/odishatv-khabar/media/media_files/2026/02/25/mahabharat-2026-02-25-17-30-21.jpg)
Mahabharat Photograph: (OTV)
ମହାଭାରତ ଯୁଦ୍ଧର ପ୍ରଥମ ଦିନରେ କୌରବ ପକ୍ଷରୁ ଯୁଦ୍ଧ କରୁଥିବା ଶଲ୍ୟ, ପାଣ୍ଡବ ପକ୍ଷର ରାଜା ବିରାଟଙ୍କ ପୁଅ ରାଜକୁମାର ଉତ୍ତରଙ୍କୁ ହତ୍ୟା କଲେ ଓ ତାଙ୍କ ହାତୀକୁ ବି ହାଣି ପକାଇଲେ । ଉତ୍ତରଙ୍କ ମୃତ୍ୟୁରେ ତାଙ୍କ ଭାଇ ରାଜକୁମାର ଶ୍ୱେତ ଅତ୍ୟନ୍ତ ଦୁଃଖ ଓ ଭୀଷଣ କ୍ରୋଧ ସହକାରେ ଶଲ୍ୟଙ୍କୁ ଆକ୍ରମଣ କଲେ ।
ଶ୍ୱେତ ପରମ ବିକ୍ରମରେ କୌରବ ବୀରମାନଙ୍କୁ ସମ୍ମୁଖୀନ ହେଇ ଯୁଦ୍ଧ କରୁଥା'ନ୍ତି । ଭୀଷ୍ମ ଯେମିତି ପାଣ୍ଡବମାନଙ୍କ ସୈନ୍ୟ ଆଦିଙ୍କୁ ନିହତ କରୁଥା'ନ୍ତି, ଶ୍ୱେତ ବି ସେମିତି କୌରବଙ୍କ କ୍ଷତି କରିବା ଆରମ୍ଭ କରିଦେଲେ । ରାଜକୁମାର ଶ୍ୱେତଙ୍କ ରୁଦ୍ରରୂପ ଦେଖି ତାଙ୍କ ପାଖକୁ ରଥ ନେବାକୁ ସାରଥିକୁ ନିର୍ଦ୍ଦେଶ ଦେଲେ ଭୀଷ୍ମ । ଭୀଷ୍ମ ଓ ଶ୍ୱେତଙ୍କ ଭିତରେ ଯୁଦ୍ଧ ଆରମ୍ଭ ହେଇଗଲା । ଶ୍ୱେତ ଶର ମାରି ଭୀଷ୍ମଙ୍କ ରଥର ଧ୍ୱଜାକୁ ଭାଙ୍ଗିପକାଇଲେ ।
ଭୀଷ୍ମ ଯେତେ ପ୍ରକାରର ଶକ୍ତିଶାଳୀ ବାଣ ପ୍ରୟୋଗ କରୁଥା'ନ୍ତି ଶ୍ୱେତ ସେ ସବୁକୁ କାଟି ପକାଉଥା'ନ୍ତି । ଶ୍ୱେତ କେବଳ ଭୀଷ୍ମଙ୍କ ଆକ୍ରମଣକୁ ପ୍ରତିହତ କରୁନଥା'ନ୍ତି, ତା' ସାଙ୍ଗରେ ଭୀଷ୍ମଙ୍କ ଉପରେ ପ୍ରତିଆକ୍ରମଣ ବି କରୁଥା'ନ୍ତି। ଅନେକ ସମୟ ଯୁଦ୍ଧ କଲାପରେ ବି ଭୀଷ୍ମ ବିରାଟ ପୁତ୍ର ଶ୍ୱେତଙ୍କୁ ପରାସ୍ତ କରିପାରିଲେନି । ବରଂ ଯୁଦ୍ଧ କରି କରି ଭୀଷ୍ମ କ୍ରମଶଃ ଅବଶ ହୋଇ ପଡ଼ିଲେ।
