Advertisment

Epic War’s Grim Start: ମହାଭାରତ ଯୁଦ୍ଧର ପ୍ରଥମ ଦିନରେ ଘଟିଥିଲା ଏମିତି ଘଟଣା, ନିହତ ହୋଇଥିଲେ ରାଜକୁମାର

କିଏ ପ୍ରଥମେ ଆରମ୍ଭ କଲା ଯୁଦ୍ଧ? ପାଣ୍ଡଵ ପକ୍ଷର କେଉଁ ବୀର ସାଙ୍ଗରେ କୌରବଙ୍କ କେଉଁ ପ୍ରତିପକ୍ଷ ବୀର ଯୁଦ୍ଧ ଲଢ଼ିଲେ?  ପ୍ରଥମ ଦିନ ଯୁଦ୍ଧରେ କେଉଁ ରାଜ କୁମାରଙ୍କର ବୀରଗତି ପ୍ରାପ୍ତ ହେଲା?  କିଏ ମାରିଲେ ତାଙ୍କୁ?  ମହାଭାରତ ଯୁଦ୍ଧର ପ୍ରଥମ ଦିନର କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ କୌରବ ଓ ପାଣ୍ଡବମାନେ ପରସ୍ପରଙ୍କ ଭିତରେ ଯୁଦ୍ଧ କରିବାକୁ ଅପେକ୍ଷା କରି ଛିଡ଼ା ହୋଇଥା'ନ୍ତି । ହଠାତ୍ ଯୁଧିଷ୍ଠିର ତାଙ୍କ ଯୁଦ୍ଧ ପୋଷାକ ଓ ଯୁଦ୍ଧ ଅସ୍ତ୍ର ପରିତ୍ୟାଗ କରି କୌରବମାନଙ୍କ ପକ୍ଷରେ ଯୁଦ୍ଧ କରୁଥିବା ଭୀଷ୍ମ, ଦ୍ରୋଣ, ଶଲ୍ୟ ଓ କୃପ ଆଦିଙ୍କ ପାଖରେ ପହଞ୍ଚିଲେ ଓ ଆଶୀର୍ବାଦ ଭିକ୍ଷା କଲେ । ଯୁଦ୍ଧର ଠିକ୍ ପୂର୍ବରୁ ଯୁଧିଷ୍ଠିରଙ୍କ ଆହ୍ୱାନ ଶୁଣି ଧୃତରାଷ୍ଟ୍ରଙ୍କର ଗୋଟେ ପୁଅ ଆସି ପାଣ୍ଡବଙ୍କ ଶିବିରରେ ଯୋଗ ଦେଲା ।

Advertisment

ଏ ସବୁ ସରିଲା ପରେ ଉଭୟ ପକ୍ଷରୁ ରଣ ବାଦ୍ୟ ବାଜି ଉଠିଲା । ଶିଙ୍ଗା, ଭେରୀ, ମୃଦଙ୍ଗ, ଢୋଲ, ଶଙ୍ଖ ଆଦିର ଶବ୍ଦ ସହ ହଜାର ହଜାର ଘୋଡ଼ା, ହାତୀ, ବୀର ଯୋଦ୍ଧାମାନଙ୍କର ସିଂହନାଦ, ସୈନ୍ୟମାନଙ୍କର ଚିତ୍କାର ମିଶି ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା । ଶେଷରେ ଯୁଦ୍ଧ ଆରମ୍ଭ ହେଲା । ପାଣ୍ଡବମାନଙ୍କ ଉପରେ କୌରବମାନେ ପ୍ରଥମେ ଆକ୍ରମଣ ଆରମ୍ଭ କଲେ । ଦୁଃଶାସନ କୌରବ ସେନାଙ୍କ ପରିଚାଳନା କରୁଥିବା ବେଳେ ପାଣ୍ଡବ ସେନାଙ୍କ ଆଗରେ ଥାଆନ୍ତି ପ୍ରତାପୀ ଭୀମସେନ ।

