/odishatv-khabar/media/media_files/2025/10/31/mahabharat-2025-10-31-17-13-00.jpg)
mahabharat Photograph: (OTV)
ଶରତ ଋତୁ ସରି ସରି ଆସୁଥାଏ ଓ ଅଳ୍ପ ଅଳ୍ପ ଶୀତ ଆରମ୍ଭ ହେଇସାରିଥାଏ । ଚାଷବାସର ଅମଳ ସମୟ । ରେବତୀ ନକ୍ଷତ୍ର ତିଥି ଦେଖି ଦିନେ ସକାଳୁ ପ୍ରସ୍ତୁତ ହେଇ ଶ୍ରୀକୃଷ୍ଣ ତାଙ୍କ ରଥ ସଜେଇ ସାଙ୍ଗରେ ସାତ୍ୟକିଙ୍କୁ ଧରି ଦ୍ୱାରକା ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସାଙ୍ଗରେ ତାଙ୍କର ଅନେକ ଅସ୍ତ୍ରଶସ୍ତ୍ରଧାରୀ ରଥୀ ଓ ପଦାତିକ ଯୋଦ୍ଧା ବି ଯାଉଥାନ୍ତି ।
ରଥ ଅତି ସୁନ୍ଦର ଭାବରେ ସଜା ଯାଇଥାଏ । ଶ୍ରୀକୃଷ୍ଣଙ୍କ ସାଙ୍ଗରେ ତାଙ୍କୁ ଦେଶର ସୀମା ପର୍ଯ୍ୟନ୍ତ ବଳେଇ ଦେବାକୁ ପାଣ୍ଡବ ପାଞ୍ଚଭାଇ ବି ବାହାରିଲେ । ଦେଶ ସୀମାରେ ପହଞ୍ଚି କୃଷ୍ଣଙ୍କୁ ଆଲିଙ୍ଗନ କରି ଯୁଧିଷ୍ଠିର କହିଲେ, ‘ହେ କେଶବ! ହସ୍ତିନାପୁରରେ ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ, ରାଜା ଧୃତରାଷ୍ଟ୍ର ଆଦିଙ୍କୁ ମୋର ପ୍ରଣାମ ଜଣାଇବ । ବିଦୂରଙ୍କ ଘରେ ରହୁଥିବା ଆମ ମାଆ କୁନ୍ତିଙ୍କୁ ନିଶ୍ଚୟ ଦେଖା କରି ତାଙ୍କ ଭଲ ମନ୍ଦ ଖବର ନେବ । ଆମମାନଙ୍କ କଥା ବି କହିବ । ବହୁ ବର୍ଷ ହେଲାଣି ଆମେ କେହି କାହାକୁ ଦେଖିନାହୁଁ ।’
ଶ୍ରୀକୃଷ୍ଣଙ୍କ ପାଖରୁ ଯୁଧିଷ୍ଠିର ବିଦାୟ ନେଲାପରେ ଅର୍ଜୁନ ଆସି ତାଙ୍କୁ ଆଲିଙ୍ଗନ କରି କହିଲେ, ‘ହେ ସଖା! ଆମେ ଶାନ୍ତି ଚାହୁଁଛୁ । କିନ୍ତୁ ମୂର୍ଖ ଦୁର୍ଯ୍ୟୋଧନ ଯଦି ଏଥର ବି ଶାନ୍ତି ବଦଳରେ ଯୁଦ୍ଧ କାମନା କରେ, ତେବେ ମୁଁ ଜଣେ ବି କୌରବ ପକ୍ଷର ଯୋଦ୍ଧାକୁ ଛାଡିବିନି ।’
ଅର୍ଜୁନଙ୍କ କଥା ଶୁଣି ଭୀମସେନ ଅତି ଆନନ୍ଦରେ ସିଂହନାଦ କରିବାକୁ ଲାଗିଲେ ।
