/odishatv-khabar/media/post_attachments/uploadimage/library/16_9/16_9_0/man-died-1_1626179865.jpg)
man died
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗିରିବନ୍ଧ ଗାଁର ୩୮ ବର୍ଷୀୟ ଗୌରୀଶଙ୍କର ପରିଡ଼ା। ଗତ ସପ୍ତାହେ ହେଲା ତାଙ୍କୁ ଜ୍ୱର ହେଉଥିଲା। କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଗୌରୀଶଙ୍କରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବା ପାଇଁ ପରିବାର ଲୋକ ବିଭିନ୍ନ ହସ୍ପିଟାଲ୍ ଯାଇଥିଲେ। ହେଲେ କୌଣସି ହସ୍ପିଟାଲ୍ରେ ବେଡ୍ ମିଳିନଥିଲା। ଶେଷରେ ପରିବାର ଲୋକ ନିରାଶ ହୋଇ ନୋଇଡାର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୌରୀଶଙ୍କରଙ୍କ ମୃତ୍ୟୁ ହୋଇଛି।
ପତ୍ନୀ ନିରୂପମା, ୩ ବର୍ଷୀୟ ଝିଅ ଓ ସାନ ଭାଇ ସହିତ ଗୌରୀଶଙ୍କର ନୋଇଡାରେ ରହୁଥିଲେ। ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ଚିକିତ୍ସା ପାଇଁ ଦିଲ୍ଲୀ ଏନ୍ସିଆର୍ର ବିଭିନ୍ନ ହସ୍ପିଟାଲ୍ରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ହେଲେ କାହାକୁ ବେଡ୍ ମିଳୁନଥିବା ଜଣାପଡ଼ିଛି। ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିକି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ହସ୍ପିଟାଲ୍ରେ ବେଡ୍ ମଧ୍ୟ ମିଳୁନାହିଁ। ବେଡ୍ ଲାଗି ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ୁଛି। କିଛି ଲୋକ ଠିକ୍ ସମୟରେ ଚିକିତ୍ସା ନପାଇବା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ସଂକ୍ରମଣରେ ବ୍ରେକ୍ ଲଗାଇବା ଲାଗି ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍ଡାଉନ୍ କଟକଣା ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିଛି। ଦିଲ୍ଲୀରେ ଲକ୍ଡାଉନ୍ ଘୋଷଣା ପରେ ପ୍ରବାସୀମାନେ ସେମାନେ ଘର ମୁହାଁ ହେଉଥିବା ଦେଖିବାକୁ ମିଳିଥିଲା। ଆନନ୍ଦବିହାର ବସ୍ ଟର୍ମିନାଲରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଥିଲେ। ଏତେ ସଂଖ୍ୟାରେ ଲୋକ ଥିଲେ ଯେ, ବସ୍ ବି କମ୍ ପଡ଼ିଥିଲା । କେହି କେହି ବସ୍ ଉପରେ ବସି ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)