/odishatv-khabar/media/media_files/2026/02/19/mahabharat-2026-02-19-15-08-25.jpg)
Mahabharat Photograph: (OTV)
କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ କୌରବ ଓ ପାଣ୍ଡବମାନେ ପରସ୍ପରଙ୍କ ଭିତରେ ଯୁଦ୍ଧ କରିବାକୁ ଅପେକ୍ଷା କରି ଛିଡ଼ା ହୋଇଥା'ନ୍ତି । ହଠାତ୍ ଯୁଧିଷ୍ଠିର ତାଙ୍କ ଯୁଦ୍ଧ ପୋଷାକ ଓ ଯୁଦ୍ଧ ଅସ୍ତ୍ର ପରିତ୍ୟାଗ କରି କୌରବମାନଙ୍କ ପକ୍ଷରେ ଯୁଦ୍ଧ କରୁଥିବା ଭୀଷ୍ମ, ଦ୍ରୋଣ, ଶଲ୍ୟ ଓ କୃପ ଆଦିଙ୍କ ପାଖରେ ପହଞ୍ଚିଲେ ଓ ଆଶୀର୍ବାଦ ଭିକ୍ଷା କଲେ । ଯୁଦ୍ଧର ଠିକ୍ ପୂର୍ବରୁ ଯୁଧିଷ୍ଠିରଙ୍କ ଆହ୍ୱାନ ଶୁଣି ଧୃତରାଷ୍ଟ୍ରଙ୍କର ଗୋଟେ ପୁଅ ଆସି ପାଣ୍ଡବଙ୍କ ଶିବିରରେ ଯୋଗ ଦେଲା ।
ଏ ସବୁ ସରିଲା ପରେ ଉଭୟ ପକ୍ଷରୁ ରଣ ବାଦ୍ୟ ବାଜି ଉଠିଲା । ଶିଙ୍ଗା, ଭେରୀ, ମୃଦଙ୍ଗ, ଢୋଲ, ଶଙ୍ଖ ଆଦିର ଶବ୍ଦ ସହ ହଜାର ହଜାର ଘୋଡ଼ା, ହାତୀ, ବୀର ଯୋଦ୍ଧାମାନଙ୍କର ସିଂହନାଦ, ସୈନ୍ୟମାନଙ୍କର ଚିତ୍କାର ମିଶି ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା । ଶେଷରେ ଯୁଦ୍ଧ ଆରମ୍ଭ ହେଲା । ପାଣ୍ଡବମାନଙ୍କ ଉପରେ କୌରବମାନେ ପ୍ରଥମେ ଆକ୍ରମଣ ଆରମ୍ଭ କଲେ । ଦୁଃଶାସନ କୌରବ ସେନାଙ୍କ ପରିଚାଳନା କରୁଥିବା ବେଳେ ପାଣ୍ଡବ ସେନାଙ୍କ ଆଗରେ ଥାଆନ୍ତି ପ୍ରତାପୀ ଭୀମସେନ ।
ଯୁଦ୍ଧ ଆରମ୍ଭ ହେଲାରୁ ବୀର ଯୋଦ୍ଧାମାନେ ସେମାନଙ୍କ ବରାବର ଯୋଦ୍ଧାଙ୍କୁ ସାମ୍ନା କଲେ । ପିତାମହ ଭୀଷ୍ମଙ୍କୁ ସାମ୍ନା କଲେ ଧନୁର୍ଦ୍ଧର ଅର୍ଜୁନ । ସେମିତି ପ୍ରତିପକ୍ଷ ଦ୍ରୋଣାଚାର୍ଯ୍ୟଙ୍କ ସହ ଧୃଷ୍ଟଦ୍ୟୁମ୍ନ, ଭୀମଙ୍କ ସହ ଦୁର୍ଯ୍ୟୋଧନ, ନକୁଳଙ୍କ ସହ ଦୁଃଶାସନ, ଶଲ୍ୟଙ୍କ ସହ ଯୁଧିଷ୍ଠିର, ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କ ସହ କୋଶାଳାଧିପତି ବୃହଦବଳ, ଭୀମଙ୍କ ପୁଅ ଘଟତ୍କୋଚଙ୍କ ସହିତ ଅଳମ୍ବୁଷ ରାକ୍ଷସ, ଭଗଦତ୍ତଙ୍କ ସହ ରାଜା ବିରାଟ ଓ ରାଜା ଦ୍ରୁପଦଙ୍କ ସହ ଜୟଦ୍ରଥ ଯୁଦ୍ଧ ଆରମ୍ଭ କଲେ । ସେହିପରି ସୁଶର୍ମାଙ୍କ ସହ ଚେକିତାନ ଓ ସୁଦକ୍ଷୀଣଙ୍କ ସହ ଶ୍ରୁତବର୍ମାଙ୍କର ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା ।
ଅର୍ଜୁନ ଓ ଭୀଷ୍ମଦେବଙ୍କ ଭିତରେ ଚାଲିଥିବା ତୁମୁଳ ଯୁଦ୍ଧରେ କେହି କାହାକୁ ବିଚଳିତ କରିପାରୁନଥାନ୍ତି । ଏକେ ଆରକୁ ବଳି ଯୋଦ୍ଧା । କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନଥା'ନ୍ତି । ନକୁଳଙ୍କ ଉପରେ ଦୁଃଶାସନ ପ୍ରାଣାନ୍ତକ ଆକ୍ରମଣ କଲେ । ନକୁଳ ହସି ହସି କାଳ ବିଳମ୍ବ ନକରି ଦୁଃଶାସନଙ୍କ ରଥର ଧ୍ୱଜ ଓ ଶରାସନକୁ ଛେଦନ କରିଦେଲେ ।
ସେତିକିବେଳେ ସହଦେବ ଦୁର୍ମୁଖର ସାରଥିକୁ ରଥ ଉପରୁ ଖସେଇଦେଲେ । ଯୁଧିଷ୍ଠିରଙ୍କ ଉପରକୁ ତୀର ମାରି ଶଲ୍ୟ ତାଙ୍କ ଧନୁକୁ ଭାଙ୍ଗିପକେଇଲେ । କିନ୍ତୁ ଯୁଧିଷ୍ଠିର ବିଜୁଳି ବେଗରେ ଭଙ୍ଗା ଧନୁକୁ ଛାଡି ଆଉ ଏକ ଧନୁ ଧରିଲେ ଓ ଶଲ୍ୟଙ୍କ ଉପରକୁ ତୀର ବର୍ଷା କରିବାକୁ ଲାଗିଲେ । ଶଲ୍ୟ ଆଉ ବେଶି ସମୟ ଯୁଧିଷ୍ଠିରଙ୍କ ତୀର ବର୍ଷାକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଲେ ।
ପାଣ୍ଡବ ପକ୍ଷର ଓ କୌରବ ପକ୍ଷର ହଜାର ହଜାର ପଦାତିକ ସୈନ୍ୟ, ରଥି, ଅଶ୍ୱାରୋହୀ, ଗଜାରୋହୀ ଘନ ଘୋର ଯୁଦ୍ଧରେ ଲଢ଼ିବାକୁ ଲାଗିଲେ । ଯୁଦ୍ଧ ବେଳକୁ ସମସ୍ତେ ପରସ୍ପର ଭିତରେ ସବୁପ୍ରକାର ସମ୍ପର୍କକୁ ଭୁଲି ପରସ୍ପରକୁ ମରଣାନ୍ତକ ଆକ୍ରମଣ କରୁଥା'ନ୍ତି । ମାରିବା ଓ ମରିବା ଛଡ଼ା କାହା ଭିତରେ ଆଉକିଛି ଜ୍ଞାନ ନଥାଏ । ଆଖି ପିଛୁଳାରେ ଶହ ଶହ ସୈନ୍ୟ ଶରାଘାତ ଓ ଶସ୍ତ୍ରାଘାତରେ ମରି ମାଟିରେ ଲୋଟୁଥାନ୍ତି । ଚାରିଦିଗ ଯୁଦ୍ଧର ହୁଙ୍କାର ଓ ଆର୍ତ୍ତ ଚିତ୍କାର କୋଳାହଳମୟ ହୋଇ ଉଠୁଥାଏ ।