ଶ୍ରୀକୃଷ୍ଣ ସମସ୍ତଙ୍କୁ ବିଦାୟ ଦେଇ ଆଗକୁ ଚାଲିଲେ । କିଛିବାଟ ଗଲା ପରେ ବାଟରେ କୃଷ୍ଣ କିଛି ତେଜସ୍ୱୀ ମହର୍ଷିଙ୍କୁ ଦେଖି ରଥ ଅଟକାଇଲେ । ମହର୍ଷିମାନେ କହିଲେ ସେମାନେ କୃଷ୍ଣ ହସ୍ତିନାପୁରକୁ ଯାଉଛନ୍ତି ଶୁଣି ଆସିଛନ୍ତି । କୁରୁସଭାରେ ଉପସ୍ଥିତ ରହି ଜ୍ଞାନୀମାନଙ୍କର ଆଲୋଚନା ଶୁଣିବାର ସେମାନଙ୍କର ଆଗ୍ରହ ଅଛି ।
ଏପଟରେ ଦୂତମାନେ ଆସି ହସ୍ତିନାପୁରରେ ଖବର ଦେଲେ ଯେ କୃଷ୍ଣ ଆସୁଛନ୍ତି । କୃଷ୍ଣଙ୍କ ଆସିବା ଖବର ପାଇ ରାଜା ଧୃତରାଷ୍ଟ୍ର ଅତି ଆନନ୍ଦରେ ଉପଯୁକ୍ତ ବ୍ୟବସ୍ଥା ଯଥାଶୀଘ୍ର କରିବାକୁ ଭୀଷ୍ମ, ଦ୍ରୋଣ, ବିଦୂର, ସଞ୍ଜୟ ଓ ଦୁର୍ଯ୍ୟୋଧନଙ୍କୁ କହିଲେ । ଦୁର୍ଯ୍ୟୋଧନ ବୃକସ୍ଥଳ ନାମକ ସ୍ଥାନରେ କୃଷ୍ଣଙ୍କ ସ୍ୱାଗତ ପାଇଁ ତୋରଣ ନିର୍ମାଣ ସହ ରାତ୍ରୀଯାପନ ପାଇଁ ଘର ତିଆରିର ନିର୍ଦ୍ଦେଶ ଦେଲେ ।
କୃଷ୍ଣ ହସ୍ତିନା ଆସୁଥିବାର ଖବର ଚାରିଦିଗରେ ବ୍ୟାପି ଗଲା । କୃଷ୍ଣଙ୍କ ଦୁଇ ପାଖରେ କୁରୁରାଜ୍ୟର ସମୃଦ୍ଧଶାଳୀ ଗାଁ ସବୁ ପଡୁଥାଏ। ଉପପ୍ଲବ୍ୟ ନଗରୀରୁ ଆସୁଥିବା କୃଷ୍ଣଙ୍କୁ ଦେଖିବାକୁ ହଜାର ହଜାର ଲୋକ ରାସ୍ତାଧାରରେ ଅପେକ୍ଷା କରି ଠିଆହେଇ ରହିଥା'ନ୍ତି। କୃଷ୍ଣ ଆସି ବୃକସ୍ଥଳ ନାମକ ସ୍ଥାନରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଗଲା । ଗାଁର ବ୍ରାହ୍ମଣମାନେ କୃଷ୍ଣଙ୍କ ପାଖରେ ପହଞ୍ଚି ମଙ୍ଗଳପାଠ କରି ପୂଜା କଲେ । ସେମାନେ କୃଷ୍ଣ ଓ ତାଙ୍କ ସାଙ୍ଗରେ ଥିବା ସାତ୍ୟକି ଏବଂ ଅନ୍ୟମାନଙ୍କୁ ରାତିରେ ଆଶ୍ରୟ ନେବାକୁ ଘରକୁ ଡାକିଲେ । କୃଷ୍ଣ ସମସ୍ତଙ୍କୁ ମନା କଲେ ।
