/odishatv-khabar/media/post_attachments/uploadimage/library/16_9/16_9_0/Untitled-1-39_1623664028.jpg)
Untitled-1
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ କମି କମି ଆସୁଛି। ହେଲେ ମୃତକଙ୍କ ସଂଖ୍ୟା ଚିନ୍ତାର ବିଷୟ ହୋଇଛି। ଏପରିକି ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟାରେ ଯେମିତି ବ୍ରେକ ଲାଗିପାରୁନି। ଦିନକରେ ୩,୯୨୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଆଜି ୨୪ ଘଣ୍ଟାରେ ଦେଶରେ ଦେଶରେ ୭୦ ହଜାର ୪୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି। ସେହିପରି ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୪ ହଜାର ୩୦୫କୁ ବୃଦ୍ଧି ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ- ୯,୭୩,୧୫୮ଥିବାବେଳେ ସୁସ୍ଥ ହେଲେଣି ୨,୮୧,୬୨,୯୪୭। ଏଯାବତ୍ ୨୫ କୋଟି ୪୮ ଲକ୍ଷ ୪୯ ହଜାର ୩୦୧ ଡୋଜ୍ ଟିକାକରଣ କରାଯାଇଛି।
ଦିଲ୍ଲୀରେ ସଂକ୍ରମଣ ହାର ହ୍ରାସ ପାଇବା ପରେ ଜୀବନଯାତ୍ରା ସ୍ୱାଭାବିକ ଆଡକୁ ଫେରୁଛି। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଆଜିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ। ରାସ୍ତାକଡ଼ରେ ଉଠା ଦୋକାନୀଠୁ ଆରମ୍ଭ କରି ବଡ଼ ମାର୍କେଟ କପ୍ଲେକ୍ସ ଖୋଲିବ। ରେସ୍ତୋରାଁ ବି ୫୦ ପ୍ରତିଶତ ଗ୍ରାହକରେ ଚାଲିବ। ସେଲୁନ୍ ଖୋଲିବ କିନ୍ତୁ ସ୍ପା ଏବେ ପାଇଁ ବନ୍ଦ ରହିବ ବୋଲି ଗାଇଡ ଲାଇନ ଜାରି କରାଯାଇଛି।
ପୂର୍ବ ଭଳି ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସାମାଜିକ, ରାଜନୈତିକ, କ୍ରୀଡା ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକମାନେ ଏକାଠି ହେବା ଉପରେ କଟକଣା ଆଗ ଭଳି ଜାରି ରହିବ। ଏହି କୋହଳ ନିୟମ ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି।
ଆହୁରି ପଢନ୍ତୁ : ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ସେହିପରି କରୋନା ମହାମାରୀ ମୁକାବିଲାରେ ପୁଣି ସୁରତର ସଫଳତା । ଗୁଜରାଟ ସୁରତରେ ଏବେ ପଜିଟିଭିଟି ହାର ୦.୫୨ ପ୍ରତିଶତକୁ ଖସି ଆସିଛି। ହସ୍ପିଟାଲରେ ଏବେ ୯୦ ପ୍ରତିଶତ ବେଡ୍ ଖାଲି ପଡ଼ିଛି। ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଉପରେ ସର୍ବପ୍ରଥମେ କାବୁ ପାଇଥିଲା ସୁରତ । ଚଳିତ ବର୍ଷ ଦ୍ୱିତୀୟ ଲହରର ମୁକାବିଲାରେ ମଧ୍ୟ ସୁରତ ସଫଳ ହୋଇଛି ।
ସୁରତରେ ସଂକ୍ରମଣ ଏବେ ଢେର୍ କମିବାରେ ଲାଗିଛି। ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ ଏବଂ ଆଇସୋଲେସନ୍ ଉପରେ ଫୋକସ ଦିଆଯାଇଥିବାରୁ ସଂକ୍ରମଣ ହାର କମୁଥିବା କହିଛନ୍ତି ସୁରତ ମହାନଗର ନିଗମ କମିଶନର । ସହରର ବିଭିନ୍ନ ସ୍ଥାନରେ ୧୬ଶହରୁ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବେଳେ କ୍ଳଷ୍ଟର ଗୁଡିକୁ ଡିଜିଟାଲ ମ୍ୟାପିଂ ଜରିଆରେ ଅନୁଧ୍ୟାନ କରାଯାଉଛି। ଏହାସହିତ କଣ୍ଟେନମେଣ୍ଟ ଜୋନ୍ ଗୁଡିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି କେବଳ ମେଡିକାଲ ଭଳି ଜରୁରୀ ପରିସ୍ଥିତିରେ ଲୋକଙ୍କୁ ବାହାରକୁ ଛଡାଯାଉଥିବା ସେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)