biswa
(ଆଲେଖ୍ୟ: ବିଶ୍ୱବନ୍ଦିତା ସ୍ୱାଇଁ) ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧୀମାନେ ତାପସୀଙ୍କୁ ପଚାରିଥିଲେ, ସାମାଜିକ ଗଣମାଧ୍ୟମ ବା ସୋଶାଲ୍ ମିଡିଆ ତାଙ୍କ ଜୀବନରେ କ’ଣ ଗୁରୁତ୍ୱ ରଖେ ବା ଏହି ପ୍ଲାଟଫର୍ମକୁ ନେଇ ତାଙ୍କର କ’ଣ ଅନୁଭୂତି ରହିଛି। ଯାହାର ଉତ୍ତରରେ ତାପସୀ କହିଥିଲେ, “ସୋସିଆଲ ମିଡିଆକୁ ନେଇ ତାଙ୍କର ମିଶ୍ର ଅନୁଭୂତି ରହିବ। ଏହି ପ୍ଲାଟଫର୍ମ ତାଙ୍କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜି ସେ ଯେତିକି ଲୋକପ୍ରିୟତା ହାସଲ କରି ପାରିଛନ୍ତି ତା ପଛରେ ସୋଶାଲ୍ ମିଡିଆର ଏକ ବହୁତ ବଡ ଅବଦାନ ରହିଛି। କୋଣ ଅନୁକୋଣରେ ଥିବା ପ୍ରଶଂସକ ତଥା ତାଙ୍କ ସାଙ୍ଗ ସାଥୀଙ୍କ ସହ ଯୋଡିବାରେ ସୋସିଆଲ୍ ମିଡିଆ ସହାୟକ।
କିନ୍ତୁ ଏହି ସୋସିଆଲ୍ ମିଡିଆ କେବେ କେବେ ‘EASY TO AVAILABLE’ ବା ଅତି ସହଜରେ ମିଳିଯାଉଥିବା ଅନୁଭବ କରାଏ। କାରଣ ଯଦି ମୁଁ ସୋସିଆଲ୍ ମିଡିଆରେ ନ’ଥାନ୍ତି ତେବେ ମତେ ସମାଲୋଚନା କିରିବା ଲୋକଙ୍କ ପାଇଁ କଷ୍ଟ ହୋଇପଡିଥାନ୍ତା। ଏବେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଏବଂ ଟ୍ୱିଟରରେ କିଛି ନା କିଛି ପ୍ରସଙ୍ଗରେ ମତେ ଟ୍ରୋଲ୍ କରାଯାଉଛି। ଆଉ ଏହି ସମାଲୋଚନା କେବେକେବେ ବଞ୍ଚିବାକୁ ଆହୁରି କ୍ଲିଷ୍ଟ କରିଦିଏ।”
ବାସ୍ତବରେ, ସୋସିଆଲ୍ ମିଡିଆ ପ୍ରଶଂସା ଏବଂ ନିନ୍ଦା ସଂଗ୍ରହ କରୁଥିବା ଏକ ଜଟିଳ ସ୍ଥାନ। ଏଠି ପ୍ରତ୍ୟେକ ଦିନ ବାଦ ବିବାଦ, କଥା କଟାକଟିର ଯୁଦ୍ଧ ଚାଲେ। ଆଲୋଚନା ସମାଲୋଚନାର ଆସର ଜମେ। ସୋସିଆଲ୍ ମିଡିଆ ପାଇଁ କେହି ଆପଣା ଲୋକକୁ ହରେଇ ବସେ ତ କିଏ ଏଇଠୁ ନୂଆ ସମ୍ପର୍କର ବୀଜ ବୁଣେ। ଧନୀର ଦୁର୍ନିତୀର ପର୍ଦ୍ଦାଫାସ୍ କରୁଥିବା ସୋଶାଲ୍ ମିଡିଆ କେବେ କେବେ ‘ବାବା କା ଢାବା’ ସାମ୍ନାରେ ଲୋକଙ୍କ ଗହଳି କରିଦିଏ। ତେବେ କଥାରେ ଅଛି ଜୀବନ ଖଟା ମିଠାର ଏକ ଚଟ୍ପଟା ଅନୁଭୂତି। ଯେଉଁଠି ମଣିଷ ସୁଖ ପାଏ ସେଠୁ ଯେ ପୀଡାର ଅନୁଭୂତି ସାଉଁଟିବନି? ସେଇଟା ଅବା କେମିତି ସମ୍ଭବ!