ଯୁଦ୍ଧ ଆରମ୍ଭ ହେଲାରୁ ବୀର ଯୋଦ୍ଧାମାନେ ସେମାନଙ୍କ ବରାବର ଯୋଦ୍ଧାଙ୍କୁ ସାମ୍ନା କଲେ । ପିତାମହ ଭୀଷ୍ମଙ୍କୁ ସାମ୍ନା କଲେ ଧନୁର୍ଦ୍ଧର ଅର୍ଜୁନ । ସେମିତି ପ୍ରତିପକ୍ଷ ଦ୍ରୋଣାଚାର୍ଯ୍ୟଙ୍କ ସହ ଧୃଷ୍ଟଦ୍ୟୁମ୍ନ, ଭୀମଙ୍କ ସହ ଦୁର୍ଯ୍ୟୋଧନ, ନକୁଳଙ୍କ ସହ ଦୁଃଶାସନ, ଶଲ୍ୟଙ୍କ ସହ ଯୁଧିଷ୍ଠିର, ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କ ସହ କୋଶାଳାଧିପତି ବୃହଦବଳ, ଭୀମଙ୍କ ପୁଅ ଘଟତ୍କୋଚଙ୍କ ସହିତ ଅଳମ୍ବୁଷ ରାକ୍ଷସ, ଭଗଦତ୍ତଙ୍କ ସହ ରାଜା ବିରାଟ ଓ ରାଜା ଦ୍ରୁପଦଙ୍କ ସହ ଜୟଦ୍ରଥ ଯୁଦ୍ଧ ଆରମ୍ଭ କଲେ । ସେହିପରି ସୁଶର୍ମାଙ୍କ ସହ ଚେକିତାନ ଓ ସୁଦକ୍ଷୀଣଙ୍କ ସହ ଶ୍ରୁତବର୍ମାଙ୍କର ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା ।

Advertisment

ଅର୍ଜୁନ ଓ ଭୀଷ୍ମଦେବଙ୍କ ଭିତରେ ଚାଲିଥିବା ତୁମୁଳ ଯୁଦ୍ଧରେ କେହି କାହାକୁ ବିଚଳିତ କରିପାରୁନଥାନ୍ତି । ଏକେ ଆରକୁ ବଳି ଯୋଦ୍ଧା । କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନଥା'ନ୍ତି । ନକୁଳଙ୍କ ଉପରେ ଦୁଃଶାସନ ପ୍ରାଣାନ୍ତକ ଆକ୍ରମଣ କଲେ । ନକୁଳ ହସି ହସି କାଳ ବିଳମ୍ବ ନକରି ଦୁଃଶାସନଙ୍କ ରଥର ଧ୍ୱଜ ଓ ଶରାସନକୁ ଛେଦନ କରିଦେଲେ ।

ସେତିକିବେଳେ ସହଦେବ ଦୁର୍ମୁଖର ସାରଥିକୁ ରଥ ଉପରୁ ଖସେଇଦେଲେ । ଯୁଧିଷ୍ଠିରଙ୍କ ଉପରକୁ ତୀର ମାରି ଶଲ୍ୟ ତାଙ୍କ ଧନୁକୁ ଭାଙ୍ଗିପକେଇଲେ । କିନ୍ତୁ ଯୁଧିଷ୍ଠିର ବିଜୁଳି ବେଗରେ ଭଙ୍ଗା ଧନୁକୁ ଛାଡି ଆଉ ଏକ ଧନୁ ଧରିଲେ ଓ ଶଲ୍ୟଙ୍କ ଉପରକୁ ତୀର ବର୍ଷା କରିବାକୁ ଲାଗିଲେ । ଶଲ୍ୟ ଆଉ ବେଶି ସମୟ ଯୁଧିଷ୍ଠିରଙ୍କ ତୀର ବର୍ଷାକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଲେ ।

