/odishatv-khabar/media/post_attachments/uploadimage/library/16_9/16_9_0/asaranti_1625221843.jpg)
asaranti
କବିତା ହେଉଛି କବିର ଆତ୍ମଦର୍ପଣ । ଆତ୍ମମଗ୍ନତା ଓ ବିଚ୍ଛୁରଣର ଶାବ୍ଦିକ ରୂପ । ସ୍ପନ୍ଦନ ଭୂମିରେ କବି ଶବ୍ଦ, ସୀମା, କାଳ ଓ ବ୍ୟକ୍ତି ସବୁକୁ ଡେଇଁଯାଏ । ସେଇଠୁ ଆରମ୍ଭ ହୁଏ ଅସୀମତାର ସୀମା ଏବଂ କବିର ସ୍ୱପ୍ନ ଓ କଳ୍ପନା । ପୁଣି କଳ୍ପନା ଓ ବାସ୍ତବତାର ସମ୍ମିଶ୍ରଣରେ ସୃଷ୍ଟିହୁଏ କାକତାଳିକ କୋହରାଗ ଏଇ କବିତାର । ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଶ୍ରୀମାନ୍ ରକ୍ଷକ ନାୟକଙ୍କ “ଅସରନ୍ତି ଅନ୍ତାକ୍ଷରୀ” କବିତା ଗ୍ରନ୍ଥର ଶିଳ୍ପାୟନ ପଶ୍ଚାତରେ ମୂଳ ହେଉଛି କବିଙ୍କ ଜୀବନଦୃଷ୍ଟି ଏବଂ କାବ୍ୟବିଶ୍ୱାସ । ଆତ୍ମମଗ୍ନ ହୋଇ ନୀରବିତ ଲଗ୍ନ ସମୂହରେ କଳ୍ପନା ଓ ବାସ୍ତବତାକୁ ଏକାକାର କରିଦେଇଥିବା କାବ୍ୟ ମନ୍ଦିର ହେଉଛି “ଅସରନ୍ତି ଅନ୍ତାକ୍ଷରୀ” କବିତା ସଙ୍କଳନ ।
କବି ଶ୍ରୀ ନାୟକ ଜଣେ ବିନୀତ ଚିତ୍ରକର ଭଳି କବିତାର ନିଷ୍କପଟ ଚିତ୍ରପଟ୍ଟ ଆଙ୍କି ଦେବାବେଳେ ସୃଷ୍ଟିହୋଇଛି ବହୁ କବିତା ଗ୍ରନ୍ଥ, ଏଇ ଯେମିତି
“ଶେଷହୀନ ସନ୍ତରଣ” , “ଅମିତ୍ର ଅନ୍ଧାର” , “ଅସରନ୍ତି ଅନ୍ତାକ୍ଷରୀ”, “ଉର୍ଦ୍ଧ୍ୱ ଉଡା”, “ବ୍ରହ୍ମଶିଳା”, “ବୀଜ ବିକ୍ଷେପ” , “ଆଉ ସବୁ ସାକ୍ଷାତରେ” , “ଅନ୍ୱେଷାଅହର୍ନିଶ”, “ଅର୍ଗଳ ଅନର୍ଗଳ” ଆଦି ଉଚ୍ଚକୋଟୀର କବିତା ସଂକଳନ । ଏଇ କବିତା ସମୂହରେ ରହିଛି କବିଙ୍କର ସାମାଜିକ ଅଙ୍ଗୀକାରବଦ୍ଧତା, ଚତୁଃପାର୍ଶ୍ୱରେ ଘେରି ରହିଥିବା ତାଙ୍କର ଯାବତୀୟ ପାରିବେଶିକତା ତଥା ଆତ୍ମମଗ୍ନତାର ଭାବମୁଦ୍ରା । ତତ୍ ସଙ୍ଗେ ସଙ୍ଗେ ରହିଛି କବିଙ୍କ ଜୀବନଦୃଷ୍ଟି ଓ କାବ୍ୟବିଶ୍ୱାସର ମାର୍ମିକ ଚିତ୍ର ।
