/odishatv-khabar/media/post_attachments/uploadimage/library/16_9/16_9_0/Capture-6_1620230409.jpg)
Cricketer
ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ବ୍ୟାଟିଂର ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଶୀର୍ଶ ୧୦ ଜଣଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ ଋଷଭ ପନ୍ଥ ଏବଂ ରୋହିତ ଶର୍ମା । ଉଭୟ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି । ଏଥିସହିତ ପନ୍ଥ ତାଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ, ୬ ନମ୍ବର ରାଙ୍କିଂରେ ପହଞ୍ଚିଛନ୍ତି । ଏହାପୂର୍ବରୁ ସେ ୭ ନମ୍ବର ରାଙ୍କରେ ଥିଲେ । ଅନ୍ୟପଟେ ମହେନ୍ଦ୍ର ସିଂ ଧୋନି କେବେ ବି ଟପ୍ -୧୦ ରେ ପ୍ରବେଶ କରିନଥିଲେ । ବିରାଟ କୋହଲି ୫ ନମ୍ବର ରାଙ୍କରେ ସ୍ଥିର ଅଛନ୍ତି । ନିକଟରେ ସେ ଇଂଲଣ୍ଡ ବିପକ୍ଷ ୪ଟି ଟେଷ୍ଟରେ ମାତ୍ର ୧୭୨ ରନ୍ ସଂଗ୍ରହ କରିପାରିଥିଲେ ।
ସେହିଭଳି ପାକିସ୍ତାନ ଅଧିନାୟକ ବାବର ଆଜାମ ତିନୋଟି ସ୍ଥାନ ତଳକୁ ଖସିଛନ୍ତି । ସେ ଏବେ ୯ ନମ୍ବରରେ ରହିଛନ୍ତି । ଏହାଦ୍ୱାରା ଋଷଭ ପନ୍ତ ଏବଂ ରୋହିତ ଶର୍ମାଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ହେନେରୀ ନିକୋଲାସ ଫାଇଦା ପାଇଛନ୍ତି। ଏହି ତିନି ଜଣ ଖେଳାଳି ସମାନ ୭୪୭ ପଏଣ୍ଟ ସହିତ ଏକାଠି ଷଷ୍ଠ ସ୍ଥାନରେ ରହିଛନ୍ତି । ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ୪ଟି ଟେଷ୍ଟରେ ୨୮୦ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଏଥିରେ ତାଙ୍କର ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି । ତେବେ ରାଙ୍କର ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ, ଦ୍ୱିତୀୟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ, ତୃତୀୟରେ ଅଷ୍ଟ୍ରେଲିଆର ମାର୍ନସ ଲବୁଶେନ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଜୋ ରୁଟ୍ ।
ଦ୍ୱିଶତକ ହାସଲ କରିଥିବା କରୁଣାରତନଙ୍କୁ ଫାଇଦା
ଭାରତୀୟ ଦଳର ଶକ୍ତିଶାଳୀ ମିଡିଲ ଅର୍ଡର କୁହାଯାଉଥିବା ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟେଷ୍ଟ ରାଙ୍କିଂରେ ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି । ପୂଜାରା ୧୪ ନମ୍ବର ଏବଂ ରାହାଣେ ୧୫ ନମ୍ବର ରାଙ୍କକୁ ଖସି ଆସିଛନ୍ତି । ଏହି ପାଞ୍ଚ ଜଣ ଖେଳାଳିଙ୍କ ବ୍ୟତୀତ ଟପ୍-୨୦ରେ ଆଉ କୌଣସି ଭାରତୀୟ ସ୍ଥାନ ପାଇନାହାଁନ୍ତି । ଅନ୍ୟପଟେ ଶ୍ରୀଲଙ୍କା କ୍ରିକେଟ୍ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ୪ଟି ସ୍ଥାନ ଉପରକୁ ଉଠି ୧୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ସେ ଗତ ୪ଟି ଟେଷ୍ଟରେ ୫୧୯ ରନ୍ କରିଥିଲେ । ଏହି ସମୟ ମଧ୍ୟରେ ସେ ବାଂଲାଦେଶ ବିପକ୍ଷରେ ଗୋଟିଏ ଦ୍ୱିଶତକ ଏବଂ ଶତକ ହାସଲ କରିଛନ୍ତି ।
ବୋଲିଂରେ ଅଶ୍ୱିନ୍ ଦୁଇ ନମ୍ବର ରାଙ୍କ
ବୋଲିଂ ରାଙ୍କିଂ ଦେଖିବାକୁ ଗଲେ ଏଥିରେ କେବଳ ଜଣେ ଭାରତୀୟ ବୋଲର ଆର ଅଶ୍ୱିନ୍ ଟପ୍ -୧୦ରେ ଅଛନ୍ତି । ସେ ପୂର୍ବ ପରି ନମ୍ବର-୨ ରେ ଆସ୍ଥାନ ଜମାଇ ରହିଛନ୍ତି । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ତାଲିକାର ଶୀର୍ଷରେ ଅଛନ୍ତି । ଟପ୍ -୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅଲରାଉଣ୍ଡର ର଼୍ୟାଙ୍କିଂ କଥା କହିଲେ ଏଥିରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)