Advertisment

Chhada Khai 2025: କାର୍ତ୍ତିକ ମାସ ପରେ ଓଡ଼ିଆମାନେ କାହିଁକି ପାଳନ୍ତି ଛାଡ଼ଖାଇ? ଉତ୍ସବରେ ପରିଣତ ହେଉଛି ଏହି ଖାଦ୍ୟପ୍ରେମର ପରମ୍ପରା

ଓଡ଼ିଆ ଲୋକମାନେ ଖାଦ୍ୟ ପ୍ରେମୀ। କିନ୍ତୁ ଓଡ଼ିଆମାନେ ପ୍ରବଳ ଧାର୍ମିକ ମଧ୍ୟ। ଧର୍ମ ଅର୍ଜନ ପାଇଁ ରହିଛି ସ୍ୱତନ୍ତ୍ର ମାସ କାର୍ତ୍ତିକ। ନିଷ୍ଠାର ସହ ଲୋକେ ମାସ ସାରା ଶୁଦ୍ଧ ନିରାମିଷ ଖାଇ ଧର୍ମ ଅର୍ଜନ କରନ୍ତି। ତା ପରେ ପଡ଼େ ଛାଡ଼ଖାଇ।

Chhada Khai 2025

କାହିଁକି ପାଳନ ହୁଏ ଛାଡ଼ଖାଇ? Photograph: (OTV)

Advertisment

ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ପର୍ବପର୍ବାଣୀ (Odia Parba Parbani)ରେ ଖାଦ୍ୟ କେବଳ ଜୀବନଧାରଣର ଏକ ଅଂଶ ନୁହେଁ, ଏହା ଏକ ଧର୍ମୀୟ ଓ ସାମାଜିକ ଆଚରଣର ପ୍ରତୀକ ମଧ୍ୟ। ଏଠି ଋତୁ ପରିବର୍ତ୍ତନ ସହିତ ନୂଆ ନୂଆ ପର୍ବପର୍ବାଣୀ ଆସିଥାଏ, ଯେଉଁଥିରେ ଖାଦ୍ୟ ହିଁ ମୁଖ୍ୟ ଭୂମିକା ନେଇଥାଏ। କେଉଁ ପର୍ବରେ କେଉଁ ଖାଦ୍ୟ ପୂଜା ହୁଏ ତାହା ଅଲଗା ଅଲଗା।

Advertisment

ଏହି କ୍ରମରେ ଯଦିଓ ‘ଛାଡ଼ଖାଇ’ କୌଣସି ଧର୍ମ କିମ୍ୱା ନିର୍ଦ୍ଦିଷ୍ଟ ପୂଜାର ଅଂଶବିଶେଷ ନୁହେଁ, କିନ୍ତୁ ଏହା ସେହି ଧର୍ମୀୟ ପରମ୍ପରାର ଏକ ଅଂଶ। ପୁଣ୍ୟ ଅର୍ଜନ କରିବାକୁ ମାସ ସାରା ଲୋକେ ଅମିଷ ଭୋଜନ ଛାଡ଼ିଲା ପରେ, ଯେଉଁଦିନ ବ୍ରତ ଭାଙ୍ଗେ ତା ପରଦିନ ହିଁ ଲୋକେ ଛାଡ଼ଖାଇ ପାଳନ୍ତି, ଅର୍ଥାତ ମାସେ ଧରି ଯେଉଁ ଆମିଷ ଭୋଜନ ବନ୍ଦ ଥାଏ, ତାକୁ ଖାଇଥାଏ। ଅବଶ୍ୟ କେବଳ ଆମିଷ ନୁହେଁ, ଯିଏ ଯାହା ଛାଡ଼ିଥିବ, ସେ ତାକୁ ପୁଣି ଖାଇଥାଏ।

