/odishatv-khabar/media/post_attachments/uploadimage/library/16_9/16_9_0/mithun-2_1627367907.jpg)
mithun
କୋଲକାତା: ସବୁ ଅନୁମାନ ଓ ରାଜନୀତି ଗଣିତକୁ ସତ କରି ବିଜେପିରେ ମିଶିଛନ୍ତି ବଲିଉଡ୍ ଦାଦା ମିଥୁନ ଚକ୍ରବର୍ତ୍ତୀ। କୋଲକାତାରେ ଏକ ବିଶାଳ ସମାବେଶରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନେକ ମିଡିଆରେ ଏନେଇ ଖବର ପ୍ରକାଶ ପାଉଥିଲେ ବି ମିଥୁନ କିନ୍ତୁ ଏସବୁ ଏଡ଼ାଇ ଯାଉଥିଲେ।
ତେବେ ବିଜେପିରେ ସାମିଲ୍ ହେବା ପରେ ରାଲିକୁ ସମ୍ଭୋଧନ କରି ମମତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମିଥୁନ। ମିଥୁନ କହିଛନ୍ତି “ ମୁଁ ଗୋଟେ ନାଗ, ମୋର ଗୋଟିଏ ଚୋଟ ହିଁ ଯଥେଷ୍ଟ।” ଗରିବଙ୍କୁ ସାହାଯ୍ୟ କରିବା ପାଇଁ ମୋର୍ ଯେଉଁ ସ୍ୱପ୍ନ ଥିଲା ତାହା ବିଜେପି ଦ୍ୱାରା ପୂରା ହେବ ବୋଲି ମିଥୁନ କହିଛନ୍ତି।
ବିଶାଳ ରାଲିଲେ ମୋଦିଙ୍କ ସମ୍ମୁଖରେ ଲୋକଙ୍କୁ ସମ୍ବୋଧନ କରି ମିଥୁନ କହିଛନ୍ତି “ ମୁଁ ଜଣେ ବଙ୍ଗାଳି, ଆଉ ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ବ୍ୟକ୍ତି ଯିଏ ଏଠାରେ ବଢ଼ିଛି ତାର ଏହି ମାଟି ଉପରେ ଅଧିକାର ରହିଛି। ତେଣୁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ପଶ୍ଚିମବଙ୍ଗରେ ରହୁଥିବା ପ୍ରତ୍ୟେକ ଲୋକର ଅଧିକାର ପାଇଁ ମୁଁ ଛିଡ଼ା ହେବି।” ପ୍ରଧାନମନ୍ତ୍ରୀ ନରେନ୍ଦ୍ରମ ମୋଦି ଅନ୍ୟ ବିଜିପେ ନେତାଙ୍କ ସହିତ ମଞ୍ଚ ଶେୟାର କରିବା ପରେ ମିଥୁନ କହିଛନ୍ତି ଯେ ଉତ୍ତର କୋଲତାକାର ଏକ ଛୋଟ ଜାଗା ଜୋରବାଗରୁ ମୁଁ ଆସି କିଛି ବଡ଼ ହେବାର ସ୍ୱପ୍ନ ଦେଖିଥିଲି। କିନ୍ତୁ ଏମିତି ବଡ଼ ବଡ଼ ରାଜନୈତିକ ନେତାମାନଙ୍କ ସହିତ ଗୋଟିଏ ମଞ୍ଚରେ ଏକାଠି ହେବି ବୋଲି କେବେ ଭାବି ନଥିଲି।।
ଏହି ରାଲିରେ ମିଥୁନ ଯେତେବେଳେ ତାଙ୍କର ‘ଏମ୍ଏଲ୍ଏ ଫଟାକେସ୍ତୋ’ ଫିଲ୍ମର ଲୋକପ୍ରିୟ ସଂଳାପ “ମାର୍ବୋ ଏଖାନେ ଲାସ୍ ପୋଡ୍ବେ ଶୋସାନେ” (ମାରିବି ଏଇଠି ଶବ ପଡ଼ିବ ସ୍ମାଶାନରେ) କହିଥିଲେ ସେତେବେଳେ ବିଶାଳଜନସମାଗମ ପୂରା ଝୁମି ଉଠିଥିଲା।
ଗତମାସ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମୁମ୍ବାଇ ସ୍ଥିତ ମିଥୁନ ଚକ୍ରବର୍ତ୍ତୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ଏହାପରେ ମିଥୁନ ବିଜେପିରେ ଯୋଗେ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଆଉ ଆଜି ରାଜ୍ୟ ବିଜେପି ପ୍ରଭାରୀ କୈଳାଶ ବିଜୟ ବର୍ଗୀୟ ଓ ରାଜ୍ୟ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ।
ତେବି ମିଥୁନ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଟିଏମ୍ସି ନେତା ସୌଗତ ରୟ। ସେ କହିଛନ୍ତି ଯେ ମିଥୁନ ଆଜିର ଷ୍ଟାର୍ ନୁହେଁ, ବିଗତ ଦିନରେ ଷ୍ଟାର୍ ଥିଲେ। ସେ ୪ଥର ଦଳ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସେ ଜଣେ ନକ୍ସଲ୍ପନ୍ଥୀ ଲୋକ ଥିଲେ ପରେ ସିପିଏମ୍ରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ଟିଏମ୍ସିରେ ଆସି ମିଶିଥିଲେ, ଓ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ମଧ୍ୟ କରିଥିଲା। କିନ୍ତୁ ବିଜେପି ମିଥୁନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଧମକ ଦେଖାଇବାରୁ ସେ ଟିଏମ୍ସି ଛାଡ଼ିଦେଇଥିଲେ। ଆଉ ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କର କୌଣସି ବିଶ୍ୱାସନୀୟତା ନାହିଁ କି କୌଣସି ସମ୍ମାନ ନାହିଁ। ଏବଂ ସେ ଲୋକମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି ଟିଏମ୍ସି ନେତା କହିଛନ୍ତି।
ସୂଚନା ଥାଉକି, ମିଥୁନଙ୍କର ପୂର୍ବନାମ ଗୌରାଙ୍ଗ ଚକ୍ରବର୍ତ୍ତୀ ଥିଲା। ପରେ ସେ ତାଙ୍କ ନାଁ ପରିବର୍ତ୍ତନ କରି ମିଥୁନ ଚକ୍ରବର୍ତ୍ତୀ କରିଦେଇଥିଲେ। ପ୍ରଥମେ ସେ ନକ୍ସଲ ଆନ୍ଦୋଳନରେ ପ୍ରଭାବିତ ହୋଇଥିଲେ। ଏହାପରେ ସିପିଏମ୍(କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ) ସହିତ ମିଥୁନଙ୍କର ଘନିଷ୍ଟତା ବଢ଼ିଥିଲା। ସେ ୨୦୧୪ରେ ଟିମ୍ସି ଦଳରୁ ରାଜ୍ୟସଭାକୁ ନିର୍ବାଚନିତ ମଧ୍ୟ ହୋଇଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୦୧୬ରେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହିତ ରାଜନୀତି ପ୍ରତି ଅନିଚ୍ଛା ପ୍ରକାଶ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)