/odishatv-khabar/media/post_attachments/uploadimage/library/16_9/16_9_0/Story-ko-4_1625222228.jpg)
Story-ko
ସକାଳୁ ସକାଳୁ ପେଟ ଚାଖଣ୍ଡକ ପାଇଁ ରାସ୍ତାକଡରେ ଅଖାପାଲ ପକାଇ ପରିବା ଦୋକାନ ଖୋଲି ଗରାଖ ଇଶ୍ୱରଙ୍କୁ ଅନିଶା କରୁଥାନ୍ତି ବୁଢା ପରିବା ଦୋକାନୀ ଜଣକ। ଅଖାପାଲରେ ଆଳୁ ପିଆଜ ସହ ଦଣ୍ଡି,ବଟକରା ସଜେଇ ରଖିଥାନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ କର୍ଫ୍ୟୁ ଭଳି କଟକଣା ଥିଲେ ବି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ପାଇଁ କଟକଣା ନଥାଏ। ତେଣୁ ବୁଢା ଲୋକ ଜଣକ ର୍ନିଦ୍ୱନ୍ଦ୍ୱରେ ଦୋକାନ ଖୋଲି ବସିଥାନ୍ତି। କାଁ ଭାଁ ଲୋକ ରାସ୍ତାରେ ଯାଆସ କରୁଥାନ୍ତି। ହଠାତ୍ ପୁଲିସ ଗାଡି ସାଇରନ ବଜେଇ ବଜେଇ ମାଡି ଆସିଲା। ତିନି ଚାରିଟା ଗାଡିରେ ସରକାରୀ ବାବୁ ଓ ପୁଲିସ ମାନେ ଫକ୍ଫାକ୍ ଗାଡିରୁ ଓହ୍ଲାଇ ପଡିଲେ।
ପୁଲିସ ଓ ସରକାରୀ ବାବୁଙ୍କ ହାତରେ ଠେଙ୍ଗା,ବାଉଁଶ ଫାଳିଆ। ପାରା ମିଲିଟାରୀ ଫୋର୍ସଭଳି ବୁଢା ଆଡକୁ ମାଡି ଆସିଲେ। ହଠାତ୍ ଜଣେ ପୁଲିସ ବାବୁ ବୁଢା ପାଖକୁ ଝପଟି ଆସି ଚଢାଗଳାରେ କହିଲେ- ମଉସା ! କରୋନା ପାଇଁ କର୍ଫ୍ୟୁ ଭଳି ଅବସ୍ଥା ହୋଇଛି। ତୁରନ୍ତ ଦୋକାନ ଉଠା ଏଠୁ। ବୁଢା ପରିବା ଦୋକାନୀ ଜଣକ କିଛି ବୁଝିବା ଆଗରୁ ତା ମୁଣ୍ଡରେ ଦୁଇ ତିନିଥର ଶକ୍ତ ପାହାର ବାଜିଲା। ବୁଢା ଆଖିରୁ ଜୁଳଜୁଳିଆ ବାହାରିଗଲା। ସେଇ ଅଖାପାଲ ଉପରେ ବୁଢା ଚାରିକାତ ମେଲି ଚିତ୍କାର କରି ପଡିଲା ଉଠିଲା। ସରକାରୀ ବାବୁମାନେ ଏତକ କାଣ୍ଡ କରି ଗାଡିରେ ଧୂଳି ଉଡେଇ ସାଇରନ ବଜେଇ ବଜେଇ ଚାଲିଗଲେ। ଆଖପାଖ ଦୋକାନୀମାନେ ବୁଢାର ଏପରି ଅବସ୍ଥା ଦେଖି ଭୟଭୀତ ହୋଇପଡିଲେ। ସାହାସ ସଂଚୟ କରି ବୁଢାକୁ ତା ଭଡାଘରକୁ ଟେକିନେଇ ପାଣିଛାଟିବା ସହ ବିଂଚାବିଂଚି କରି ସେବା ଆରମ୍ଭ କରିଦେଲେ। କରୋନ ସଂକ୍ରମଣ ପାଇଁ ସରକାର ବାରମ୍ୱାର ଟିଭିରେ କହୁଛନ୍ତି ଡାକ୍ତରଖାନ ନଆସି ଫୋନରେ ପରାମର୍ଶ କରିବା ପାଇଁ। ତେଣୁ ଲୋକମାନେ ଡାକ୍ତରଙ୍କୁ ଫୋନ କରି ବୁଢାର ଚିକିତ୍ସା କଲେ। କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା।
