/odishatv-khabar/media/post_attachments/uploadimage/library/16_9/16_9_0/tiger-woods_1627367679.jpg)
tiger-woods
ଲସ୍ ଏଞ୍ଜେଲସ୍; ପ୍ରସିଦ୍ଧ ଗଲ୍ଫ ଖେଳାଳି ଟାଇଗର ଉଡ୍ସଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଲସ୍ ଏଞ୍ଜେଲସରେ ନିୟନ୍ତ୍ରଣ ହରାଇ ତାଙ୍କ କାର ରାସ୍ତା କଡ଼କୁ ଖସିପଡ଼ିଥିଲା। କାର୍ଟି ତଳକୁ ଖସିବା ପରେ ଦୁଇ ଚାରିଥର ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଓ ପାରାମେଡିକାଲ ଷ୍ଟାଫ ଟାଇଗର ଉଡ୍ସଙ୍କୁ ତାଙ୍କ ଏସୟୁଭି କାରରୁ ଉଦ୍ଧାର କରି ମେଡିକାଲକୁ ନେଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ କୌଣସି ଗାଡ଼ି ସାମିଲ ନଥିଲା। କି କୌଣସି ଗାଡ଼ି ସହିତ ଉଡ୍ସଙ୍କର କାର୍ ଧକ୍କା ହୋଇ ନାହିଁ ବୋଲି ପୋଲିସ କର୍ମୀ ସୂଚନା ଦେଇଛନ୍ତି।
ଉଡ୍ସ କୌଣସି ନିଶା ଦ୍ରବ୍ୟ ନେଇନଥିଲେ। ଦୁର୍ଘଟଣା ପରେ ତାଙ୍କର ସର୍ଜରି କରାଯାଇଛି ବୋଲି ଲସ୍ ଆଞ୍ଜେଲସ୍ କାଉଣ୍ଟି ଶେରିଫ୍ ଆଲେକ୍ସ ଭିଲାନୁଏଭା କହିଛନ୍ତି। ପୋଲିସ ଅଫିସର ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଡ୍ସ କାର୍ ଭିତରେ ଫସି ରହିଥିଲେ। ସେ ବହୁତ ଧୈର୍ଯ୍ୟର ସହିତ କାର୍ ଭିତରେ ରହିଥିଲେ ଓ ତାଙ୍କ ମାନସିକ ସ୍ଥତି ଠିକ୍ ଥିଲା। ସେ ନିଜକୁ ଚିହ୍ନି ପାରୁଥିଲେ। ଏହାପରେ ତାଙ୍କୁ କାର୍ ଭିତରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ବର୍ତ୍ତମାନ ତାଙ୍କର ସର୍ଜରି କରାଯାଉଛି।
ଦୁର୍ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚିଥିବା ଅଫିସର ଜଣଙ୍କ ଉଡ୍ସଙ୍କର ଧୈର୍ଯ୍ୟକୁ ଦେଖି କାବା ହୋଇଯାଇଥିଲେ। ଉଡ୍ସ ବହୁତ ଭାଗ୍ୟବାନ ଯେ ଏତେବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇନ୍ତି ବୋଲି ଅଫିସର ଜଣକ କହିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଲସ୍ ଆଞ୍ଜେଲସ୍ କାଉଣ୍ଟି ଫାୟାର ମୁଖ୍ୟ ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ଦୁଇଟି ଗୋଡରେ ଗଭୀର କ୍ଷତ ଲାଗିଥିଲେ ବି ତାଙ୍କ ଜୀବନ ପ୍ରତି ବିପଦ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ନିକଟରେ ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଗଲ୍ଫ ଖେଳାଳି ଟାଇଗର ଉଡ୍ସ ତାଙ୍କ କ୍ୟାରିଅରରେ ୧୫ଟି ଗଲ୍ଫ ଟାଇଟଲ ହାସଲ କରିଛନ୍ତି।
ସର୍ଜରି ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ତା ଖବର ପାଇଁ ପିଜିଏ ଟିମ୍ ଟୁର୍ ଅପେକ୍ଷା କରିଛି। ଟାଇଗର ଆମ ଖେଳାଳି। ତେଣୁ ଆମେ ଓ ଆମ ପୂରା ଟିମ୍ ତାଙ୍କୁ ଫୁଲ୍ ସହଯୋଗ କରିବୁ ବୋଲି ପିଜିଏ ଟୁର୍ କମିଶନର ଜୟ ମନୋହନ କହିଛନ୍ତି।
ଉଡ୍ସ ଦୁର୍ଘଟଣାର ଶିକାର ହୋଇଥିବା ଖବର ସଙ୍ଗେ ସଙ୍ଗେ ଆମେରିକାର ବ୍ୟାପିଯାଇଥିଲା। କ୍ରୀଡ଼ା ଜଗତ ହେଉ କିମ୍ବା ରାଜନେତା ସମସ୍ତେ ଉଡ୍ସଙ୍କର ଆରୋଗ୍ୟ କାମନା କରିଥିଲେ। ଟାଇଗର ପୁଣିଥରେ ସୁସ୍ଥ ହୋଇ ଫେରିବେ। ଏଥିରେ ମୋର କୌଣସି ସନ୍ଦେହ ନାହିଁ ବୋଲି ଫକ୍ସ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)