/odishatv-khabar/media/post_attachments/uploadimage/library/16_9/16_9_0/rahul-gandhi_1627366211.jpg)
rahul-gandhi
ନୂଆଦିଲ୍ଲୀ: ଜୁନରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ। ଆଜି ଦିଲ୍ଲୀରେ ଅନୁଷ୍ଠିତ ଦଳର ଓ୍ୱାର୍କିଂ କମିଟି ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦଳର ନୂଆ ସଭାପତି ନିର୍ବାଚନ ହେବ। ଆଜିର ଏ ବୈଠକରେ ଉପସ୍ଥିତ ଥିବା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ଓ୍ୱାସନିକ୍ ଓ ପି. ଚିଦାମ୍ବରମଙ୍କ ଭଳି ବରିଷ୍ଠ ନେତାମାନେ ତୁରନ୍ତ ଦଳର ସାଂଗଠନିକ ନିର୍ବାଚନ ସପକ୍ଷରେ ଯୁକ୍ତି କରିଥିଲେ। ତେବେ ଅଶୋକ ଗେହଲଟ, ଅମରିନ୍ଦର ସିଂହ, ଏକେ ଆଣ୍ଟୋନୀ, ତାରିକ ଅନଓ୍ୱାର ଓ ଓମାନ୍ ଚାଣ୍ଡିଙ୍କ ଭଳି ନେତାମାନେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ସଭାପତି ନିର୍ବାଚନ ପାଇଁ ମତ ଦେଇଥିଲେ।
ଏ ପ୍ରସଙ୍ଗ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବି ହୋଇଥିଲା ଏପରିକି ଦଳ କାହା ନିର୍ଦ୍ଦେଶରେ କାମ କରୁଛି ବୋଲି କିଛି ନେତା ବୈଠକରେ ପ୍ରଶ୍ନ ଉଠାଇଥିଲେ। ପରେ ଜୁନରେ ହିଁ ସଭାପତି ନିର୍ବାଚନ ଲାଗି ସ୍ଥିର ହୋଇଥିବା ଦଳୀୟ ମୁଖପାତ୍ର କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧି ସଭାପତି ପଦ ଛାଡ଼ିବାରୁ ସୋନିଆ ଗାନ୍ଧି ଅନ୍ତରୀଣ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।
ସେହିଭଳି ସିଡବ୍ଲୁସିରେ ଚାଷୀଙ୍କ ପାଇଁ ଏକ ସଂକଳ୍ପପତ୍ର ପାରିତ ହୋଇଛି। ଏହା ସହ କୋଭିଡ୍ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକଙ୍କ ଯୋଗଦାନକୁ ପ୍ରଶଂସା ସହ ବହୁ ସଂଖ୍ୟାରେ ଲୋକେ ଏହି ଟିକାକରଣ ପ୍ରକ୍ରିୟାରେ ସାମିଲ ହେବାକୁ କୁହାଯାଇଛି। ଏସସି, ଏସ୍ଟି, ଓବିସି ବର୍ଗର ବ୍ୟକ୍ତି ବିଶେଷଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛି କଂଗ୍ରେସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)