ପ୍ରେମ ଓ ବିଦ୍ରୋହର କବି ଶ୍ରୀମାନ୍ ନାୟକ ଚମତ୍କାର କାବ୍ୟ କାରିଗରୀର ଶିଳ୍ପୀଭାବେ ପରିଚିତ।
/odishatv-khabar/media/post_attachments/wp-content/uploads/2021/04/Untitled-1-2.jpg)
ତାଙ୍କର ଏ କବିତା ଗ୍ରନ୍ଥ “ଅସରନ୍ତି ଅନ୍ତାକ୍ଷରୀ (୨୦୧୧) ” ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୩ ବର୍ଷ ପାଇଁ ପ୍ରାପ୍ତ ହୋଇ ଓଡିଆ ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଛି । “ନିଜକୁ ପ୍ରକାଶ କରିବାକୁ କବିତା ଲେଖେ” ସ୍ୱୀକାରୋକ୍ତି ବାଢୁଥିବା ଶ୍ରୀମାନ୍ ନାୟକ କବିତାରେ ନିଜକୁ ହଜେଇ ଦେଇଥାନ୍ତି ଏବଂ ତା’ରି ଭିତରେ ନିଜକୁ ଖୋଜିବାରେ ମସଗୁଲ ହୋଇଯାଆନ୍ତି ।
ଆତ୍ମାର ବୈରାଗ୍ୟ ହିଁ କବିଙ୍କ ସୃଜନଶୀଳତାର ମୂଳଭିତ୍ତି । ତାଙ୍କର ପ୍ରତ୍ୟେକ କବିତାରେ ଏକ ସନ୍ନ୍ୟାସୀର ସ୍ୱର ଶୁଭେ । ଯେଉଁଠାରେ ନ ଥାଏ ଗୋଟେ ସୁଖମୟ ଖସଡା, ନ ଥାଏ ପୁଣି ଜୀବନ ପ୍ରତି ପାର୍ଥିବ ମୋହ । ଆଲୋଚ୍ୟ ସଂକଳନସ୍ଥ ପ୍ରଥମ କବିତା “ମାଗୁଣି”ରେ ଏଇ ଭାବ ପ୍ରତିଭାତ ହୁଏ ।
“ତୁମଠୁ କିଛି ନ ମାଗି
ରହି ପାରିବାର ସାମର୍ଥ୍ୟ ମତେ ମିଳୁ
କିଛି ନ ଦେଲ ନାହିଁ
ଥରେ ମାତ୍ର ଏଇ ମୋ ମାଗୁଣି
ପୂରଣ କରିବା ହେଉ ।”
(ମାଗୁଣି)
କବି ଆପଣା ଜୀବନକୁ ନିଃସର୍ତ୍ତ ଭାବରେ ଅଜାଡି ଦେବାବେଳେ ଜୀବନର ପ୍ରତିଟି ଉଦବେଳନ ତାଙ୍କ କବିତାର ଅନ୍ତଃସ୍ରୋତ ପାଲଟି ଯାଇଛି । ନିଜ ଅନ୍ତର ଆତ୍ମାର ଆର୍ତ୍ତନାଦ ଶୁଭିଛି
“ଛତା ହଜିଛି ” କବିତାରେ । “ଛତା” ପ୍ରତୀକ ସାଜିଛି ପିତୃତ୍ୱର ଏବଂ ବାତ୍ସଲ୍ୟଭାବର । ମୁଣ୍ଡ ଉପରୁ ଏ ବାତ୍ସଲ୍ୟଭାବ ହଜିଯିବାପରେ ଛାତି ଭିତର ଦୁଃଖର ନିଆଁ ଓ ଧୂଆଁରୁ ଛିଟିକି ପଡିଛି ଏ କବିତା । ପରମ ବାତ୍ସଲ୍ୟଭାବ ପ୍ରକାଶିତ ହୋଇଛି ଏ କବିତାର ପ୍ରତ୍ୟେକ ଧାଡିରେ –
