/odishatv-khabar/media/post_attachments/uploadimage/library/16_9/16_9_0/Capture-1_1620491371.jpg)
Capture
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ମୃତ ପିତାଙ୍କ ଡାକ୍ତରୀ ଡିଗ୍ରୀ ଧରି ଲୋକଙ୍କୁ ଗତ ୨୦ ବର୍ଷ ହେବ ଚିକିତ୍ସା କରିଆସୁଛି । ସେ ଏକ ବିଲରେ ନିଜର ଡାକ୍ତରୀ କ୍ୟାମ୍ପ ଲଗାଇଛି । ସେଠାରେ ଖୋଲା ଆକାଶ ତଳେ ରୋଗୀଙ୍କୁ ଖଟିଆରେ ପକାଇ ଚିକିତ୍ସା କରୁିଛି ।
ଖବର ପାଇ ପ୍ରଶାସନିକ ଅଧିକାରୀ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲେ ସେଠାରୁ ଉକ୍ତ ନକଲି ଡାକ୍ତର ଫେରାର ହୋଇଯାଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ରୋଗୀଙ୍କ ପରିବାର ଲୋକ ପ୍ରଶାସନକୁ ବିରୋଧ କରିଥିଲେ ଏବଂ ନକଲି ଡାକ୍ତରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଖାଲି ସେତିକି ନୁହେଁ ଲୋକଙ୍କ ସମର୍ଥନ ପାଇବା ଯୋଗୁଁ ନକଲି ଡାକ୍ତର ଫେରାର ହେବାରେ ସକ୍ଷମ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ବିଦିଶାର ନାଟରେନ ବ୍ଲକର ୱାର୍ଦ୍ଧା ଗାଁରେ ଘଟିଛି । ବିଏମଓ ନୀତୁ ରାୟ କହିଛନ୍ତି ଯେ, ସେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନକଲି ଡାକ୍ତର ଅବ୍ଦୁଲ କରିମ ଉପସ୍ଥିତ ନଥିଲା । ଅବ୍ଦୁଲଙ୍କ ପିତା ଜଣେ ଡାକ୍ତର ଥିଲେ । ଅବଦୁଲ ଗତ ୨୦ ବର୍ଷ ଧରି ଏଠାରେ ଡାକ୍ତରୀ ଅଭ୍ୟାସ କରୁଛନ୍ତି । ଯାହାକି ସଂପୂର୍ଣ୍ଣ ବେଆଇନ । ନୀତୁ ରାୟ ଆହୁରି କହିଛନ୍ତି, ସେଠାରେ ୧୦୦ରୁ ଅଧିକ ଲୋକ ଜମା ହୋଇଥିଲେ । ଆଉ ସମସ୍ତେ ନକଲି ଡାକ୍ତର ଅବ୍ଦୁଲଙ୍କ ସମର୍ଥନରେ ଥିଲେ ।
‘ମୋର ଡାକ୍ତରୀ ଡିଗ୍ରୀ ନାହିଁ’
ବିଏମଓ ନୀତୁ ରାୟ କହିଛନ୍ତି ଯେ, ଘଟଣାସ୍ଥଳରେ ପହଞ୍ଚିବା ପରେ ଆମେ ସେଠାରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା କରିଥିଲୁ । ଆଉ ଦେଖିଲୁ ଯେ, ଗଛ ତଳେ ବେଡ୍ ପଡ଼ିଛି ଏବଂ ଚେୟାର ସାହାଯ୍ୟରେ ଡ୍ରିପ୍ ଦିଆଯାଉଛି । ଏହାସହ ଏକ ପରିତ୍ୟକ୍ତ ଘରେ ଔଷଧ-ଇଞ୍ଜେକ୍ସନ ଭଳି ଅନେକ ଡବା ପଡ଼ିଥିଲା । ଅନ୍ୟପଟେ ବାହାରେ ଏକ ଟେବୁଲରେ ମଧ୍ୟ ଔଷଧ ରଖାଯାଇଥିଲା । ଏହି ବିଷୟରେ ଯେତେବେଳେ ଅବ୍ଦୁଲକୁ ଧରି ପରେ ପଚରାଉଚରା କରାଗଲା ସେତେବେଳେ ସେ ସ୍ୱୀକାର ମଧ୍ୟ କଲା ଯେ, ଡିଗ୍ରୀ ତାଙ୍କ ବାପାଙ୍କ ନାଁରେ ରହିଛି । ଅବ୍ଦୁଲର କୌଣସି ଡିଗ୍ରୀ ନାହିଁ । ପିତାଙ୍କ ଦେହାନ୍ତ ହୋଇସାରିଛି ।
ମାମଲା ରୁଜୁ କଲା ପୋଲିସ
ଶମଶାବାଦ୍ ଟିଆଇ ଅଜୟ ଦୁବେ କହିଛନ୍ତି ଯେ ବିଏମଓ ଅଭିଯୋଗ କରିଛନ୍ତି ଯେ, ଅବ୍ଦୁଲ କରିମ ନାମକ ଜଣେ ବ୍ୟକ୍ତି ୱାର୍ଦ୍ଧାରେ ବିନା କୌଣସି ଡିଗ୍ରୀ ଥାଇ ଲୋକଙ୍କୁ ଡାକ୍ତରୀ ସେବା ଯୋଗାଉଛି । ପ୍ରତିବନ୍ଧିତ ଔଷଧ, ଇଞ୍ଜେକ୍ସନ ଓ ଡ୍ରିପ୍ ମଧ୍ୟ ଲଗାଉଛି । ଯହାକି ସମ୍ପୂର୍ଣ୍ଣ ବେଆଇନ । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହା ଦ୍ୱାରା ରୋଗୀର ଅବସ୍ଥା ଆହୁରି ବିଗିଡ଼ିବାର ସମ୍ଭାବନା ରହିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରିସାରିଛି । ଖୁବ୍ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବର ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ତହସିଲଦାର ହର୍ଷ ବିକ୍ରମ ସିଂ କହିଛନ୍ତି ଯେ ଘଟଣାସ୍ଥଳରୁ କିଛି ଔଷଧ ଜବତ କରାଯାଇଛି । ସେଗୁଡ଼ିକ ଯାଞ୍ଚ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)