ପାଣ୍ଡବ ପକ୍ଷର ଓ କୌରବ ପକ୍ଷର ହଜାର ହଜାର ପଦାତିକ ସୈନ୍ୟ, ରଥି, ଅଶ୍ୱାରୋହୀ, ଗଜାରୋହୀ ଘନ ଘୋର ଯୁଦ୍ଧରେ ଲଢ଼ିବାକୁ ଲାଗିଲେ । ଯୁଦ୍ଧ ବେଳକୁ ସମସ୍ତେ ପରସ୍ପର ଭିତରେ ସବୁପ୍ରକାର ସମ୍ପର୍କକୁ ଭୁଲି ପରସ୍ପରକୁ ମରଣାନ୍ତକ ଆକ୍ରମଣ କରୁଥା'ନ୍ତି । ମାରିବା ଓ ମରିବା ଛଡ଼ା କାହା ଭିତରେ ଆଉକିଛି ଜ୍ଞାନ ନଥାଏ ।  ଆଖି ପିଛୁଳାରେ ଶହ ଶହ ସୈନ୍ୟ ଶରାଘାତ ଓ ଶସ୍ତ୍ରାଘାତରେ ମରି ମାଟିରେ ଲୋଟୁଥାନ୍ତି । ଚାରିଦିଗ ଯୁଦ୍ଧର ହୁଙ୍କାର ଓ ଆର୍ତ୍ତ ଚିତ୍କାର କୋଳାହଳମୟ ହୋଇ ଉଠୁଥାଏ ।

ଦୁର୍ଯ୍ୟୋଧନଙ୍କ ଆଦେଶ କ୍ରମେ ଦୁର୍ମୁଖ, କୃତବର୍ମା, କୃପ,ଶଲ୍ୟ ଓ ବିବିଂଶତି ମିଶି ପିତାମହ ଭୀଷ୍ମଙ୍କ ପାଖରେ ରହି ତାଙ୍କୁ ସୁରକ୍ଷା ଦେଉଥା'ନ୍ତି । ଭୀଷ୍ମ ତାଙ୍କ ଆଗରେ ଥିବା ସୈନ୍ୟମାନଙ୍କୁ  ନିର୍ଦୟ ଭାବରେ ହତ୍ୟା କରିବାରେ ଲାଗିଥା'ନ୍ତି । ଭୀଷ୍ମଙ୍କ ବାଣ ପ୍ରକୋପରେ ଯୁଦ୍ଧହସ୍ତୀମାନେ ବିକଳରେ ପ୍ରଳାପ କରିବାକୁ ଲାଗିଲେ । ପାଣ୍ଡବ ପକ୍ଷର ସୈନ୍ୟ ସଂହାର ଦେଖି ଅଭିମନ୍ୟୁ ପ୍ରବଳ ବେଗରେ ତାଙ୍କ ରଥକୁ ଭୀଷ୍ମଙ୍କ ରଥ ପାଖକୁ ଆଣିଦେଲେ ଓ ଭୀଷ୍ମଙ୍କୁ ସୁରକ୍ଷା ଦେଉଥିବା ପାଞ୍ଚ ରଥି ଓ ପିତାମହଙ୍କ ଉଦ୍ଦେଶ୍ୟରେ  ତୀର ବର୍ଷା କରିବାକୁ ଲାଗିଲେ ।

କୃପାଚାର୍ଯ୍ୟଙ୍କ ଧନୁକୁ ଭାଙ୍ଗିଲେ ଅଭିମନ୍ୟୁ 

ଭୀଷ୍ମଙ୍କ ଧ୍ୱଜ ପ୍ରତି ଗୋଟେ ବାଣ, କୃତବର୍ମାଙ୍କୁ ଗୋଟେ ବାଣ ଓ ଶଲ୍ୟଙ୍କୁ ପାଞ୍ଚ ବାଣ ନିକ୍ଷେପ କଲେ । ତାପରେ ଦୁର୍ମୁଖଙ୍କ ସାରଥିର ମୁଣ୍ଡକୁ ଭଲ୍ଲ ମାରି କାନ୍ଧରୁ ଖସେଇ ଦେଲେ । ସେତିକିରେ ନ ଅଟକି ଅଭିମନ୍ୟୁ ଭଲ୍ଲ ଦ୍ୱାରା କୃପାଚାର୍ଯ୍ୟଙ୍କ ଧନୁକୁ ମଧ୍ୟ ଭାଙ୍ଗିପକାଇଲେ । ଅଭିମନ୍ୟୁଙ୍କ ବୀରତ୍ୱ ଓ ଅସ୍ତ୍ର ଚାଳନା ଦେଖି ଭୀଷ୍ମ ଆଦି ବୀରମାନେ ଅଭିଭୂତ ହୋଇ ବୀର ଧନଞ୍ଜୟଙ୍କ ଅସ୍ତ୍ର ଚାଳନାକୁ ମନେ ପକାଉଥା'ନ୍ତି । ଭୀଷ୍ମ ଆଉ ଡେରି ନକରି ଅସ୍ତ୍ର ପ୍ରୟୋଗ କରି ଅଭିମନ୍ୟୁଙ୍କ ରଥର ଧ୍ୱଜକୁ ଭାଙ୍ଗିଦେଲେ ଓ ତାଙ୍କ ସାରଥିକୁ ଆହତ କରିପକାଇଲେ । କୃତବର୍ମ, ଶଲ୍ୟ ଓ କୃପ ମଧ୍ୟ ଅଭିମନ୍ୟୁଙ୍କୁ ଘେରି ଯାଇ ସମୂହ ଭାବରେ ଶର ପ୍ରହାର କରୁଥା'ନ୍ତି, କିନ୍ତୁ ଅଭିମନ୍ୟୁ ଅବିଚଳିତ ଭାବରେ ସମସ୍ତଙ୍କୁ ପ୍ରତିହତ କରି ବୀର ଦର୍ପରେ ଯୁଦ୍ଧ କରୁଥା'ନ୍ତି ।