ଦୁର୍ଯ୍ୟୋଧନଙ୍କ ଆଦେଶ କ୍ରମେ ଦୁର୍ମୁଖ, କୃତବର୍ମା, କୃପ,ଶଲ୍ୟ ଓ ବିବିଂଶତି ମିଶି ପିତାମହ ଭୀଷ୍ମଙ୍କ ପାଖରେ ରହି ତାଙ୍କୁ ସୁରକ୍ଷା ଦେଉଥା'ନ୍ତି । ଭୀଷ୍ମ ତାଙ୍କ ଆଗରେ ଥିବା ସୈନ୍ୟମାନଙ୍କୁ ନିର୍ଦୟ ଭାବରେ ହତ୍ୟା କରିବାରେ ଲାଗିଥା'ନ୍ତି । ଭୀଷ୍ମଙ୍କ ବାଣ ପ୍ରକୋପରେ ଯୁଦ୍ଧହସ୍ତୀମାନେ ବିକଳରେ ପ୍ରଳାପ କରିବାକୁ ଲାଗିଲେ । ପାଣ୍ଡବ ପକ୍ଷର ସୈନ୍ୟ ସଂହାର ଦେଖି ଅଭିମନ୍ୟୁ ପ୍ରବଳ ବେଗରେ ତାଙ୍କ ରଥକୁ ଭୀଷ୍ମଙ୍କ ରଥ ପାଖକୁ ଆଣିଦେଲେ ଓ ଭୀଷ୍ମଙ୍କୁ ସୁରକ୍ଷା ଦେଉଥିବା ପାଞ୍ଚ ରଥି ଓ ପିତାମହଙ୍କ ଉଦ୍ଦେଶ୍ୟରେ ତୀର ବର୍ଷା କରିବାକୁ ଲାଗିଲେ ।
କୃପାଚାର୍ଯ୍ୟଙ୍କ ଧନୁକୁ ଭାଙ୍ଗିଲେ ଅଭିମନ୍ୟୁ
ଭୀଷ୍ମଙ୍କ ଧ୍ୱଜ ପ୍ରତି ଗୋଟେ ବାଣ, କୃତବର୍ମାଙ୍କୁ ଗୋଟେ ବାଣ ଓ ଶଲ୍ୟଙ୍କୁ ପାଞ୍ଚ ବାଣ ନିକ୍ଷେପ କଲେ । ତାପରେ ଦୁର୍ମୁଖଙ୍କ ସାରଥିର ମୁଣ୍ଡକୁ ଭଲ୍ଲ ମାରି କାନ୍ଧରୁ ଖସେଇ ଦେଲେ । ସେତିକିରେ ନ ଅଟକି ଅଭିମନ୍ୟୁ ଭଲ୍ଲ ଦ୍ୱାରା କୃପାଚାର୍ଯ୍ୟଙ୍କ ଧନୁକୁ ମଧ୍ୟ ଭାଙ୍ଗିପକାଇଲେ । ଅଭିମନ୍ୟୁଙ୍କ ବୀରତ୍ୱ ଓ ଅସ୍ତ୍ର ଚାଳନା ଦେଖି ଭୀଷ୍ମ ଆଦି ବୀରମାନେ ଅଭିଭୂତ ହୋଇ ବୀର ଧନଞ୍ଜୟଙ୍କ ଅସ୍ତ୍ର ଚାଳନାକୁ ମନେ ପକାଉଥା'ନ୍ତି । ଭୀଷ୍ମ ଆଉ ଡେରି ନକରି ଅସ୍ତ୍ର ପ୍ରୟୋଗ କରି ଅଭିମନ୍ୟୁଙ୍କ ରଥର ଧ୍ୱଜକୁ ଭାଙ୍ଗିଦେଲେ ଓ ତାଙ୍କ ସାରଥିକୁ ଆହତ କରିପକାଇଲେ । କୃତବର୍ମ, ଶଲ୍ୟ ଓ କୃପ ମଧ୍ୟ ଅଭିମନ୍ୟୁଙ୍କୁ ଘେରି ଯାଇ ସମୂହ ଭାବରେ ଶର ପ୍ରହାର କରୁଥା'ନ୍ତି, କିନ୍ତୁ ଅଭିମନ୍ୟୁ ଅବିଚଳିତ ଭାବରେ ସମସ୍ତଙ୍କୁ ପ୍ରତିହତ କରି ବୀର ଦର୍ପରେ ଯୁଦ୍ଧ କରୁଥା'ନ୍ତି ।
ଭୀଷ୍ମ ପ୍ରବଳ ପରାକ୍ରମରେ ଅଭିମନ୍ୟୁଙ୍କ ପ୍ରତି ଏକାଥରେ ନଅଟି ବାଣ ପେଷିଲେ। ଭୀଷ୍ମଙ୍କ ଶର ସହ କୃପ, ଶଲ୍ୟ ଓ କୃତବର୍ମ ମଧ୍ୟ ଅଭିମନ୍ୟୁଙ୍କ ଉଦ୍ଦେଶ୍ୟରେ ମିଳିତ ଭାବରେ ଶର ସନ୍ଧାନ କଲେ । କିନ୍ତୁ ଅଭିମନ୍ୟୁ ବିଚଳିତ ନହୋଇ ଆହୁରି ଦୃଢ଼ ଭାବରେ ସମସ୍ତଙ୍କୁ ଏକାସାଙ୍ଗରେ ମୁକାବିଲା କରିବା ସହ ଶର ମାରି ପିତାମହଙ୍କ ରଥର ଧ୍ୱଜକୁ ଛେଦନ କରିପକାଇଲେ । ଅଭିମନ୍ୟୁ କୌରବ ସେନାପତି ଭୀଷ୍ମଙ୍କ ରଥର ଧ୍ୱଜ ଛିଡ଼ାଇ ପକାଇବା ଦେଖି ଭୀମ ଅତି ଉଚ୍ଚ ସ୍ୱରରେ ସିଂହନାଦ କରିବାକୁ ଲାଗିଲେ ।
ଅଭିମନ୍ୟୁ ଏକା ଏକା କୌରବଙ୍କ ଚାରିଜଣ ବୀରଙ୍କ ସହ ଲଢୁଥିବାର ଦେଖି ଭୀମସେନ, ବିରାଟ, ଧୃଷ୍ଟଦ୍ୟୁମ୍ନ,ସାତ୍ୟକି ଆସି ତାଙ୍କୁ ସୁରକ୍ଷା ଦେବାକୁ ଲାଗିଲେ । ବିରାଟ ରାଜାଙ୍କ ପୁଅ ଉତ୍ତର ସେତିକିବେଳେ ଗୋଟେ ବିଶାଳ ହାତୀ ଉପରେ ଆସି ଶଲ୍ୟଙ୍କୁ ଆକ୍ରମଣ କଲେ । ଉତ୍ତର ବସିଥିବା ହାତୀ ଏତେ ପ୍ରବଳ ଗତିରେ ଆସି ଶଲ୍ୟଙ୍କ ରଥକୁ ଆକ୍ରମଣ କଲା ଯେ ଶଲ୍ୟଙ୍କ ରଥର ଚାରୋଟି ଯାକ ଘୋଡ଼ା ହାତୀର ପାଦ ତଳେ ଚକଟି ହୋଇ ମରିଗଲେ । ଏଥିରେ ଶଲ୍ୟ ଭୀଷଣ କ୍ରୋଧରେ ରାଜକୁମାର ଉତ୍ତରଙ୍କ ଆଡ଼କୁ ଅସ୍ତ୍ର ନିକ୍ଷେପ କଲେ ।
ଶଲ୍ୟଙ୍କ ଶକ୍ତିଶାଳୀ ଅସ୍ତ୍ରକୁ ରାଜକୁମାର ଉତ୍ତର ସହ୍ୟ କରିପାରିଲେନି । ତାଙ୍କର ପ୍ରାଣହୀନ ଶରୀର ହାତୀ ଉପରୁ ତଳକୁ ଟଳି ପଡ଼ିଲା । ଉତ୍ତର ନିହତ ହେଲାପରେ ଶଲ୍ୟ ତାଙ୍କ ରଥରୁ ଓହ୍ଲାଇ ପ୍ରଥମେ ସେ ହାତୀର ଶୁଣ୍ଢକୁ ଖଣ୍ଡାଧରି ହାଣି ପକାଇଲେ । ହାତୀର ଦେହ ସାରା ଶହ ଶହ ତୀର ପୂର୍ବରୁ ବିଦ୍ଧ ହୋଇଥିଲା, ଏବେ ତା'ର ଶୁଣ୍ଢ କଟିଯିବାରୁ ସେ ଗର୍ଜନ କରି ସେଇଠି ପ୍ରଣତ୍ୟାଗ କଲା ।
ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ଶ୍ୱେତ...