ନିଶ୍ଚଳ ହୋଇଯାଇଥିଲା ବୁଢା ପରିବା ବିକାଳୀର ଶରୀର। ବୁଢାର ସେବା କରୁଥିବା ଲୋକମାନେ ପରସ୍ପର ମୁହଁକୁ ଚାହିଁ କହୁଥିଲେ -ଆହା । କେଡେ ନିରୀହ ବୁଢାଟା ବିଚରା ପୋଲିସ ମାଡରେ ମରିଗଲା। ପୁଅ ବୋହୁ ନପଚାରିବାରୁ ଅଭିମାନରେ ଘର ଛାଡି ଏଇଠି ରହି ବୁଢାଦିନେ ପରିବା ବେପାର କରି ଚଳୁଥିଲା। କୋଉ ଚୋରୀ ନାରୀ ତ କରୁ ନଥିଲା। ସରକାରୀ ବାବୁମାନଙ୍କ ଏମିତିଆ କାଣ୍ଡ ଦେଖି ବିଚରା ମକରା ବୋଉ ଆଉ ନିଜକୁ ସମ୍ଭାଳି ପାରିଲାନି। ଅଂଟାରେ ଲୁଗା ଖୋସି ଦକ୍ଷିଣୀ ଷ୍ଟାଇଲରେ କୂଳବଉଁଶ ବୁଡେଇବା ଆରମ୍ଭ କରିଦେଲା। ବଡପାଟିରେ ଚିଲେଇ ଚିଲେଇ କହୁଥିଲା-ରାଣ୍ଡର ଛୁଆମାନେ। ତମର ଏଡେ ବହପ। ବୁଢାଟାକୁ ଅକାରଣରେ ବାଡେଇ ମାରିଦେଲ। ଅଧାବସିଆ, ଯୋଗନିଖିଆ, ବାଡିପଡା, ଝାଡାବାନ୍ତିଆ। ତମକୁ ମରଣ ଯାହା ହେଲାନାହିଁ। ହଇହୋ କରିନାତ ସିନେମାରେ ବାହାରୁଛି। ସେ ନଆସିବା ଆଗରୁ ତମେ ଲୋକଟାକୁ ବାଡେଇ ମାରିଦେଲଣି। ଆଗକୁ ଆମ ଛୁଆ ପିଲାଙ୍କ ଅବସ୍ଥା କଣ ହବ କେଜାଣି? ତମକୁ ରାଧାଚଡକ ପଡୁରେ ବଡରୋଗୀଆ ଦଳ।
ସକାଳୁ ସକାଳୁ ପତ୍ନୀ ଅନୀତାଙ୍କୁ ଚା ପାଇଁ ଫର୍ମାଇସ କରୁ କରୁ ଅଳସ ଭାଙ୍ଗୁଥିଲେ ସିଦ୍ଧାର୍ଥ ବାବୁ। ଏଇ ପାଖ ସହରରେ ତାଙ୍କର ପୋଷ୍ଟିଂ ଉପଜିଲ୍ଳାପାଳ ଭାବେ। ହାତରେ ଚା,ଜଳଖିଆ ଧରି ପହଂଚୁ ପହଂଚୁ ପତ୍ନୀ ଅନୀତା ପଚାରିଲେ ଜାନୁ, ଆଜି ଏମିତି ହାଲିଆ କଣ ଦେଖାଯାଉଛ? କଣ ହେଇଛି କି ? ପତ୍ନୀଙ୍କ ମୁହଁରୁ କଥା ଛଡେଇ ନେଇ ଉତର ଦେଲେ ସିଦ୍ଧାର୍ଥ। ବୁଝିଲ ଡାର୍ଲିଂ ଏ ଚାକିରୀରେ କେତେ ଟେନସନ ତମେ ବୁଝି ପାରିବନି। କରୋନା ପାଇଁ ଚାରିଆଡେ କର୍ଫ୍ୟୁ ଭଳି ଅବସ୍ଥା। ଏ ଶଳା ଲୋକଗୁଡା କିଛି ମାନୁନାହାନ୍ତି ହୋ। ଆଇନ କାନୁନ ପୋଲିସ କାହାକୁ ଖାତିର ନାହିଁ ଯେମିତି। ହୁଁ-ଶଳାଙ୍କୁ ଏମିତିଆ ଶାସ୍ତି ଦରକାର। କାଲି ଗୋଟାକୁ ନାଦିଲି ଦିଚାରି ପାହାର। ସେତିକିବେଳୁ ମୋ ଖୁଆରେ କଣ ଗୋଟେ ପଶିଯାଇଛି ଯେ ବଡକଷ୍ଟ ଭୋଗିଲାଣି ମଣିଷ। ସିଦ୍ଧାର୍ଥଙ୍କ ଏପରି କଥାରେ ଅନୀତାଙ୍କ ମୁହଁର ଭାବଭଙ୍ଗୀ ବଦଳିଗଲା କିଛି କ୍ଷଣପାଇଁ। ତମତମ ହୋଇ କହିଲେ ହଇହୋ ତମେପରା ହାକିମ। ଅଡର ଦେଲେ ପୁଲିସ ପିଟିଥାନ୍ତା। ତମେ ଅଯଥାରେ ବଳକଷୁଥିଲ କାହିଁକି ମୁଁ ଟିକେ ଶୁଣେ ?