ହସ୍ତିନାପୁରରେ ରାଜା ଧୃତରାଷ୍ଟ୍ରଙ୍କ ପାଖରେ ଖବର ପହଞ୍ଚିଲା କୃଷ୍ଣ ବୃକସ୍ଥଳରେ ପହଞ୍ଚି ରାତ୍ରୀଯାପନ କରୁଛନ୍ତି । କାଲି ସକାଳେ ଆସି ହସ୍ତିନାପୁରରେ ପହଞ୍ଚିବେ । ଧୃତରାଷ୍ଟ୍ର ବ୍ୟସ୍ତ ହୋଇ କୃଷ୍ଣଙ୍କ ପାଇଁ ସମସ୍ତ ପ୍ରକାର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଲେ । କୃଷ୍ଣଙ୍କୁ କେମିତି ଅଭିନନ୍ଦନ କରାଯିବ, କ'ଣ କ'ଣ ଉପହାର ଦିଆଯିବ, କ'ଣ ଖାଇବାକୁ ପିଇବାକୁ ଦିଆଯିବ ସବୁ ଯେପରି ନିର୍ଭୁଲ ଭାବରେ ହୁଏ ସେଥିପାଇଁ ନିର୍ଦ୍ଦେଶ ଦେଲେ। କୃଷ୍ଣଙ୍କୁ ଉପହାର ଦେବାକୁ ସୁନ୍ଦର ରଥ, ଘୋଡା, ହାତୀ, ଦାସ-ଦାସୀ, ବିଭିନ୍ନ ମୂଲ୍ୟବାନ ବସ୍ତ୍ର, ଦୁର୍ମୁଲ୍ୟ ମଣି ମାଣିକ୍ୟ ପ୍ରସ୍ତୁତ ରଖିବାକୁ କହିଲେ । ତାପରେ ଧୃତରାଷ୍ଟ୍ର କହିଲେ ଦୁର୍ଯ୍ୟୋଧନର ବାସଗୃହ ଅପେକ୍ଷା ଦୁଃଶାସନର ବାସଗୃହ ସୁନ୍ଦର । ତେଣୁ କୃଷ୍ଣଙ୍କ ରହିବା ବ୍ୟବସ୍ଥା ସେଇଠି କରାଯାଉ । ନଗରୀର ଦ୍ୱାର ଦେଶରେ କୃଷ୍ଣଙ୍କୁ ସ୍ୱାଗତ କରିବାକୁ ଦୁର୍ଯ୍ୟୋଧନଙ୍କ ସାନଭାଇମାନେ ପାତ୍ରମନ୍ତ୍ରୀଙ୍କୁ ଧରି ଉପସ୍ଥିତ ରହିବେ ।
ଧୃତରାଷ୍ଟ୍ରଙ୍କ ନିର୍ଦ୍ଦେଶ ସବୁ ଶୁଣି ବିଦୁର କହିଲେ, ‘ହେ ମହାରାଜ! ଆପଣ କୃଷ୍ଣଙ୍କୁ ଯେତେ ଯାହା ଉପହାର ଦିଅନ୍ତୁ ଯେତେ ପ୍ରକାର ଅଭ୍ୟର୍ଥନା ଦିଅନ୍ତୁ ଓ ଅତିଥି ସତ୍କାର କରନ୍ତୁ ମୋର ମନା ନାହିଁ । କିନ୍ତୁ କୃଷ୍ଣ କ'ଣ ପାଇଁ ହସ୍ତିନାନଗରୀକୁ ଆସୁଛନ୍ତି ସେ କାରଣ ପ୍ରତି ମଧ୍ୟ ସଜାଗ ରୁହନ୍ତୁ । ଆପଣ ଧର୍ମ ଅର୍ଜନ ଅବା କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁନାହାଁନ୍ତି ମୁଁ ଜାଣିଛି । ଏସବୁ ବ୍ୟବସ୍ଥା କରି କପଟରେ ମୂଳ କଥାକୁ ଏଡାଇ ଦେବାକୁ ଚାହୁଁଛନ୍ତି । ପାଣ୍ଡବମାନେ ମାତ୍ର ପାଞ୍ଚଖଣ୍ଡ ଗାଁ ମାଗୁଛନ୍ତି । କିନ୍ତୁ ସେତକ ଦେବାକୁ ଆପଣ ଓ ଆପଣଙ୍କ ପୁଅମାନେ କୁଣ୍ଠା ପ୍ରକାଶ କରୁଛନ୍ତି । ଏଥିରେ କେମିତି ଅବା ଶାନ୍ତି ପ୍ରତିଷ୍ଠା ହେଇପାରିବ ।
