/odishatv-khabar/media/post_attachments/uploadimage/library/16_9/16_9_0/1222_1626169574.jpg)
crpf
ବିଜାପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ । କୁହାଯାଉଛି, ମାଓବାଦୀମାନେ ତାଙ୍କୁ ନିଜ କବ୍ଜାରେ ରଖିଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ମଧ୍ୟ ଲାଲବାହିନୀ ତରଫରୁ ଫୋନ୍ କରି କୁହାଯାଇଥିଲା ଯେ, ନିଖୋଜ ସିଆରରପିଏଫ୍ କୋବ୍ରା ଯବାନଙ୍କୁ ସେମାନେ ନିଜ କବ୍ଜାରେ ରଖିଛନ୍ତି ।
ନିଖୋଜ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରୀୟ ରିଜର୍ଭ ପୋଲିସର କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ। ମାନହାସଙ୍କ ଘର ହେଉଛି ଜମ୍ମୁ କାଶ୍ମୀରରେ । ଗତ ଶନିବାର ବସ୍ତର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ତିନିପଟୁ ଘେରି ଆମ୍ବୁସ୍ କରିଥିଲେ ମାଓବାଦୀ । ରାକେଶଙ୍କୁ ମାଓବାଦୀ ଅପହରଣ କରିନେବା ଘଟଣା ଜରା ପଡ଼ିବା ପରେ ତାଙ୍କର ୫ ବର୍ଷର ଝିଅ ପିତାଙ୍କୁ ଛାଡି ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏକ ଭିଡିଓ ଜାରି କରି କୁନି ଝିଅଟି କାନ୍ଦି କାନ୍ଦି ମାଓବାଦୀଙ୍କୁ ଆକୁଳ ବିନୟ ହୋଇ କହିଛି ‘ପ୍ଲିଜ, ମୋ, ପାପାଙ୍କୁ ଛାଡ଼ି ଦିଅ।’ କୁନି ଝିଅଟିର ଏହି କରୁଣ ଆବେଦନ ଶୁଣିଲେ ପଥର ହୃଦୟ ମଧ୍ୟ ବିଗଳିତ ହୋଇଯିବ।
ନ୍ୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମାଣ୍ଡୋଙ୍କ ପତ୍ନୀ ମୀନୁ ଜମ୍ମୁରେ ନିଜ ଘରେ ଥିବାବେଳେ ସେଠାରେ ମିଡିଆକୁ ସାକ୍ଷାତ ଦେଇ କହିଛନ୍ତି, ନ୍ୟୁଜ ଚାନେଲରୁ ଆମେ ଜାଣିବାକୁ ପାଇଲୁ ଯେ ସ୍ୱାମୀ ନିଖୋଜ ଅଛନ୍ତି। ସରକାର କିମ୍ବା ସିଆରପିଏଫ କେହି ବି ଆମକୁ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି। ’
ଏହା ପରେ ସେ ଜମ୍ମୁସ୍ଥିତ ସିଆରପିଏଫ ମୁଖ୍ୟାଳୟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଏ ସମ୍ପର୍କରେ କିଛି ଏବେ କହି ପାରିବେ ନାହିଁ ବୋଲି କହିବା ସହ ସୂଚନା ମିଳିବା କ୍ଷଣି ତାଙ୍କୁ ଜଣାଇବେ ବୋଲି ଆଶ୍ୱାସନା ଦେଇଥିଲେ।
ବାପାଙ୍କ ନଖୋଜ ଖବର ବିଷୟରେ କୁନି ଝିଅଟି କେତେ ବୁଝିଛି ସେ ଜାଣେ। ତେବେ ସେ ଅନୁଭବ କରିପାରିଛି ତା’ ବାପା ବିପଦରେ ପଡ଼ିଛନ୍ତି। ପରିବାର ଲୋକଙ୍କ ବ୍ୟସ୍ତତା ଦେଖି କୁନି ଝିଅଟି ବାପାଙ୍କୁ ଝୁରୁଛି। ବିକଳ ହୋଇ କହୁଛି ‘ପ୍ଲିଜ, ମୋ ପାପାଙ୍କୁ ଛାଡ଼ିଦିଅ।‘ ଯବାନଙ୍କ ପତ୍ନୀ ମୀନୁ କହିଛନ୍ତି, ତାଙ୍କ ସ୍ୱାମୀ ଦେଶ ପାଇଁ ୧୦ ବର୍ଷ ଖଟିଲେ। ଏବେ ସରକାରଙ୍କ ପାଳି। ସରକାର ତାଙ୍କୁ ସୁରକ୍ଷିତ ଫେରାଇ ଆଣିବେ। ଏଥିସହିତ ମୀନୁ କହିଛନ୍ତି ସେ ଏ ପ୍ରସଙ୍ଗ ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ରରେ ଉଠାଇବା ପାଇଁ ଅପିଲ କରିବେ। ଏଥିସହିତ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅନୁରୋଧ କରିଛନ୍ତି।
ସୋମବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜଣେ କମାଣ୍ଡୋଙ୍କୁ ନକ୍ସଲ ଅପହରଣ କରି ନେଇଛନ୍ତି। ବସ୍ତର ଆଇଜି କହିଛନ୍ତି, ଯବାନଙ୍କ ତଲାସୀ ପାଇଁ ଏକ ଦଳ ଗଠନ କରାଯାଇଛି। ତେବେ ସୋଶାଲ ମିଡିଆରୁ ଜଣାପଡ଼ିଲା ଯେ, ତାଙ୍କୁ ମାଓବାଦୀ ଅପହରଣ କରି ନେଇଛନ୍ତି। ଏହି ସୂଚନା ସତ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)