/odishatv-khabar/media/post_attachments/uploadimage/library/16_9/16_9_0/covid-doctor_1622627675.jpg)
covid doctor
ନୂଆଦିଲ୍ଲୀ: ଘାତକ ହେଉଛି କୋଭିଡ୍ର ଦ୍ୱିତୀୟ ଲହର । କୋଭିଡର ଏଇ ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ତା’ର କବ୍ଜାକୁ ନେଇଗଲାଣି। ବିଶେଷକରି କରୋନାର ଶିକାର ହେଉଛନ୍ତି କରୋନା ସମ୍ମୁଖ ଯୋଦ୍ଧା । କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଛନ୍ତି ଏମାନେ।
ଭାରତୀୟ ମେଡିକାଲ ଆସୋସିଏସନ୍ ଆଇଏମ୍ଏର ତଥ୍ୟ ଅନୁଯାୟୀ କରୋନାର ଦ୍ୱିତୀୟ ଲହରରେ ଏଯାଏଁ ପ୍ରାଣ ହରାଇଲେଣି ୫୯୪ ଡାକ୍ତର । ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ବିହାରରେ ୯୬ ଡାକ୍ତରଙ୍କ ମୃତ୍ୟୁ ଘଟିଛି ।
ସେହିପରି ଉତ୍ତରପ୍ରଦେଶରେ ୬୭, ରାଜସ୍ଥାନରେ ୪୩, ଝାଡ଼ଖଣ୍ଡରେ ୩୯, ତେଲେଙ୍ଗାନାରେ ୩୨ ଓ ଗୁଜରାଟରେ ୩୧ ଡାକ୍ତରଙ୍କର କରୋନାରେ ମୃତ୍ଯୁ ଘଟିଛି ସେହିପରି ପଶ୍ଚିମବଙ୍ଗରେ ୨୫ ଓ ଓଡ଼ିଶାରେ ୨୨ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଥାଉ କି, କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏ ଯାଏ କମିନାହିଁ। ସଂକ୍ରମିତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୦୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି । ଏହାରି ମଧ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷେ ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ହୋଇଛି ବୋଲି କହିଛି WHO । ଏହି ତିନୋଟି ମଧ୍ୟରୁ B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡିଛି । ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ ବୋଲି WHO ପକ୍ଷରୁ କୁହାଯାଇଛି।
ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି B.1.617.2 ଭାରିଏଣ୍ଟ ପାଇଁ ଅଧିକ ମୃତ୍ୟୁ ହେଉଥିବା ସୂଚନା ମିଳିଛି । ସେଥିପାଇଁ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)