/odishatv-khabar/media/post_attachments/uploadimage/library/16_9/16_9_0/Father_1626168762.jpg)
Father
ଶ୍ରୀନଗର: ୪ବର୍ଷର ନୀରିହ ଶିଶୁଟିଏ ତା’ର ଆତଙ୍କୀ ବାପାକୁ ଆକୁଳ ନିବେଦନ କରୁଛି, ‘ଫେରିଆସ ବାପା...ମୁଁ ତୁମକୁ ବହୁତ ଭଲ ପାଏ। ତୁମକୁ ହରେଇବାକୁ ମୁଁ ଚାହୁଁନି। ବାପା, ତୁମେ ବନ୍ଧୁକ ଛାଡି ଆତ୍ମସମର୍ପଣ କର ବାପା...’। ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଜମ୍ମୁ-କଶ୍ମୀରର ସୋପିଆନ ଜିଲ୍ଲାର। ସୁରକ୍ଷାକର୍ମୀମାନେ ୪ ଲସ୍କର ଆତଙ୍କୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହା ଦେଖିବା ପରେ ପିଲାଟି ବିକଳ ହୋଇ ବାପାଙ୍କୁ ସେନା ପାଖରେ ଆତ୍ମ ସମର୍ପଣ କରିଦେବାକୁ କହୁଛି।
୨୫ ବର୍ଷୀୟ ଅକିବ ଅହମ୍ମଦ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା। କିନ୍ତୁ ତାର ସାଥୀ ଆତଙ୍କୀମାନେ ତାକୁ ବାହାରକୁ ଆସିବାକୁ ଦେଉ ନ ଥିଲେ। କୁହାଯାଉଛି, ଅକିବ ୪ ମାସ ପୂର୍ବରୁ ଲସ୍କରରେ ସାମିଲ ହୋଇଥିଲା। କିନ୍ତୁ ସୁରକ୍ଷା କର୍ମୀଙ୍କ ଗୁଳିରେ ଅନ୍ୟମାନଙ୍କ ସହ ସେ ମଧ୍ୟ ନିହତ ହୋଇଥିଲା। ଅଳ୍ପ ସମୟର ଏହି ଭିଡିଓଟି ବେଶ ହୃଦୟସ୍ପର୍ଶୀ ହୋଇଛି।
ଏଠି କହିରଖିବୁ, ଅକିବ ଅହମ୍ମଦ ମଲ୍ଲିକକୁ ଆତ୍ମସମର୍ପଣ କରାଇବା ପାଇଁ ସେନା ପକ୍ଷରୁ ଘଟଣାସ୍ଥଳକୁ ତାଙ୍କର ପତ୍ନୀ ଓ ସନ୍ତାନମାନଙ୍କୁ ଅଣାଯାଇଥିଲା। ଭିଡିଓରେ ୪ ବର୍ଷର ଶିଶୁ ଲଗାତାର କହୁଥିବା ଦେଖିବାକୁ ମିଳିଛି, ‘ ବାହାରକୁ ପଳାଇ ଆସ। ତୁମର କିଛି ବି କ୍ଷତି କରିବେନି। ବାହାରକୁ ଆସ। ମୁଁ ତୁମକୁ ବହୁତ ମନେ ପକଉଛି...’
ସେତିକି ନୁହେଁ, ଅକିବ ଅହମ୍ମଦର ପତ୍ନୀ ମଧ୍ୟ ବିଳମ୍ବିତ ରାତିରେ ଅପରେଶନ ଚାଲିଥିବାବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇ ଅନୁରୋଧ କରୁଥିଲେ-‘ ବାହାରକୁ ଚାଲିଆସି। ଆତ୍ମସମର୍ପଣ କରିଦିଅ। ଯଦି ବାହାରକୁ ଆସିବାକୁ ଚାହୁଁନ, ତେବେ ମୋତେ ଗୁଳି ମାରିଦିଅ..। ଆମର ଦୁଇ ପିଲା ଏଇ ବାହାରେ ଅପେକ୍ଷା କରିଛନ୍ତି। ଦୟାକରି ବାହାରକୁ ଆସି ଆତ୍ମସମର୍ପଣ କର...।’
ଅନ୍ୟପକ୍ଷେ ସେନାର କହିବା କଥା ହେଲା, ଅକିବ ଅହମ୍ମଦ ମଲିକ ବାହାରକୁ ଆସି ଆତ୍ମସମର୍ପଣ କରିବାକୁ ଚାହୁଁଥିଲା। କିନ୍ତୁ ଅନ୍ୟ ଆତଙ୍କବାଦୀମାନେ ତାକୁ ଇମାରତ ବାହାରକୁ ଯିବାକୁ ତାକୁ ଦେଇ ନ ଥିଲେ। ଜଣେ ବରିଷ୍ଠ ଅଧିକାରୀ ମେଜର ଜେନରାଲ ରଶୀମ ବାଲିଙ୍କ କହିବା ଅନୁଯାୟୀ, ପ୍ରଥମେ ତାଙ୍କ ପତ୍ନୀ ଆତ୍ମସମର୍ପଣ କରିବାକୁ ଆବେଦନ କରିଥିଲା। ପରେ ସେ ତାଙ୍କର ୪ ବର୍ଷର ସନ୍ତାନଙ୍କୁ ଆବେଦନ କରିବାକୁ କହିଥିଲେ। ସେ ମଧ୍ୟ ବାପାଙ୍କୁ ବାହାରକୁ ଆସି ଅନୁରୋଧ କରିବା ପାଇଁ ଆକୁଳ ନିବେଦନ କରିଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅକିବ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ ଏବଂ ଡିସେମ୍ବର ୨୦ ତାରିଖରୁ ନିଖୋଜ ହୋଇଯାଇଥିଲେ। ପୋଲିସ କହିଛି, ଯଦି ସେ ବାହାରକୁ ଆସିଥାନ୍ତା, ତେବେ ଆମେ ହୁଏତ ତାକୁ ବଞ୍ଚାଇ ପାରିଥାନ୍ତୁ। କିନ୍ତୁ ସେ ନ ଆସିବାରୁ ଅନ୍ୟ ଆତଙ୍କୀଙ୍କ ସହ ତାଙ୍କର ମୃତ୍ୟୁ ଘଟିଛି।
ସେନାର କହିବା ଅନୁଯାୟୀ, ଏନ୍କାଉଣ୍ଟର ସ୍ଥଳରୁ ପୋଲିସ ଏକ AK ରାଇଫଲ ଏବଂ ତିନୋଟି ପିସ୍ତଲ ଜବତ କରିଛି। ନିହତ ଆତଙ୍କୀଙ୍କ ପରିଚୟ ମଧ୍ୟ ପୋଲିସର ହସ୍ତଗତ ହୋଇଛି। ସେମାନେ ହେଲେ ଅହମ୍ମଦ ଭଟ, ଅମିର ଶଫି ମୀର, ଅକିବ ଅହମ୍ମଦ ମଲିକ ଏବଂ ଅଫତାଫ ଅହମଦ ବାନି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦସୁଦ୍ଧା ଘାଟିରେ ୯ ଏନକାଉଣ୍ଟର ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)