ସକାଳୁ ସକାଳୁ ପତ୍ନୀଙ୍କ ଆଗରେ ନିଜର ପାରିଲା ପଣିଆ ଦେଖେଇ ନିଶରେ ଟିକେ ହାତମାରୁଥିଲେ ସିଦ୍ଧାର୍ଥ ବାବୁ। ଗଛ ଆଇନା ଆଗରେ ଠିଆହୋଇ ମାଙ୍ଗୁ ଟିକେ ପରଖିନେଇ ଗୋଟେ ଗଡ ଜିତିଲାଭଳି ଭଙ୍ଗୀରେ କହିଲେ- ହଇହୋ! ସବୁବେଳେ ନେତା.ମନ୍ତ୍ରୀ,ଅଫିସରଙ୍କ ଫୋନ ଆଟେଣ୍ଡ, ମିଟିଂ, ଭିଡିଓ କନଫେରେନସ, ଟୁର୍, ଫାଇଲ କାମ କରି କରି ମଣିଷ ବୋର ହେଇଗଲାଣି। ସୁଯୋଗ ମିଳିଥିଲା ଯେତେବେଳେ କର୍ଫୁ ଆଳରେ ଲୋକଟାକୁ ଦିଚାରି ପାହାର ପିଟିଦେଲି। ସେଥିପାଇଁ ମୋର ଦୁଇ ହାତର ଖୁଆ ମୁଣ୍ଡା ଦରଜ ହେଇଯାଇଛି। ହଉ ରାତିକୁ ଦୁଇପେଗ୍ ବିଦେଶୀ ପକେଇ ଦେଇ ଶୋଇ ପଡିବ, ସବୁଠିକ ହେଇଯିବ। ଦରଜ ବି କମିଯିବ। ପତ୍ନୀ ଅନୀତାଙ୍କ କଥା ଶୁଣି ଚିଡି ଉଠିଲେ ସିଦ୍ଧାର୍ଥ। ହଇହୋ ମୁଁ ଟିକେ ରିଲାକ୍ସ ପାଇଁ ବେଳେ ବେଳେ ଟିକେ ହଟ ଡ୍ରିଙ୍କ ନିଏ। ତମେ ଏକଥା ଯାଣିଛ ବୋଲି ଜଣେଇ ହଉଛ ନା କଣ?