ବାସୁଦେବ ଶାନ୍ତି ପ୍ରସ୍ତାବ ଆଣି ଆସୁଛନ୍ତି ।ଏମିତି ଅତିଥି ଚର୍ଚ୍ଚା ଓ ଧନ-ରତ୍ନ ଉପଢୌକନ ଦେଇ ଆପଣ କୃଷ୍ଣଙ୍କୁ ପାଣ୍ଡବମାନଙ୍କୁ ପାଖରୁ କେବେବି ଅଲଗା କରିପାରିବେନି । ମୁଁ ଜାଣିଛି ପାଦ ଧୋଇବା ପାଇଁ ପାଣି ଓ କୁଶଳ ଜିଜ୍ଞାସା ଛଡା କୃଷ୍ଣ ଆପଣଙ୍କ ପାଖରୁ ଆଉ କିଛି ବି ଗ୍ରହଣ କରିବେନି । ରାସ୍ତାରେ ଆପଣଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ କୌଣସି ଆଶ୍ରୟସ୍ଥଳରେ କୃଷ୍ଣ ରହିଲେନି କି ତାଙ୍କ ଉଦ୍ଦେଶ୍ୟରେ ତିଆରି ତୋରଣକୁ ଆଡ ଆଖିରେ ବି ଅନେଇଲେନି । ତେଣୁ ଅଯଥା ଆଡମ୍ବର ଛାଡି କୃଷ୍ଣ ଯେଉଁଥିପାଇଁ ଆପଣଙ୍କ ପାଖକୁ ଆସୁଛନ୍ତି ତାହା ତାଙ୍କୁ ଦେବାର ବ୍ୟବସ୍ଥା କରନ୍ତୁ ।’
ବିଦୂରଙ୍କ କଥା ଶୁଣି ଦୁର୍ଯ୍ୟୋଧନ କହିଲେ, ‘ମୁଁ ଜାଣେ କୃଷ୍ଣ କେବେବି ପାଣ୍ଡବଙ୍କ ପକ୍ଷ ଛାଡିବେନି । ସେ ଅବଶ୍ୟ ସମସ୍ତଙ୍କର ପୂଜ୍ୟ କିନ୍ତୁ ବର୍ତ୍ତମାନ ସେ ଶତୃ ଶିବିରର ଲୋକ । ତେଣୁ ତାଙ୍କୁ ଏତେ କିଛି ଅଭ୍ୟର୍ଥନା ଓ ଉପଢୌକନ ଦେବାର କିଛି ଅର୍ଥ ନାହିଁ । ସେ ଆମ ଅତିଥି ସତ୍କାରରେ କେବେବି ଶାନ୍ତ ହେବେ ନାହିଁ ।’
ପିତାମହ ଭୀଷ୍ମ କହିଲେ, ‘କେଶବ ତୁମର ସତ୍କାରରେ ଶାନ୍ତ ହେବେନି କି ସତ୍କାର ନକଲେ ରୁଷ୍ଟ ବି ହେବେନି । କିନ୍ତୁ ହେ ଦୁର୍ଯ୍ୟୋଧନ! ମନେରଖ, ସେ କିନ୍ତୁ ଅବଜ୍ଞାର ପାତ୍ର ନୁହଁନ୍ତି । ବରଂ ତାଙ୍କ ପ୍ରସ୍ତାବକୁ ଧୈର୍ଯ୍ୟର ସହ ବିଚାର କର । ଯଥାଶୀଘ୍ର ପାଣ୍ଡବମାନଙ୍କ ସହ ସନ୍ଧି ପାଇଁ ଚେଷ୍ଟା କର । ସେଥିରେ ସମସ୍ତଙ୍କର ମଙ୍ଗଳ ହେବ ।’