ଛାଡ଼ଖାଇର ଅର୍ଥ ଓ କାରଣ: ଏକ ବ୍ରତ ଭାଙ୍ଗିବାର ଆନନ୍ଦ

ଛାଡ଼ଖାଇ ଶବ୍ଦଟି ଓଡ଼ିଆ ଭାଷାରୁ ଉଦ୍ଭବ। "ଛାଡ଼" ଅର୍ଥାତ୍ ଯାହାକୁ ଛାଡ଼ିଦେଇଥିଲେ ଓ "ଖାଇ" ଅର୍ଥାତ୍ ଖାଇବା। ଅର୍ଥାତ୍, ଯାହାକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଛାଡ଼ିଥିଲେ, ତାହାକୁ ପୁନର୍ବାର ଗ୍ରହଣ କରିବା। ଓଡ଼ିଶାରେ ଏହା ମୁଖ୍ୟତଃ ଆମିଷ ଭୋଜନର ସହିତ ଜଡ଼ିତ। କାରଣ ଅତି ସରଳ, ଅଷ୍ଟମୀରୁ ପଞ୍ଚକ ପର୍ଯ୍ୟନ୍ତ ପଡୁଥିବା ପବିତ୍ର ମାସ କାର୍ତ୍ତିକରେ ଧର୍ମ ଅର୍ଜନ ପାଇଁ ହିନ୍ଦୁ ଓଡ଼ିଆମାନେ ବ୍ରତ ପାଳନ କରନ୍ତି। ଏଥିପାଇଁ ସାରା ମାସ ଆମିଷ ଭୋଜନ ଛାଡ଼ି ଶୁଦ୍ଧ ନିରାମିଷ ଭୋଜନ କରିଥାନ୍ତି। ଏହି ବ୍ରତକୁ "ହବିସ" ପାଳନ କୁହାଯାଏ। କିଏ ଫଳ ଖାଏ ତ କିଏ ବଘରା ହୋଇନଥିବା ଡାଲମା, ପରିବା ତରକାରୀ ପ୍ରଭୃତି ଖାଇଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଆସିଥାଏ ଛାଡ଼ଖାଇ, ଯେଉଁଥିରେ ସମସ୍ତେ ବ୍ରତ ଭାଙ୍ଗି ପୁରୁଣା ଖାଦ୍ୟାଭ୍ୟାସକୁ ଫେରିଥାନ୍ତି। 

Advertisment

ଏହାର କାରଣ ଧାର୍ମିକ ଓ ଋତୁଗତ। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ (Kartik Month)କୁ ପବିତ୍ର ଓ ଧର୍ମ ମାସ ବୋଲି ବିଚାର କରାଯାଏ। ଏହି ମାସରେ ଅଶୁଦ୍ଧ ଭୋଜନ ଖାଇବାକୁ ପାପ ବୋଲି ବିଶ୍ୱାସ କରାଯାଏ, କାରଣ ଏହା ଆତ୍ମାର ଶୁଦ୍ଧିକୁ ବାଧା ଦେଇଥାଏ। ସେଥିପାଇଁ ବ୍ରତ ଶେଷ ହେବା ପରେ, ଛାଡ଼ଖାଇ ଏକ ଆନନ୍ଦର ଉତ୍ସବ ହୋଇଉଠେ। କିଏ କିଏ କୁହନ୍ତି, ଶୀତଦିନ ହୋଇଥିବାରୁ ଛାଡ଼ଖାଇ ଏକ ଶାରୀରିର ଆବଶ୍ୟକତା। ଶୀତଦିନରେ ପ୍ରୋଟିନ୍ ଓ ଚର୍ବିଯୁକ୍ତ ଖାଦ୍ୟ ଶରୀର ପାଇଁ ଆବଶ୍ୟକ ରହିଥାଏ।

ଛାଡ଼ଖାଇ କେବେ ପାଳନ କରାଯାଏ?

ଓଡ଼ିଶାରେ ଛାଡ଼ଖାଇର ତାରିଖ ନିର୍ଦ୍ଧାରଣ ହୋଇଥାଏ, କାର୍ତ୍ତିକ ପୂର୍ଣ୍ଣିମାର ପରଦିନ। ଏହା ସାଧାରଣତଃ ନଭେମ୍ବର ମାସର ଦ୍ୱିତୀୟ ସପ୍ତାହ ଆଡ଼କୁ ପଡ଼ିଥାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆମାନେ ବାଲିଯାତ୍ରା, ଓ ଚୁଲାଭୋଜ ଆଦି ପର୍ବ ପାଳନ କରନ୍ତି, ଯାହାର ସହିତ ଜଡ଼ିତ ହବିସ ବ୍ରତ ଶେଷ ହୋଇଥାଏ। ପୂର୍ଣ୍ଣିମା ଦିନ ପରେ ବା ପଞ୍ଚକ ପର୍ବର ପରଦିନ ହୋଇଥାଏ ଛାଡ଼ଖାଇ। ବେଳେବେଳେ ଯଦି ଆମିଷ ବାର ପଡ଼େନି, ତାହେଲେ ଲୋକେ ଛାଡ଼ଖାଇ ପାଳିବାକୁ ଭଲ ବାରକୁ ଅପେକ୍ଷା କରନ୍ତି।