ଆଉ ସେ ପୀଡା ହେଉଛି ତାପସୀ ଦେଇଥିବା ପ୍ରତିକ୍ରିୟା। ସୋସିଆଲ୍ ମିଡିଆରେ ମଣିଷ ଅତି ସହଜରେ ମିଳିଯାଏ। ସେଥିପାଇଁ ସମାଲୋଚନା ପାତ୍ର ହୋଇଯାଏ। ସାମ୍ପ୍ରତିକ ସମୟରେ ଘଟିଥିବା ଦୁଇଟି ଘଟଣାରୁ ଏହାର ବାସ୍ତବିକତା ଉପରେ ଅନୁମାନ ଲଗାଯାଇପାରିବ। ବେଙ୍ଗଲୁରୁର ଯୋମାଟୋ ଡେଲିଭରୀ ବୟ ଏବଂ ଓଡିଶାର ଅଶ୍ଲୀଳ ଶବ୍ଦ କହି ଭାଇରାଲ୍ ହୋଇଥିବା ଯୁବତୀ।
ବେଙ୍ଗଲୁରୁ ଜୋମାଟୋ ଡେଲିଭରୀ ବୟ କାମରାଜାଙ୍କ କାହାଣୀ ଆପଣମାନଙ୍କୁ ଅଳ୍ପବହୁତ ଜଣାଥିବ। ଖାଦ୍ୟ ପହଞ୍ଚାଇବାକୁ ବିଳମ୍ବ ହେବାରୁ କାମରାଜ ଅପମାନିତ ହୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। କାମରାଜଙ୍କ କାହାଣୀ ପଛରେ ସୋଶାଲ୍ ମିଡିଆର ଭୂମିକା ଏଇଟା ଥିଲା ଯେ, ସେ ଯାହା ପାଖକୁ ଖାଦ୍ୟ ନେଇ ଯାଉଥିଲେ, ଅର୍ଥାତ୍ ବେଙ୍ଗଲୁରୁ ମଡେଲ୍ ହିତେଶା ଚନ୍ଦ୍ରାଣୀ କାମରାଜଙ୍କ ବିରୋଧରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର କରିଥିଲେ।
ହିତେଶା ଏହି ଭିଡିଓରେ ଖାଦ୍ୟ ପହଞ୍ଚାଇବାକୁ ଡେଲିଭରୀ ବୟର ବିଳମ୍ବ ହେଲା। ଏଥିପାଇଁ ସେ ଖାଦ୍ୟର ପାଉଣା ଦେବାକୁ ମନା କଲେ। ଯେଉଁଥିପାଇଁ ଡେଲିଭରୀ ବୟ କାମରାଜ ତାଙ୍କ ଉପରକୁ ଆକ୍ରମଣ କରି ତାଙ୍କ ନାଙ୍କକୁ ଆଘାତ କରିଥିବା କହିଲେ। ଭିଡିଓଟି ଭାଇରାଲ୍ ହେଲା। ଏହା ପରେ ଜୋମାଟୋ ପକ୍ଷରୁ କାମରାଜକୁ ଚାକିରିରୁ ନିଲମ୍ବିତ କରିଦିଆଗଲା। ଅନ୍ୟପଟେ କାମରାଜ ହିତେଶାଙ୍କ ଉପରକୁ ହାତ ଉଠାଇ ନାହାନ୍ତି। ବରଂ ସେ ଖାଦ୍ୟ ପହଞ୍ଚାଇବା ପରେ ହିତେଶା ତାଙ୍କୁ ଟଙ୍କା ଦେଲେନି। ଓଲଟା ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହ ଜୋତାରେ ପଟିଥିବା କାନ୍ଦି କାନ୍ଦି କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିଲେ।