ଦୁର୍ଯ୍ୟୋଧନଙ୍କୁ କିନ୍ତୁ ଭୀଷ୍ମଙ୍କ ଉପଦେଶ ଭଲ ଲାଗିଲାନି । ସେ କହିଲେ, ‘ହେ ପିତାମହ! ପାଣ୍ଡବମାନଙ୍କ ସହ ସନ୍ଧି କରିବାର ମୋର କୌଣସି ଅଭିଳାଷ ନାହିଁ । କୃଷ୍ଣଙ୍କ ବିନା ସହଯୋଗରେ ପାଣ୍ଡବମାନଙ୍କୁ ହରାଇବା ସହଜ । ତେଣୁ ମୋ ମନରେ ଗୋଟେ ଉପାୟ ଆସିଛି । କୃଷ୍ଣଙ୍କୁ ଏଇଠି ବନ୍ଦି କରି ରଖିଦେଲେ ପାଣ୍ଡବଙ୍କ ସହିତ ଅନ୍ୟ ରାଜାମାନେ ଆମର ବଶ ହେଇ ରହିବେ । ଯୁଦ୍ଧର ଆଶଙ୍କା ଆଉ ରହିବନି । ତାପରେ ସମଗ୍ର ଭାରତବର୍ଷରେ ଆମର ଜଣେ ବି ପ୍ରତିଦ୍ୱନ୍ଦୀ ରହିବେନି ।’
ଦୁର୍ଯ୍ୟୋଧନଙ୍କ ମୁର୍ଖ ଦମ୍ଭ ଶୁଣି ରାଜା ଧୃତରାଷ୍ଟ୍ର ଦୁଃଖ ଓ ଭୟରେ ମ୍ରିୟମାଣ ହେଇପଡିଲେ । ଦୁର୍ଯ୍ୟୋଧନଙ୍କୁ କହିଲେ, ‘ବାପ ଏମିତି କଥା ଚିନ୍ତା ବି କରିବା ଉଚିତ ନୁହେଁ । ଏହା ସନାତନ ଓ କ୍ଷତ୍ରୀୟ ଧର୍ମର ବିରୁଦ୍ଧ। ସେ ମନରେ ଆମର କ୍ଷତି ଚିନ୍ତାକରି ଆମ ପାଖକୁ ଆସୁନାହାଁନ୍ତି । ଶାନ୍ତି ଆଶାରେ ଆସୁଛନ୍ତି। ତାଙ୍କୁ ବନ୍ଦୀ କରିବାର ଚିନ୍ତାକୁ ମନ ଭିତରୁ ତୁରନ୍ତ ବିଦାୟ ଦିଅ । ଏପରି ଭୟଙ୍କର ଯୋଜନା କରନାହିଁ ।’
ଭୀଷ୍ମ କହିଲେ, ‘ହେ ଧୃତରାଷ୍ଟ୍ର! ତୁମ ମନ୍ଦବୁଦ୍ଧି ପୁଅର କଥା ଶୁଣି ତୁମେ ବିନାଶକୁ ଡାକି ଆଣୁଛ । ବଡ଼ ଆଶ୍ଚର୍ଯ୍ୟର କଥା ହେଲା ତୁମେ ସୁହୃଦମାନଙ୍କ କଥାକୁ ସହଜରେ ଏଡାଇ ତୁମ ଅସତଗାମୀ ପୁଅର କଥା ଶୁଣିଚାଲିଛ । ସେ ଯାହା ଚିନ୍ତା କରୁଛନ୍ତି ଯଦି ତାହା କରିବେ ତେବେ ନିମିଷକ ଭିତରେ ଧ୍ୱଂସ ପାଇଯିବେ । ଏପରି ଧର୍ମଦ୍ରୋହୀ, ନୃଶଂସ, ଦୁଷ୍ଟବୁଦ୍ଧି, ପାପାତ୍ମାମାନଙ୍କ ଅନୁଚିତ ଅନର୍ଥ ବାକ୍ୟ ଶୁଣିବାକୁ ମୋର ସାମାନ୍ୟ ଇଚ୍ଛା ନାହିଁ । ତୁମକୁ ଯାହା ଠିକ ଲାଗୁଛି ତାହାଁହି କର ।’
ଏତିକି କହି ପିତାମହ ଭୀଷ୍ମ ଅତ୍ୟନ୍ତ ବିରକ୍ତି ଓ କ୍ରୋଧର ସହ ସଭାଗୃହ ଛାଡି ଚାଲିଗଲେ ।
