/odishatv-khabar/media/media_files/2026/01/31/mahabharat-2026-01-31-17-04-34.jpg)
mahabharat Photograph: (OTV)
କୁରୁକ୍ଷେତ୍ରର ମଝିରେ ଠିଆ ହୋଇ ରହିଥାଏ ଅର୍ଜୁନଙ୍କ ରଥ । ଦୁଇ ପାଖରେ ଯୁଦ୍ଧକୁ ଅପେକ୍ଷା କରି ରହିଥାଏ କୌରବ ଓ ପାଣ୍ଡବଙ୍କ ସୈନ୍ୟ ବାହିନୀ । ଅର୍ଜୁନଙ୍କ ସମସ୍ତ ବିଷାଦ ଓ ଦ୍ୱିଧାକୁ ଦୂର କରିବାକୁ ଶ୍ରୀକୃଷ୍ଣ ଅନେକ କଥା କହି ବୁଝାଇଲେ ଓ ଶେଷରେ ନିଜର ବିଶ୍ୱରୂପ ପ୍ରକଟ କଲେ । ଅର୍ଜୁନ ବୁଝିଲେ ଯାହା ହେବା କଥା ହୋଇ ସାରିଛି । ତାଙ୍କ ସାମ୍ନାରେ ଠିଆ ବୀର ମଣିଷମାନେ ସମସ୍ତେ କାଳର କବଳରେ କବଳିତ । ସେ ନିଜେ ନିମିତ୍ତ ମାତ୍ର ।
ଅର୍ଜୁନ ଯୁଦ୍ଧ କରିବାକୁ ରାଜି ହୋଇଗଲେ । ପୁଣି ଥରେ ବୀର ଦର୍ପରେ ଗାଣ୍ଡିବ ଧରି ଠିଆ ହେଲେ ଓ ଶଙ୍ଖନାଦ କଲେ । ଅର୍ଜୁନଙ୍କ ଶଙ୍ଖନାଦ ଶୁଣି ପାଣ୍ଡବପକ୍ଷର ବୀରମାନେ ମଧ୍ୟ ହର୍ଷ ଉଲ୍ଲାସରେ ଶଙ୍ଖନାଦ କରିବାକୁ ଲାଗିଲେ । ସେତିକିବେଳେ ଦେଖିବାକୁ ମିଳିଲା ଯୁଧିଷ୍ଠିର ଆପଣା ଅସ୍ତ୍ର ତ୍ୟାଗକରି ଓ ଅଙ୍ଗରୁ କବଚ ଖୋଲିଦେଇ କୌରବ ସୈନ୍ୟଙ୍କ ଦିଗରେ ଚାଲି ଚାଲି ଯାଉଛନ୍ତି ।
ଯୁଧିଷ୍ଠିରଙ୍କର ଏପରି ଅସ୍ତ୍ର ଓ କବଚ ତ୍ୟାଗ କରି ଶତ୍ରୁ ସୈନ୍ୟବାହିନୀ ଦିଗରେ ଚାଲିକରି ଯିବା ଦେଖି ତାଙ୍କ ପଛେ ପଛେ ଅର୍ଜୁନ, ଭୀମ, ନକୁଳ ଓ ସହଦେବ କିଛି ବୁଝିନପାରି ବ୍ୟସ୍ତ ହୋଇ ଆପଣା ଆପଣା ରଥରୁ ଓହ୍ଲାଇ ଚାଲିବାକୁ ଲାଗିଲେ । ସମସ୍ତେ ପଚାରିବାକୁ ଲାଗିଲେ, "ହେ ଜ୍ୟେଷ୍ଠ ଭ୍ରାତା ! ଦୁଇ ପକ୍ଷର ସେନାପତି, ସୈନ୍ୟ ଯୁଦ୍ଧ ପାଇଁ ଅପେକ୍ଷା କରି ଛିଡ଼ା ହୋଇଛନ୍ତି । ଏତିକିବେଳେ ଆପଣ ଅସ୍ତ୍ର ଶସ୍ତ୍ର ତ୍ୟାଗକରି ଶତ୍ରୁମାନଙ୍କ ଦିଗରେ କ'ଣ ପାଇଁ ଯାଉଛନ୍ତି?
