corona-vaccine
ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ଯେତେବେଳେ ଟିକା ଆସିଥିଲା । ତେବେ ଟିକା ନେବା ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ରହିଥିଲା ସେତିକି ଭୟ ମଧ୍ୟ ରହିଥିଲା । ଏହି ସମୟରେ ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଥିବା ୱିଲିୟମ ସେକ୍ସପିୟରଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।
କୋଭିଡ-୧୯ର ଟିକାକରଣ ଆରମ୍ଭ ବେଳେ ପ୍ରଥମ ବ୍ୟକ୍ତି ଭାବେ ଯିଏ ଟିକା ନେଇଥିଲେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେ କୋଭିଡ୍ରେ ନୁହେଁ ବରଂ ଅନ୍ୟ କୌଣସି ରୋଗରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବ୍ରିଟେନର ୮୧ ବର୍ଷୀୟ ଜଣେ ପେନ୍ସନ୍ଧାରୀ । ବ୍ରିଟିସ ଗଣମାଧ୍ୟମ ପକ୍ଷରୁ ଏନେଇ ମଙ୍ଗଳବାର ସୂଚନା ଦିଆଯାଇଛି । ୱିଲିୟମ୍ ସେକ୍ସପିଅର୍ ଗତ ବର୍ଷ ସେପ୍ଟେମ୍ବର ୮ରେ ୟୁନିଭର୍ସିଟି ହସ୍ପିଟାଲ କୋବେଣ୍ଟ୍ରି ଓ ୱାରବିକ୍ଶାୟରରେ କରୋନା ଭାଇରସ୍ର ଭ୍ୟାକ୍ସିନ ନେଇଥିବା ପ୍ରଥମ ବ୍ୟକ୍ତି ଥିଲେ । ସେତେବେଳେ ତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା ।
ସେହି ସମାନ ଡାକ୍ତରଖାନାରେ ଟିକା ଗ୍ରହଣ କରିଥିବା ପ୍ରଥମ ବ୍ୟକ୍ତି ୯୧ ବର୍ଷ ବୟସ୍କା ମାର୍ଗେଟ୍ କିନନ୍ଙ୍କ ପରେ ସେକ୍ସପିୟରଙ୍କୁ ଫାଇଜର-ବାୟୋଏନ୍ଟେକ୍ ଟିକା ଦିଆଯାଇଥିଲା । ସେକ୍ସପିୟରଙ୍କ ଜଣେ ବନ୍ଧୁ କୋଭେଣ୍ଟ୍ରିର କାଉନସିଲର ଜେନ ଇନ୍ସ କହିଛନ୍ତି ଯେ, ଗୁରୁବାର ସେକ୍ସପିୟଙ୍କ ଦେହାନ୍ତ ହୋଇଛି । ସେ କହିଛନ୍ତି ସମସ୍ତେ ଟିକା ନେବା ହିଁ ୱିଲିୟମଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।
କୋଭେଣ୍ଟ୍ରି ଲାଇଭର ରିପୋର୍ଟ ଅନୁଯାୟୀ, ବିଲଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ସେହି ଡାକ୍ତରଖାନାରେ ହିଁ ତାଙ୍କର ଜୀବନ ଚାଲିଯାଇଛି, ଯେଉଁଠାରେ ତାଙ୍କୁ ଟିକା ଦିଆଯାଇଥିଲା । ସେକ୍ସପିୟର ରୋଲ୍ସ ରୋଏସରେ କାମ କରୁଥିଲେ ଏବଂ ଜଣେ ପ୍ୟାରିସ ପାର୍ଷଦ ମଧ୍ୟ ଥିଲେ । ସେକ୍ସପିୟର ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆଲେସ୍ଲେରେ ନିଜର ସ୍ଥାନୀୟ ସମ୍ପ୍ରଦାୟର ସେବା କରିଥିଲେ ଏବଂ ପ୍ରଥମ ଡୋଜ୍ ନେବା ବେଳେ ସେ ଡାକ୍ତରଖାନାର ଗୋଟିଏ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏହା ତାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ମଧ୍ୟ କହିଥିଲେ ।
ବିବିସିର କହିବାନୁଯାୟୀ, ସେକ୍ସପିୟର ତାଙ୍କ ପତ୍ନୀ ଜୋଏ, ତାଙ୍କର ଦୁଇ ବୟସ୍କ ପୁଅ ଏବଂ ନାତି ନାତୁଣୀଙ୍କୁ ଛାଡିଦେଇ ଆର ପାରିକୁ ଚାଲି ଯାଇଛନ୍ତି । ୱେଷ୍ଟ ମିଡଲାଣ୍ଡସ୍ ଲେବର ଗ୍ରୁପ୍ ପକ୍ଷରୁ ଟ୍ୱିଟରରେ କୁୁହାଯାଇଛି ଯେ, ‘ସେକ୍ସପିୟର କୋଭିଡ୍-୧୯ ଟିକା ନେବାର ପ୍ରଥମ ବ୍ୟକ୍ତି ହୋଇଥିବାରୁ ସେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସେକ୍ସପିୟରଙ୍କ ପରିବାର ପ୍ରତି ସମସ୍ତଙ୍କର ସମବେଦନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-vaccine_1626261794.jpg)