Advertisment

Radhapada Darshan: ରାଜାଙ୍କୁ ସ୍ୱପ୍ନେଇଲେ ମହାପ୍ରଭୁ, କହିଲେ ଭୋଗବୁହା ବାଟରେ ବସି, ପିଠାମିଠା ଅଇଁଠା କରୁଛନ୍ତି ସାକ୍ଷୀଗୋପାଳ, ଆମେ ରହୁଛୁ ଉପବାସ

ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଲେ- ହେ ରାଜା ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରାଣପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପେ ଜନ୍ମଲାଭ କରିଛି। ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣର ପ୍ରତିମା ନିର୍ମାଣ କରାଇ ମୋ ନିକଟରେ ପ୍ରତିଷ୍ଠା କରାଅ।

author-image
Sarojini Sankhua
The Divine Story of Lord Sakshigopala

ସାକ୍ଷୀଗୋପାଳ ଓ ରାଧାପାଦ ଦର୍ଶନ Photograph: (OTV)

ଅଁଳା ନବମୀ ଦିନ ଆମ ଓଡ଼ିଶାର ଏକ ବିଶିଷ୍ଟ ପର୍ବ ପାଳିତ ହୁଏ। ରାସେଶ୍ୱରୀ ରାଧାରାଣୀଙ୍କ ପାଦ ଦର୍ଶନ ଏ ଦିନର ଏକ ଅନନ୍ୟ ବିଶେଷତ୍ଵ l ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ l ସତ୍ୟବାଦୀର ବକୁଳବନ ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ଭଗବାନ ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ଓ ରାଧାରାଣୀଙ୍କ କମନୀୟ ମୂର୍ତ୍ତି ତଥା ରାଧାରାଣୀଙ୍କ ପାଦ ଦର୍ଶନ ବିଷୟରେ ସୁନ୍ଦର ଐତିହାସିକ କାହାଣୀ ରହିଛି। ତାହା ଏହିପରି -

Advertisment

ପୁରୀର ସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଝିଅ ଲକ୍ଷ୍ମୀ, ସାକ୍ଷୀଗୋପାଳଙ୍କ ବଡ଼ ଭକ୍ତ ଥିଲେ। ସବୁଦିନ ମନ୍ଦିର ଯିବା, ଫୁଲ ତୋଳିବା, ମନ୍ଦିରରେ ବାପାଙ୍କୁ ପୂଜାରେ ସାହାଯ୍ୟ କରିବା ଥିଲା ଲକ୍ଷ୍ମୀର କାମ। କିନ୍ତୁ ସାକ୍ଷୀଗୋପାଳ ପ୍ରତିଦିନ ରାତ୍ରିର ତୃତୀୟ ପ୍ରହର ବେଳେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହିତ ମିଳିତ ହୁଅନ୍ତି l  ବକୁଳ ବନରେ ଲକ୍ଷ୍ମୀସହ କେଳି କରନ୍ତି l ଅଧିକାଂଶ ସମୟରେ ମହାପ୍ରଭୁଙ୍କ ବଂଶୀ, ରାତିର ପିନ୍ଧା ଲୁଗା, ମୟୂର ଚୂଳ ଆଦି ମନ୍ଦିରରୁ ହଜି ଯାଉଥିଲା। ଯେତେବେଳେ ଠାକୁରଙ୍କ ଜିନିଷ ହଜିବା ବିଷୟରେ ଅନ୍ୟମାନେ ଜାଣିଲେ, ସେତେବେଳେ ସେମାନେ ବଡ଼ପଣ୍ଡାଙ୍କୁ ସନ୍ଦେହ କଲେ। ରାଜା ଆଜ୍ଞାରେ ଯେତେବେଳେ ବଡପଣ୍ଡାଙ୍କ ଘର ଭିତରେ ଖୋଜା ହେଲା, ସେତେବେଳେ ସେହି ବଂଶୀ, ରାତିର ପିନ୍ଧା ଲୁଗା, ମୟୂର ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନକକ୍ଷରୁ ମିଳିଲା। ରାଜା ବଡ଼ପଣ୍ଡାଙ୍କୁ ଚୋର ସାବ୍ୟସ୍ତ କରି ନାନା ପ୍ରକାର ନିର୍ଯାତନା ଦେଲେ। ଦୁହେଁ ବାପ ଝିଅ କାରାଗାରରେ ରହିଲେ। ବେଲେଶ୍ୱର ମହାପାତ୍ର ନିରୁପାୟ ହୋଇ ପ୍ରଭୁ ସାକ୍ଷୀଗୋପାଳଙ୍କ ଶରଣ ପଶିଲେ।