ଯୁଧିଷ୍ଠିର କିଛି ନକହି ତାଙ୍କ ବାଟରେ ଚାଲୁଥା'ନ୍ତି । ଅର୍ଜୁନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଶ୍ରୀକୃଷ୍ଣଙ୍କୁ ଚାହିଁବାରୁ କୃଷ୍ଣ ସ୍ମିତ ହାସ ଖେଳାଇ କହିଲେ ମୁଁ ବୁଝିପାରୁଛି ଯୁଧିଷ୍ଠିର କୁଆଡ଼େ ଯାଉଛନ୍ତି । ଶାସ୍ତ୍ର ଅନୁସାରେ ଗୁରୁଜନଙ୍କର ବିନା ଅନୁମତିରେ କାହା ସହ ଯୁଦ୍ଧ କରିବା ଉଚିତ ନୁହେଁ । ଯିଏ ଗୁରୁଜନଙ୍କ ବିନା ଅନୁମତିରେ ଶତ୍ରୁ ସହ ଯୁଦ୍ଧ କରେ, ତା'ର ଅମଙ୍ଗଳ ହୁଏ । ତେଣୁ ଯୁଦ୍ଧ ପୂର୍ବରୁ ଯୁଧିଷ୍ଠିର ଏବେ ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ, ତୁମମାନଙ୍କ ମାମୁ ଶଲ୍ୟଙ୍କ ପାଖରୁ ଯୁଦ୍ଧ ପାଇଁ ଅନୁମତି ଓ ଆଶୀର୍ବାଦ ଆଣିବାକୁ ଯାଉଛନ୍ତି ।
ଯୁଧିଷ୍ଠିର ଓ ତାଙ୍କ ସାନ ଭାଇମାନେ କୃଷ୍ଣଙ୍କୁ ସାଙ୍ଗରେ ଧରି କୌରବ ସେନାଙ୍କ ଦିଗରେ ଆସୁଥିବାର ଦେଖି କୌରବ ପକ୍ଷରେ ଯୋଗ ଦେଇଥିବା ରାଜା ଓ ସୈନ୍ୟ ସାମନ୍ତମାନେ କଥା ହେବାକୁ ଲାଗିଲେ ଯେ, ଯୁଧିଷ୍ଠିର ନିଶ୍ଚୟ କୌରବଙ୍କ ବଳ ଦେଖି ଭୟ ପାଇଗଲେ । ସେଇଥିପାଇଁ ଅସ୍ତ୍ର ତ୍ୟାଗ କରି କ୍ଷମା ପାର୍ଥନା କରିବାକୁ ଆସୁଛନ୍ତି । ପାଣ୍ଡବ ଭାଇମାନଙ୍କୁ ଭୀରୁ ଓ ଦୁର୍ବଳ ଅଖ୍ୟା ଦେଇ କୌରବ ସେନାମାନେ ପାଣ୍ଡବମାନଙ୍କ ଉଦ୍ଦେଶ୍ୟରେ ଅପମାନଜନକ କଥା କହି ଖୁସି ହେଉଥା'ନ୍ତି ଓ ନିଜ ନିଜର ଶୌର୍ଯ୍ୟ ଓ ବୀରତ୍ୱକୁ ନେଇ ଗର୍ବ କରୁଥା'ନ୍ତି ।
ଯୁଧିଷ୍ଠିର ଚାଲି ଚାଲି ପ୍ରଥମେ କୌରବଙ୍କ ସେନାପତି ପିତାମହ ଭୀଷ୍ମଙ୍କ ରଥ ପାଖରେ ପହଞ୍ଚିଲେ ଓ ଭୀଷ୍ମଙ୍କ ପାଦ ଛୁଇଁଲେ । ତାଙ୍କ ସାଙ୍ଗରେ ଥିବା ଅନ୍ୟ ପାଣ୍ଡବ ଭାଇମାନେ ବି ଭୀଷ୍ମଙ୍କ ପାଦ ଛୁଇଁଲେ । ଯୁଧିଷ୍ଠିର କହିଲେ, "ହେ ପିତାମହ! ଆମେ ଏବେ ଆପଣଙ୍କ ସହ ଯୁଦ୍ଧ କରିବାକୁ ବାହାରିଛୁ । ସେଥିପାଇଁ ଆମକୁ ଅନୁମତି ଦିଅନ୍ତୁ ଓ ଯୁଦ୍ଧରେ ବିଜୟ ଲାଭ କରିବାକୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।"
