Sputnik v
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଦାଉରେ ଛଟପଟ ହେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଭାରତରେ ଗତ କିଛି ଦିନ ହେବ ହାତ ଗଣତି କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ଶିଖର ଛୁଉଁଛି । ତେବେ ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି । କିନ୍ତୁ କିଛି ରାଜ୍ୟରେ ଟିକା ଅଭାବ ହେତୁ ଟିକାକରଣ ପ୍ରକ୍ରିୟା ଧିମା ପଡ଼ିଯାଇଛି ।
ତେବେ ଖୁବ୍ଶୀଘ୍ର ଏହି ସମସ୍ୟା ଦୂର ହେବାକୁ ଯାଉଛି । ଭାରତରେ କରୋନା ଟୀକାକରଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବାକୁ ଯାଉଛି । ଦେଶର ବୃହତ୍ତମ ଟିକା ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପେନେସିଆ ବାୟୋଟେକ୍ ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହିତ ଏକ ଚୁକ୍ତି କରିଛି । ଏବେ ପେନେସିଆ ବାୟୋଟକ୍ ପ୍ରତିବର୍ଷ ୧୦ କୋଟି ଟିକା ଉତ୍ପାଦନ କରିବ । କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ଫାଷ୍ଟ ଫେଜ୍ ପ୍ରଡକ୍ସନ ବହାରି ଋଷରେ ପହଞ୍ଚିସାରିଛି । ସେଠାରେ ଏହାର ଗୁଣବତ୍ତା ଯାଞ୍ଚ କରାଯିବ ।
ଆରଡିଏଫ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ପେନେସିଆ ବାୟୋଟେକ୍, ଟିକା ଉତ୍ପାଦନରେ ସମସ୍ତ ଆନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରୁଛି । ଭାରତରେ, ଋଷ ଟିକାକୁ ଗତ ଏପ୍ରିଲ ୧୨ରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକାକରଣ ବେଳେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ସହିତ ଭାରତରେ ତୃତୀୟ ଟିକା ମଧ୍ୟ ପ୍ରଚଳନ କରାଯାଇଥିଲା । କିନ୍ତୁ ସ୍ପୁଟନିକ୍ ଦ୍ୱାରା ଟିକାକରଣ ୧୪ ମେ’ରୁ ଆରମ୍ଭ ହୋଇ ପାରିଥିଲା ।
ଆରଡିଆଇଏଫ୍ ସିଇଓ କିରିଲ୍ ଦମିତ୍ରିଭ୍ କହିଛନ୍ତି, ପେନେସିଆ ବାୟୋଟେକ୍ ସହିତ ଭାରତରେ ଟିକା ଉତ୍ପାଦନ, କରୋନା ବିରୋଧ ଲଢ଼େଇରେ ଏକ ବଡ଼ ପଦକ୍ଷେପ । ସ୍ପୁଟନିକ୍ ଟିକା ଉତ୍ପାଦନ ଦ୍ୱାରା ଭାରତ କରୋନାର ଏହି କରାଳ ରୂପ ସହ ଲଢ଼େଇ କରିବାରେ ଅଧିକ ବଳ ପାଇବ । ଏହା ବ୍ୟତୀତ ଟିକା ରପ୍ତାନି କରି ବିଶ୍ୱର ଅନ୍ୟ ଦେଶମାନଙ୍କୁ ମଧ୍ୟ କରୋନା ବିରୋଧ ଲଢ଼େଇରେ ସାହାଯ୍ୟ କରାଯାଇ ପାରିବ ।
୯୧.୬% ପ୍ରଭାବ
ଗତ ଫେବୃଆରୀରେrnj, ସ୍ପୁଟ୍ନିକ୍-ଭି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା । ରିପୋର୍ଟ ଅନୁଯାୟୀ କରୋନା ବିରୋଧରେ ଏହା ୯୧.୬% ପ୍ରଭାବଶାଳୀ । ସେତେବେଳେ ଆରଡିଆଇଏଫ୍ ପକ୍ଷରୁ କୁହାଯାଇଥିଲା ଯେ, ଟିକା ଉତ୍ପାଦନ ଏବଂ ବିତରଣରେ ଭାରତ ପ୍ରମୂଖ ସହଯୋଗୀ ।
ଋଷ ପ୍ରଥମେ ଏହି ଟିକା ଘୋଷଣା କରିଥିଲା
ଅଗଷ୍ଟ ୨୦୨୦ ରେ, ଋଷ ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଥିଲା । କିନ୍ତୁ ଟ୍ରାଏଲ ସମୟରେ ଫଳାଫଳକୁ ଦେଖି ବିଶେଷଜ୍ଞମାନେ ଏହା ଉପରେ ଚିନ୍ତା ପ୍ରକଟ କରିଥିଲେ । ଭାରତରେ ମଧ୍ୟ ଜାନୁଆରୀ ମଧ୍ୟଭାଗରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-18_1626261744.jpg)