ପରଦିନ ସକାଳୁ କୃଷ୍ଣ ତାଙ୍କର ନିତ୍ୟକର୍ମ ସାରି ହସ୍ତିନା ଅଭିମୁଖରେ ଯାତ୍ରା ଆରମ୍ଭ କଲେ । ତାଙ୍କୁ ଦେଖିବାକୁ ରାସ୍ତାର ଦୁଇ ପାଖରେ ଅନେକ ଲୋକ ଛିଡା ହେଇଥା'ନ୍ତି। ବ୍ରାହ୍ମଣମାନେ ଆସି ତାଙ୍କର ପୂଜା ଅର୍ଚ୍ଚନା କରୁଥା'ନ୍ତି । ଲାଗୁଥାଏ କୃଷ୍ଣଙ୍କୁ ଦର୍ଶନ କରିବାକୁ ସମଗ୍ର ନଗରୀ ରାସ୍ତା ଉପରକୁ ଉଠିଆସିଛନ୍ତି । କୃଷ୍ଣଙ୍କ ଉପରେ ଫୁଲ ବର୍ଷା କରାଯାଉଥାଏ । ପୁରନାରୀମାନେ ହୁଳହୁଳି ପକାଉଥା'ନ୍ତି । ବ୍ରାହ୍ମଣମାନେ ବେଦ ଧ୍ୱନୀ ଓ ଶଙ୍ଖ ଧ୍ୱନୀ କରୁଥା'ନ୍ତି।
କୃଷ୍ଣ ରାଜମାର୍ଗର ଭିଡକୁ ଅତିକ୍ରମ କରି ହସ୍ତିନାର ରାଜପ୍ରାସାଦରେ ପହଞ୍ଚିଲେ । କୃଷ୍ଣ ସଭାଗୃହରେ ପ୍ରବେଶ କରୁ କରୁ ଉପସ୍ଥିତ ସମସ୍ତେ ନିଜ ନିଜ ଆସନରୁ ଉଠି ଠିଆହେଇ କୃଷ୍ଣଙ୍କୁ ସମ୍ମାନ ଜଣାଇଲେ। କୃଷ୍ଣ ମଧ୍ୟ ରାଜା ଧୃତରାଷ୍ଟ୍ର, ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, କୃପ ଆଦିଙ୍କ ପାଖକୁ ଯାଇ ଯଥାଯୋଗ୍ୟ ସମ୍ମାନ ଜଣାଇଲେ । ପରସ୍ପରଙ୍କ କୁଶଳ ଜିଜ୍ଞାସା ପରେ କୃଷ୍ଣ ବିଦୂରଙ୍କ ଘରକୁ ବାହାରିଲେ । ବିଦୂରଙ୍କ ଘରେ ପାଣ୍ଡବମାନଙ୍କ ମାଆ ତଥା କୃଷ୍ଣଙ୍କ ପିଉସୀ କୁନ୍ତି ଅନେକ ଦିନ ହେଲାଣି ରହୁଥିଲେ ।
ବିଦୂରଙ୍କ ଘରେ କୃଷ୍ଣ ପହଞ୍ଚିଲା ପରେ ତାଙ୍କର ଉପଯୁକ୍ତ ଆଦର ଅଭ୍ୟର୍ଥନା କରାଗଲା । କୁନ୍ତିଙ୍କୁ ଦେଖି କୃଷ୍ଣ ପ୍ରଣାମ କଲେ। କୁନ୍ତି ତାଙ୍କ ପୁଅମାନଙ୍କର ଓ ବୋହୂର ଭଲମନ୍ଦ ପଚାରି ବୁଝିଲେ । ପାଣ୍ଡବମାନେ ବାର ବର୍ଷ ପାଇଁ ବନବାସ ଓ ବର୍ଷେ ଅଜ୍ଞାତବାସ ଯିବାବେଳକୁ କୁନ୍ତିଙ୍କୁ ବିଦୂରଙ୍କ ଘରେ ଛାଡିଦେଇ ଯାଇଥିଲେ । ସେଇ ଦିନରୁ କେହି କାହାକୁ ଦେଖି ନଥିଲେ । କୃଷ୍ଣଙ୍କୁ ପାଖରେ ଦେଖି କୁନ୍ତି ଆଖିରୁ ଲୁହ ଝରାଇ କହିଲେ, ‘ହେ ମାଧବ କେତେଦିନ ହେଲାଣି ମୁଁ ମୋ ପୁଅମାନଙ୍କୁ ଆଖିପୁରା ଦେଖିନାହିଁ । ତୁମ ସହ ବି ସାକ୍ଷାତ ହେଇନଥିଲା ।