ସାକ୍ଷୀଗୋପାଳଙ୍କ ସ୍ୱପ୍ନାଦେଶ

ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଲେ- ହେ ରାଜା ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରାଣପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପେ ଜନ୍ମଲାଭ କରିଛି। ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣର ପ୍ରତିମା ନିର୍ମାଣ କରାଇ ମୋ ନିକଟରେ ପ୍ରତିଷ୍ଠା କରାଅ। ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପାଇ ଗଜପତି, ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ। ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ଶଯ୍ୟାଶାୟୀ ହେଲା। ସେହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଦିନ ଲକ୍ଷ୍ମୀ ଇହଲୀଳା ତ୍ୟାଗ କରିଥିଲେ। ସେହି ଦିନଥିଲା ଅଁଳା ନବମୀ। ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କ ପ୍ରାଣପ୍ରିୟା ଲକ୍ଷ୍ମୀଙ୍କ ମରଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା l ଏ କଥାକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ କାଳରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାହୋଇଥିଲା l ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀ ସାକ୍ଷୀଗୋପାଳଙ୍କ ଦୀର୍ଘଦିନର ମନସ୍କାମନା ପୂର୍ଣ୍ଣ ହେଲା।

Advertisment

ରାଧାରାଣୀଙ୍କ ପାଦ ଦର୍ଶନ

ଠାକୁର ପଶ୍ଚିମାଞ୍ଚଳ ବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ତାଙ୍କ ନିକଟରେ ଗହମ ଜାତ ସାମଗ୍ରୀମାନ ଭୋଗଲାଗି ହେଲା l ପଶ୍ଚିମାଞ୍ଚଳ ମହିଳାଙ୍କ ପରି ରାଧାରାଣୀଙ୍କ ପିନ୍ଧା ଶାଢ଼ୀ ଦ୍ୱାରା ତାଙ୍କର ପାଦ ବର୍ଷସାରା ଘୋଡ଼ାଇ ହୋଇ ରହିଲା l ଏମିତି କିଛିଦିନ ବିତିବା ପରେ ଏକଦା କିଛି ସେବକ ବସି ବିଚାର କଲେ, ମାଆ ଶ୍ରୀରାଧା, ମାନବୀ ପ୍ରିୟା ଲକ୍ଷ୍ମୀ ରୂପେ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ, କିନ୍ତୁ ଦିନେହେଲେ ତ ଓଡ଼ିଆଣୀ ବେଶ ହେଲେ ନାହିଁ?

ଶେଷରେ ସ୍ଥିର ହେଲା ରାଧାରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମ ଦିନ, କେତେକଙ୍କ ମତରେ ତିରୋଧାନ ଦିବସ, କାର୍ତ୍ତିକ ଶୁକ୍ଳନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ l ପୁନଶ୍ଚ ଏହି ତିଥିରେ କୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇଥିଲେ ଏବଂ ରାଧା ଏହିଦିନ କୃଷ୍ଣଙ୍କୁ ପାଦ ରେଣୁ ଦେଇ ସୁସ୍ଥ କରାଇଥିଲେ l

ଏହାପରେ ଗୁପ୍ତ ବୃନ୍ଦାବନ ସାକ୍ଷୀଗୋପାଳରେ ବର୍ଷ ସାରା ରାଧାରାଣୀଙ୍କ ଆବୃତ ପାଦ ଭକ୍ତଙ୍କ ପାଇଁ ଅଁଳାନବମୀ ଦିନ ଉନ୍ମୁକ୍ତ ହେଲା। ମାଆଙ୍କ ପାଦ ଯୁଗଳକୁ ଶ୍ରଦ୍ଧାଳୁମାନେ ଅଁଳା ନବମୀ ଦିନ ଦର୍ଶନ କରିବାର ସୁଯୋଗ ପାଇଲେ। ଓଡ଼ିଆଣୀ ବେଶରେ ମାଆ ରାଧାରାଣୀ କାଣିଆ କଛା ମାରି ଶାଢ଼ୀ ପରିଧାନ କରନ୍ତି।