“ଏବେ ମନେପଡୁଛି
ଛତା ତଳେ କ’ଣ କ’ଣ ଘଟିଗଲା ନୁହେଁ
କ’ଣ କ’ଣ ଘଟି ପାରି ନ ଥିଲା
ବର୍ଷା ପୂର୍ବରୁ ଚାରିମେଘ ଏକତ୍ରିତ ମୋ ଆଖିରେ
ବିଜୁଳି ମୋତେ ଯୋଡିଦିଏ ମାଟିରୁ ଆକାଶ
ଆଶଂକାର ଦର୍ପଣରେ ଦିପି ଦିପି ମୋର ମୁହଁ
ଛତା ଚାଲିଗଲା ପରେ ।
ମୋର ଏବେ ସବୁରିକୁ ଭୟ ଓ ସନ୍ଦେହ ।”
(ଛତା ହଜିଛି)
ସତରେ ଏ ଛତା ହଜିଯିବା ଯାହା, ଛାତିର ସ୍ପନ୍ଦନ ଅଟକିଯିବା ତାହା ।
ସାଂପ୍ରତିକ ମଣିଷର ହତାଶାବୋଧ ପ୍ରକାଶ ପାଇଛି ସଂକଳନସ୍ଥ “ମୋତେ ଟିକେ ଦିଅ” କବିତାରେ । କବି ସେଇ ହତାଶାରେ ଥାଇ ବି ଭାବବିଭୋର ହୋଇଛନ୍ତି । ସେ ଲୋଡିଛନ୍ତି ପ୍ରାଣରେ ପ୍ରାଣ ସଂଚାର, ଯୁଗ ଯୁଗର କ୍ଷୁଧା ପ୍ରଶମିତ ପାଇଁ ଖାଦ୍ୟ, ନୀରବତା ଭାଙ୍ଗିବାକୁ କିଛି ସ୍ୱର । କବି ଗାଇଛନ୍ତି –
“ଏବେ ମୁଁ କ୍ଳାନ୍ତ ଶ୍ରାନ୍ତ
ମଲା ଘୋଡାର ଟାଂକ,
ମୃତ ପ୍ରଜାପତିର ପକ୍ଷ
ଅସୁମାରୀ ସ୍ୱପ୍ନକୁ ଦଦରା ବୋଇତ
ମତେ ଆଉଁସି ଚାଲିଛି ନଂପୁସକର ହାତ
ମତେ ଟିକେ ଦିଅ ପ୍ରାଣର ପ୍ରାଣ;
ମୁଁ ଜୀଇଁ ପାରିବି ଅବଶିଷ୍ଟ କାଳ
ଅସଂଖ୍ୟ ଅପାଳକ ସତ୍ତ୍ୱେ ବି
ଏବେ ବି ମାଟି ମୋ ଉର୍ବର ।”
(ମୋତେ ଟିକେ ଦିଅ)
କବିଟିଏ ଜନ୍ମନିଏ ଗୀତ ପଦେ ଗାଇବା ପାଇଁ । ଖାସ୍ ସେଇଥିପାଇଁ ତ ସେ ସମାଜର ଦୁଃଖ, କଷ୍ଟକୁ ବରିନିଏ । ଜୀବନର ପ୍ରେମ ତାଙ୍କୁ ଶିଳ୍ପୀର ଭାବ ଦିଏ । କଅଁଳ କଥା ପଦକ ପାଇଁ
ତାଙ୍କୁ ପଥର ପରି ସବୁ ସହିବାକୁ ପଡେ । ତାଙ୍କ ଆଖିରେ ସମଗ୍ର ପରିବେଶ ପୂର୍ଣ୍ଣତାର ଭାବରେ ଉଜ୍ଜଳି ଉଠେ । କବିଙ୍କ ଲେଖନୀରେ ଏ ଭାବ ଭାସ୍ୱର ହୋଇଉଠିଛି –
“ମୁଁ ଆଉ ଭାବୁନି କାହାକୁ ଅଧା ଗଢା