ଉତ୍ତରଙ୍କ ମୃତ୍ୟୁ ଦେଖି ତାଙ୍କ ଭାଇ ଶ୍ୱେତ ଦୁଃଖରେ ମ୍ରିୟମାଣ ହୋଇଗଲେ । ସଙ୍ଗେ ସଙ୍ଗେ ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ପରମ କ୍ରୋଧରେ ଶଲ୍ୟଙ୍କ ଉପରକୁ ମାଡ଼ି ଆସିଲେ । ଭୀଷଣ ଶକ୍ତି ପ୍ରୟୋଗ କରି ଶଲ୍ୟଙ୍କୁ ଆକ୍ରମଣ କଲେ । ଶ୍ୱେତଙ୍କ ଆକ୍ରମଣରୁ ଶଲ୍ୟଙ୍କୁ ସୁରକ୍ଷା ଦେବାକୁ କୌରବ ପକ୍ଷର ସାତଜଣ ବୀର ଆସି ଉପସ୍ଥିତ ହୋଇଗଲେ । ସେମାନେ ହେଲେ ଜୟସେନ, ବୃହଦବଳ, ଶଲ୍ୟଙ୍କ ପୁଅ ରୁକମରଥ, ଅବନ୍ତୀର ଯୁବରାଜ ବିନ୍ଦ ଅନୁବିନ୍ଦ, କାମ୍ବୋଜ ରାଜା ସୁଦକ୍ଷଣ ଓ ସିନ୍ଧୁରାଜା ଜୟଦ୍ରଥ ।
ଶଲ୍ୟଙ୍କୁ ସୁରକ୍ଷା ଦେବା ସହ ସାତଜଣ ବୀର ବିରାଟ ପୁତ୍ର ଶ୍ୱେତଙ୍କ ଉପରକୁ ଶର ବର୍ଷା କରିବାକୁ ଲାଗିଲେ । କିନ୍ତୁ ରାଜକୁମାର ଶ୍ୱେତ ସେଥିରେ ସାମାନ୍ୟ ବିଚଳିତ ନହୋଇ ସହଜରେ ସମସ୍ତ ଶରକୁ ଖଣ୍ଡ ଖଣ୍ଡ କରିପକାଇଲେ । ତା' ସାଙ୍ଗରେ ସପ୍ତରଥୀଙ୍କ ଧନୁକୁ ବି ଭାଙ୍ଗିପକାଇଲେ । ସେମାନେ ମିଳିତ ଭାବରେ ବି ଶ୍ୱେତଙ୍କୁ ସାମ୍ନା କରିପାରିଲେନି । ଶଲ୍ୟଙ୍କ ପୁଅଙ୍କ ଉଦ୍ଦେଶ୍ୟରେ ଶ୍ୱେତ ଏକ ବାଣ ପ୍ରୟୋଗ କଲେ ଯେ ସେ ସେଇଠି ମୂର୍ଚ୍ଛା ଗଲେ । ତାଙ୍କ ଜୀବନ ରକ୍ଷା କରିବାକୁ ତାଙ୍କ ରଥର ସାରଥି ସେଠୁ ତୁରନ୍ତ ରଥ ଧରି ଦୂରକୁ ଚାଲିଗଲା । ଅନ୍ୟ ରଥୀମାନଙ୍କର ରଥ ଧ୍ୱଜକୁ ଛିଡ଼ାଇଦେବା ସହ ଓ ରଥର ଘୋଡ଼ାମାନଙ୍କୁ ଶ୍ୱେତ ଅଳ୍ପ ସମୟ ଭିତରେ ମାରିପକାଇଲେ ।
ଏମିତି ଅବସ୍ଥା ଦେଖି ଦୁର୍ଯ୍ୟୋଧନ ଶ୍ୱେତଙ୍କ ସହ ଯୁଦ୍ଧ କରିବାକୁ ଅନ୍ୟ ଯୋଦ୍ଧାମାନଙ୍କୁ ଆଦେଶ ଦେଲେ । ଏକା ବେଳକେ ଅନେକ ଯୋଦ୍ଧା ଚାରିପାଖରୁ ଘେରି ଶ୍ୱେତଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଶ୍ୱେତଙ୍କ ସୁରକ୍ଷା ପାଇଁ ପାଣ୍ଡବ ପକ୍ଷର ବୀର ଯୋଦ୍ଧାମାନେ ଆସି କୌରବଙ୍କ ଯୋଦ୍ଧାଙ୍କୁ ପ୍ରତି ଆକ୍ରମଣ କଲେ । ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା ।