ପ୍ରଭୁ ସାକ୍ଷୀଗୋପାଳଙ୍କୁ ଚନ୍ଦନ ବେଶ କରାଯାଇ ଶିରରେ ସ୍ୱର୍ଣ୍ଣ ମୁକୁଟ ଓ ମୟୂରପୂଛ, ହାତରେ ସୁନାର ବଂଶୀ ଧାରଣ ପୂର୍ବକ ଅତି ମନୋରମ ନଟବର ବେଶରେ ସଜାଇ ଦିଆଯାଏ l ରାଧାରାଣୀଙ୍କୁ ଖଣ୍ଡୁଆ ପାଟବସ୍ତ୍ର, କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି, ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଆଦି ଲାଗି କରି ମନମୁଗ୍ଧକର ଓଡ଼ିଆଣୀ ବେଶରେ ସଜାଇ ଦିଆ ଯାଏ l ଏହିଦିନ ରାଧାରାଣୀଙ୍କ ପାଦ ଦର୍ଶନ କରିବାକୁ ସୁଯୋଗ ମିଳିଥାଏ।

ଶ୍ରୀକୃଷ୍ଣଙ୍କ ନାଁ ସାକ୍ଷୀଗୋପାଳ ହେଲା କେମିତି

ବହୁ ଦିନ ତଳେ ରାଜା ଉନମାଧବ ଯମୁନା ନଦୀ କୂଳରୁ ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ଆଣି ବୃନ୍ଦାବନରେ ସ୍ଥାପନ କରାଇଥିଲେ l ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହଙ୍କୁ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ସାକ୍ଷୀ ଦେବା ପାଇଁ କାଞ୍ଚି ନେଇ ଯାଇଥିଲେ l ସାକ୍ଷୀ ଦେବାପାଇଁ ଆସି ପ୍ରଭୁ ଗୋପାଳ କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରି ନଥିଲେ ଓ କାଞ୍ଚିରେ ରହି ସାକ୍ଷୀଗୋପାଳ ନାମରେ ପୂଜିତ ହେଲେ l 

ସାକ୍ଷୀଗୋପାଳ ଓଡ଼ିଶା ଆସିଲେ କେମିତି?

କାଞ୍ଚି କାବେରୀ ଯୁଦ୍ଧରେ ଉତ୍କଳ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହାୟତାରେ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀ ସାକ୍ଷୀଗୋପାଳ, ମାଆ ତାରିଣୀ ଓ କାଞ୍ଚି ଗଣେଶଙ୍କୁ ଉତ୍କଳକୁ ନେଇ ଆସିଥିଲେ l ପରବର୍ତ୍ତୀ ସମୟରେ କାଞ୍ଚି ଯୁଦ୍ଧରେ ସହାୟତା କରିଥିବା କେନ୍ଦୁଝର ରାଜା ଗୋବିନ୍ଦଭଞ୍ଜ, ମାଆ ତାରିଣୀଙ୍କୁ ନେଇ କେନ୍ଦୁଝରର ଘଟଗାଆଁ ଠାରେ ସ୍ଥାପନ କରିଥିଲେ l

ଗଣେଶ ଶ୍ରୀମନ୍ଦିର ପରିସରରେ ଶ୍ରୀମନ୍ଦିର ପଛପଟେ ଏକ ଛୋଟ ମନ୍ଦିର ମଧ୍ୟରେ କାଞ୍ଚି ଗଣେଶ ନାମରେ ଅବସ୍ଥାପିତ ହୋଇଛନ୍ତି l ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କୁ ପ୍ରଥମେ କଟକର ବାରବାଟୀ ଦୁର୍ଗରେ ସ୍ଥାପନ କରା ଯାଇଥିଲା l ବାରବାଟୀରୁ ଖୋର୍ଦ୍ଧା ରଥିପୁରଗଡ଼ ଓ ତା ପରେ କନ୍ତଳବାଇକୁ ସ୍ଥାନାନ୍ତରିତ ହୋଇଥିଲେ l ଶେଷରେ ମହାପ୍ରଭୁଙ୍କ ମଣି ବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗ ମଣ୍ଡପ ନିକଟରେ ସ୍ଥାପିତ ହେଲାl

ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ

ଶ୍ରୀ ସାକ୍ଷୀଗୋପାଳ, ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ରଦେବଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ  ସ୍ୱପ୍ନ ହେଲା ଯେ, ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି, ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଅଇଁଠା କରି ଦେଉଛନ୍ତି। ଆମେ ଉପବାସ ରହୁଛୁ l ଚମକି ପଡ଼ି ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା l