ସବୁ ମୋ ପାଇଁ ସଂପୂର୍ଣ୍ଣ
ହେଇପାରେ, ଜଗତ କହିବ
ଶିଳ୍ପୀ ତୁମେ, ଶିଳ୍ପ ତୁମ
ଅପୂର୍ଣ୍ଣ ଅପୂର୍ଣ୍ଣ ।”
(ଶିଳ୍ପୀର ସଂସାର)
/odishatv-khabar/media/post_attachments/wp-content/uploads/2021/04/r-1.jpg)
କବି ସବୁବେଳେ ନିଜ ରଚନା ଭିତରେ ଆତୁର ହୁଏ ଜୀବନକୁ ନେଇ । ଜୀବନର ଗତି ପଥରେ ଗତିମାନ ହୋଇଥାଏ ଜୀବନଯାନରେ ଚଢି । ଏ ଯାନରେ ଚଢିଲା ପରେ ତା ଆୟତ୍ତରେ ଆଉ କିଛି ନ ଥାଏ । ସମୁଦ୍ର, ମରୁଭୂମି, ପର୍ବତ, ତଳ ତଳ ଚରାଚର ଠୁ କାର୍ତ୍ତିକ, ମାର୍ଗଶୀର, ସଂକ୍ରାନ୍ତି, ଜନ୍ମଦିନ ପର୍ଯ୍ୟନ୍ତ ସବୁକିଛି ସନ୍ଦର୍ଶନ କରେ ତା’ ଯାତ୍ରା ପଥରେ । ଶତ୍ରୁ, ମିତ୍ର କେହି ବି ତା ନିୟନ୍ତ୍ରଣରେ ରହି ପାରନ୍ତି ନାହିଁ । ଜନ୍ମ, ମୃତ୍ୟୁ, ପାପ ସହ ତା’ର ସାକ୍ଷାତ ହୁଏ । ତା’ ସହିତ ପୁଣି ଶବ୍ଦମୟ ସୁଦର୍ଶନଙ୍କ କଣ୍ଠର ମନ୍ଦ୍ର ଧ୍ୱନିକୁ ବି ସେ ଶୁଣେ ।
କବିଙ୍କ ଭାଷାରେ—
“ଯାନ ମତେ ନେଇଯାଏ ବହୁ କାଳୁ ଲୀନ
କାଂବେ ନଗ୍ରଠୁ, ମହେଞ୍ଜୋଦାରୋ, ମାୟା ଭେଟାଏ ରାମଚନ୍ଦ୍ର, ବାବର, ଅଶୋକ, ହିଟଲରକୁ
*** *** ***
ଜନ୍ମ, ମୃତ୍ୟୁ, ପାପ, ପୂଣ୍ୟ ସବୁକୁ ଭେଟାଏ
ମୁଁ ଜଳଜଳ କେବଳ ଦେଖୁଥାଏ
*** *** ***
ମୁଁ କେବଳ ଆଶ୍ଚର୍ଯ୍ୟ ହେଉଥାଏ
ସବୁଠି ମୁଁ ଥାଏ
ଅଥଚ ମୁଁ କେଉଁଠି ନ ଥାଏ ।”
(ମହାଯାନ)
ସଂକଳନସ୍ଥ ସର୍ବମୋଟ ସତୁରିଟି ଯାକ କବିତାର ଶବ୍ଦାବଳୀ ଖୁବ୍ ଭାବପୂର୍ଣ୍ଣ । ଚିତ୍ରକଳ୍ପ ଓ ମିଥ୍ ର ପ୍ରୟୋଗ ସମସ୍ତ କବିତାଗୁଡିକୁ କରିଛି ରସପୂର୍ଣ୍ଣ । ଶୈଳୀ ସଂରଚନାରେ ମଧ୍ୟ କବିଙ୍କ ପାରଙ୍ଗମତାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଏହାର ଏକ ନିଚ୍ଛକ ଉଦାହରଣ ହେଲା ସଂକଳନସ୍ଥ “ଗାଇଡ୍” କବିତା –
