/odishatv-khabar/media/post_attachments/uploadimage/library/16_9/16_9_0/vaccine-for-children-1_1624864804.jpg)
vaccine-for-children
ଭୁବନେଶ୍ୱର: ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାଙ୍କୁ ମିଳିପାରେ କରୋନା ଟିକା । ଫାର୍ମା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ବିକଶିତ ଟିକା ଜାଇକୋଭ୍-ଡି ର ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ସରକାର ୧୨ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ କରିପାରନ୍ତି । ଏହି ସୂଚନା ଦେଇଛନ୍ତି ଜାତୀୟ ଟିକାକରଣ ପରାମର୍ଶଦାତା କମିଟି ‘ଏନଟାଗି’ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା ।
ଗୁଜରାଟ ଅହମ୍ମଦାବାଦର ଫାର୍ମା କଂପାନୀ ଜାଇଡସ୍ କାଡିଲା ପକ୍ଷରୁ ଜାଇକୋଭ୍-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଖୁବ୍ଶୀଘ୍ର DCGI ନିକଟରେ ଆବେଦନ କରାଯାଇପାରେ । ଏହା ଉଭୟ ପ୍ରାପ୍ତ ବୟସ୍କ ଓ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯାଇ ପାରିବ। ତେଣୁ ଏହି ଟିକାକୁ ଅନୁମତି ମିଳିଲେ, ପ୍ରାପ୍ତ ବୟସ୍କଙ୍କ ଟିକାକରଣ ପାଇଁ ଆଉ ଏକ ବିକଳ୍ପ ସୃଷ୍ଟି ହେବ।
ଅନ୍ୟପକ୍ଷେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସୂଚନା ଅନୁସାରେ, ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସେପ୍ଟେମ୍ବର ସୁଦ୍ଧା ଆସିଯିବ ବୋଲି ଆଶା କରାଯାଉଛି । ପିଲାଙ୍କ ପାଇଁ ଫାଇଜର୍ ଟିକା ମଧ୍ୟ ଅନୁମତି ଅପେକ୍ଷାରେ ରହିଛି।
ସୂଚନାଥାଉ କି, ଦେଶରେ ୧୮ ବୟସରୁ ଅଧିକ ବୟସର ୯୩-୯୪ କୋଟି ଲୋକଙ୍କୁ ଟିକା ଦେବାକୁ ବର୍ତ୍ତମାନ ଟିକାର ୧୮୬-୧୮୮ କୋଟି ଡୋଜ୍ ଆବଶ୍ୟକ। ଏଥିରୁ ଜୁଲାଇ ୩୧ ସୁଦ୍ଧା ୫୧.୬ କୋଟି ଟିକା ଉପଲବ୍ଧ ହୋଇଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କେନ୍ଦ୍ର ସରକାର ଟିକା ଦେବେ। କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି, ଲକ୍ଷାଧିକ ଲୋକଙ୍କ ମୁଣ୍ଡ ବି ନେଇଛି। ଆଉ ଏହାରି ମଧ୍ୟରେ ଟିକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)