ଏକଥା ଦେଖି ଦୁର୍ଯ୍ୟୋଧନ କୌରବ ପକ୍ଷର ବୀରମାନଙ୍କୁ ଆଦେଶ ଦେଲେ ଯଥାଶୀଘ୍ର ଭୀଷ୍ମଙ୍କୁ ସୁରକ୍ଷା ଦେବା ସହ ଯୁଦ୍ଧରେ ସହାୟତା ଯୋଗାଇଦେବାକୁ । ମହାବୀର ବାହ୍ଲିକ, କୃତବର୍ମା, କୃପାଚାର୍ଯ୍ୟ, ଶଲ୍ୟ, ଚିତ୍ରସେନ, ଜରାସନ୍ଧଙ୍କ ପୁଅ ବିକର୍ଣ୍ଣ ଓ ବିବିଂଶତି ମିଳିମିଶି ଚାରିଦିଗରୁ ଶ୍ୱେତଙ୍କ ଉପରକୁ ବାଣ ବର୍ଷା କରିବାକୁ ଲାଗିଲେ । ଶ୍ୱେତ ପରମ ବିକ୍ରମର ସହ ସେ ବାଣ ସବୁକୁ ପ୍ରତିହତ କରିବାକୁ ଲାଗିଥା'ନ୍ତି ।
ଶ୍ୱେତଙ୍କ ପରାକ୍ରମ ଦେଖି ଭୀଷ୍ମ କ୍ରୋଧରେ ଅଥୟ ହୋଇ ଏକାବେଳକେ ଅନେକ ଭଲ୍ଲାସ୍ତ୍ର ପ୍ରୟୋଗ କଲେ । ସେଥିରେ ଶ୍ୱେତଙ୍କ ରଥର ଘୋଡ଼ା ଓ ସାରଥି ନିହତ ହେଲେ । ଶ୍ୱେତ ତାଙ୍କ ରଥରୁ ଓହ୍ଲାଇପଡ଼ି ଭୀଷ୍ମଙ୍କ ଉଦ୍ଦେଶ୍ୟରେ ଏକ ଶକ୍ତିଶାଳୀ ଶକ୍ତି ପଠାଇଲେ । ସେ ଶକ୍ତି ଆକାଶରୁ ଜଳୁଥିବା ଉଲକା ପିଣ୍ଡ ପରି ଖସୁଥିବାର ଦେଖି ଭୀଷ୍ମ ସେ ଶକ୍ତିକୁ ବାଣ ପ୍ରୟୋଗ କରି ନଷ୍ଟ କରିଦେଲେ । ଶକ୍ତି ନଷ୍ଟ ହୋଇଯିବାର ଦେଖି ଶ୍ୱେତ ଆହୁରି ରାଗିଗଲେ ଓ ଭୀଷ୍ମଙ୍କୁ ହତ୍ୟା କରିବାକୁ ଗୋଟେ ଗଦା ଧରି ଝପଟି ଗଲେ ।
ଭୀଷ୍ମ ସେ ଶକ୍ତିଶାଳୀ ଗଦା ପ୍ରହାରରୁ ନିଜକୁ ବଞ୍ଚାଇବାକୁ ନିମିଷକରେ ଆପଣା ରଥରୁ ଓହ୍ଲାଇ ପଡ଼ିଲେ । କିନ୍ତୁ ଶ୍ୱେତଙ୍କ ଗଦା ପ୍ରହାରରେ ଭୀଷ୍ମଙ୍କ ରଥ ଚୁନା ହୋଇଗଲା । ଭୀଷ୍ମଙ୍କ ରଥର ଘୋଡ଼ା ଓ ସାରଥି ନିହତ ହେଲେ । ରଥ ନଥିବା ଭୀଷ୍ମଙ୍କ ପାଖକୁ ଶଲ୍ୟ ଆଦି ବୀର ଆସିଗଲେ ।
ଭୀଷ୍ମ ସଙ୍ଗେ ସଙ୍ଗେ ଆଉ ଏକ ରଥକୁ ଚଢ଼ିଗଲେ । ଏପଟେ ଭୀଷ୍ମଙ୍କ ଆକ୍ରମଣରୁ ଶ୍ୱେତଙ୍କୁ ରକ୍ଷା କରିବାକୁ ଭୀମ ଆସି ପହଞ୍ଚିଲେ । ଭୀମଙ୍କ ପଛେ ପଛେ ସାତ୍ୟକୀ, ଧୃଷ୍ଟକେତୁ, ଧୃଷ୍ଟଦ୍ୟୁମ୍ନ ଆଦି ମଧ୍ୟ ଆସି ପହଞ୍ଚିଲେ । ପାଣ୍ଡବ ପକ୍ଷର ବୀରମାନେ ତାଙ୍କ ପାଖରେ ପହଞ୍ଚିଲାରୁ ଶ୍ୱେତ ପରାକ୍ରମ ଦେଖାଇ ଭୀଷ୍ମଙ୍କ ଧନୁକୁ ତାଙ୍କ ଖଣ୍ଡାରେ କାଟି ପକାଇଲେ ।