କାମରାଜ ଫୁଲ୍ ଟାଇମ୍ ଖାଦ୍ୟ ଡେଲିଭରୀ କରୁଥିଲେ। ଅର୍ଥାତ୍ ତାଙ୍କ ପାଖରେ ଖାଦ୍ୟ ଡେଲିଭରୀ କରିବା ଏକମାତ୍ର ବୃତ୍ତି ଥିଲା।ଏଥିସହ କାମରାଜ ତାଙ୍କ ଘରେ ଏକ ମାତ୍ର ରୋଜଗାର କରୁଥିବା ସଦସ୍ୟ ଥିଲେ। ଏ ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ କାମରାଜ ତାଙ୍କ ପୂର୍ବ ଚାକିରିକୁ ଫେରିପାରିବେନି। ହୁଏତ ଅନ୍ୟ କେଉଁଠି ତାଙ୍କୁ ଚାକିରି ନମିଳିପାରେ।
ଅନ୍ୟପଟେ ଓଡିଶାରେ ଅଶ୍ଲୀଳ ଭାଷା କହି ଭାଇରାଲ୍ ହେଉଥିବା ଯୁବତୀଙ୍କ ଘଟଣା ବିଷୟରେ ଟିକେ ଚିନ୍ତା କିରିବା। ପୁରୀର ଏକ ଯୁବତୀଙ୍କର ଭିଡିଓ ସୋଶାଲ୍ ମିଡିଆରେ ଆଜିକାଲି ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭଡିଓରେ ଉଭୟ ପୁରୁଷ ଏବଂ ମହିଳା ବନ୍ଧୁଙ୍କ ମେଳରେ ବସି ଯୁବତୀ ଜଣଙ୍କ ସିଗାରେଟ୍ ଟାଣୁଥିବାର ଏବଂ ଅଶ୍ଲୀଳ ଭାଷାରେ ଗାଳି କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟି ଭାଇରାଲ୍ ହେବା ପରେ ଲୋକମାନେ ଯୁବତୀଙ୍କୁ ନାନା କଥା କହୁଛନ୍ତି। ସୋଶାଲ୍ ମିଡିଆରେ ଯୁବତୀଙ୍କୁ ନେଇ ନାନା ମେମ୍ ବାହାରିଛି। କିଛି ଲୋକ ଯୁବତୀଙ୍କୁ ତ ଆଉ କିଛି ଲୋକ ଯୁବତୀଙ୍କର ଏମିତି ବ୍ୟବହାର ପାଇଁ ତାଙ୍କର ପରିବାର ଏବଂ ବାପା ମାଆ ଦାୟୀ ବୋଲି କହୁଛନ୍ତି। କିଛି ଲୋକ ଘରର ସଂସ୍କାର ଖରାପ, ଏଭଳି ଝିଅକୁ କିଏ ବାହା ହେବ ବୋଲି ଚିନ୍ତା ପ୍ରକଟ କରୁଛନ୍ତି। କିଛି ଖବର କାଗଜ ଏବଂ ଲୋକପ୍ରିୟ ୟୁଟ୍ୟୁବରେ ଯୁବତୀଙ୍କ ବିଷୟରେ ଖବର ପ୍ରସାରଣ ହୋଇଛି। ସେ ଖବର କାଗଜର କଟିଂକୁ କିଛି ଲୋକ ସେଶାଲ୍ ମିଡିଆରେ ଶେଆର କରି ଦୁନିଆ ଭଲ ମନ୍ଦ କହିଥିବା ବେଳେ ୟୁଟ୍ୟୁବ୍ରେ ଯୁବତୀଙ୍କ ଭିଡିଓକୁ ଲକ୍ଷାଧିକ ଭ୍ୟୁ ମିଳିଛି।
