/odishatv-khabar/media/post_attachments/uploadimage/library/16_9/16_9_0/jarkiholi_1627367711.jpg)
jarkiholi
ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକା ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାରକିହୋଲି। ଏନେଇ ଆଜି ସେ ତାଙ୍କ ଇସ୍ତଫା ପତ୍ର କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଏକ କାନାଡ଼ା ନ୍ୟୁଜ୍ ଚ୍ୟାନେଲ୍ରେ ଜାରକୋହଲିଙ୍କର ଏକ ସିଡି କ୍ୟାସେଟ୍ ପ୍ଲେ କରାଯାଇଥିଲା। ଯେଉଁଥିରେ ଜାରକୋହଲି ଜଣେ ମହିଳାଙ୍କ ସହିତ ବୁଝାମଣା କରୁଥିବାର ଦେଖାଯାଉଛି। ତେବେ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହିତ ତଦନ୍ତ ହେଲେ ସବୁ ସତ ଜଣାପଡ଼ିବ ବୋଲି ଜାରକୋହଲି କହିଛନ୍ତି।
ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି “ ମୋ ବିରୋଧରେ ଆସିଥିବା ଅଭିଯୋଗ ସତ ଠାରୁ ବହୁ ଦୂରରେ। ଏଥିପାଇଁ ଏକ ସ୍ୱଚ୍ଛ ତଦନ୍ତର ଆବଶ୍ୟକତା ରହିଛି। ତଦନ୍ତ ହେଲେ ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେବି ବୋଲି ମୁଁ ସ୍ଥିର ନିଶ୍ଚିତ ଅଛି। ତେବେ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଉଛି। ଏବଂ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ଦଳକୁ ଅନୁରୋଧ କରୁଛି। ”
ଏପଟେ ଜାରକିହୋଲିଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା। ଏହାକୁ ରାଜ୍ୟପାଳଙ୍କ ନିକଟକୁ ଅନୁମତି ପାଇଁ ପଠାଇ ଦେଇଛନ୍ତି।
ସାମାଜିକ କର୍ମୀ ଦିନେଶ କଲ୍ଲାହଲ୍ଲୀ ଜାରକିହୋଲିଙ୍କର ଏହି ବିବାଦୀୟ ଭିଡିଓଟିକୁ ମିଡିଆରେ ଛାଡ଼ିଥିଲେ। ଭିଡିଓରେ ଦେଖାଯାଉଥିବା ମହିଳାଙ୍କୁ ମନ୍ତ୍ରୀ ସରକାରୀ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଉଥିଲେ ବୋଲି ଦିନେଶ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକା ପାୱାର ଟ୍ରାନ୍ସମିସନ କୋରପୋରେସନ୍ ଲିମିଟେଡ୍ରେ ଚାକିରି କରାଇ ଦେବାର ଲୋଭ ଦେଖାଇ ମହିଳାଙ୍କ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ ବୋଲି ଦିନେଶ ଅଭିଯୋଗ କରିଛନ୍ତି। ଏନେଇ ଗତସପ୍ତାହରେ ମହିଳାଙ୍କ ପରିବାର ଦିନେଶଙ୍କ ପାଖରେ ନ୍ୟାୟ ପାଇଁ ଜଣାଇଥିଲେ ବୋଲି ସେ କହିଛନ୍ତି।
ନାଗରିକ ହାକ୍କୁ ସମିତିର ଅଧ୍ୟକ୍ଷ କଲ୍ଲାହଲ୍ଲୀ ମଙ୍ଗଳବାର ପୋଲିସ କମିଶନରଙ୍କୁ ଭେଟିବା ସହିତ ବେଙ୍ଗାଲୁରୁର କୁବନ ପାର୍କ ପୋଲିସ ଷ୍ଟେସନ୍ରେ ମାମଲା ରୁଜୁ କରିଛନ୍ତି।
ଅନ୍ୟପଟେ ସେସ୍କ ସ୍କାଣ୍ଡାଲ୍ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକା ଗୃହମନ୍ତ୍ରୀ ବି. ବୋମାଇ କହିଛନ୍ତି “ଆଇନ ଅନୁସାରେ ତଦନ୍ତ ହେବ। ଜାରକିହୋଲି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦଳ ନିଷ୍ପତ୍ତି ନେବ।”
ସେହିପରି ଉପମୁଖ୍ୟମନ୍ତ୍ରୀ ସିଏନ୍ ଅସ୍ୱଥ୍ ନାରାୟଣ କହିଛନ୍ତି ଯେ ସତ କଣ ନଜାଣି ଘଟଣା ସମ୍ପର୍କରେ କୌଣସି ଟପ୍ପଣୀ ଦେବା ଉଚିତ୍ ନୁହେଁ। ଅଭିଯୋଗ ହୋଇଛି, ତଦନ୍ତ ଚାଲିଛି। ସତ ବହାରକୁ ଆସୁ। ସତ ନଜାଣି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଅସ୍ୱଥ୍ ନାରାୟଣ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)