/odishatv-khabar/media/post_attachments/uploadimage/library/16_9/16_9_0/mike_1625245113.jpg)
mike
ୱାଶିଂଟନ: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଭିତରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ବିରୋଧରେ ଚାଇନା ଷଡ଼ଯନ୍ତ୍ରକୁ ପଦାରେ ପକାଇଛନ୍ତି। ଚୀନ ବିବାଦୀୟ ସୀମା ରେଖାରେ ପ୍ରାୟ ୬୦ ହଜାର ଯବାନ ମୁତୟନ କରି ରଖିଛି ବୋଲି ପମ୍ପିଓ କହିଛନ୍ତି। ତା ସହିତ କ୍ୱାଡ୍ ଦେଶଙ୍କୁ ଚାଇନା ପକ୍ଷରୁ ବିପଦ ରହିଛି ବୋଲି ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି।
ନିକଟକରେ ମାଇକ ପମ୍ପିଓ ଟୋକିଓରେ କ୍ୱାଡ ଦେଶର ବୈଠକରେ ସାମିଲ ହୋଇ ଫେରିଛନ୍ତି। ଏହି ବୈଠକରେ ଆମେରିକା,ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସାମିଲ ଥିଲେ। ଏହି ୪ ଦେଶର ସମୁହକୁ କ୍ୱାଡ ଦେଶ କୁହାଯାଉଛି। ଏହି ବୈଠକରେ କ୍ୱାଡ ଦେଶର ବିଦେଶମନ୍ତ୍ରୀମାନେ ସାମିଲ ହୋଇଥିଲେ।
ଭାରତ-ପ୍ରଶାନ୍ତ ମହାସାଗରୀୟ, ଦକ୍ଷିଣ ଚୀନ୍ ସାଗରରେ ଏବଂ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ୍ (LAC) ରେ ଚୀନ୍ର ଆକ୍ରମଣାତ୍ମକ ସାମରିକ ଆଚରଣ ଜାରି ରହିଥିବା ବେଳେ କ୍ୱାଡ୍ ଦେଶ ବୈଠକ ହୋଇଥିଲା। ବୈଠକରୁ ଫେରିବା ପରେ ଏକ ସାକ୍ଷାତକାରରେ ପମ୍ପିଓ କହିଥିଲେ “ମୁଁ ଭାରତ ଅଷ୍ଟ୍ରେଲିଆ ଓ ଜାପାନର ବିଦେଶ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରୁଥିଲି। ଚାରୋଟି ବଡ଼ ଲୋକତନ୍ତ୍ର, ଚାରି ଶକ୍ତିଶାଳୀ ଅର୍ଥବ୍ୟବସ୍ଥା, ଏହି ଚାରୋଟି ଦେଶକୁ ଚୀନର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିପଦ ରହିଛି।”
ଅନ୍ୟ ଏକ ସାକ୍ଷାତକାରରେ ପମ୍ପିଓ କହିଥିଲେ “ କ୍ୱାଡ୍ ଦେଶର ଗ୍ରୁପ ସଦସ୍ୟ ଦେଶଗୁଡ଼ିକ ଏକ ଯୋଜନା କରୁଛୁ, ଯାହାଦ୍ୱାରା ଚୀନର ଠାରୁ ଆସିବାକୁ ଥିବା ବିପଦର ମୁକାବିଲା କରିହେବ।”
ସେ ଆହୁରି ମଧ୍ୟ କହିଥିଲେ ଯେ, ଉହାନ ଭାଇରସ ଯେତେବେଳେ ବ୍ୟାପିଲା, ଆଉ ଅଷ୍ଟ୍ରେଲିଆ ଏହାର ଯାଞ୍ଚ କରିବାକୁ କହିଲା ଆମେ ଜାଣିଛୁ ଯେ ଚାଇନା ସେତେବେଳେ ଅଷ୍ଟ୍ରେଲିଆକୁ ଡରାଇଥିବ ଓ ଧମକାଇଥିବ। ଏହି ଦେଶଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଦେଶ ଚୀନର ଦୁର୍ବ୍ୟବହାର ସାମ୍ନା କରିସାରିଛି। ତେଣୁ ଚୀନର କମ୍ୟୁନିଷ୍ଟ ପାର୍ଟି କେତେ ବିପଦପୂର୍ଣ୍ଣ, ତାହା ଏମାନେ ଜାଣନ୍ତି ବୋଲି ପମ୍ପିଓ କହିଛନ୍ତି।
ସୂଚନା ଥାଉକି, ପୂର୍ବ ଲଦାଖ ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଛି। ଜୁନ୍ ୧୫ରେ ଏହି ବିବାଦ ତୀବ୍ର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ହିଂସାରେ ଭାରତର ୨୦ ସୈନିକ ସହିଦ ହୋଇଥିଲେ ଓ ଚାଇନାରୁ ୪୦ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)