/odishatv-khabar/media/media_files/2026/01/09/new-safety-rules-for-sleeper-buses-2026-01-09-20-12-44.jpg)
ସ୍ଲିପର କୋଚ୍ ବସ୍ର ମୋଡିଫିକେସନ୍ ଉପରେ ଲାଗିବ ରୋକ Photograph: (OTV)
୬ ମାସରେ ରାସ୍ତାରେ ଯାଇଛି ୧୪୫ ଜୀବନ। ମୃତ୍ୟୁର ଦୂତ ସାଜିଛି ସ୍ଲିପର କୋଚ୍ ବସ୍। ବାରମ୍ବାର ଏସି ସ୍ଲିପର ବସରେ ଲାଗୁଛି ନିଆଁ। ଜୈସଲମେରରେ ଜିଅନ୍ତା ଜଳି ଯାଇଥିଲେ ୨୬ ଯାତ୍ରୀ। ଆନ୍ଧ୍ର କୁର୍ଣ୍ଣୁଲରେ ଜୀବନ୍ତ ଦଗ୍ଧ ହୋଇଥିଲେ ୨୦ ଜଣ। ଗାଡ଼ିର ମୋଡିଫିକେସନ୍ ଉପରେ ଲାଗିବ ରୋକ। ସୁରକ୍ଷିତ ହେବ ସ୍ଲିପର ବସ୍ ଯାତ୍ରା, ଆସିଲା ନୂଆ ନିୟମ।
ସ୍ଲିପର କୋଚ୍ ବସ୍ ପାଇଁ ଆସିଲା କଡ଼ା ଆଇନ୍। ଏଣିକି ମନଇଚ୍ଛା ସ୍ଲିପର୍ କୋଚର ମୋଡିଫିକେସନ୍ କି ଏଠିସେଠି ବସ୍ର ବଡି ତିଆରି କରିହେବନି। କେବଳ ଅନୁମତିପ୍ରାପ୍ତ ଅଟୋମୋବାଇଲ୍ କମ୍ପାନୀ କିମ୍ବା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସଂସ୍ଥା ପ୍ରସ୍ତୁତ କରିବେ ସ୍ଲିପର କୋଚ୍ ବସ୍। ଗତ ୬ ମାସରେ ଦେଶର ବିଭିନ୍ନ ସ୍ଥାନରେ ସ୍ଲିପର କୋଚ୍ ଦୁର୍ଘଟଣାରେ ୧୪୫ ଯାତ୍ରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି କେନ୍ଦ୍ର ସରକାର।
ନୂଆ ନିୟମ ଅନୁସାରେ ପ୍ରତି ସ୍ଲିପର୍ କୋଚରେ ଫାୟାର ଏଗ୍ଜିଟ୍ ଓ ଆଲାର୍ମ ବ୍ୟବସ୍ଥା ସହ ଡ୍ରାଇଭରଙ୍କ ନିଦ ଆଲର୍ଟ ସିଷ୍ଟମ ରହିବା ବାଧ୍ୟତାମୂଳକ ହେବ। ତେବେ ଏହି ନିଷ୍ପତ୍ତିକୁ ବସ୍ ମାଲିକ ନାପସନ୍ଦ କରିଥିବା ବେଳେ ସ୍ୱାଗତ କରିଛନ୍ତି ଯାତ୍ରୀ।
ବାରମ୍ବାର ଏସି ସ୍ଲିପର ବସରେ ଭୟଙ୍କର ଅଗ୍ନିକାଣ୍ଡ ଓ ଅକାଳରେ ଜୀବନ ଯାଉଥିବାରୁ ଯାତ୍ରୀ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏଭଳି କଠୋର ନିୟମ ଆଣିଛନ୍ତି। କେହି ମନଇଚ୍ଛା ଗାଡ଼ିର ମୋଡିଫିକେସନ୍ କରିପାରିବେ ନାହିଁ। କୌଣସି ସ୍ଥାନୀୟ କିମ୍ବା ଜୁଆଡ଼ିଆ ବଡି ବିଲଡରଙ୍କ ଦ୍ୱାରା ନିର୍ମାଣ ହେବ ନି ସ୍ଲିପର କୋଚ୍।
କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି, କେବଳ ଅନୁମତିପ୍ରାପ୍ତ ଅଟୋମୋବାଇଲ୍ କମ୍ପାନୀ କିମ୍ବା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ସ୍ଲିପର୍ ବସ୍ ନିର୍ମାଣ କରିପାରିବେ। ବସରେ ଅଗ୍ନି ଚିହ୍ନଟ ଓ ଆଲାର୍ମ ସିଷ୍ଟମ ରହିବା ବାଧ୍ୟତାମୂଳକ। ଏମର୍ଜେନ୍ସୀ ଏଗଜିଟ୍, ସେଫଟି ହାମର ଓ ଏମର୍ଜେନ୍ସୀ ଲାଇଟିଂ ବ୍ୟବସ୍ଥା ରହିବ। ଡ୍ରାଇଭରଙ୍କ ନିଦ ସମ୍ପର୍କିତ AI ସେନସର ରହିବା ବି ଜରୁରୀ। ଏବେ ରାସ୍ତାରେ ଗଡୁଥିବା ସ୍ଲିପର କୋଚକୁ ନୂଆ ନିୟମ ଅନୁସାରେ ଅପଡେଟ୍ କରିବାକୁ ପଡ଼ିବ। ଯାତ୍ରୀଙ୍କ ସୁରକ୍ଷାକୁ କୌଣସି କ୍ଷେତ୍ରରେ ଅଣଦେଖା କଲେ ବସକୁ ଗଡ଼ିବା ଅନୁମତି ମିଳିବନି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ରାତିରେ ଆରାମଦାୟକ ଯାତ୍ରାର ଭଲ ମାଧ୍ୟମ ପାଲଟିଥିବା ସ୍ଲିପର କୋଚ୍ ଯାତ୍ରୀଙ୍କ ପାଇଁ ଯମ ପାଲଟିଛି। ଗତ ୬ ମାସରେ ଦେଶର ବିଭିନ୍ନ ସ୍ଥାନରେ ସ୍ଲିପର କୋଚ୍ ଦୁର୍ଘଟଣାରେ ୧୪୫ ଜଣଙ୍କର ମୃତ୍ୟୁ ହେବା ସବୁଠୁ ଉଦବେଗଜନକ। ଗାଡ଼ିରେ ମନଇଚ୍ଛା ମୋଡିଫିକେସନ୍ ଯୋଗୁ ବିପଦରେ ପଡୁଛି ଯାତ୍ରୀଙ୍କ ଅମୂଲ୍ୟ ଜୀବନ। ରାଜସ୍ଥାନ ଜୈସଲମାରରେ ଚଳନ୍ତା ଏସି ବସରେ ନିଆଁ ଲାଗି ୨୬ ଯାତ୍ରୀ ଜିଅନ୍ତା ଜଳିଯିବା ଏହାର ସବୁଠୁ ବଡ଼ ଉଦାହରଣ ଥିଲା।
ତଦନ୍ତରୁ ଜଣାପଡ଼ିଥିଲା, ଦୁର୍ଘଟଣାଗ୍ରସ୍ତ ବସ୍ ନନ୍-ଏସି ଭାବରେ ପଞ୍ଜିକୃତ ହୋଇଥିଲା। କିନ୍ତୁ ମାଲିକ ଏସିରେ ପରିବର୍ତ୍ତନ କରିଥିଲେ। ଗାଡ଼ିରେ ବେଆଇନ ଓ୍ବାୟରିଂ ଓ ଓଭରଲୋଡ୍ ଯୋଗୁଁ ସର୍ଟ-ସର୍କିଟରୁ ଅଘଟଣ ଘଟୁଛି। କେନ୍ଦ୍ର ସରକାରଙ୍କ ନୂଆ ନିୟମକୁ ବସ୍ ମାଲିକ ନାପସନ୍ଦ କରିଥିବା ବେଳେ ସ୍ୱାଗତ କରିଛନ୍ତି ଯାତ୍ରୀ। ...
ନୂଆ ନିୟମ ଅନୁସାରେ ସବୁ ସ୍ଲିପର ବସ୍ଗୁଡ଼ିକୁ AIS-052 ବସ୍ ବଡି କୋଡ୍ ସହିତ ସଂଶୋଧିତ ବସ୍ ବଡି କୋଡ୍ ପାଳନ କରିବାକୁ ପଡିବ। ଗତବର୍ଷ ସେପ୍ଟେମ୍ବରରୁ ଏହା କାର୍ଯ୍ୟକାରୀ ହୋଇଛି। AIS-052 ହେଉଛି ଭାରତରେ ବସ୍ ବଡି ଡିଜାଇନ୍ ଓ ଅନୁମୋଦନ ପାଇଁ ଏକ ମାନଦଣ୍ଡ। ଯାହାକୁ ବସ୍ ନିର୍ମାତା, ବଡି ବିଲଡର ଓ ପରିବହନ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ। ସରକାରଙ୍କ କଠୋର ପଦକ୍ଷେପ ଭବିଷ୍ୟତରେ ଦୁଃଖଦ ଦୁର୍ଘଟଣାକୁ ରୋକିବା ଓ ଦୂରଗାମୀ ସ୍ଲିପର୍ କୋଚ୍ ସେବାରେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)