/odishatv-khabar/media/post_attachments/uploadimage/library/16_9/16_9_0/advani_1625470472.jpg)
advani
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟ ରାୟ ପରେ ଦୀର୍ଘ ବର୍ଷ ଧରି ଫସି ରହିଥିବା ଏହି ବିବାଦର ସମାଧାନ ହୋଇଥିଲା। ଯାହାଫଳରେ ଆଜି ମନ୍ଦିର ପାଇଁ ନିଅଁ ପଡ଼ିପାରିଛି। ତେବେ ରାମ ମନ୍ଦିର ନିର୍ମାଣ ପାଇଁ କିନ୍ତୁ ଅନେକ ବ୍ୟକ୍ତିଙ୍କର ଅବଦାନ ରହିଛି। ରାମ ଜନ୍ମଭୂମିର ଆନ୍ଦୋଳନରେ ସାମିଲ ହୋଇ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିଥିବା ସେହିଭଳି ଦଶ ଜଣ ବ୍ୟକ୍ତିଙ୍କ ବିଷୟରେ ଆସନ୍ତୁ ଜାଣିବା।
ଲାଲ୍କୃଷ୍ଣ ଆଡ୍ଭାନୀ:- ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା କୁହାଯାଉଥିବା ବିଜେପି ନେତା ଲାଲ୍କୃଷ୍ଣ ଆଡ୍ଭାନୀ ୧୯୯୦ରେ ସାରା ଦେଶରେ ଏକ ଶୋଭାଯାତ୍ରା ବାହାର କରିଥିଲେ। ଏହି ଶୋଭାଯାତ୍ରା ଗୁଜରାଟ ସୋମନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଅଯୋଧ୍ୟା ଅଭିମୁଖେ ବାହାରିଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ଼ କରିବାକୁ ଏକ ଟୟୋଟା ବସ୍ରେ ଶୋଭାଯାତ୍ରା ଆରମ୍ଭ କରିଥିଲେ ଆଡ୍ଭାନୀ। ତେବେ ତାଙ୍କ ଶୋଭାଯାତ୍ରା ପହଞ୍ଚିବା ପୂର୍ବରୁ ସେତେବେଳେର ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରାସଦ ଯାଦବ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତିପୁର ଜିଲ୍ଲାରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଦୁଇ ବର୍ଷ ପରେ ବାବ୍ରି ମସ୍ଜିଦ୍ ନିକଟରେ ପୁଣି ଏକ ଶୋଭାଯାତ୍ରା କରିଥିଲେ ଆଡ୍ଭାନୀ।
ପ୍ରମୋଦ ମହାଜନ:-ବିଜେପି ପାଇଁ ମାଷ୍ଟର ପ୍ଲାନ କରୁଥିଲେ ପ୍ରମୋଦ ମହାଜନ। ସେ ୧୯୯୦ ମସିହାରେ ବିଜେପିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପ୍ରମୋଦ ହିଁ ଆଡ୍ଭାନୀଙ୍କୁ ସୋମନାଥ ରୁ ଅଯୋଧ୍ୟା ପଦଯାତ୍ରା ଯୋଜନା ନ କରି ରଥଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। ବିଜେପିର ଆଦର୍ଶ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ସେପ୍ଟେମ୍ବର ୨୫ କିମ୍ବା ମହାତ୍ମା ଗାନ୍ଧିଙ୍କୁ ଜନ୍ମଦିନ ଅକ୍ଟୋବର ଦୁଇରେ ଯାତ୍ରା ଆରମ୍ଭ କରିବାକୁ ଆଡ୍ଭାନୀଙ୍କୁ କହିଥିଲେ ପ୍ରମୋଦ। ତାଙ୍କରି ପରାମର୍ଶରେ ସେପ୍ଟେମ୍ବର ୨୫କୁ ୧୦ ହଜାର କିମି ରଥଯାତ୍ରା କରିବାକୁ ଯୋଜନା କରିଥିଲେ ଆଡ୍ଭାନୀ। ଆଉ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ଯୋଜନା ଓ ପରିଚାଳନା କରିଥିଲେ ପ୍ରମୋଦ ମହାଜନ।
ଅଶୋକ ଶିଂଘଲ:- ବିଶ୍ୱହିନ୍ଦୁ ପରିଷଦର ଅବିରତ ସଂଘର୍ଷ କରୁଥିବା ଟାଣୁଆ ନେତା ହେଲେ ଅଶୋକ ସିଂଘଲ। ରାମ ମନ୍ଦିର ନିର୍ମାଣ ପାଇଁ ଜନସମର୍ଥନ ଯୋଗାଡ଼ କରିବାରେ ତାଙ୍କର ବଡ଼ ଭୂମିକା ରହିଛି। ୨୦୧୧ ପର୍ଯ୍ୟନ୍ତ ସେ ବିଶ୍ୱ ହିନ୍ଦୁ ପରିଷଦର ମୁଖ୍ୟ ମଧ୍ୟ ଥିଲେ। ଶରୀର ଅସୁସ୍ଥତା କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା।
ମୂରଲୀ ମନୋହର ଯୋଶୀ:- ବିଜେପିର ପାୱାରଫୁଲ୍ ନେତା ମୂରଲୀ ମନୋହରଲାଲ୍ ଯୋଶୀ ୧୯୮୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ବିଜେପିର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୨ରେ ବାବ୍ରି ମସ୍ଜିଦ୍ ଘଟଣା ବେଳେ ଆଡ୍ଭାନୀଙ୍କ ସହିତ ସେ ମଧ୍ୟ ରଥଯାତ୍ରାରେ ସାମିଲ ଥିଲେ। ଏଥିପାଇଁ ତାଙ୍କୁ ମଧ୍ୟ ଆଇନ୍ର ସାମ୍ନା କରିବାକୁ ପଡ଼େ। ବାବ୍ରି ମସ୍ଜିଦ ଭଙ୍ଗାଯିବା ପରେ ଯୋଶୀ ଓ ଉମାଭାରତୀ ପରସ୍ପରକୁ ଖୁସୀରେ କୁଣ୍ଢାଇ ପକାଥିଲେ। ଏହି ସମୟର ଏକ ଫଟୋ ସେତେବେଳେ ଖୁବ୍ ଭାଇରାଲ୍ ହୋଇଥିଲା।
ଉମାଭାରତୀ:- ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ନେତ୍ରୀ ଉମା ଭାରତୀଙ୍କର ମଧ୍ୟ ଅନେକ ଉଦ୍ୟମ ରହିଛି। ବାବ୍ରି ମସ୍ଜିଦ୍ ଭଙ୍ଗା ଘଟଣାରେ ତଦନ୍ତ କରିବା ପାଇଁ ଗଠନ ହୋଇଥିବା ଲିବେରହାନ କମିସନ ଏଥିପାଇଁ ଉମା ଭାରତୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା।
ସାଧ୍ୱୀ ଋତମ୍ଭରା:- ଉମା ଭାରତୀଙ୍କ ପରେ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ଯଦି କେଉଁ ମହିଳା ଶ୍ରେୟ ଦିଆଯାଏ ତେବେ ସେ ହେଲେ ସାଦ୍ୱୀ ଋତମ୍ଭରା। ରାମ ମନ୍ଦିର ନିର୍ମାଣ ପାଇଁ ଜନସମର୍ଥନ ଯୋଗାଡ଼ କରିବା ଦେଶବାସୀଙ୍କୁ ଏକାଠି କରିବାରେ ତାଙ୍କର ବଡ଼ ଭୂମିକା ରହିଛି। ରାମ ଜନ୍ମଭୂମି ସମ୍ପର୍କିତ ତାଙ୍କର ଅନେକ ଭାଷଣ କ୍ୟାସେଟ୍ ମାଧ୍ୟମରେ ବହୁଳ ଭାବରେ ଲୋକଙ୍କ ପାଖରେ ପହଞ୍ଚେ।