ଭୀଷ୍ମ ତାପରେ ଅନ୍ୟ ଏକ ଧନୁ ଧରି ଶ୍ୱେତଙ୍କ ସହାୟତା ଯୋଗାଉଥିବା ପାଣ୍ଡବ ବୀରମାନଙ୍କୁ ଶର ମାରି ପ୍ରତିହତ କଲେ ଓ ଏକ ଶକ୍ତିଶାଳୀ ବାଣ ଶ୍ୱେତଙ୍କ ଆଡ଼କୁ ନିକ୍ଷେପ କଲେ । ସେ ଶର ତତକ୍ଷଣାତ୍ ଶ୍ୱେତଙ୍କ କବଚ ଭେଦ କରି ତାଙ୍କ ଶରୀରରେ ପ୍ରବେଶ କରିଗଲା । ସେଇଠି ମାଟି ଉପରେ ଟଳି ପଡ଼ିଲେ ରାଜକୁମାର ଶ୍ୱେତ ।
ଦୁଃଶାସନ ବାଜା ବଜେଇ ନାଚିଲେ
ଶ୍ୱେତଙ୍କ ନିହତ ହେବାର ଖବରରେ ଆନନ୍ଦିତ ହୋଇ ଦୁଃଶାସନ ବାଜା ବଜେଇ ଯୁଦ୍ଧକ୍ଷେତ୍ରରେ ନାଚିବାକୁ ଲାଗିଲେ । ଯୁଦ୍ଧର ପ୍ରଥମ ଦିନରେ ବିରାଟ ରାଜାଙ୍କ ଦୁଇ ପୁଅ ଉତ୍ତର ଓ ଶ୍ୱେତଙ୍କ ଦେହାନ୍ତ ଖବର ପାଣ୍ଡବ ଶିବିରରେ ଶୋକର ଛାୟା ଖେଳାଇଦେଲା ।
ଭୀଷ୍ମଙ୍କ ହାତରେ ଶ୍ୱେତଙ୍କ ମରଣ ଖବର ପାଇ ଅର୍ଜୁନ ଅତ୍ୟନ୍ତ ବିଷର୍ଣ୍ଣ ହୋଇପଡ଼ିଲେ । ସେଦିନ ଯୁଦ୍ଧର ସେନାପତି ଥିଲେ ଶ୍ୱେତ । ତାଙ୍କ ଦେହାନ୍ତ ପରେ ଅର୍ଜୁନ ଓ କୃଷ୍ଣ ସେଦିନର ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ । ଦୁଇ ପକ୍ଷର ସୈନ୍ୟ ଆପଣା ଆପଣା ଶିବିରକୁ ଫେରିଗଲେ ।
ପ୍ରଥମ ଦିନର ଯୁଦ୍ଧରେ ଭୀଷ୍ମଙ୍କ ପରାକ୍ରମ ଓ ଶ୍ୱେତ ଏବଂ ଉତ୍ତରଙ୍କ ମୃତ୍ୟରେ ଯୁଧିଷ୍ଠିର ହତୋତ୍ସାହିତ ହୋଇ ପଡ଼ିଥା'ନ୍ତି । ଯୁଧିଷ୍ଠିର ମନ ଭାରୀ କରି କୃଷ୍ଣଙ୍କୁ କହିଲେ, "ହେ ମଧୁସୂଦନ! ପିତାମହ ଭୀଷ୍ମ ଯୋଉ ପରାକ୍ରମରେ ଯୁଦ୍ଧ କରୁଛନ୍ତି, ତାହା ଦେଖିଲେ ଲାଗୁଛି ଖୁବ ଅଳ୍ପ ଦିନ ଭିତରେ ସେ ପାଣ୍ଡବ ପକ୍ଷର ସମସ୍ତ ସୈନ୍ୟଙ୍କୁ ଅତି ସହଜରେ ବିନାଶ କରିଦେବେ । ଆମମାନଙ୍କ ଭିତରେ ଇଚ୍ଛାମୃତ୍ୟୁର ବର ପାଇଥିବା ଭୀଷ୍ମଙ୍କୁ ସଂହାର କଲାପରି କାହାକୁ ମୁଁ ଦେଖୁନି ।"