“ମୁଁ କହୁ ନ ଥିଲି ରାସ୍ତାରେ ସବୁଥିବ:
ସରେଇ ଘର, ପାନଶାଳା, ଚିତ୍ରକୋଠି
ରାସ୍ତା କଡର ବୃକ୍ଷମାନେ ଜହ୍ନ ରାତିରେ କାମିନୀ ହୋଇ
ରତି ଭିକ୍ଷା କରନ୍ତି ମାଇଲ୍ ଖୁଣ୍ଟକୁ କୁଣ୍ଢେଇ,
କେହି କେହି ଅଧିଆ ପଡିଥାନ୍ତି
ବାଟକୁ ଗତି ମାଗୁଥାନ୍ତି ।”
“ଗାଇଡ୍”: କବିତାର ଏ ଗାଇଡ୍ ଜଣକ ଆଉ କିଏ କି ? ସ୍ୱୟଂ ସେଇ ପ୍ରଭୁ ପରମେଶ୍ଵର । ଏ ଜୀବନ ରୂପକ ଜଂଗଲରେ ସେ ହିଁ ତ ଆମକୁ ମାର୍ଗ ଦେଖାଇଥାନ୍ତି । ଏଭଳି ପ୍ରତୀକ ପ୍ରୟୋଗ କବିତାକୁ ସରସ ଓ ସୁନ୍ଦର କରିଛି ।
ଆଜି ମଣିଷ ସମାଜରୁ ହସ, ଖୁସି, ପ୍ରେମର ଭାଷା ହଜିଯାଇଛି । ଈର୍ଷା, ଅସୂୟା ଭାବ, ଭାଣ୍ଡାମି ଓ ଛଳନାରେ ପ୍ରତ୍ୟେକ ମଣିଷ ନିଜର ଅସ୍ତିତ୍ୱକୁ ହଜେଇ ଦେଇଛି । ଏ ପରିସ୍ଥିତିରେ କବିଆତ୍ମା ବିଦ୍ରୋହ କରିଛି । ତାଙ୍କ ଆତ୍ମା ପକ୍ଷୀଟିଏ ହୋଇ ନୂତନ ଭାଷା ଓ ନୂତନ ଜଗତ ସୃଷ୍ଟି ପାଇଁ ପ୍ରୟାସ କରୁଛି ।
“କେତେ ଦେଶ, ନଈ , ନାଳ, ପର୍ବତ, ଯୁଦ୍ଧ, ମହାମାରୀ, ଭୂକମ୍ପ, ଦୁର୍ଭିକ୍ଷ ଡେଇଁ
ଆସିଛି ଏ ପକ୍ଷୀ
ମୋରି ପାଖକୁ
ଆଖିରେ ତା ମୋରି ଠିକଣା
କୌଣସି ପ୍ରଲୋଭନ, ମୋକ୍ଷ କି ନିର୍ବାଣ
କରିପାରିନି ତାକୁ ବାଟବଣା ।”
(ଏକ ଭାଷାର ମୃତ୍ୟୁ)
କବିତା ସବୁ କାଳରେ ଏମିତି ଭିନ୍ନ ଭିନ୍ନ ଆବେଗ ଓ ବିଦ୍ରୋହର କଥା କୁହେ । ପ୍ରେମରେ ମଣିଷ, ମଣିଷକୁ ବାନ୍ଧିଦିଏ । କବି ଶ୍ରୀ ନାୟକ ବିଦ୍ରୋହର କଥା ସହ ପ୍ରେମଫୁଲର ବାସ୍ନା ବି ବିଞ୍ଚି ଦେଇଛନ୍ତି ତାଙ୍କ ସାହିତ୍ୟ ବଳୟରେ, ଯେଉଁ ବାସ୍ନା ନିରବଧି କାଳ ପର୍ଯ୍ୟନ୍ତ ଚହଟୁଥିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ପୃଥିବୀର କୋଣ ଅନୁକୋଣେ ଏ ପ୍ରେମ ପଥ ପ୍ରବାହିତ ହେଉଛି । କିନ୍ତୁ ମଣିଷ ଅମୃତ, ଐରାବତ ଖୋଜିବାରେ ସମୟକୁ ବ୍ୟଥିତ କରୁଛି । ଏଇ ପରିସୀମାକୁ ସେ ଟପି ପାରୁ ନାହିଁ । ସୁତରାଂ ମଣିଷ ମୋହ ମାୟାରେ ଗ୍ରସ୍ତ ହୋଇ ଜୀବନକୁ କଷ୍ଟକର କରିଦେଉଛି। କବିଙ୍କ ଲେଖନୀ ରେ –
