/odishatv-khabar/media/post_attachments/uploadimage/library/16_9/16_9_0/doctors_1626241223.jpg)
doctors
ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୪,୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି। କରୋନା କବଳରେ ପଡ଼ି ଡାକ୍ତରମାନେ ମଧ୍ୟ ଜୀବନ ହରାଇବାରେ ଲାଗିଛନ୍ତି।
ଦେଶରେ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେବଳ ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ସେହିପରି ବିହାରରେ ୯୬ ଓ ଉତ୍ତର ପ୍ରଦେଶରେ ୪୧ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏନେଇ Indian Medical Association (IMA) ସୂଚନା ଦେଇଛି।
ମହାମାରୀ କରୋନାରେ ୨୭୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା କିଛିଦିନ ତଳେ IMA କହିଥିଲା। ସେମାନଙ୍କ ମଧ୍ୟରେ IMAର ପୂର୍ବତନ ଅଧ୍ୟକ୍ଷ ଡାକ୍ତର କେକେ ଅଗ୍ରୱାଲ ଥିଲେ। କରୋନାରେ ଆକ୍ରାନ୍ତ ହୋଇ ସୋମବାର ଦିନ ସେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ କରୋନା ଭ୍ୟାକସିନର ୨ଟି ଡୋଜ ନେଇଥିଲେ।
IMAର କୋଭିଡ-19 ରେଜିଷ୍ଟ୍ରି ଅନୁସାରେ, କରୋନାର ପ୍ରଥମ ଲହରରେ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୫୭ ହଜାର ୨୯୯ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)