ହିତେଶାଙ୍କ ଦ୍ୱାରା ଶେଆର କରାଯାଇଥିବା ଭିଡିଓ ଏବଂ ଅଶ୍ଲାଳ ଭାଷାରେ ଗାଳି କରୁଥିବା ଭିଡିଓ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ରହିଛି। ସେଇଟା ହେଉଛି ସମାଲୋଚନା। ହିତେଶାଙ୍କ ଭିଡିଓ କାମରାଜଙ୍କ ଆଗରେ ସମାଲୋଚନାର ପାହାଡ ଠିଆ କରିଦେଇଥିବା ବେଳେ ଯୁବତୀଙ୍କ ଭିଡିଓ ଏବେଠୁ ଯୁବତୀଙ୍କୁ ସମାଲୋଚନାର ଜାଲରେ ଛନ୍ଦିବା ଆରମ୍ଭ କଲାଣି।
ସାଧାରଣ ଭାବେ, ଘଟଣାକୁ ପରଖିବା ପୂର୍ବରୁ। ଭିଡିଓର ସତ୍ୟତା ଜାଣିବା ପୂର୍ବରୁ ହିତେଶାଙ୍କ ଭିଡିଓ ଯେମିତି କାମରାଜଙ୍କ ହାତରୁ ବୃତ୍ତି ଛଡେଇ ନେଇଥିଲା। ସେମିତି ଯୁବତୀଙ୍କ ଭାଇରାଲ୍ ଭିଡିଓ ଆଗକୁ ତାଙ୍କ ମନରୁ ଅତ୍ମବିଶ୍ୱାସ ଛଡେଇନେଇପାରେ। ଯୁବତୀଙ୍କ ଧୂମ୍ରପାନ କରିବା ଅଶ୍ଲୀଳ ଭାଷୀରେ ଗାଳିଗୁଲଜ କରିବା ଗ୍ରହଣଯୋଗ୍ୟ ନୁହଁ। କିନ୍ତୁ ଠିକ୍ କରିବା ପାଇଁ ଭୁଲ୍ର ପ୍ରଚାର କରିବା କେତେଦୂର ଠିକ୍ ତା ପାଇଁ ମଧ୍ୟ ଆମେ ଉତ୍ତରଦାୟୀ ରିହବା ଉଚିତ। ଖରାପ ବୋଲି ଗ୍ରହଣ କରୁଥିବା ଭିଡିଓ ଯେତେବେଳେ ଫୋନ୍ରୁ-ଫୋନ୍, ହ୍ୱାଟସ୍ ଆପ୍ ଗ୍ରୁପ୍ରୁ ଫେସ୍ବୁକ୍ ଟାଇମ୍ ଲାଇନ୍କୁ ଗଲା ସେତେବେଳେ ଲାଗିଲାନି ଆମ ଦ୍ୱାରା କିଛି ସଂସ୍କାରମୂଳକ ପଦକ୍ଷେପ ହେଉଛି। ବାରମ୍ବାର ଭୁଲ୍ର ଚିତ୍ର ଦେଖାଇ ଠିକ୍ ପାଠପଢାଇବା ବି ସମାଲୋଚନା। ସଠିକ୍ ରାସ୍ତାରେ ଆଣିବା ପାଇଁ କାହାକୁ ସମାଲୋଚିତ କରିବା ପୂର୍ବରୁ ତାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଥରେ ଚିନ୍ତା କରିବା ଆବଶ୍ୟକ। ହିତେଶାଙ୍କ ଭିଡିଓ ଦେଖି ହଠାତ୍ ଏହା ସମ୍ପୂର୍ଣ୍ଣ ସତ୍ୟ ବୋଲି ଭାବିବା ଏବଂ ଯୁବତୀଙ୍କ ଭାଇରାଲ୍ ଭିଡିଓକୁ ବହୁଳ ମାତ୍ରାରେ ଶେଆର କରିବା ଦ୍ୱାରା ଉକ୍ତ ଯୁବତୀଙ୍କର ଏବଂ ତାଙ୍କ ପରିବାର ଉପରେ ଏହାର କ’ଣ ପ୍ରଭାବ ପଡିବ ସେ ବିଷୟରେ ଚିନ୍ତା ନକରିବା ଆମକୁ ଏକ ଅସମ୍ବେଦନଶୀଳ ମଣିଷ ସହ ପରିଚୟ କରାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/biswa-1_1626332486.jpg)