ଭୀଷ୍ମ କହିଲେ, "ହେ ଯୁଧିଷ୍ଠିର ! ତୁମେ ଯଦି ମୋ ପାଖକୁ ଯୁଦ୍ଧ ପୂର୍ବରୁ ଆସିନଥା'ନ୍ତ, ତେବେ ମୁଁ ନିଶ୍ଚୟ ତୁମ ପରାଭବ ପାଇଁ ଅଭିଶାପ ଦେଇଥା'ନ୍ତି । ତୁମେ ଆସି ଭଲ କଲ । ତୁମକୁ ମୁଁ ଆଶୀର୍ବାଦ କରୁଛି । ତୁମେ ଯୁଦ୍ଧ କର ଓ ବିଜୟ ଲାଭ କର । ତୁମର ସମସ୍ତ ଅଭିଳାଷ ପୂରଣ ହେଉ । ମନେରଖ, ପୁରୁଷ ଅର୍ଥର ଦାସ । କିନ୍ତୁ ଅର୍ଥ କାହାର ବି ଦାସ ନୁହେଁ । ଏହା ସତ କଥା ଯେ, ମୁଁ ଅର୍ଥ ଦ୍ୱାରା କୌରବଙ୍କ ସହ ଯୋଡ଼ିହୋଇ ରହିଛି । କୌରବଙ୍କ ଅନ୍ନରେ ପ୍ରତିପାଳିତ ହେଉଛି । ତେଣୁ ଯୁଦ୍ଧର ପକ୍ଷ କଥା ଛାଡ଼ି ତୁମେ ଆଜି ମୋତେ କିଛି ବି ମାଗିପାର ।"
ଯୁଧିଷ୍ଠିର କହିଲେ, "ହେ ପିତାମହ! ତେବେ ମୋତେ ଆପଣଙ୍କୁ ପରାଜିତ କରିବାର ବାଟ କୁହନ୍ତୁ । କାରଣ ମୁଁ ଜାଣିଛି ସେନାପତି ଭାବରେ ଆପଣ କୌରବ ସେନାଙ୍କ ସହ ଥିବା ପର୍ଯ୍ୟନ୍ତ କେହି ସେମାନଙ୍କୁ ପରାଜିତ କରିପାରିବେନି ।"
ସ୍ୱୟଂ ଦେବରାଜ ଇନ୍ଦ୍ର ଆସିଲେ ବି ପରାଜିତ କରିପାରିବେନି
ଭୀଷ୍ମ କହିଲେ, "ହେ ପୁତ୍ର! ମୋତେ ପରାଜିତ କଲା ପରି ବୀର ଏଠାରେ କେହି ନାହାଁନ୍ତି । ମୁଁ ଇଚ୍ଛାମୃତ୍ୟୁର ଅଧିକାରୀ । ସ୍ୱୟଂ ଦେବରାଜ ଇନ୍ଦ୍ର ଆସିଲେ ବି ମୋତେ ପରାଜିତ କରିପାରିବେନି । ତାପରେ ଏବେ ମୋର ମୃତ୍ୟୁର ସମୟ ଆସିନି । ସେ ରହସ୍ୟ ଜାଣିବାକୁ ତୁମକୁ ମୋ ପାଖକୁ ଆଉଥରେ ଆସିବାକୁ ପଡ଼ିବ ।"
