/odishatv-khabar/media/post_attachments/uploadimage/library/16_9/16_9_0/imran-khan-1_1627367840.jpg)
imran-khan
ଇସ୍ଲମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆଜି ସଂସଦରେ ହୋଇଥିବା ଅନାସ୍ଥା ଭୋଟକୁ ଜିତି ନେଇଛନ୍ତି ଇମ୍ରାନ ଖାନ୍। ସଂସଦର ନିମ୍ନ ସଦନର ୩୪୨ ଭୋଟ୍ ମଧ୍ୟରୁ ଇମ୍ରାନଙ୍କ ସପକ୍ଷରେ ୧୭୮ଟି ଭୋଟ୍ ପଡ଼ିଛି।
ତେବେ ଏହି ଭୋଟିଂରେ ବିରୋଧୀ ଦଳ ଭାଗ ନେଇନଥିଲା। ପାକିସ୍ତାନ ଡେମେକ୍ରାଟିକ୍ ମୁଭ୍ମେଣ୍ଟ(ପିଡିଏମ୍) ଏହି ଭୋଟିଂକୁ ବୟକଟ୍ କରିବାରୁ ଅନାସ୍ଥା ଭୋଟ୍କୁ ସହଜରେ ଜିତିନେଇଥିଲେ ଇମ୍ରାନ। ଇସ୍ତଫା ଦେବା ପାଇଁ ବିରୋଧୀ ବାରମ୍ବାର ଚାପ ପକାଇବା ପରେ ସରକାରରେ ସ୍ଥିରତା ଆଣିବା ପାଇଁ ନିଜେ ଇମ୍ରାନ୍ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।
ବୁଧବାର ଇମ୍ରାନଙ୍କ ଅର୍ଥମନ୍ତ୍ରୀ ଅବ୍ଦୁଲ ହଫୀଜ୍ ଶୈଖ୍ ସିନେଟ୍ ଇଲେକ୍ସନ୍ରେ ହାରିଯିବା ପରେ ଇମ୍ରାନ୍ ସରକାର ଇସ୍ତଫା ଦିଅନ୍ତୁ ବୋଲି ଚାପ ପକାଇଥିଲେ ବିରୋଧୀ। ଫଳରେ ଗୁରୁବାର ସଂସଦରେ ବିଶ୍ୱାସ ଭୋଟ୍ ପାଇଁ ପ୍ରସ୍ତାବ ଦେଇଥିଲେ ଇମ୍ରାନ ଖାନ୍।ସିନେଟ୍ ଭୋଟ୍ରେ ପିଡିଏମ୍ ନେତା ତଥା ପାକିସ୍ତାନ ପୂର୍ବପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ ଅବଦୁଲ ହଫୀଜଙ୍କୁ ପରାସ୍ତ କରିଥିଲେ। ଖୋଦ୍ ଇମ୍ରାନ ତାଙ୍କ ଦଳର ନେତାଙ୍କ ପାଇଁ ପ୍ରଚାର କରିବା ପରେ ମଧ୍ୟ ଗିଲାନୀ ପରାସ୍ତ ହୋଇଥିଲେ। ଏହାପରେ ସରକାର ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀଙ୍କ ଚାପ ସୃଷ୍ଟି ହୋଇଥିଲା।
୨୦୧୮ରେ ଇମ୍ରାନଙ୍କ ସରକାର ଭୋଟ ହେର୍ଫେର୍ କରି ବିଜୟୀ ହୋଇଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳ। ଏହାପରେ ଇମ୍ରାନଙ୍କ ସରକାର ଭାଙ୍ଗିବା ପାଇଁ ପିଡିଏମ୍ ୨୦୧୮ରେ ୧୧ଟି ଦଳ ସହିତ ମେଣ୍ଟ କରିଥିଲା।
ଇସ୍ତଫା ନେଇ ବାରମ୍ବାର ଚାପ ପଡ଼ିବା ପରେ ନିଜେ ଇମ୍ରାନ୍ ଆସ୍ଥା ଭୋଟିଂର ପ୍ରସ୍ତାବ ଦେବା ସହିତ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଦୁର୍ନୀତିକୁ ସେ କେବେବି ବରଦାସ୍ତ କରିପାରିବେ ନାହିଁ ବୋଲି ମଧ୍ୟ କହିଥିଲେ। ସେ କହିଥିଲେ “ ଶନିବାର ସଂସଦରେ ଏକ ଆସ୍ଥା ଭୋଟ୍ କରାଇବି। ଯଦି ଗୃହର ସଦସ୍ୟମାନଙ୍କର ମୋ ଉପରେ ଭରସା ଅଛି ତେବେ ସେମାନେ ତାହା ଦେଖାନ୍ତୁ ବୋଲି ଅନୁରୋଧ କରିବି। ଯଦି ସେମାନେ ମୋ ଉପରେ ଭରସା ନାହିଁ ବୋଲି କହିଲେ ତେବେ ମୁଁ ବିରୋଧୀଙ୍କ ବେଞ୍ଚରେ ବସିଯିବ।”
ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ମୁଁ ସରକାରରୁ ବାହାରି ଗଲି, ତେବେ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଜାଗ୍ରତ କରିବି ଓ ଦେଶ ପାଇଁ କାମ ଜାରି ରଖିବି। ମୁଁ ସେହି ଧୋକାବାଜମାନଙ୍କୁ ଶାନ୍ତିରେ ବସିବାକୁ ଦେବିନି ଯେଉଁମାନେ ଦେଶକୁ ଲୁଟିଛନ୍ତି। ମୁଁ ସେମାନଙ୍କୁ ଧୋକାବାଜ୍ କହିବି କାରଣ ସେମାନେ ଦେଶକୁ ଲୁଟିଛନ୍ତି ବୋଲି ଇମ୍ରାନ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)