ଭୀଷ୍ମ ପ୍ରବଳ ପରାକ୍ରମରେ ଅଭିମନ୍ୟୁଙ୍କ ପ୍ରତି ଏକାଥରେ ନଅଟି ବାଣ ପେଷିଲେ। ଭୀଷ୍ମଙ୍କ ଶର ସହ କୃପ, ଶଲ୍ୟ ଓ କୃତବର୍ମ ମଧ୍ୟ ଅଭିମନ୍ୟୁଙ୍କ ଉଦ୍ଦେଶ୍ୟରେ ମିଳିତ ଭାବରେ ଶର ସନ୍ଧାନ କଲେ । କିନ୍ତୁ ଅଭିମନ୍ୟୁ ବିଚଳିତ ନହୋଇ ଆହୁରି ଦୃଢ଼ ଭାବରେ ସମସ୍ତଙ୍କୁ ଏକାସାଙ୍ଗରେ ମୁକାବିଲା କରିବା ସହ ଶର ମାରି ପିତାମହଙ୍କ ରଥର ଧ୍ୱଜକୁ ଛେଦନ କରିପକାଇଲେ । ଅଭିମନ୍ୟୁ କୌରବ ସେନାପତି ଭୀଷ୍ମଙ୍କ ରଥର ଧ୍ୱଜ ଛିଡ଼ାଇ ପକାଇବା ଦେଖି ଭୀମ ଅତି ଉଚ୍ଚ ସ୍ୱରରେ ସିଂହନାଦ କରିବାକୁ ଲାଗିଲେ ।

ଅଭିମନ୍ୟୁ ଏକା ଏକା କୌରବଙ୍କ ଚାରିଜଣ ବୀରଙ୍କ ସହ ଲଢୁଥିବାର ଦେଖି ଭୀମସେନ, ବିରାଟ, ଧୃଷ୍ଟଦ୍ୟୁମ୍ନ,ସାତ୍ୟକି ଆସି ତାଙ୍କୁ ସୁରକ୍ଷା ଦେବାକୁ ଲାଗିଲେ । ବିରାଟ ରାଜାଙ୍କ ପୁଅ ଉତ୍ତର ସେତିକିବେଳେ ଗୋଟେ ବିଶାଳ ହାତୀ ଉପରେ ଆସି ଶଲ୍ୟଙ୍କୁ ଆକ୍ରମଣ କଲେ । ଉତ୍ତର ବସିଥିବା ହାତୀ ଏତେ ପ୍ରବଳ ଗତିରେ ଆସି ଶଲ୍ୟଙ୍କ ରଥକୁ ଆକ୍ରମଣ କଲା ଯେ ଶଲ୍ୟଙ୍କ ରଥର ଚାରୋଟି ଯାକ ଘୋଡ଼ା ହାତୀର ପାଦ ତଳେ ଚକଟି ହୋଇ ମରିଗଲେ । ଏଥିରେ ଶଲ୍ୟ ଭୀଷଣ କ୍ରୋଧରେ ରାଜକୁମାର ଉତ୍ତରଙ୍କ ଆଡ଼କୁ ଅସ୍ତ୍ର ନିକ୍ଷେପ କଲେ ।

