/odishatv-khabar/media/post_attachments/uploadimage/library/16_9/16_9_0/Capture-17_1626261763.jpg)
Capture
ବମାକୋ: ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଅଧିକ କ୍ଷମତାଶାଳି କୁହାଯାଏ । ହେଲେ ଏଠାରେ ତାଙ୍କୁ ଗିରଫ କରାଯାଉଛି । ଏମିତି ଘଟଣା ଘଟିଛି ମାଲିରେ । ଆଫ୍ରିକୀୟ ଦେଶ ମାଲିରେ ସୈନିକମାନେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ସେମାନେ ଦେଶର ବିଦାୟୀ ରାଷ୍ଟ୍ରପତି ବାହା ଏନ୍ ଦାଓ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ସୋମବାର ଗିରଫ କରିଦେଇଛନ୍ତି । ଖବର ଅନୁଯାୟୀ, ଏହି ଗିରଫ ପୂର୍ବରୁ ସରକାରରେ ପରିବର୍ତ୍ତନ କରି ସେନା ବାହିନୀର ଦୁଇ ଜଣଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ଦିଆଯାଇଥିଲା । ଆଫ୍ରିକୀୟ ୟୁନିଅନ୍ ଏବଂ ମିଳିତ ଜାତିସଂଘ ପକ୍ଷରୁ ହଠାତ୍ ଘଟିଥିବା ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।
ସୈନିକମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି । ୯ ମାସ ପୂର୍ବେ ହୋଇଥିବା ସାମରିକ ବିଦ୍ରୋହରେ ସେନା, ମାଲି ସରକାରକୁ ନିଜ କବ୍ଜାକୁ ନେଇଥିଲା । ଏହା ମଧ୍ୟରେ, ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ବିଦ୍ରୋହୀ ସୈନିକମାନଙ୍କୁ ରାଷ୍ଟ୍ରପତି ବାହ ଏନ୍ ଦାଓ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ନିବେଦନ କରାଯାଇଛି । ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏବେ କାତି ସାମରିକ ମୁଖ୍ୟାଳୟରେ ରଖାଯାଇଛି । ଆନ୍ତରାଷ୍ଟ୍ରୀୟ ସଂଗଠନ ଗୁଡ଼ିକ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ସେନାର ଏଭଳି ପଦକ୍ଷେପ ଓ ବାଧ୍ୟତା ମୂଳକ ଇସ୍ତଫା ମାଗିବା ଘଟଣାକୁ ସେମାନେ ଦୃଢ଼ ନିନ୍ଦା କରୁଛନ୍ତି ।
ସେନା ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ଏବେ ସବୁଠୁ ବଡ଼ ଚିନ୍ତା ହେଉଛି ଆଗାମୀ ନିର୍ବାଚନ କେମିତି ହେବ । ଚାରିଆଡ଼େ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଆଗାମୀ ବର୍ଷ ଫେବୃଆରୀରେ ମାଲିରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କେମିତି ହେବ ? ନା ଏଭଳି ସ୍ଥିତିକୁ ଦେଖି ନିର୍ବାଚନକୁ ଏଡ଼ାଇ ଦିଆଯିବ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ମାଲିରେ ମିଳିତ ଜାତିସଂଘ ପ୍ରତିବର୍ଷ ଶାନ୍ତି ରକ୍ଷାକାରୀଙ୍କ ପାଇଁ ୧.୨ ଆରବ ଡଲାର ଖର୍ଚ୍ଚ କରୁଛି । ସେନା ଉପରେ ଅନ୍ତରାଷ୍ଟ୍ରୀୟ ଚାପ ପଡ଼ବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରେ ବର୍ତ୍ତମାନର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ମାଲିର ସେନା ନାଗରିକ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ସହମତି ପ୍ରକାଶ କରିଥିଲା । ସେନା ଏକ ମାସ ପୂର୍ବରୁ ହିଁ ପୁରା ସତ୍ତାକୁ ନିଜ କବ୍ଜାକୁ ନେଇସାରି ଥିଲା । ବିଦ୍ରୋହୀ ସୈନିକମାନେ ରାଷ୍ଟ୍ରପତିଙ୍କ ଘରକୁ ପ୍ରଥମେ ଘେରାଉ କରିଥିଲେ । ଏହାସହ ଆକାଶରେ ଗୁଳି ଚଳାଇଥିଲେ । ଏହା ପରେ ରାଷ୍ଟ୍ରପତି ଏକ ଜାତୀୟ ଟେଲିଭିଜନ୍ରେ ବିବୃତ୍ତି ଦେଇଥିଲେ, ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି । କାରଣ ତାଙ୍କୁ ଏହି ପଦରେ ରହିବାକୁ ହେଲେ ରକ୍ତର ହୋଲି ଖେଳିବାକୁ ପଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)