ଧର୍ମରାଜ ଯୁଧିଷ୍ଠିରଙ୍କର ଉଦବେଗ ଦେଖି କୃଷ୍ଣ କହିଲେ, "ହେ ଧର୍ମରାଜ! ଯୁଦ୍ଧର ମାତ୍ର ଗୋଟିଏ ଦିନର ଫଳାଫଳ ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ କି ଯୁଦ୍ଧରେ ବିଜୟ ବିଷୟ ନେଇ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣଙ୍କ ପାଖରେ ଆପଣଙ୍କ ଭାଇମାନେ ଅଛନ୍ତି । ସେମାନେ ସମସ୍ତେ ପରାକ୍ରମୀ। ତା' ଛଡ଼ା ଆପଣମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ସାତ୍ୟକି, ରାଜା ବିରାଟ, ରାଜା ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ ଓ ମୁଁ ସଜାଗ ହୋଇ ରହିଛୁ । ପିତାମହଙ୍କ ମରଣ ପାଇଁ ଶିଖଣ୍ଡୀ ରହିଛନ୍ତି ।"
କୃଷ୍ଣଙ୍କ କଥା ଶୁଣିଲାପରେ ଯୁଧିଷ୍ଠିର ସାମାନ୍ୟ ଆଶ୍ୱସ୍ତ ହେଲେ । ତାପରେ ଧୃଷ୍ଟଦ୍ୟୁମ୍ନଙ୍କୁ ଚାହିଁ ଯୁଧିଷ୍ଠିର କହିଲେ, "ହେ ବୀର ! ଶୁଣ, ବାସୁଦେବଙ୍କ ପରାମର୍ଶ କ୍ରମେ ତୁମେ ଆମର ସେନାପତି । ଆମେ ସମସ୍ତେ ତୁମକୁ ସହାୟତା କରିବାକୁ ଉପସ୍ଥିତ ଅଛୁ । ତୁମେ କେମିତି କୌରବମାନଙ୍କୁ ସଂହାର କରିବ ତା'ର ଯୋଜନା ଶୀଘ୍ର ପ୍ରସ୍ତୁତ କର । ତୁମେ କାଲିର ଯୁଦ୍ଧରେ କ୍ରୌଞ୍ଚାରୁଣ ବ୍ୟୁହ ରଚନା କର । ଅତୀତରେ ଦେବତା ଓ ଅସୁରମାନଙ୍କ ଭିତରେ ହୋଇଥିବା ଯୁଦ୍ଧରେ ଥରେ ଇନ୍ଦ୍ରଦେବଙ୍କୁ ସେ ବ୍ୟୁହ ବିଷୟରେ ବ୍ରହ୍ମା କହିଥିଲେ ।