ଶୁଣ! ସେ ଅଡର୍ଲି ହାତରେ ଟଙ୍କା ଦେଇ ମୋ ବ୍ରାଣ୍ଡଟା ମଗେଇ ରଖିଥିବ। ମୁଁ ସେ ପଟ୍ଟନାୟକ ପୋଲିସକୁ କହୁଛି। ସେ ମଦ କାଉଁଟର ମାଲିକକୁ ଫୋନ କରିଦବ। ଆମ ଅଡର୍ଲିକୁ ସେ ଆଣି ଦେଇଯିବ। ସ୍ୱାମୀଙ୍କ କଥାରେ ବରକ୍ତି ପ୍ରକାଶ କରି କହିଲେ ଅନୀତା-ତମେତ ଚାକରବାକର ଲୋକଙ୍କୁ ଦଶ ପଚାଶ ଟଙ୍କା ପାଇଁ ସନ୍ଦେହ କରିବ। ପରିବା ଆଣିଲେ ପରିବା ଦୋକାନୀକୁ ଫୋନକରି ପଚାରିବ କୋଉ ପରିବା ଦର କେତେ? ଯଦି କୋଉ ପିଅନ,ଚପରାଶି ଦଶ,ପଚାଶ ଟଙ୍କା ରଖିଦେଲା କଣ୍ ଟା ମାରା ହେଇଗଲା ସେଇଠୁ ? ମୁଁ ଅଡର୍ଲିକୁ କହିପାରିବିନି ତମେ କହିଦେଇଯାଅ।
ରାଗରେ କମ୍ପି ଉଠିଲେ ସିଦ୍ଧାର୍ଥ। ପତ୍ନୀ ଅନୀତାଙ୍କୁ ଗାଳିଦେବା ଭଙ୍ଗୀରେ କହିଲେ -ତୁମେ ଏପିଅନ ଚପରାଶିଙ୍କୁ କେତେ ଜାଣିଛ? ଅଫିସକୁ ଯିଏ ଆସିଲା ତାଠୁ ପଚାଶ,ଶହେ ପକେଇଲେ। ତାପରେ ପୁଣି ପରିବା ସଉଦାରୁ ମାରିବେ। ନିହାତି ଟାଉଟର ଗୁଡା ଏମାନେ।
ସିଦ୍ଧାର୍ଥଙ୍କୁ କଥାରେ ବାଧାଦେଇ ପତ୍ନୀ ଅନୀତା କହିଲେ -ବୁଝିଲ,ସେମାନେ ଆମର ସେବାକାରି। ସେମାନଙ୍କୁ ଏମିତି କୁହନି। ତୁମ ମୁହଁରେ ଶୋଭାପାଉନି। ଆଉ ତମେ ଯୋଉ ଦଶରା,ରଜ,ପର୍ବପର୍ବାଣୀରେ ପଥର ବାଲା,ଡିଲର ସଂଘ, କ୍ରସର ମାଲିକ,ଗାଡି ମାଲିକ ସଂଘରୁ ମୋଟା ଅଙ୍କର ଉପହାର ଉଠୋଉଛ ସେଗୁଡା କଣ? ମତେ ରଗାଅନି କହୁଛି। ହୁଁ…
ପତ୍ନୀ ଅନୀତାଙ୍କ କଥାଗୁଡା ସିଦ୍ଧାର୍ଥଙ୍କ ବାବୁଙ୍କୁ କଟା ଘା ରେ ଚୂନ ଦେବା ଭଳି ଲାଗୁଥିଲା। ହଠାତ୍ କଲିଂ ବେଲ ବାଜି ଉଠିଲା। କ୍ୱାଟରର ସଦର ଦରଜା ଖୋଲି ଅନୀତା ସକାଳର ଖବର କାଗଜ ଆଣୁ ଆରୁ କରୋନା ସର୍ମ୍ପିତ ଖବର ଜାଣିବା ପାଇଁ ଯିକେ ଆଖି ବୁଲାଇ ଆଣୁ ଆଣୁ ଗୋଟାଏ ଯାଗାରେ ଅଟକି ଗଲେ। ପ୍ରଥମ ପୃଷ୍ଠାରେ ଫଟସହ ହ୍ୟାଙ୍ଗର ନ୍ୟୁଜ୍। କର୍ଫୁ ବେଳେ ଉପ-ଜିଲ୍ଳାପାଳଙ୍କ ଠେଙ୍ଗାମାଡରେ ବୁଢା ପରିବା ବିକାଳିର ମୃତ୍ୟୁ। ପୁରା ଖବରଟିକୁ ବିସ୍ମୟର ସହ ପଢିଲେ ଅନୀତା। ଶେଷ ବେଳକୁ ମୁହଁରେ ଉକୁଟି ଆସୁଥିଲା ଗୋଟେ ଶ୍ରମଝାଳ। କ୍ଷୀପ୍ର ବେଗରେ ଘର ଭିତରକୁ ଯାଇ ସିଦ୍ଧାର୍ଥଙ୍କ ହାତକୁ ଖବର କାଗଜଟି ବଢାଇ ଦେଲେ ଅନୀତା।