ଶଲ୍ୟଙ୍କ ଶକ୍ତିଶାଳୀ ଅସ୍ତ୍ରକୁ ରାଜକୁମାର ଉତ୍ତର ସହ୍ୟ କରିପାରିଲେନି । ତାଙ୍କର ପ୍ରାଣହୀନ ଶରୀର ହାତୀ ଉପରୁ ତଳକୁ ଟଳି ପଡ଼ିଲା । ଉତ୍ତର ନିହତ ହେଲାପରେ ଶଲ୍ୟ ତାଙ୍କ ରଥରୁ ଓହ୍ଲାଇ ପ୍ରଥମେ ସେ ହାତୀର ଶୁଣ୍ଢକୁ ଖଣ୍ଡାଧରି ହାଣି ପକାଇଲେ । ହାତୀର ଦେହ ସାରା ଶହ ଶହ ତୀର ପୂର୍ବରୁ ବିଦ୍ଧ ହୋଇଥିଲା, ଏବେ ତା'ର ଶୁଣ୍ଢ କଟିଯିବାରୁ ସେ ଗର୍ଜନ କରି ସେଇଠି ପ୍ରଣତ୍ୟାଗ କଲା ।

ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ଶ୍ୱେତ...

ଉତ୍ତରଙ୍କ ମୃତ୍ୟୁ ଦେଖି ତାଙ୍କ ଭାଇ ଶ୍ୱେତ ଦୁଃଖରେ ମ୍ରିୟମାଣ ହୋଇଗଲେ । ସଙ୍ଗେ ସଙ୍ଗେ ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ପରମ କ୍ରୋଧରେ ଶଲ୍ୟଙ୍କ ଉପରକୁ ମାଡ଼ି ଆସିଲେ । ଭୀଷଣ ଶକ୍ତି ପ୍ରୟୋଗ କରି ଶଲ୍ୟଙ୍କୁ ଆକ୍ରମଣ କଲେ । ଶ୍ୱେତଙ୍କ ଆକ୍ରମଣରୁ ଶଲ୍ୟଙ୍କୁ ସୁରକ୍ଷା ଦେବାକୁ କୌରବ ପକ୍ଷର ସାତଜଣ ବୀର ଆସି ଉପସ୍ଥିତ ହୋଇଗଲେ । ସେମାନେ ହେଲେ ଜୟସେନ, ବୃହଦବଳ, ଶଲ୍ୟଙ୍କ ପୁଅ ରୁକମରଥ, ଅବନ୍ତୀର ଯୁବରାଜ ବିନ୍ଦ ଅନୁବିନ୍ଦ, କାମ୍ବୋଜ ରାଜା ସୁଦକ୍ଷଣ ଓ ସିନ୍ଧୁରାଜା ଜୟଦ୍ରଥ । 

ଶଲ୍ୟଙ୍କୁ ସୁରକ୍ଷା ଦେବା ସହ ସାତଜଣ ବୀର ବିରାଟ ପୁତ୍ର ଶ୍ୱେତଙ୍କ ଉପରକୁ ଶର ବର୍ଷା କରିବାକୁ ଲାଗିଲେ । କିନ୍ତୁ ରାଜକୁମାର ଶ୍ୱେତ ସେଥିରେ ସାମାନ୍ୟ ବିଚଳିତ ନହୋଇ ସହଜରେ ସମସ୍ତ ଶରକୁ ଖଣ୍ଡ ଖଣ୍ଡ କରିପକାଇଲେ । ତା' ସାଙ୍ଗରେ ସପ୍ତରଥୀଙ୍କ ଧନୁକୁ ବି ଭାଙ୍ଗିପକାଇଲେ । ସେମାନେ ମିଳିତ ଭାବରେ ବି ଶ୍ୱେତଙ୍କୁ ସାମ୍ନା କରିପାରିଲେନି । ଶଲ୍ୟଙ୍କ ପୁଅଙ୍କ ଉଦ୍ଦେଶ୍ୟରେ ଶ୍ୱେତ ଏକ ବାଣ ପ୍ରୟୋଗ କଲେ ଯେ ସେ ସେଇଠି ମୂର୍ଚ୍ଛା ଗଲେ । ତାଙ୍କ ଜୀବନ ରକ୍ଷା କରିବାକୁ ତାଙ୍କ ରଥର ସାରଥି ସେଠୁ ତୁରନ୍ତ ରଥ ଧରି ଦୂରକୁ ଚାଲିଗଲା । ଅନ୍ୟ ରଥୀମାନଙ୍କର ରଥ ଧ୍ୱଜକୁ ଛିଡ଼ାଇଦେବା ସହ ଓ ରଥର ଘୋଡ଼ାମାନଙ୍କୁ ଶ୍ୱେତ ଅଳ୍ପ ସମୟ ଭିତରେ ମାରିପକାଇଲେ ।