ରାଜା ଭାରି ବ୍ୟସ୍ତ ବିବ୍ରତ ଅବସ୍ଥାରେ ଅଛନ୍ତି, ଏହି ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ଗଜପତିଙ୍କ ପାଖକୁ ଯାଇ କହିଲେ- ହେ ରାଜନ ! ପୁରୀରୁ ୧୫ ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରରେ ବକୁଳ, ତମାଳ, ଛୁରିଅନା, କେତକୀ ଓ ନଡିଆ ଗଛ ପରିବେଷ୍ଟିତ ମନୋରମ ବନରେ ମହାପ୍ରଭୁ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର, ସେଠାରେ ତାଙ୍କର ରହିବାକୁ ଭାରି ଇଚ୍ଛା l

ଏହି ଧାମ ବୃନ୍ଦାବନ ଧାମ ପରି। ରାଜା ଗଜପତି ରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କର ଏହି ପରାମର୍ଶକୁ ସ୍ୱୟଂ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ସିଦ୍ଧ ବଳରାମଙ୍କ ନିକଟରେ ଏକ ମନ୍ଦିର ନିର୍ମାଣ କରି ପ୍ରଭୁ ସାକ୍ଷୀ ଗୋପାଳଙ୍କୁ ସ୍ଥାପନ କଲେ l ଏହି ପୀଠକୁ ଗୁପ୍ତ ବୃନ୍ଦାବନ ବୋଲି ଅଭିହିତ କରାଯାଏ। ଏବେକାର ସାକ୍ଷୀ ଗୋପାଳ ମନ୍ଦିର ୧୮୬୫ ମସିହାରେ ନିର୍ମାଣ କରାଯାଇଥିଲା l 

ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ରାଧାରାଣୀ ରହିଲେ ବୃନ୍ଦାବନରେ l ତାଙ୍କର ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ବ୍ୟାକୁଳ ହେଲେ। ସମୟ କ୍ରମେ ଶ୍ରୀରାଧା ସାକ୍ଷୀଗୋପାଳଙ୍କ ବଡ଼ ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ତାଙ୍କର ଝିଅ ଲକ୍ଷ୍ମୀ ରୂପରେ ଜନ୍ମ ନେଲେ । ପରେ ରାଧାରାଣୀ ମୂର୍ତ୍ତି ରୂପରେ ସାକ୍ଷୀଗୋପାଳଙ୍କ  ନିକଟରେ ମିଳିତ ହୋଇ ଶୋଭାପାଉଛନ୍ତି।

ଏଠାରେ ଅଁଳା ନବମୀ ଦିନ ରାଧାପାଦ ଦର୍ଶନ ପର୍ବ ପାଳିତ ହୁଏ। ଏହିଦିନ ରାଧାରାଣୀଙ୍କ ପାଦ ଦର୍ଶନ କରିବା ସହ ଶ୍ରୀକୃଷ୍ଣଙ୍କ ମନୋହର ନଟବର ବେଶ ଦର୍ଶନ କରି ଭକ୍ତମାନେ ପୁଣ୍ୟ ଅର୍ଜନ କରିଥାନ୍ତି l ଶ୍ରୀକୃଷ୍ଣଙ୍କ ନଟବର ବେଶ ରାଧାରାଣୀଙ୍କର ଅତି ପ୍ରୀୟ। ନଟବର ବେଶରେ ପ୍ରଭୁ ଦ୍ୱାପର ଯୁଗରେ ଗୋପୀ ମାନଙ୍କ ସହ ବୃନ୍ଦାବନରେ ଶରଦରାସ ରଚନା କରିଥିଲେ l

ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କର ପାଦପଦ୍ମ ଯୁଗକୁ ବର୍ଷକେ ଥରେ ନବମୀ ଦିନ ଭକ୍ତ ମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି l ଗୁପ୍ତବୃନ୍ଦାବନ ସାକ୍ଷୀଗୋପାଳର ଏହି ଅଁଳା ନବମୀ, ଶ୍ରୀକ୍ଷେତ୍ର ରଥ ଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା l କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଏ ଯାତ୍ରା ପାଳିତ ହୁଏ l

Odia Parba Parbani Anla Navami
Advertisment
Related Articles
Advertisment