ୃଶହ ଶହ ସୈନିକଙ୍କ ସାଙ୍ଗରେ ଘୋଡ଼ା ହାତୀ ମରି ପଡୁଥା'ନ୍ତି । ସେମାନଙ୍କ କ୍ଷତାକ୍ତ ଦେହରୁ ରକ୍ତ ବହି ଯୁଦ୍ଧ କ୍ଷେତ୍ରକୁ କାଦୁଆ କରିଦେଇଥାଏ । ଚାରିଆଡ଼େ ଅସଂଖ୍ୟ ଭଙ୍ଗା ରଥର ଅଂଶ ବିଛାଡ଼ି ହୋଇ ପଡ଼ିଥାଏ । ତା'ରି ଭିତରେ ହୁଙ୍କାର ଦେଇ ସୈନ୍ୟମାନେ ଖଣ୍ଡା ଧରି ପରସ୍ପର ଭିତରେ ହଣା ହଣି ହେଉଥା'ନ୍ତି ।
ଭୀଷ୍ମ ଯେତିକି ବେଗରେ ପାଣ୍ଡବଙ୍କ ସୈନ୍ୟଙ୍କୁ ସଂହାର କରୁଥା'ନ୍ତି, ସେତିକି ବେଗରେ ରାଜକୁମାର ଶ୍ୱେତ କୌରବଙ୍କ ସୈନ୍ୟ ସଂହାର କରୁଥା'ନ୍ତି । ଭୀଷ୍ମ ଯେଉଁ ବେଗରେ ପାଣ୍ଡବ ସୈନ୍ୟଙ୍କୁ ପ୍ରଥମ ଦିନରୁ ସଂହାର କରିବା ଆରମ୍ଭ କରିଥିଲେ ରାଜକୁମାର ଶ୍ୱେତ ନଥିଲେ ମାତ୍ର ଗୋଟେ ଦିନରେ ହିଁ ପାଣ୍ଡବଙ୍କ ସବୁ ସୈନ୍ୟଙ୍କୁ ସେ ବିନାଶ କରିପକାଇଥା'ନ୍ତେ ।
ଭୀଷ୍ମ ଦେଖିଲେ ରାଜକୁମାର ଶ୍ୱେତଙ୍କୁ ନ ଅଟକାଇଲେ ସେ କୌରବଙ୍କ ପ୍ରଭୂତ କ୍ଷତି କରିବେ । ତେଣୁ ସେ ଆଉ ବିଳମ୍ବ ନକରି ତାଙ୍କ ରଥକୁ ଶ୍ୱେତଙ୍କ ପାଖକୁ ନେବାକୁ ରଥର ସାରଥିକୁ ଆଦେଶ ଦେଲେ ।
ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।
Taliban Legalises Domestic Violence: ସ୍ତ୍ରୀଙ୍କୁ ନିର୍ଯାତନା ଦେଇପାରିବେ ସ୍ବାମୀ, ମାଡ଼ ମାରିବା ଅପରାଧ ନୁହେଁ

Cyber Fraud Gang Busted: ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ପର୍ଦ୍ଦାଫାସ, ୧୫ ଜଣ ସାଇବର ଠକ ଗିରଫ

Excise Raid on Illegal Dance Bar: ପୁଣି ଫେରିଲା ପୁରୁଣା ଫିଭର୍; ଉଡୁଛି ଟଙ୍କା, ନାଚୁଛନ୍ତି ବାର ଡାନ୍ସର.. କୁଆଡେ ଗଲା ନିୟମ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)