/odishatv-khabar/media/post_attachments/uploadimage/library/16_9/16_9_0/Capture-18_1626261769.jpg)
Toolkit
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି ।
ସୂଚନାନୁସାରେ ସୋମବାର ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରୋହନ ଗୁପ୍ତା ଏବଂ ରାଜୀବ ଗୌଡାଙ୍କୁ ନୋଟିସ ପଠାଯାଇଛି । ଉଭୟ ନେତା ବିଜେପି ନେତା ସମ୍ବିତ ପାତ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ଆରୋପ ଲଗାଇଥିଲେ କି ସେ ନକଲି ଟୁଲ୍କିଟ୍ ସେୟାର କରିଥିଲେ । ଏବେ ଦିଲ୍ଲୀ ପୋଲିସ ଉଭୟ ନେତାଙ୍କୁ ତଦନ୍ତରେ ସାମିଲ ହେବା ସହ ନିଜ ନିଜ ବୟାନ ରେକର୍ଡ କରାଇବାକୁ କହିଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ ପୋଲିସର ଏହି ନୋଟିସକୁ ନେଇ କଂଗ୍ରେସ ନେତା ରାଜୀବ ଗୌଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ଅଭିଯୋଗକୁ ଭିତ୍ତି କରି ଛତିଶଗଡ଼ରେ ତଦନ୍ତ ଚାଲିଛି । ତେଣୁ ସେ ଏହି ମାମଲାକୁ ସେଠାରେ ହିଁ ସାମ୍ନା କରିବେ ବୋଲି ଦିଲ୍ଲୀ ପୋଲିସକୁ ସୂଚାଇ ଦେଇଛନ୍ତି ।
ଅନ୍ୟପକ୍ଷରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଚର୍ଚ୍ଚିତ କୋଭିଡ୍-୧୯ ‘ଟୁଲ୍କିଟ୍’ ସଂପର୍କରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ସମ୍ପର୍କରେ ଟ୍ୱିଟରକୁ ନୋଟିସ୍ ପଠାଇଛି । ଏହାସହ ବିଜେପି ନେତା ସମ୍ବିତ ପାତ୍ରାଙ୍କ ଟ୍ୱିଟ୍କୁ 'ମାନିପୁଲେଟିଭ୍' ବୋଲି କାହିଁକି କହିଲା ତାର ସ୍ପଷ୍ଟୀକରଣ ମାଗିଛି । ସୋମବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସର ଦୁଇଟି ଟିମ୍ ଲାଡୋ ସାରାଇ ଏବଂ ଗୁରୁଗ୍ରାମସ୍ଥିତ ଟ୍ୱିଟର କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ଏକ ଟୁଲ୍କିଟ୍ ପ୍ରସ୍ତୁତ କରି କରୋନା ଭାଇରସର ନୂଆ ରୂପକୁ 'ଭାରତୀୟ ଷ୍ଟ୍ରେନ୍' ବା 'ମୋଦୀ ଷ୍ଟ୍ରେନ୍' ବୋଲି କହିଥିଲା । ଏହାସହ ଦେଶର ଓ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଥିଲା । ତେବେ କଂଗ୍ରେସ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ, ବିଜେପି ତାକୁ ବଦ୍ନାମ କରିବା ପାଇଁ ନକଲି 'ଟୁଲ୍କିଟ୍'ର ବ୍ୟବହାର କରୁଛି ।
ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ପ୍ରଥମେ ଟ୍ୱିଟରକୁ ମାନୁପୁଲେଟିଭ୍ ମିଡିଆ ଟ୍ୟାଗ୍ ହଟାଇବା ପାଇଁ କୁହାଯାଇଥିଲା । କାରଣ ଏହି ମାମଲା ଏଜେନ୍ସି ପାଖରେ ବିଚାରାଧୀନ ରହିଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ, ଯେତେବେଳେ ଏହି ମାମଲାର ତଦନ୍ତ ଚାଲୁ ରହିଛି ସେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ବିଚାର କରିପାରିବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)