/odishatv-khabar/media/post_attachments/uploadimage/library/16_9/16_9_0/Untitled-1-39_1623932402.jpg)
Untitled-1
ମୁମ୍ବଇ: ମହାମାରୀ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖାଦେବ ବୋଲି ଆକଳନ କରାଯାଉଛି। କୋଭିଡି ସ୍ଥିତି ନିରୀକ୍ଷଣ କରିବା ପାଇଁ ଗଠିତ ଷ୍ଟେଟ ଟାସ୍କ ଫୋର୍ସ ଏପରି ଚେତାବନୀ ଦେଇଛି। ତେବେ ଟାସ୍କ ଫୋର୍ସ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି, କରୋନାର ତୃତୀୟ ଲହର ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ମିଳିଥିବା ଏକ ତଥ୍ୟରୁ ଜଣାଯାଇଛି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ଆକଳନ କରାଯାଇଛି।
ଟାସ୍କ ଫୋର୍ସ ସୂଚନା ଦେଇ କହିଛି, ତୃତୀୟ ଲହରର ମୋଟ ସଂଖ୍ୟା ଦ୍ୱିତୀୟ ଲହରର ଆକ୍ଟିଭ କେସ ସହ ଦୁଇଗୁଣା ହୋଇପାରେ। ଟାସ୍କ ଫୋର୍ସଙ୍କ କହିବା ଅନୁଯାୟୀ, ଆକ୍ଟିଭ କେସ ସଂଖ୍ୟା ୮ ଲକ୍ଷ ପର୍ଯ୍ୟନ୍ତ ଛୁଇଁପାରେ। ଏପରିକି ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତ ପିଲା ଓ ଯୁବ ଗୋଷ୍ଠୀର ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ରାଜ୍ୟ ଟାସ୍କଫୋର୍ସର ସଦସ୍ୟ ଡା.ଶଶାଙ୍କ ଯୋଶୀ କୋଭିଡ ପ୍ରୋଟୋକଲ ପାଳନ ଉପରେ ଜୋର ଦେଇ କହିଛନ୍ତି,ବ୍ରିଟେନରେ ଯେପରି ସ୍ଥିତି ଦେଖିବାକୁ ମିଳିଥିଲା ମହାରାଷ୍ଟ୍ରରେ ମଧ୍ୟ ସେମିତି ସ୍ଥିତି ଦେଖିବାକୁ ମିଳିପାରେ। କରୋନାର ଦ୍ୱିତୀୟ ଲହର ପ୍ରଭାବ କମିବାର ୨ରୁ ୪ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି ଟାସ୍କ ଆଶଙ୍କା କରୁଛି। ନିମ୍ନ ମଧ୍ୟମ ବର୍ଗ ଏହି ଲହରରେ ବେଶି ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
ଏହା ପର୍ବରୁ ଭାକ୍ସିନେସନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବୈଠକରେ କହିଛନ୍ତି, ଦେଶକୁ ୪୨ କୋଟି ଭାକ୍ସିନ ଡୋଜ ମିଳିବ ଏବଂ ରାଜ୍ୟ ଏଥିରୁ ଫାଇଦା ପାଇବ। ଟାସ୍କ ଫୋର୍ସ ମଧ୍ୟ ମୃତ୍ୟୁ ହାର କମ୍ କରିବା ପାଇଁ ଭାକ୍ସିନେସନ ଉପରେ ଗୁରୁତ୍ୱ ଦେଇଛି।
ସୂଚନାଥାଉ କି, କୋଭିଡ୍ର ପ୍ରଥମ ଲହରରେ ମହାରାଷ୍ଟ୍ରରେ ରୋଗୀଙ୍କ ସଂଖ୍ୟା ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ସର୍ବାଧିକ ୩, ୦୧, ୭୫୨ ଥିଲା। ସେହିପରି ଚଳିତବର୍ଷ କୋଭିଡର ୨ୟ ଲହରରେ ଏପ୍ରିଲ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬, ୯୯, ୮୫୮ ଥିଲା। ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ରାଜ୍ୟରେ ପଜିଟିଭିଟି ହାର ୨୩.୫୩ ପ୍ରତିଶତ ଥିଲା। ୨ୟ ଲହରରେ ଏପ୍ରିଲ ୮ ସୁଦ୍ଧା ପଜିଟିଭିଟି ହାର ୨୪.୯୬ ପ୍ରତିଶତ ଥିଲା।
ସୂଚନାଥାଉ କି, କରୋନାର ୨ୟ ଲହର ପ୍ରଥମେ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବାବେଳେ ପରେ ଦେଶର ସବୁ ପ୍ରାନ୍ତକୁ ବ୍ୟାପିଥିଲା। ତେଣୁ ତୃତୀୟ ଲହର ସମ୍ପର୍କରେ ଟାସ୍କଫୋର୍ସର ଏପରି ମତ ଚିନ୍ତା ବଢାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)