/odishatv-khabar/media/post_attachments/uploadimage/library/16_9/16_9_0/OTV-KHABAR-CHASI_1626331130.jpg)
OTV-KHABAR-CHASI
ନୂଆଦିଲ୍ଲୀ: ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ ଆରମ୍ଭ ହୋଇଯାଇଛି। ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ ହେଉଛି। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ଦିଲ୍ଲୀ ପୋଲିସ ନିଜକୁ ପ୍ରସ୍ତୁତ କରୁଛି। ଗତ ୨୯ରେ ୟୁପିର ମୁଜାଫରନଗର ପରେ ଗତକାଲି ହରିୟାଣାର ଜିନ୍ଦରେ ଅନୁଷ୍ଠିତ ହୋଇଥିଲା ଚାଷୀ ମହାପଞ୍ଚାୟତ। ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ସିଂହ ଟିକାୟତ ଏଥିରେ ସାମିଲ ହୋଇଥିଲେ। ସରକାର ୩ଟି ଯାକ ଆଇନକୁ ପ୍ରତ୍ୟାହାର ନକରିବା ଯାଏଁ ଚାଷୀ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନି ବୋଲି ସେ ପୁଣି ଦୋହରାଇଛନ୍ତି।
ଆମର କଥା ଓ ଜିଦ୍ରେ ଆମେ ଅଟଳ। ଆନ୍ଦୋଳନ ସ୍ଥାନରେ ହିଁ ଆମ ଲୋକ ରହିବେ। ସେହି ସ୍ଥାନରେ ହିଁ ଆମ ଅଫିସ୍ ରହିବ। ଆମର ଯେଉଁ ଦାବି ରହିଛି, ତାକୁ କେନ୍ଦ୍ର ସରକାର ପୂରଣ କରନ୍ତୁ।
-ରାକେଶ ସିଂହ ଟିକାୟତ, ଚାଷୀ ନେତା
ଏଣେ ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ଜାରି ରହିଛି, ଆଉ ଆରୋପ ପ୍ରତ୍ୟାରୋପ ଚାଲିଛି। ନୂଆ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବେ ନା ନାହିଁ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ୍ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି। ଚାଷୀ ଆନ୍ଦୋଳନରୁ ହଟିବେ ନାହିଁ, ତେଣୁ ଆଇନ ପ୍ରତ୍ୟାହାର କରିନେବା ସରକାରଙ୍କ ପକ୍ଷେ ଶ୍ରେୟସ୍କର ବୋଲି ରାହୁଲ କହିଛନ୍ତି। ତେବେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ପାଲଟା ବର୍ଷିଛି। ଚାଷୀ ଆନ୍ଦୋଳନରୁ କଂଗ୍ରେସ ରାଜନୈତିକ ଫାଇଦା ନେବା ଚକ୍କରରେ ଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।
ମୁଁ ବହୁତ ଭଲଭାବରେ ଜାଣିଛି ଯେ ଚାଷୀମାନେ ତିଳେମାତ୍ରେ ପଛକୁ ହଟିବେନି। ସରକାର ପଛକୁ ହଟିଯିବେ ପଛେ କୃଷକ ହଟିବେନି। ଶେଷରେ ହିଁ ସରକାରଙ୍କୁ ହିଁ ହଟିବାକୁ ପଡ଼ିବ। ଆଇନ ପ୍ରତ୍ୟାହାର କରିନେବା ସରକାରଙ୍କ ପକ୍ଷେ ଶ୍ରେୟସ୍କର।
-ରାହୁଲ ଗାନ୍ଧି, କଂଗ୍ରେସ ନେତା
କିଭଳି ଆନ୍ଦୋଳନରେ ମୃତାହତ ହେବେ, ଏନେଇ ରାହୁଲ ଗାନ୍ଧୀ, କଂଗ୍ରେସ ଓ ବିରୋଧୀମାନେ ଚିନ୍ତା କରୁଛନ୍ତି। ଶବ ଉପରେ ବସି ଏମାନେ ରାଜନୀତି କରୁଛନ୍ତି।
