/odishatv-khabar/media/post_attachments/uploadimage/library/16_9/16_9_0/family_1620667417.jpg)
family
ଭୁବନେଶ୍ୱର କରୋନାଠୁ ଜୀବନ ବଞ୍ଚାଇବାକୁ ସରକାର ଆପଣାଇଛନ୍ତି ଲକଡାଉନ୍, ସ଼ଟଡାଉନ୍ ଷ୍ଟ୍ରାଟେଜି, ହେଲେ ଦୀର୍ଘ କଟକଣା ଯୋଗୁଁ ଉଛନ୍ନ ହେଲାଣି ନିମ୍ନ ମଧ୍ୟବିତ୍ତଙ୍କ ସଂସାର। ସାଧାରଣ ଦୈନନ୍ଦିନ ବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ବେପାର ବନ୍ଦ ହୋଇଯିଥିବାରୁ ସେମାନେ ଆଗକୁ କେମିତି ଜୀବନ ଜିଇଁବେ ତାକୁ ନେଇ ଅନେକ ପ୍ରଶ୍ନ? ଗତବର୍ଷ କରୋନା ଜନିତ କଟକଣା ଯନ୍ତ୍ରଣାର କ୍ଷତ ଏଯାଏଁ ନପୂରୁଣୁ ଏବର୍ଷ ପୁଣି ସମାନ ପରିସ୍ଥିତି ଉଭା ହେବା ପରେ ଭାଙ୍ଗି ଯାଇଛି ନିମ୍ନ ମଧ୍ୟବିତ୍ତଙ୍କ ମେରୁଦଣ୍ଡ।
କେବେ ସରିବ ଲକଡାଉନ୍, କେବେ ସ୍ବାଭାବିକ ହେବ ଜୀବନ-ଜୀବିକା? କଟକଣାରେ ପୂର୍ଣ୍ଣଛେଦ ପଡ଼ିଲେ ଫେରିବ ଅଭାବି ପରିବାରର ଖୁସୀ। କରୋନାର ଦ୍ୱିତୀୟ ଲହର ପୁଣି କାୟା ମେଲାଇବାରୁ ମେ ୫ରୁ ରାଜ୍ୟରେ ଲାଗୁ ହୋଇଛି ୧୪ ଦିନିଆ ଲକଡାଉନ୍। ମହାମାରୀ କବଳରୁ ମୁକ୍ତି ପାଇଁ ପ୍ରଶାସନ ସିନା ଏ ରାସ୍ତା ଆପଣାଇଛି, ହେଲେ ଏପଟେ କଟକଣାର ବେଡ଼ି ଭିତରେ ପେଷି ହୋଇଯାଉଛନ୍ତି ହଜାର ହଜାର ପରିବାର।
ଲକଡାଉନ୍ ପରଠୁ ରୋଜଗାର ଚିନ୍ତାରେ ଭାଳି ହେଉଥିବା କଟକ ବଙ୍ଗାଳୀ ସାହି ଅଞ୍ଚଳର ପୂର୍ଣ୍ଣପ୍ରଭା ସାହୁ ସ୍ବାମୀଙ୍କ ଦେହାନ୍ତ ପରେ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଚା ଦୋକାନ କରି ପରିବାର ଚଳାଉଥିଲେ। ଦୈନକ ୫ଶହରୁ ୬ ଶହ ଟଙ୍କା ଆୟରେ କଷ୍ଟେମଷ୍ଟେ ଚଳିଯାଉଥିଲେ। ହେଲେ ଲକଡାଉନ୍ ପରଠୁ ଦୋକାନରେ ତାଲା। ରୋଜଗାର ଠପ୍। ଲକଡାଉନ୍ କେବେ ସରିବ ତାର ଠିକ୍ ଠିକଣା ନଥିବାରୁ ପାଠ ପଢୁଇଆ ୩ ଝିଅଙ୍କୁ ନେଇ ଆଗକୁ କୁଟୁମ୍ବ କେମିତି ପୋଷିବେ ତାକୁ ନେଇ ଚିନ୍ତାରେ ।
ଲକଡାଉନ୍ ପରଠୁ ରୋଜଗାର ଚିନ୍ତାରେ ଘାଣ୍ଟି ହେଉଥିବା ଇଏ ଆଊ ଜଣେ ଯୁବକ ଜ୍ୟୋତି ନାରାୟଣ ନାୟକ। ରାଜଧାନୀରେ ଏକ ଘରୋଇ ଲଜରେ କାମ କରନ୍ତି। ଅଳ୍ପ ଦରମାରେ ଦୁଃଖେକଷ୍ଟେ ଚଳାଇ ନେଉଥିଲେ ପରିବାର। ହେଲେ ଗଲା କିଛି ଦିନ ହେବ ସେ ସମ୍ପୂର୍ଣ୍ଣ ରୋଜଗାରଶୂନ୍ୟ। ଚାକିରି ଥିଲେ ବି ଦରମା ନାହିଁ। ଲଜରେ ବ୍ୟବସାୟ ନଥିବାରୁ ସବୁ କର୍ମଚାରୀଙ୍କ ଭାଗ୍ୟ ଅନ୍ଧାରରେ। ଏଭଳି ବେରୋଜଗାର ଆଊ କେତେ ଦିନ ଲାଗି ରହିବ ତାକୁ ନେଇ ଆଶା ଆଶଙ୍କାରେ ଜ୍ୟୋତି ନାରାୟଣ। ରାଜଧାନୀରେ ଛୋଟ ମୋଟ ସଂସ୍ଥାରେ କାମ କରୁଥିବା ତଥା ଆତ୍ମନିର୍ଭରଶୀଳ ବହୁ ପେଷାଦରଙ୍କ ବୃତ୍ତିରେ ବି ଡୋରି ଲାଗିଥିବାରୁ ଏମାନେ ବି ଶଙ୍କାରେ।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ଏପଟେ ଦ୍ୱିତୀୟ ଥର ପାଇଁ କୋରନାର କରାଳ ରୂପ ଓ ଲକଡାଉନ୍ କଟକଣା ପରେ ଭୁଶୁଡ଼ି ପଡ଼ିଛି ପର୍ଯଟନ ସହର ପୁରୀର ପଟ୍ଟଚିତ୍ର ଓ ପଥର ମୂର୍ତ୍ତି ଶିଳ୍ପ। ଜିଲ୍ଲାକୁ ନା ଆସୁଛନ୍ତି ପର୍ଯଟକ, ନା ଖୋଲୁଛି ଏମାନଙ୍କ ପସରା। ଗତବର୍ଷର ଦୁସ୍ଥିତି ପରେ ଏ ବର୍ଷ ବି ପୁଣି ଅସମୟ ପିଛା ନଛାଡ଼ିବାରୁ ଏବେ ପରିବା ବିକି ଚଳିବାକୁ ମାନସିକ ଭାବେ ପ୍ରସ୍ତୁତ ହେଉଛନ୍ତି ବହୁ ନାଁକରା ପଟ୍ଟଚିତ୍ର ଶିଳ୍ପୀ।
ରିପୋର୍ଟ: ଦେବାଶିଷ ମହାନ୍ତି, କପିଲ ପ୍ରଧାନ ଏବଂ ମଧୁସୂଦନ ମିଶ୍ର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)