ରାଗରେ ତମତମ ହୋଇ କହିଲେ -ହେଇ ନିଅ। ତୁମ କାରନାମା ବାହାରିଛି ଏଥିରେ। ହଇହୋ ତୁମେ ଆଉ କାହାକୁ ପାଇଲନି। ଶେଷରେ ଏ ଅଶୀ ବର୍ଷର ବୁଢାଟାକୁ ବାଡେଇ ମାରିଦେଲ। ହଁମ। ନିଜ ପାଳିତ ବାପାକୁ ଯେତେବେଳେ ସ୍ନେହ ଆଦର କରି ଘରେ ରଖିପାରିଲନି ଏ ବୁଢାଟାକୁ ବାଡେଇଦବା ତମ ପାଇଁ କୋଉ ବଡକଥା, ନୁହେଁକି? ତୁମେ ମଣିଷ ନା ପଶୁ? ଏମିତି ଲୋକ ଉପରକୁ ତୁମ ହାତ ଉଠିଲା କେମିତି? ନିଅ ଏଥର ସମ୍ଭାଳ। ଏଇନା ପୁଲିସବାଲା,ମିଡିଆ ବାଲା ମୋ ଘର ଦୁଆରେ ଗୋଡ କଚାଡିବେ।
ଅନୀତାଙ୍କ କଥା ଶୁଣି ସିଦ୍ଧାର୍ଥଙ୍କ ମୁହଁ ଗମ୍ଭୀର ଦିଶୁଥିଲା। ଗୋଟେ ଅବିଶ୍ୱାସ ଆଉ ବିସ୍ମୟ ଭଙ୍ଗୀରେ ଖବର କାଗଜ ଉପରେ ନଜର ପକାଉଥିଲେ ସିଦ୍ଧାର୍ଥ। ଭୟରେ ଥରିଉଠୁଥିଲା ତାଙ୍କ ଶରୀର। ବାରମ୍ୱାର ଗର୍ଜି ଉଠୁଥିଲା କଲିଂ ବେଲ୍। ଝରକାବାଟେ ବାହାରକୁ ଦେଖୁଥିଲେ ପତ୍ନୀ ଅନୀତା। ନିଜେ ଏସପି ବ୍ରିଫିଙ୍ଗ କରୁଥିଲେ ପ୍ରେସକୁ। ମୃତ ପରିବା ବିକାଳୀଙ୍କ ପାଖରୁ ମିଳିଥିବା କାଗଜପତ୍ରରୁ ଜଣାପଡିଛି ଯେ ସେ-କର୍ଫୁ ବେଳେ ମାଡରେ ମୃତ ବୁଢା ଜଣକ ଉପ-ଜିଲ୍ଳାପାଳଙ୍କ ବାପା।
ସବୁଠୁ ବଡକଥା ହେଲା ବୁଢା ଜଣକ ପ୍ରତିଦିନ ଏକ ଡାଇରୀରେ ଲେଖୁଥିଲେ ପ୍ରଭୁ ମୋ ପୁଅକୁ ଭଲରେ ରଖ। କେହି କେହି ମିଡିଆ ବାଲା କ୍ୟାମେରା ସାମ୍ନାରେ ଗଳା ଫଟାଇ କହୁଥିଲେ -ଅମୁକ ସହରରେ କର୍ଫୁ ବେଳେ ଅଘଟଣ। ଅଫିସରଙ୍କ ଠେଙ୍ଗାମାଡରେ ବୁଢା ପରିବା ବିକାଳୀର ମୃତ୍ୟୁ ସୂଚାଉଛି ଯେମିତି କରୋନାରେ କରୁଣାର ଅପମୃତ୍ୟୁ ଘଟିଛି। ଝରକା ଫାଙ୍କରୁ ଏସବୁ ଦୃଶ୍ୟକୁ ଅବଲୋକନ କରୁଥିବା ଅନୀତା ପାଷାଣ ପ୍ରତିମାଟିଏ ପରି ଠିଆହୋଇ ରହିଥିବା ବେଳେ ଆଖିରୁ ବହିଯାଉଥିଲା ଧାରଧାର ଲୁହ।
ଗଳ୍ପ: ବିମଳ ପତି
ଥାନୁଆଳ, ହରିଦାସପୁର
ଯାଜପୁର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)