ଯୁଧିଷ୍ଠିରଙ୍କ କଥା ଅନୁସାରେ ଧୃଷ୍ଟଦ୍ୟୁମ୍ନ ସେ ରାତିରେ ପରଦିନ ପାଇଁ ଯୁଦ୍ଧର ଯୋଜନା କଲେ । କେମିତି କ୍ରୌଞ୍ଚ ବ୍ୟୁହ ରଚନା ହେବ ଓ ବ୍ୟୁହର କେଉଁ ସ୍ଥାନରେ କିଏ ରହିବେ ସବୁକିଛିର ବିଷଦ ଯୋଜନା ହେଲା । ସେଦିନ ଭୀଷ୍ମ ପାଣ୍ଡବ ପକ୍ଷର ଦୁଇ ବୀରଙ୍କୁ ବିନାଶ କରିଥିଲେ । ତେଣୁ କୌରବ ଶିବିରରେ ଆନନ୍ଦ ଉଲ୍ଲାସର ପରିବେଶ ଥିଲା ଓ ସୈନ୍ୟମାନଙ୍କ ଭିତରେ ଆତ୍ମବିଶ୍ୱାସ ଭରି ରହିଥିଲା ।
ପରଦିନ ସୂର୍ଯ୍ୟ ଉଦୟ ହେଲାପରେ ଯୁଦ୍ଧ ପାଇଁ ଦୁଇ ପକ୍ଷର ବୀର ଯୋଦ୍ଧାମାନେ ପ୍ରସ୍ତୁତ ହୋଇ ଯୁଦ୍ଧକ୍ଷେତ୍ରରେ ଆସି ପହଞ୍ଚିଗଲେ । କୌରବସେନାର ଆଗରେ ପିତାମହ ଭୀଷ୍ମ ରହିଥା'ନ୍ତି । ଦୁର୍ଯ୍ୟୋଧନ ତାଙ୍କ ସେନା ଓ ସେନାପତିମାନଙ୍କ ଭିତରେ ଉତ୍ସାହ ଭରିବାକୁ ବଡ଼ ପାଟିରେ କହିଲେ, "ହେ ବୀର ଯୋଦ୍ଧାମାନେ! ତୁମେମାନେ ସମସ୍ତେ ଜଣେ ଜଣେ ପରାକ୍ରମୀ ମହାବୀର । ପାଣ୍ଡବ ପାଞ୍ଚଭାଇଙ୍କୁ ତୁମମାନଙ୍କ ଭିତରୁ ଯେ କେହି ବି ବିନାଶ କରିପାରିବ। ତେଣୁ ଆଜି ଯୁଦ୍ଧରେ ସେ ପାଣ୍ଡବ ପାଞ୍ଚ ଭାଇଙ୍କୁ ବିନାଶ କର ।"
ପାଣ୍ଡବମାନଙ୍କ ବ୍ୟୁହ ରଚନା ପରି କୌରବ ପକ୍ଷରୁ ବି ଏକ ବ୍ୟୁହର ରଚନା କରାଗଲା । ଅଳ୍ପ ସମୟ ଭିତରେ ରଥି ମହାରଥିମାନେ ସେମାନଙ୍କ ଶଂଖ ବଜାଇଲେ । ତାପରେ କୌରବ ଓ ପାଣ୍ଡବ ସେନାଙ୍କ ଭିତରେ ତୁମୁଳ ସମର ଆରମ୍ଭ ହୋଇଗଲା । ପ୍ରଥମ ଦିନ ପରି ଭୀଷ୍ମଦେବ ଦ୍ୱିତୀୟ ଦିନ ବି ପାଣ୍ଡବ ସେନାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଲେ । ଅର୍ଜୁନଙ୍କୁ ଛାଡ଼ିଦେଇ ଭୀଷ୍ମ, ପାଣ୍ଡବସେନାର ଭୀମ, ସାତ୍ୟକି, ବିରାଟ ଓ ଧୃଷ୍ଟଦ୍ୟୁମ୍ନଙ୍କୁ ଆକ୍ରମଣ କରୁଥା'ନ୍ତି। ତାଙ୍କ ପ୍ରଚଣ୍ଡ ଆକ୍ରମଣ ଆଗରେ କେହି ଅଧିକ ସମୟ ଛିଡ଼ା ହୋଇପାରୁନଥା'ନ୍ତି ।