ଯୁଧିଷ୍ଠିର ଓ ଅନ୍ୟମାନେ ଭୀଷ୍ମଙ୍କୁ ପ୍ରଣାମ କରି ଆଚାର୍ଯ୍ୟ ଦ୍ରୋଣଙ୍କ ପାଖକୁ ଗଲେ । ଦ୍ରୋଣଙ୍କୁ ପ୍ରଣାମ କରି ଯୁଦ୍ଧ ପାଇଁ ଅନୁମତି ଓ ଆଶୀର୍ବାଦ ଲୋଡ଼ିଲେ । ଦ୍ରୋଣ କହିଲେ, "ହେ ଯୁଧିଷ୍ଠିର ! ତୁମେ ଯୁଦ୍ଧ ପୂର୍ବରୁ ମୋ ପାଖକୁ ଆସିନଥିଲେ ମୁଁ ନିଶ୍ଚୟ ତୁମ ପରାଭବ ପାଇଁ ଅଭିଶାପ ଦେଇଥା'ନ୍ତି । ତୁମକୁ ମୁଁ ଆଶୀର୍ବାଦ ଦେଉଛି ତୁମେ ଯୁଦ୍ଧରେ ବିଜୟ ଲାଭ କର । ମୋର କିଛି କହିବାର ନାହିଁ । କେବଳ ଅର୍ଥ ପାଇଁ ମୁଁ କୁରୁ ସିଂହାସନ ସହ ବନ୍ଧା ହୋଇ ରହିଛି । ମୁଁ କୌରବ ପକ୍ଷରେ ଯୁଦ୍ଧ କଲେ ମଧ୍ୟ ପାଣ୍ଡବମାନଙ୍କ ବିଜୟ ପାଇଁ ନିଶ୍ଚୟ ପ୍ରାର୍ଥନା କରିବି । କୃଷ୍ଣ ଯେଉଁଠି ଧର୍ମ ସେଇଠି । ଆଉ ଧର୍ମ ଯେଉଁଠି ବିଜୟ ସେଇଠି ।"
ଯୁଧିଷ୍ଠିର ହାତ ଯୋଡ଼ି କହିଲେ, "ହେ ଗୁରୁଦେବ ! ମୁଁ ଜାଣିଛି ଆପଣ ଅପରାଜେୟ । ଆପଣଙ୍କୁ ପୁଣି କିଏ ପରାଜିତ କରିବ? ତେଣୁ ଯେତେବେଳେ ପାଣ୍ଡବମାନଙ୍କୁ 'ବିଜୟୀ ଭବ' କହି ଆଶୀର୍ବାଦ ଦେଇଛନ୍ତି ସେତେବେଳେ ଆପଣଙ୍କୁ ପରାଜିତ କରିବାର ଉପାୟ ବି କୁହନ୍ତୁ ।"
ଦ୍ରୋଣ କହିଲେ, "ହେ ଯୁଧିଷ୍ଠିର ! ମୁଁ ଅସ୍ତ୍ର ଧରିଥିବା ପର୍ଯ୍ୟନ୍ତ ତୁମ ବିଜୟ କଥା ଭୁଲିଯାଅ । ତେଣୁ ବରଂ ମୋର ନିଧନ ପାଇଁ ଉପାୟ ଖୋଜ ।"
ଦ୍ରୋଣଙ୍କ ଏପରି କଥା ଶୁଣି ଯୁଧିଷ୍ଠିର କହିଲେ, "ହେ ଗୁରୁଦେବ ! ମୁଁ ଅତି ଦୁଃଖର ସହ ପଚାରୁଛି ଯେ ଆପଣଙ୍କ ମୃତ୍ୟୁର ରହସ୍ୟ ମୋତେ କୁହନ୍ତୁ ।"
ଯୁଧିଷ୍ଠିରଙ୍କ ପ୍ରଶ୍ନ ଶୁଣି ଦ୍ରୋଣ କହିଲେ, "ବତ୍ସ ! ମୁଁ ଅସ୍ତ୍ର ଧରି ଯୁଦ୍ଧ କ୍ଷେତ୍ରରେ ଠିଆ ହୋଇଥିବା ବେଳେ ମୋର କେହି କିଛି ବି କ୍ଷତି କରିପାରିବେନି । କିନ୍ତୁ ମୁଁ ଅସ୍ତ୍ର ତ୍ୟାଗ କରି ଯୋଗ କରୁଥିବା ବେଳେ ମୋତେ ହତ୍ୟା କରାଯାଇପାରେ । ତାପରେ ସତ କଥା କହୁଥିବା ବ୍ୟକ୍ତି ମୁଖରୁ ଅତ୍ୟନ୍ତ ଅପ୍ରିୟ ବାକ୍ୟ ଶୁଣି ମୁଁ ଯୁଦ୍ଧ କ୍ଷେତ୍ରରେ ସୁଦ୍ଧା ଅସ୍ତ୍ର ତ୍ୟାଗ କରିଦେବି ।"