ତୁମମାନଙ୍କ ମୁହଁ ଦେଖି ଦେଖି ମୋ ବିଧବା ହେବାର ଦୁଃଖ ମୁଁ ଭୁଲି ଯାଇଥିଲି । ଏମିତି ଭାଗ୍ୟ ଯେ ଦେଖ ପାଞ୍ଚ ଯୋଗ୍ୟ ପୁଅ ଥାଇ ବି ଏବେ ପରଘରେ ମୁଁ ପଡିରହିଛି । ସେମାନେ ସେପଟେ ବଣ ଜଙ୍ଗଲରେ ବୁଲି ବୁଲି କାହିଁରେ କେତେ ଦୁଃଖ କଷ୍ଟ ସହିଲେ। ଦୁଷ୍ଟ ଦୁର୍ଯ୍ୟୋଧନ ଏତେ ଦୁଃଖ କଷ୍ଟ ଦେଲାପରେ ବି ତା' ମନରେ ଆମମାନଙ୍କ ପ୍ରତି ସାମାନ୍ୟ ଦୟା ନାହିଁ । ରାଜା ଧୃତରାଷ୍ଟ୍ରଙ୍କ ଅବିଚାର ବି ଦେଖୁଛି । ମୁଁ କେବେ ବି ପାଣ୍ଡବ ଓ କୌରବ ଭାଇମାନଙ୍କ ଭିତରେ ପାତରଅନ୍ତର କରିନି । ମୋ ଆଖିରେ ସଭିଏ ଏବେ ବି ସମାନ । ଅଥଚ ଦେଖ ବଳଶାଳୀ ପାଞ୍ଚପୁଅ ଜନ୍ମ କରିବି ମୋର ଦୁଃଖର ଅନ୍ତ ନାହିଁ । ହେ କେଶବ! ତୁମେ ମୋ ପୁଅମାନଙ୍କର ସବୁବେଳେ ସହାୟତା କରିଆସିଛ । ଏବେ ସେମାନଙ୍କୁ ଏହି କଠିନ ପରିସ୍ଥିତିରୁ ବାହାରିବାର ଉପଯୁକ୍ତ ରାସ୍ତା ତୁମେ ନିଶ୍ଚୟ ଦେଖାଇବ ବୋଲି ମୋର ବିଶ୍ୱାସ ।’
ଏତିକି କହି କୁନ୍ତି ପୁଣିଥରେ କାନ୍ଦିବାକୁ ଲାଗିଲେ ।
ପବିତ୍ର ଅଁଳା ନବମୀ: କାହିଁକି ମହିଳାମାନେ ଅଁଳା ଗଛରେ ବାନ୍ଧିଥାନ୍ତି ନାଲି ସୂତା, ଜାଣନ୍ତୁ...

Bank Takes Over Property Of MLA’s Family: ଋଣ ସୁଝି ପାରିଲେନି ବିଧାୟକଙ୍କ ପରିବାର, ସମ୍ପତ୍ତିକୁ ଦଖଲକୁ ନେଲା ବ୍ୟାଙ୍କ

Section 163 Implemented in Bali Yatra Zone: ବାଲିଯାତ୍ରା ମହୋତ୍ସବ ଅଞ୍ଚଳରେ ୧୬୩ ଧାରା ଲାଗୁ, ଆଗୁଆ ପଦକ୍ଷେପ ନେଲା ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)