ଭୀଷ୍ମଙ୍କ ଆକ୍ରମଣରେ ପାଣ୍ଡବ ଶିବିର କମ୍ପିତ ହେବାକୁ ଲାଗିଲା । ଭୀଷ୍ମ ଅଳ୍ପ ସମୟ ଭିତରେ ଅଭେଦ୍ୟ ଲାଗୁଥିବା କ୍ରୋଞ୍ଚ ବ୍ୟୁହ୍ୟକୁ ଏକାକୀ ନଷ୍ଟ କରିଦେଲେ । ଶହ ଶହ ସୈନ୍ୟ, ହାତୀ ଓ ଘୋଡ଼ା ମରି ପଡ଼ିଲେ ।
ଭୀଷ୍ମଙ୍କ ମୃତ୍ୟୁ ନହେଲେ...
ଏକଥା ଦୂରରୁ ଦେଖି ଅର୍ଜୁନ ତାଙ୍କ ରଥରେ ସାରଥି ସାଜିଥିବା କୃଷ୍ଣଙ୍କୁ କହିଲେ, "ହେ ସଖା ! ଦେଖ, ଭୀଷ୍ମ ଯେମିତି ଭାବରେ ପ୍ରାଣମୂର୍ଚ୍ଛା କରି ଯୁଦ୍ଧ କରୁଛନ୍ତି, ସେ ଆମର ସବୁ ସୈନ୍ୟଙ୍କୁ ମାରିପକାଇବେ । ତାଙ୍କୁ ଅଟକାଇବାକୁ ହେବ । ତେଣୁ ଆମ ରଥକୁ ଶୀଘ୍ର ପିତାମହଙ୍କ ପାଖକୁ ନେଇଯାଅ । ଭୀଷ୍ମଙ୍କ ମୃତ୍ୟୁ ନହେଲେ ଆମେ ଏ ଯୁଦ୍ଧ କେବେ ବି ଜିତିପାରିବାନି ।"
କୃଷ୍ଣ ତାଙ୍କ ରଥକୁ ତୀବ୍ର ବେଗରେ ଭୀଷ୍ମଙ୍କ ଆଡ଼କୁ ନେଇଗଲେ । ଅର୍ଜୁନଙ୍କ ରଥ ଭୀଷଣ ଶବ୍ଦ କରି ଭୀଷ୍ମଙ୍କ ପାଖକୁ ଆସୁଥିବାର ଦେଖି କୌରବ ସେନାମାନଙ୍କ ମନରେ ଭୟ ସଞ୍ଚାର କଲା । ଭୀଷ୍ମଙ୍କୁ ସୁରକ୍ଷା ଦେବାକୁ ଦୁର୍ଯ୍ୟୋଧନ, କୃପ, ଶଲ୍ୟ, ଜୟଦ୍ରଥ ଓ ଶକୁନି ଆଦି ଅର୍ଜୁନଙ୍କ ଉପରକୁ ଶର ବୃଷ୍ଟି କରିବା ଆରମ୍ଭ କରିଦେଲେ । କିନ୍ତୁ ସେମାନଙ୍କ ଶର ବୃଷ୍ଟି ଅର୍ଜୁନଙ୍କ ଉପରେ ସାମନ୍ୟ ପ୍ରଭାବ ପକାଇପାରିଲାନି ।
ସେ ଓଲଟା ଶହ ଶହ ତୀର ବର୍ଷା ଆରମ୍ଭ କରି ଅନ୍ୟମାନଙ୍କୁ ବ୍ୟସ୍ତ ବିବ୍ରତ କରିପକାଇଲେ । ଅର୍ଜୁନ ଏକ ସମୟରେ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ପଚିଶ, କୃପଙ୍କୁ ନଅ, ଦ୍ରୋଣଙ୍କୁ ଷାଠିଏ, ବିକର୍ଣ୍ଣଙ୍କୁ ତିନି, ଶଲ୍ୟଙ୍କୁ ତିନି ଓ ଦୁର୍ଯ୍ୟୋଧନଙ୍କୁ ପାଞ୍ଚ ବାଣ ନିକ୍ଷେପ କଲେ । ସେତେବେଳକୁ ଅର୍ଜୁନଙ୍କ ରଥ ଚାରିପାଖରେ ସାତ୍ୟକି, ଅଭିମନ୍ୟୁ, ଦ୍ରୌପଦୀଙ୍କ ପାଞ୍ଚ ପୁଅ, ଧୃଷ୍ଟଦ୍ୟୁମ୍ନ ଓ ରାଜା ବିରାଟ ସେମାନଙ୍କ ରଥ ସଜେଇ ସୁରକ୍ଷା ବ୍ୟୁହ ରଚନା କରିଥା'ନ୍ତି ।