କଲ୍ୟାଣ ସିଂହ:- ୧୯୯୨ରେ ଯେତେବେଳେ ବାବ୍ରି ମସ୍ଜିଦ ଭଙ୍ଗା ହେଲା, ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ। ବାବ୍ରି ମସ୍ଜିଦ୍ ଭାଙ୍ଗୁଥିବା କରସେବକଙ୍କ ଉପରେ ପୁଲିସ ଫୋର୍ସ ନ ଲଗାଇବାକୁ ସେ ନିଷ୍ପତ୍ତି ନେଇଥିଲେ। ପରେ ସେ ସେ ବିଜେପି ସହିତ ବିଦ୍ରୋହ କରି ଦଳରୁ ବହିଷ୍କାର ହୋଇଥଲେ। ପରେ ପୁଣି ଦଳକୁ ଫେରିଥଲେ। ବିଜେପି ସରକାର ତାଙ୍କୁ ୨୦୧୪ରେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲା।
ବିନୟ କଟିୟାର:- ବଜରଙ୍ଗ ଦଳର ଫାୟାର ବ୍ରାଣ୍ଡ ଲିଡର ହେଲେ ବିନୟ କଟିୟାର। ରାମ ମନ୍ଦିର ନିର୍ମାଣ ଅଭିଯାନ ପାଇଁ ୧୯୮୪ ମସିହାରେ ବଜରଙ୍ଗ ଦଳ ଅସ୍ତିତ୍ୱକୁ ଆସିଲା। ଯାହାର ପ୍ରଥମ ସଭାପତି ହେଲେ ବିନୟ କଟିୟାର। ୧୯୯୨ରେ ତାଙ୍କର ରାଜନୈତିକ ପ୍ରଭାବ ବଢ଼ିବାରେ ଲାଗିଲା। ଏହାପରେ ସେ ବିଜେପିର ସାଧାରଣ ସମ୍ପାଦକ ହେଲେ। ତା ସହିତ ରାଜ୍ୟସଭା ଓ ଲୋକସଭା ସଦସ୍ୟ ମଧ୍ୟ ହୋଇଛନ୍ତି।
ପ୍ରବୀଣ ତୋଗାଡ଼ିଆ:- ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ପ୍ରବୀଣ ତୋଗାଡ଼ିଆଙ୍କୁ ଏକ ବିସ୍ପୋରକ ସୈନ୍ୟ ବୋଲି କୁହାଯାଏ। ସେ ତାଙ୍କର ଉତ୍ତେଜକ ଭାଷଣ ପାଇଁ ତାଙ୍କୁ କଟ୍ଟର ହିନ୍ଦୁବାଦୀ ନେତା ବୋଲି କୁହାଯାଏ। ଅଶୋକ ସିଂଘଲଙ୍କ ପରେ ଏ ବିଶ୍ୱ ହିନ୍ଦୁ ପିରଷଦର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ବିଜେପିରେ ଆଡଭାନୀଙ୍କ ପ୍ରଭାବ ହ୍ରାସ ପାଇବା ସହିତ ସଂଘ ପରିବାରରୁ ତୋଗାଡ଼ିଆଙ୍କ ପ୍ରଭାବ କମୁଥିବା ସେ ଅନୁଭବ କରିଥିଲେ। ପରେ ସେ ଅନେକ ଥର ବିଜେପି ଓ ମୋଦିଙ୍କୁ ସମାଲୋଚନା କରିଛନ୍ତି।
ବିଷ୍ଣୁହରି ଡାଲ୍ମିଆ:- ଶିଳ୍ପପତି ତଥା ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ୱରେ କାମ କରିଥିବା ବିଷ୍ଣୁହରି ଡାଲ୍ମିଆଙ୍କର ବି ରାମ ମନ୍ଦିର ନିର୍ମାଣ ଦିଗରେ ଅନେକ ଭୂମିକା ରହିଛି। ବାବ୍ରି ମସ୍ଜିଦ ଭଙ୍ଗା ଘଟଣାରେ ତାଙ୍କ ନାଁ ବି ଅଭିଯୋଗ ଫର୍ଦ୍ଦରେ ଯୋଡ଼ି ହୋଇଥିଲା। ୨୦୧୯ ଜାନୁଆରୀ ମାସରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଡାଲମିଆଙ୍କ ପରଲୋକ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)