“କାହାକୁ କହିବି, କ’ଣ ଖୋଜୁଛି
ଅମୃତ, ପାରିଜାତ, ଐରାବତ
ଏଇଥିରେ ଏଠାକାର ଖୋଜିବା ସୀମିତ ।”
(ପ୍ରେମ ପଥ)
ବାସ୍ତବିକ ପ୍ରେମ ଜୀବନର ସ୍ୱପ୍ନ, ସଂସ୍କାର, କଳା ଓ କଳ୍ପନାକୁ ନିୟନ୍ତ୍ରଣ କରେ । କବିତା ହେଉ କି ଜୀବନ, ପ୍ରେମକୁ ବାଦଦେଇ ପୂର୍ଣ୍ଣାଙ୍ଗ ହେବ ନାହିଁ । ପ୍ରେମ ଜୀବନକୁ ସ୍ପନ୍ଦିତ କରେ । ସେଇଥିପାଇଁ ଜଣେ ପାଶ୍ଚାତ୍ୟ ଦାର୍ଶନିକ କୁହନ୍ତି—
“WHERE THERE IS LOVE THERE IS GOD,” କବିଙ୍କୁ ଏ ମର୍ମବାଣୀ ପ୍ରବୋଧିତ କରିବାବେଳେ ତାଙ୍କ କଲମରୁ ନିସୃତ ହୋଇଛି “ପ୍ରେମ ପଥ” କବିତା ।
ସର୍ବୋପରି “ଅସରନ୍ତି ଅନ୍ତାକ୍ଷରୀ” କବିତା ସଂକଳନ ଜୀବନ ସହିତ କ’ଣ କ’ଣ ସବୁ ଯୋଗ ହେଉଛି, କ’ଣ କ’ଣ ଜୀବନ ବୃତ୍ତରୁ ଉଣା ହେଉଛି, ତା’ର ଗୋଟେ ହିସାବ ନିକାଶ କରି ଜୀବନନିଷ୍ଠ କବିତା ସଂକଳନର ରୂପଟିଏ ପ୍ରାପ୍ତ କରିପାରିଛି । ବହୁ ଶକ୍ତିଶାଳୀ ଭାବ, ବିଭାବ ଦ୍ୱାରା ଜୀବନର ଉଲ୍ଲାସକୁ ମାପିବାରେ ସମର୍ଥ ହୋଇଛି।
/odishatv-khabar/media/post_attachments/wp-content/uploads/2021/04/Mamata-Priyadarshini-Sahoo.jpg)
ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ, ଓଡ଼ିଆ ଅଧ୍ୟାପିକା
ସରକାରୀ ଏସ୍.ଏସ୍.ଡି, ଏଚ୍.ଏସ୍.ଏସ୍, ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ
ବାଲିଶଙ୍କରା, ସୁନ୍ଦରଗଡ଼
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)