କୌରବ ସେନା ଭିତରେ କେବଳ ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣଙ୍କ ଛଡ଼ା ଆଉ କାହା ପାଖରେ ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ରରେ ସାମନା କରିପାରିବାର ସାମର୍ଥ୍ୟ ନଥିଲା । କୌରବ ବୀରମାନେ କିଛି ଭାବିବା ଆଗରୁ ଅର୍ଜୁନ ଏକା ତୀର ମାରି କୌରବ ସେନାଙ୍କୁ ବ୍ୟତିବ୍ୟସ୍ତ କରିପକାଇଲେ । ଯୁଦ୍ଧର ଗତି ଦେଖି ଦୁର୍ଯ୍ୟୋଧନ ବ୍ୟସ୍ତ ଓ ବିବ୍ରତ ହୋଇ ଭୀଷ୍ମଙ୍କୁ ଯାଇ କହିଲେ, "ହେ ପିତାମହ! ଆପଣ ଆମର ସେନାପତି ।
କିନ୍ତୁ ଆଜି ଅର୍ଜୁନ ଯେଉଁ ବେଗରେ ଯୁଦ୍ଧ କରୁଛି, ସେ ଆଜି ହିଁ ଯୁଦ୍ଧ ସାରିଦେବ । ଆପଣଙ୍କ ଉପରେ ଅଭିମାନ କରି କର୍ଣ୍ଣ ଅସ୍ତ୍ର ଧରି ନାହାଁନ୍ତି । ତେଣୁ ଅର୍ଜୁନକୁ ବିନାଶ କରିବାର ଦାୟିତ୍ୱ ଆପଣଙ୍କ ହାତରେ । ଆପଣ ଯେକୌଣସି ପ୍ରକାରେ ଆଜି ସେ ଅର୍ଜୁନକୁ ବିନାଶ କରନ୍ତୁ ।"
Clashes Break Out During Land Acquisition: ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି, ଡାଲମିଆ ସିମେଣ୍ଟ ପାଇଁ ହେଉଥିଲା ଜମି ଅଧିଗ୍ରହଣ

PM Modi Begins Second Israel Visit: ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ି ହେବ ନୂଆ ଅଧ୍ୟାୟ, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ହେବ ମଜବୁତ

Next-Gen Devotion: ସାଂସ୍କୃତିକ ପୁନରୁତ୍ଥାନ ଦିଗରେ ଯୁବପିଢ଼ି, ତୀର୍ଥଯାତ୍ରା ଓ ଧର୍ମ ଅନୁଷ୍ଠାନରେ ବଢ଼ୁଛି ଅବଦାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)