/odishatv-khabar/media/post_attachments/uploadimage/library/16_9/16_9_0/pm-modi_1625241078.jpg)
pm-modi
ନୂଆଦିଲ୍ଲୀ: ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂରେ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସେମାନଙ୍କ ଜମିର ଅଧିକାର ସ୍ୱରୂପ ପ୍ରାୟ ଏକ ଲକ୍ଷ ଜମି କାଗଜପତ୍ର ପ୍ରଦାନ କରିଛନ୍ତି ମୋଦି। ଆଗମୀ ୪ ବର୍ଷ ମଧ୍ୟରେ ସମସ୍ତ କୃଷକଙ୍କୁ ସେମାନଙ୍କର ଜମି ପଟା ମିଳିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନା ଗ୍ରାମାଞ୍ଚଳରେ ଜମିଜମା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର କରିବା ବୋଲି ପିଏମ୍ କହିଛନ୍ତି।
ଲୋକନାୟକ ଜୟପ୍ରକାଶ ନାରାୟଣ ଓ ନାନାଜୀ ଦେଶମୁଖଙ୍କ ଜନ୍ମଦିନରେ ଏଭଳି ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସେ ବହୁତ ଖୁସି ବୋଲି ମୋଦି କହିଛନ୍ତି। ଏହା ଫଳରେ ଗ୍ରାମାଞ୍ଚଳ ଲୋକେ ନିଜର ସଂପତ୍ତିକୁ ଲୋନ୍ ନେବା ଓ ଅନ୍ୟାନ୍ୟ ଆର୍ଥିକ ଲାଭ ନେବା ଲାଗି ବ୍ୟବହାର କରିପାରିବେ। ଏ ନେଇ ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ମୋବାଇଲକୁ ଯାଇଥିବା ମେସେଜର ଲିଙ୍କରୁ ଲୋକମାନେ ସେମାନଙ୍କ ଜମି ରେକର୍ଡ ଡାଉନଲୋଡ୍ କରିପାରିବେ।
ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ଅବସରରେ ମୋଦି ଏହି ଯୋଜନା ଘୋଷଣା କରିଥିଲେ। ଡ୍ରୋନ୍ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଜରିଆରେ ଗ୍ରାମାଞ୍ଚଳରେ ଜମିର ଆକାର ନିର୍ଦ୍ଧାରଣ, ନକ୍ସା ପ୍ରସ୍ତୁତି ଓ ରେକର୍ଡ ପ୍ରସ୍ତୁତ କରିବା ଲାଗି ଏହି ଯୋଜନାର ପ୍ରଚଳନ ହୋଇଛି। ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଜମିର ସୀମା ନିର୍ଦ୍ଧାରଣ ନେଇ ବିବାଦ ଥିବାରୁ ସରଳ ଉପାୟରେ ସମାଧାନ ଲାଗି ସ୍ୱାମିତ୍ୱ ଯୋଜନା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ତା ଛଡ଼ା ଜମି ରେକର୍ଡ ନଥିବାରୁ ବହୁ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ। ହେଲେ ଏବେ ସେଭଳି ସମସ୍ୟା ଉପୁଜିବ ନାହିଁ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)