/odishatv-khabar/media/media_files/2026/01/28/new-tax-regime-updates-2026-01-28-20-14-48.jpg)
ଟାକ୍ସ ପେୟରସଙ୍କୁ କେଉଁ ଉପହାର ଦେବେ ନିର୍ମଳା ? Photograph: (OTV)
ପାଖେଇ ଆସୁଛି ଦିନ, ବଢୁଛି ଲୋକଙ୍କ ଉତ୍କଣ୍ଠା। କେନ୍ଦ୍ର ସରକାରଙ୍କ ବଜେଟ୍ ଉପରେ ସାରା ଦେଶର ନଜର। ଏଥର ନିର୍ମଳାଙ୍କ ବଜେଟ ପେଡ଼ିରୁ କେଉଁ ଉପହାର ବାହାରୁଛି ତାକୁ ଅପେକ୍ଷା କରିଛନ୍ତି କରଦାତା। ବିଶେଷ କରି ନ୍ୟୁ ଟ୍ୟାକ୍ସ ରିଜିମରେ ହୋମ୍ ଲୋନ୍ କୁ ସାମିଲ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଫିକ୍ସ ଡିପୋଜିଟରେ ରିହାତି ପାଇଁ ଆଶାବାନ୍ଧି ବସିଛନ୍ତି ଟାକ୍ସପେୟରସ୍ ।
ସେହିଭଳି ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ବୃଦ୍ଧି ଏବଂ ITR ଦାଖଲ ପାଇଁ ନିର୍ଦ୍ଦିଷ୍ଟ ଶେଷ ତାରିଖ ମଧ୍ୟ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଏଥର ବଜେଟରେ ମୋଦି ସରକାରଙ୍କଠୁ କରଦାତା କଣ ଆଶା ରଖିଛନ୍ତି ଆସନ୍ତୁ ଜାଣିବା।
୨୦୨୬-୨୭ ବଜେଟକୁ ମଝିରେ ଆଉ ମାତ୍ର ୩ ଦିନ। ଚାଷୀଙ୍କଠୁ ବ୍ୟବସାୟୀ ପର୍ଯ୍ୟନ୍ତ, ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି ଉପରେ। ଗତବର୍ଷ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ଛାଡ଼ କରିଥିବା ମୋଦି ସରକାରଙ୍କଠୁ ଏଥର ବି ଆୟକର ରିହାତି ଆଶା ରୁଖୁଛନ୍ତି କରଦାତା। ବିଶେଷ କରି ବେତନଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ପରିମାଣ ବୃଦ୍ଧି ହେବା ଆଶା କରାଯାଉଛି।
ଏବେ ଏହା ୭୫ ହଜାର ଟଙ୍କା ଥିବା ବେଳେ ଏହାକୁ ଲକ୍ଷେ କିମ୍ବା ତାଠାରୁ ଆଉ କିଛି ଅଧିକ ବଢ଼ାଯାଇପାରେ ବୋଲି ଟିକସଦାତା ଆଶା ରଖିଛନ୍ତି। ଅନ୍ୟପଟେ ଏବେ ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ କରମୁକ୍ତ। ମଧ୍ୟବିତ୍ତ ବର୍ଗକୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ, ଏହି ସୀମା ୧୫ ଲକ୍ଷକୁ ବଢାଇବାକୁ ପ୍ରସ୍ତାବ ରହିଛି। ଏହାଛଡ଼ା ବର୍ତ୍ତମାନ 87-A ରିବେଟ୍ କେବଳ ସାଧାରଣ ଆୟ ଉପରେ ମିଳୁଛି। ଇକ୍ୱିଟି ସେୟାର କିମ୍ବା ମ୍ୟୁଚୁଆଲ୍ ଫଣ୍ଡର ଲାଭ ଉପରେ ନୁହେଁ। ଛୋଟ ନିବେଶକମାନେ ଏଥିରୁ ବଞ୍ଚିତ ହେଉଥିବାରୁ ଏହାକୁ ବିସ୍ତାର କରିବାର ଆବଶ୍ୟକତା ରହିଛି।
ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ପାଇଁ ମଧ୍ୟ ଆଶା ରଖିଛନ୍ତି ଟିକସଦାତା। ବର୍ତ୍ତମାନ, ୨୪ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ ହେଉଛି। ଏହି ପରିମାଣ ୩୦ ଲକ୍ଷକୁ ବୃଦ୍ଧି କରିବାକୁ ଦାବି ହୋଇଛି। ନିର୍ମଳାଙ୍କ ବଜେଟରେ ଗୃହ ଋଣ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରିହାତି ଆଶା କରାଯାଉଛି। ଓଲ୍ଡ ଟ୍ୟାକ୍ସ ରିଜିମରେ ଗୃହ ଋଣ ଉପରେ ସୁଧ ପରିମାଣ ହିସାବକୁ ନିଆଯାଉଥିବା ବେଳେ ନ୍ୟୁ ରିଜିମରେ ସେହି ସୁବିଧା ନାହିଁ। ତେଣୁ ନ୍ୟୁ ରିଜିମରେ ବି ଏହାକୁ ସାମିଲ କରିବାକୁ ଦାବି ହେଉଛି।
ସେହିପରି ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କୁ ଟ୍ୟାକ୍ସରେ ରିହାତି ଏବଂ ବରିଷ୍ଠ ନାଗରିକଙ୍କ ଫିକ୍ସ ଡିପୋଜିଟ୍ ଇନକମ୍ ଉପରେ କର ରିହାତି ମିଳିବ ବୋଲି ଆଶା ରଖାଯାଇଛି। ଅନ୍ୟପକ୍ଷରେ 80 C ଅଧୀନରେ ନିବେଶ ପରିମାଣ ୨୦୧୪ରୁ ଦେଢ଼ ଲକ୍ଷ ଟଙ୍କା ରହିଆସିଛି। ଏହାକୁ ଅଢେଇ ଲକ୍ଷକୁ ବୃଦ୍ଧି କରାଯାଉ ବୋଲି ଦାବି ହେଉଛି।
ସେହିଭଳି NRIଙ୍କୁ ଉତ୍ସାହିତ କରିବା ପାଇଁ କର ନିୟମରେ କୋହଳ, ସେନା କର୍ମଚାରୀଙ୍କୁ ଅଧିକ ରିହାତି ଏବଂ ITR ଦାଖଲ ପାଇଁ ନିର୍ଦ୍ଦିଷ୍ଟ ଶେଷ ତାରିଖ ବଜେଟରେ ଧାର୍ଯ୍ୟ ହୋଇପାରେ ବୋଲି କୁହାଯାଉଛି। ଆୟକରଦାତାଙ୍କୁ ସରକାର କେଉଁ ରିହାତି ପ୍ରଦାନ କରୁଛନ୍ତି ଏବଂ କଣ ନୂଆ ସୁବିଧା ଦେଉଛନ୍ତି ତାହା ଆସନ୍ତା ରବିବାର ସ୍ପଷ୍ଟ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)