ଅର୍ଥ ପାଇଁ କୌରବ ପକ୍ଷରେ
ତାପରେ ଯୁଧିଷ୍ଠିର ଓ ସାଙ୍ଗରେ ଥିବା ତାଙ୍କ ଭାଇମାନେ ଆଚାର୍ଯ୍ୟ ଦ୍ରୋଣଙ୍କୁ ପ୍ରଣିପାତ କରିସାରି ଆଚାର୍ଯ୍ୟ କୃପଙ୍କ ରଥ ପାଖରେ ପହଞ୍ଚିଲେ । କୃପାଚାର୍ଯ୍ୟଙ୍କ ପାଦ ଛୁଇଁ ସମସ୍ତେ ପ୍ରାଣମ କଲେ ଓ ଆଶୀର୍ବାଦ ଏବଂ ଯୁଦ୍ଧ ପାଇଁ ଅନୁମତି ଲୋଡ଼ିଲେ । କୃପ ମଧ୍ୟ ଭୀଷ୍ମ ଓ ଦ୍ରୋଣଙ୍କ ପରି ସେଇ ଏକା କଥା କହିଲେ ଯେ, ଯୁଧିଷ୍ଠିର ଯୁଦ୍ଧ ପୂର୍ବରୁ ତାଙ୍କ ଆଶୀର୍ବାଦ ଓ ଅନୁମତି ଲୋଡ଼ି ନଥିଲେ ସେ ନିଶ୍ଚୟ ପରାଭବ ପାଇଁ ଅଭିଶାପ ଦେଇଥା'ନ୍ତେ । ତାପରେ କହିଲେ, "ହେ ଯୁଧିଷ୍ଠିର ! ମୁଁ ଅର୍ଥ ପାଇଁ କୌରବ ପକ୍ଷରେ ରହିଛି । କିନ୍ତୁ ମୋର ପୂର୍ଣ୍ଣ ସମର୍ଥନ ତୁମ ପାଇଁ ରହିଛି । ମୁଁ ଆଶୀର୍ବାଦ କରୁଛି ତୁମେ ଏହି ଧର୍ମଯୁଦ୍ଧରେ ବିଜୟୀ ହୁଅ ।
କୃପଙ୍କ ପରେ ପାଣ୍ଡବ ପାଞ୍ଚ ଭାଇ ଓ କୃଷ୍ଣ ମଦ୍ରନରେଶ ଶଲ୍ୟଙ୍କ ପାଖକୁ ଗଲେ । ସେଠାରେ ବି ସେଇ ସମାନ କଥା ଘଟିଲା । ଶଲ୍ୟ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ କଲେ । ଯୁଧିଷ୍ଠିର କହିଲେ, "ହେ ମାମୁ ! ଯୁଦ୍ଧ ପ୍ରସ୍ତୁତି ସମୟରେ ଆପଣ କଥା ଦେଇଥିଲେ ରଣସ୍ଥଳରେ କର୍ଣ୍ଣର ତେଜହାନି କରିବେ। ମୋର ଅନୁରୋଧ ଆପଣ ଆପଣଙ୍କ କଥା ନିଶ୍ଚୟ ରଖିବେ ।"
ଶଲ୍ୟଙ୍କୁ ପ୍ରଣାମ କରିସାରି ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ଆପଣା ଆପଣା ରଥକୁ ଫେରି ଆସିଲେ । କୃଷ୍ଣ କିନ୍ତୁ କର୍ଣ୍ଣଙ୍କ ରଥ ପାଖକୁ ଗଲେ ଓ କହିଲେ, "ହେ ରାଧେୟ ! ମୁଁ ଶୁଣିଲି ତୁମେ ପିତାମହ ଭୀଷ୍ମ ଯୁଦ୍ଧ କଲା ପର୍ଯ୍ୟନ୍ତ ଅସ୍ତ୍ର ଧାରଣ କରିବନି ବୋଲି ଶପଥ କରିଛ । ତୁମେ ଉଭୟ ପକ୍ଷକୁ ଯଦି ସମାନ ବୋଧ କରୁଥାଅ ତେବେ ଭୀଷ୍ମଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିବାକୁ ମୁଁ ତୁମକୁ ନିମନ୍ତ୍ରଣ କରୁଛି । ଭୀଷ୍ମଙ୍କ ମୃତ୍ୟୁ ପରେ ତୁମେ ଦୁର୍ଯ୍ୟୋଧନଙ୍କ ପକ୍ଷକୁ ଫେରିଯାଇପାର । କୃଷ୍ଣଙ୍କ ପ୍ରସ୍ତାବ ଶୁଣି କର୍ଣ୍ଣ କହିଲେ, "ହେ କେଶବ! ମୁଁ ଜୀବନ ପଛେ ଦେଇଦେବି, କିନ୍ତୁ କେବେବି ଦୁର୍ଯ୍ୟୋଧନଙ୍କ ବିପକ୍ଷରେ କିଛି ବି କରିପାରିବିନି ।"
କୃଷ୍ଣ ତାପରେ ଅର୍ଜୁନ ଛିଡ଼ା ହୋଇଥିବା କପିଧ୍ୱଜ ରଥ ପାଖକୁ ଫେରିଗଲେ । ସେତିକିବେଳେ ଯୁଧିଷ୍ଠିର ବଡ଼ ପାଟିରେ କହିଲେ, ଏହି ପବିତ୍ର କୁରୁକ୍ଷେତ୍ର ଯୁଦ୍ଧରେ ଯିଏ ଆମକୁ ସମର୍ଥନ କରିବ ଆମେ ତାକୁ ବରଣ କରିନେବୁ । ଯିଏ କେହି ନ୍ୟାୟ ଓ ଧର୍ମକୁ ଗୁରୁତ୍ୱ ଦେଇ ଆମକୁ ସାହାଯ୍ୟ କରିବାକୁ ଆସିବ, ଆମେ ତାକୁ ସାଦରେ ଗ୍ରହଣ କରିବୁ ।
ଯୁଧିଷ୍ଠିରଙ୍କ କଥା ଶୁଣି ଯୁଯୁତ୍ସୁ କହିଲେ, "ହେ ମହାରାଜ ! ଆପଣ ମୋତେ ବରଣ କଲେ ମୁଁ ନିଶ୍ଚୟ ତୁମ ପକ୍ଷରେ ରହି ମୋ ନିଜ ଭାଇମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ।" ଯୁଧିଷ୍ଠିର କହିଲେ, "ହେ ଯୁଯୁତ୍ସୁ ! ଭାଇ ମୋର, ତୁମେ ଠିକଣା ସମୟରେ ଉଚିତ୍ ନିର୍ଣ୍ଣୟ ନେଇଛ । ଆସ, ପାଣ୍ଡବ ଶିବିର ତୁମକୁ ସ୍ୱାଗତ କରୁଛି । ଖୁବ ଶୀଘ୍ର ଆତ୍ମଗର୍ବୀ ଦୁର୍ଯ୍ୟୋଧନ ଓ ଦୁଃଶାସନ ସମେତ ତୁମର ସମସ୍ତ କୌରବ ଭାଇଙ୍କର ବିନାଶ ହେବ । ମୁଁ ଯାହା ବୁଝିପାରୁଛି ଶେଷରେ କେବଳ ତୁମେ ହିଁ ରାଜା ଧୃତରାଷ୍ଟ୍ରଙ୍କ କୁଳ ରକ୍ଷା ଓ ବଂଶ ରକ୍ଷା କରିବ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)