Advertisment

କିଏ କିଏ କୁହନ୍ତି, ପ୍ରାଚୀନ କାଳରେ ଛାଡ଼ଖାଇ ପରି ପରମ୍ପରା, ବାଲିଯାତ୍ରା ଉତ୍ସବ ସହିତ ଜଡ଼ିତ ଥିଲା। ବାଲିଯାତ୍ରା ହେଉଛି ଓଡ଼ିଶାର ବାଣିଜ୍ୟିକ ପର୍ବ, ଯେଉଁଥିରେ ଓଡ଼ିଆ ବଣିକ, ମତ୍ସ୍ୟଜୀବୀ ଓ ନାବିକମାନେ ବାଲିଦ୍ୱୀପକୁ ଯାତ୍ରା କରୁଥିଲେ। କୁହାଯାଏ, ସେମାନଙ୍କ ପାଇଁ ଅନୁଷ୍ଠିତ ବିଦାୟୀ ଉତ୍ସବରେ ମାଂସ ଓ ମାଛ ଭୋଜି ହେଉଥିଲା। ଏହାର କାରଣ ଥିଲା, ଏହି ସମୟରେ ସମୁଦ୍ରରେ ପ୍ରଚୁର ସୁସ୍ଥ ମାଛ ମିଳନ୍ତି ଏବଂ ମାଂସର ଗୁଣବତ୍ତା ମଧ୍ୟ ଭଲ ରହିଥାଏ।

ପାଳନର ନିର୍ଦ୍ଦିଷ୍ଟ ବିଧି: ସ୍ୱାଦ ଓ ଆଚରଣର ମିଳନ

ଛାଡ଼ଖାଇର ପାଳନରେ କୌଣସି କଠୋର ଧାର୍ମିକ ବିଧି ନାହିଁ, କିନ୍ତୁ ଏହାର ଆଚରଣ ଘରୋଇ ଓ ସାମାଜିକ ରୀତିରେ ହୁଏ। ଛାଡ଼ଖାଇରେ ଆମିଷ ବଜାରରେ ଗ୍ରାହକ ଅଧିକ ଥାଆନ୍ତି। କାରଣ ମାସ ସାରା ଆମିଷ ଖାଉନଥିବା ଲୋକେ ଏକାଥରକେ ସମସ୍ତେ ମାଛ-ମାଂସ କିଣିବାକୁ ବଜାରରେ ପହଞ୍ଚି ଯାଆନ୍ତି। 

ଛାଡ଼ଖାଇର ମେନୁ ଅତ୍ୟନ୍ତ ବିବିଧ। ଓଡ଼ିଆ ଲୋକମାନଙ୍କ ଆମିଷ ଋଚି ବହୁପ୍ରକାର। ଅଧିକାଂଶ ଗ୍ରାମାଞ୍ଚଳରେ ଦେଶୀ ମାଛ ହିଁ ମୁଖ୍ୟ ଆକର୍ଷଣ। କିନ୍ତୁ ସହର ଗୁଡ଼ିକରେ କୁକୁଡ଼ା ଓ ଖାସି ମାଂସ ଅଧିକାଂଶ ଘରେ ହୋଇଥାଏ। କାହାର ମାଂସ ଝୋଳ କାହାର ମାଛ ଝୋଳ, ଚିଙ୍ଗୁଡ଼ି ବେସର, କଙ୍କଡ଼ା ଝୋଳ, ପୋଡ଼ାମାଂସ କିମ୍ବା ମାଛ, ଚିଙ୍ଗୁଡ଼ି ଭଜା ଓ ମାଛ ଫ୍ରାଇ ପସନ୍ଦ ହୋଇଥାଏ। ଛାଡ଼ଖାଇ କେବଳ ଖାଦ୍ୟର ଏକ ଉତ୍ସବ ନୁହେଁ, ବରଂ ଧାର୍ମିକ ସଂଯମ, ଋତୁ ପରିବର୍ତ୍ତନ ଓ ସାମାଜିକ ମିଳନର ପ୍ରତୀକ।!

Kartik Month Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