-ସମ୍ବିତ ପାତ୍ର, ବିଜେପି ମୁଖପାତ୍ର
ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତୀୟସ୍ତରର କିଛି ସେଲିବ୍ରିଟି ଟୁଇଟ୍ କରିବା ପରେ ବିବାଦ ତେଜିଛି। ଆନ୍ଦୋଳନସ୍ଥଳରେ ବାରିକେଡ୍ ନିର୍ମାଣ ସହ ପାଣି, ବିଦ୍ୟୁତ୍ ଓ ଇଣ୍ଟରନେଟ୍ କାଟି ଦିଆଯିବାକୁ ନେଇ ପପ୍ଷ୍ଟାର ରିହାନା ଟୁଇଟ୍ କରିଥିଲେ। ବିଶ୍ୱ ଏ ବିଷୟରେ କାହିଁକି ଚର୍ଚ୍ଚା କରୁନି ବୋଲି ସେ ପ୍ରଶ୍ନ କରିଥିଲେ। ପରିବେଶ ସୁରକ୍ଷାଲାଗି କାମ କରୁଥିବା ଗ୍ରେଟା ଥମ୍ସବର୍ଗ ବି ଟୁଇଟ କରି ଚାଷୀ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଥିଲେ।
ସେହିପରି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଝିଆରୀ ମୀନା ହାରିସ୍ ବି ଟୁଇଟ କରିବା ସହ ଚାଷୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଇଣ୍ଟରନେଟ୍ କାଟି ଦିଆଯିବାକୁ ବିରୋଧ କରିଥିଲେ। ତେବେ ସେମାନଙ୍କୁ ଅକ୍ଷୟ କୁମାର, ଅଜୟ ଦେବଗନ୍ ଓ ସୁନୀଲ ସେଟ୍ଟୀଙ୍କ ପରି ବଲିଉଡ୍ ସେଲିବ୍ରିଟି ଜବାବ୍ ଦେଇଛନ୍ତି। ବୃଥା ଚାଞ୍ଚଲ୍ୟ ସୃଷ୍ଟି ଉଦ୍ୟମ ବୋଲି ସରକାରଙ୍କ ପକ୍ଷରୁ କରାଯାଇଥିବା ଟୁଇଟକୁ ହ୍ୟାସଟ୍ୟାଗ କରି ବିଭେଦ ସୃଷ୍ଟିକାରୀ ମନ୍ତବ୍ୟ ପ୍ରତି ଧ୍ୟାନ ନଦେବାକୁ ଅକ୍ଷୟ ପରାମର୍ଶ ଦେଇଥିବା ବେଳେ ଭାରତ ବିରୋଧୀ କୌଣସି ଅପପ୍ରଚାରରେ ବିଶ୍ୱାସ ନକରିବାକୁ ଅଜୟ ଦେବଗନ ସତର୍କ କରାଇ ଦେଇଛନ୍ତି।
ସେହିପରି ଯଦି କୌଣସି ପ୍ରସଙ୍ଗରେ ସଂପୂର୍ଣ୍ଣ ଜ୍ଞାନ ନଥାଏ ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିବା ସହ ଦାୟିତ୍ୱବୋଧର ସହ ଟୁଇଟ କରିବାକୁ ପରାମର୍ଶ ଦେଇଛି। ତେଣେ ମିଛ ଟୁଇଟ୍କୁ ବ୍ଲକ୍ କରିବାକୁ କହିବା ସହ ସରକାରଙ୍କ ନିର୍ଦ୍ଦେଶ ନମାନିଲେ ପରିଣତି ଭୋଗିବା ଲାଗି ପ୍ରସ୍ତୁତ ରହିବାକୁ କେନ୍ଦ୍ର ଟୁଇଟରକୁ ବି ଚେତାଇ ଦେଇଛି।
https://twitter.com/otvkhabar/status/1356987316212928513?s=20
କୃଷକଙ୍କ ଆନ୍ଦୋଳନକୁ ନେଇ କିଛି ବ୍ୟକ୍ତିଙ୍କ ବିପରୀତଧର୍ମୀ ମନ୍ତବ୍ୟକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଭଳି ମନ୍ତବ୍ୟ ଦେଇ ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେ କଡ଼ା ଜବାବ ଦେଇଛନ୍ତି। କୌଣସି ଅଭିସନ୍ଧି ଭାରତର ଏକତାକୁ କ୍ଷୂର୍ଣ୍ଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଅଭିସନ୍ଧି ନୁହେଁ, କେବଳ ବିକାଶ ହିଁ ଭାରତର ଭାଗ୍ୟ ନିର୍ଣ୍ଣୟ କରିବ। ଭାରତ ଏକ ହୋଇ ରହିବ, ଏକାଠି ହୋଇ ବିକାଶ ହାସଲ କରିବୁ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)