଣୁ ଝାଡଖଣ୍ଡରେ ପୁଣି ଗୋଟିଏ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି ।

ଜଣେ ରୋଗୀଙ୍କୁ ନେଇ ରାଞ୍ଚିରୁ ଦିଲ୍ଲୀ ଯାଉଥିବାବେଳେ ଗୋଟିଏ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଚତ୍ରା ଜିଲ୍ଲାରେ ଘଞ୍ଚ ଜଙ୍ଗଲ ଭିତରେ ଖସିପଡିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବିମାନ ଭିତରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ଦେଖନ୍ତୁ ଏ ହୃଦୟ ବିଦାରକ ଚିତ୍ର, କେମିତି ଚୁରମାର୍ ହୋଇପଡିଛି ବିମାନ। ମୃତକଙ୍କ ମଧ୍ୟରେ ରହିଛନ୍ତି ସଞ୍ଚୟ କୁମାର ନାମକ ଜଣେ ରୋଗୀ, ତାଙ୍କର ସଂପର୍କୀୟ, ଜଣେ ଡାକ୍ତର ଓ ବିମାନ କର୍ମଚାରୀ । 

Advertisment

ସଞ୍ଜୟ ଝାଡଖଣ୍ଡ ଚାନ୍ଦୱା ସହରରେ ଏକ ଛୋଟିଆ ହୋଟେଲ କରି ଚଳୁଥିଲେ । ସର୍ଟ ସର୍କିଟରୁ ତାଙ୍କ ହୋଟେଲରେ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡି ହୋଇ ସେ ଗୁରୁତର ଥିଲେ । ରାଞ୍ଚିରେ ଟ୍ରିଟମେଣ୍ଟ ପରେ ତାଙ୍କୁ ଦିଲ୍ଲୀ ରେଫର୍ କରିଥିଲେ ଡାକ୍ତର । ହେଲେ ଟଙ୍କାର ଅଭାବ ଯୋଗୁଁ ପରିବାର ଲୋକେ ୮ ଲକ୍ଷ ଟଙ୍କା ଲୋନ୍ କରି ତାଙ୍କୁ ଏୟାରଆମ୍ବୁଲାନ୍ସରେ ଦିଲ୍ଲୀ ନେଉଥିଲେ । ବିମାନରେ ସଞ୍ଜୟଙ୍କ ସହ ଥିଲେ ତାଙ୍କ ପତ୍ନୀ ଅର୍ଚ୍ଚନା, ଜଣେ ସଂପର୍କୀୟ ଧ୍ରୁବ, ଡାକ୍ତର ବିକାଶ କୁମାର ଗୁପ୍ତା, ଜଣେ ଆଟେଣ୍ଡାଣ୍ଟଙ୍କ ସହ ଦୁଇ ବିମାନ କର୍ମଚାରୀ । 

ସୋମବାର ସନ୍ଧ୍ୟା ୭ଟା ୧୧ରେ ରାଞ୍ଚିରୁ ଉଡାଣ ଭରିଥିଲା ବିମାନ । ୭ଟା ୩୪ ମିନିଟରେ ବିମାନଟି କୋଲକାତା ଏଟିସି ସହ ସମ୍ପର୍କ କରିଥିଲା । ପରେ ରାଡାର୍ ସହ ଏହାର ସମ୍ପର୍କ କଟି ଯାଇଥିଲା । କେଇ ସେକେଣ୍ଡରେ ରାଞ୍ଚିଠାରୁ ୧୩୦ କିଲୋମିଟର ଦୂର ଚତ୍ରା ଜିଲ୍ଲାର କରମାଟାଣ୍ଡ ଗାଁ ନିକଟ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବିମାନ । 

ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିମାନ କ୍ରାସ ସମୟରେ ପ୍ରବଳ ବର୍ଷା ପବନ ହେଉଥିଲା । ମୃତକଙ୍କ ଭିତରେ ଥିବା ଡାକ୍ତର ବିକାଶ ଗୁପ୍ତା ରୋଗୀକୁ ବଞ୍ଚାଇବାକୁ ଯାଇ ନିଜେ ଆଖି ବୁଜିଛନ୍ତି । ସେ କଟକରୁ MBBS କରିବା ପରେ ରାଞ୍ଚି ସଦର ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତାଙ୍କର ଗୋଟିଏ ୭ ବର୍ଷର ପୁଅ ଥିବାବେଳେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛି । 

Air Ambulance Aviation Accident Plane Crash
Advertisment
Advertisment