ଏମିତି ଅବସ୍ଥା ଦେଖି ଦୁର୍ଯ୍ୟୋଧନ ଶ୍ୱେତଙ୍କ ସହ ଯୁଦ୍ଧ କରିବାକୁ ଅନ୍ୟ ଯୋଦ୍ଧାମାନଙ୍କୁ ଆଦେଶ ଦେଲେ । ଏକା ବେଳକେ ଅନେକ ଯୋଦ୍ଧା ଚାରିପାଖରୁ ଘେରି ଶ୍ୱେତଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଶ୍ୱେତଙ୍କ ସୁରକ୍ଷା ପାଇଁ ପାଣ୍ଡବ ପକ୍ଷର ବୀର ଯୋଦ୍ଧାମାନେ ଆସି କୌରବଙ୍କ ଯୋଦ୍ଧାଙ୍କୁ ପ୍ରତି ଆକ୍ରମଣ କଲେ । ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା ।

ୃଶହ ଶହ ସୈନିକଙ୍କ ସାଙ୍ଗରେ ଘୋଡ଼ା ହାତୀ ମରି ପଡୁଥା'ନ୍ତି । ସେମାନଙ୍କ କ୍ଷତାକ୍ତ ଦେହରୁ ରକ୍ତ ବହି ଯୁଦ୍ଧ କ୍ଷେତ୍ରକୁ କାଦୁଆ କରିଦେଇଥାଏ । ଚାରିଆଡ଼େ ଅସଂଖ୍ୟ ଭଙ୍ଗା ରଥର ଅଂଶ ବିଛାଡ଼ି ହୋଇ ପଡ଼ିଥାଏ । ତା'ରି ଭିତରେ ହୁଙ୍କାର ଦେଇ ସୈନ୍ୟମାନେ ଖଣ୍ଡା ଧରି ପରସ୍ପର ଭିତରେ ହଣା ହଣି ହେଉଥା'ନ୍ତି ।

ଭୀଷ୍ମ ଯେତିକି ବେଗରେ ପାଣ୍ଡବଙ୍କ ସୈନ୍ୟଙ୍କୁ ସଂହାର କରୁଥା'ନ୍ତି, ସେତିକି ବେଗରେ ରାଜକୁମାର ଶ୍ୱେତ କୌରବଙ୍କ ସୈନ୍ୟ ସଂହାର କରୁଥା'ନ୍ତି । ଭୀଷ୍ମ ଯେଉଁ ବେଗରେ ପାଣ୍ଡବ ସୈନ୍ୟଙ୍କୁ ପ୍ରଥମ ଦିନରୁ ସଂହାର କରିବା ଆରମ୍ଭ କରିଥିଲେ ରାଜକୁମାର ଶ୍ୱେତ ନଥିଲେ ମାତ୍ର ଗୋଟେ ଦିନରେ ହିଁ ପାଣ୍ଡବଙ୍କ ସବୁ ସୈନ୍ୟଙ୍କୁ ସେ ବିନାଶ କରିପକାଇଥା'ନ୍ତେ ।

ଭୀଷ୍ମ ଦେଖିଲେ ରାଜକୁମାର ଶ୍ୱେତଙ୍କୁ ନ ଅଟକାଇଲେ ସେ କୌରବଙ୍କ ପ୍ରଭୂତ କ୍ଷତି କରିବେ । ତେଣୁ ସେ ଆଉ ବିଳମ୍ବ ନକରି ତାଙ୍କ ରଥକୁ ଶ୍ୱେତଙ୍କ ପାଖକୁ ନେବାକୁ ରଥର ସାରଥିକୁ ଆଦେଶ ଦେଲେ ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ । 

Mahabharat War
Advertisment
Related Articles
Advertisment