Advertisment

Odisha's Prathamastami: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ମାମୁଘରୁ ଆସେ ପଢ଼ୁଆଁ ଲୁଗା , ପ୍ରଭୁ ଲିଙ୍ଗରାଜ ଯାଆନ୍ତି ମାମୁଘର

ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀରେ ପ୍ରଥମାଷ୍ଟମୀ ପାଳନ କରାଯାଏ। ଏହା ପଢୁଆଁ ଅଷ୍ଟମୀ ନାମରେ ମଧ୍ୟ ପରିଚିତ । ଓଡ଼ିଶାରେ ପ୍ରଥମାଷ୍ଟମୀ ଏକ ପାରମ୍ପରିକ ଓ ପାରିବାରିକ ପର୍ବ ରୂପେ ପାଳନ କରାଯାଏ ।

author-image
Sarojini Sankhua
ଅଦ୍ୟତନ ହୋଇଛି
prathamastami

prathamastami Photograph: (OTV)

ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀରେ ପ୍ରଥମାଷ୍ଟମୀ ପାଳନ କରାଯାଏ। ଏହା ପଢୁଆଁ ଅଷ୍ଟମୀ ନାମରେ ମଧ୍ୟ ପରିଚିତ । ଓଡ଼ିଶାରେ ପ୍ରଥମାଷ୍ଟମୀ ଏକ ପାରମ୍ପରିକ ଓ ପାରିବାରିକ ପର୍ବ ରୂପେ ପାଳନ କରାଯାଏ । ପ୍ରଥମାଷ୍ଟମୀ ପର୍ବ ଓଡିଶାର ଏକ ଲୌକିକ ପର୍ବ । ଦେବଦେବୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ଅଷ୍ଟମୀ ପରି ବଡ ପୁଅ ବା ବଡ ଝିଅର କଲ୍ୟାଣ ପାଇଁ ବାପା ମା'ମାନେ ପ୍ରଥମାଷ୍ଟମୀ  ପାଳନ କରନ୍ତି । 

Advertisment

ପ୍ରଥମ ପିଲାର ମହତ୍ତ୍ଵ 

ପୁରାଣ ଅନୁସାରେ ମାସଗୁଡ଼ିକ ମଧ୍ୟରେ ମାର୍ଗଶିର ମାସ ହେଉଛି ଶ୍ରେଷ୍ଠମାସ । ପୂର୍ବେ ମାର୍ଗଶିର ମାସଠାରୁ ବର୍ଷ ଗଣନା ଆରମ୍ଭ ହେଉଥିଲା । ମାର୍ଗଶିର ମାସରେ ପ୍ରଥମାଷ୍ଟମୀ ପଡ଼େ । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ ।  ପ୍ରଥମାଷ୍ଟମୀ ଦିନ ପ୍ରଥମ ସନ୍ତାନକୁ ସମ୍ବର୍ଦ୍ଧନା  ଜଣାଇବା ଓ ତା'ର ମଙ୍ଗଳ କାମନା କରିବା ଏହି ପର୍ବପାଳନର ମୂଖ୍ୟ ଉଦ୍ଦେଶ୍ୟ । 

ଭାରତୀୟ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କର ଗୁରୁତ୍ଵ ଆମ ସମାଜରେ ଅଧିକ। ବାପା ମାଙ୍କର ପ୍ରଥମ ସନ୍ତାନ ଭାବରେ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ସାନମାନଙ୍କ ତୁଳନାରେ ଅଧିକ ବୋଲି ବିଚାର କରାଯାଏ। ସାନ ଭାଇଭଉଣୀ ମାନଙ୍କୁ ସ୍ନେହ କରିବା ସେମାନଙ୍କ ଦାୟିତ୍ୱ ନେବା, ପରିବାର ପ୍ରତି କର୍ତ୍ତବ୍ୟନିଷ୍ଠ ହେବାରେ ପ୍ରଥମ ସନ୍ତାନମାନେ ସବୁବେଳେ ଆଗରେ ରହନ୍ତି। ତାଙ୍କର ସେହି କର୍ତ୍ତବ୍ୟ ଓ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ବୋଧହୁଏ ଏ ବିଶେଷ ଦିନ, ବିଶେଷ ପର୍ବର ଉତ୍ପତ୍ତି ହୋଇଛି।

Advertisment

ଅଷ୍ଟମୀ ବନ୍ଧୁ 

ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନଙ୍କ ନୂଆ ବସ୍ତ୍ର ପରିଧାନ  ଓ ବନ୍ଦାପନା ହେବାର ଏହି ବିଧି ଲକୁ ‘ପଢୁଆଁ' ହେବା' କହିଥାନ୍ତି । ‘ପଢୁଆଁ' ଶବ୍ଦ ‘ପ୍ରଥମା'ର ଅପଭ୍ରଂଶ । ସାଧାରଣତଃ ପଢୁଆଁ କରିବା  ଦାୟିତ୍ବ ମାମୁଙ୍କର । ଏହି ଦିନ ମାମୁମାନେ ନୂଆ ଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ  ଭଣଜା ଘରକୁ ଯାଇ ପଢ଼ୁଆଁ କରନ୍ତି । ସେଥ‌ିପାଇଁ ମାମୁଙ୍କୁ ଶ୍ରଦ୍ଧା ଓ ପରିହାସରେ ‘ଅଷ୍ଟମୀ ବନ୍ଧୁ ' ବୋଲି କୁହାଯାଇଥାଏ । ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅକ୍ଷମ ରହେ ।

ପ୍ରଥମାଷ୍ଟମୀର ଏଣ୍ଡୁରି ପିଠା 

ପର୍ବପର୍ବାଣୀରେ ନାନାପ୍ରକାର ପିଠାପଣା ତିଆରି କରିବାରେ ଓଡ଼ିଆଣୀମାନଙ୍କୁ କେହି  ବଳାଇ ଯାଇପାରିବେ ନାହିଁ ବୋଲି କୁହାଯାଇପାରେ । ଏମିତିକି ଶ୍ରୀଜଗନ୍ନାଥଙ୍କଠାରେ ଯେତେ ପ୍ରକାର ପିଠା ଭୋଗ ଲାଗିହୁଏ ତା'ର ତୁଳନା ନାହିଁ । ଓଡିଶାରେ ବିଶେଷ ଉତ୍ସବ ଓ ପର୍ବପର୍ବାଣୀ ଦିନମାନଙ୍କରେ  ବିଭିନ୍ନ ପ୍ରକାରର ପିଠା ହୁଏ । ରଜରେ ପୋଡ଼ପିଠା, ଚକୁଳି ପିଠା, ବଡଓଷା ଓ ଦଶହରାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତଉ ପିଠା , ଶାମ୍ବ ଦଶମୀରେ ବୁଢ଼ା ଚକୁଳି ଯେପରି ହୁଏ, ସେହିପରି ପ୍ରଥମାଷ୍ଟମୀରେ ସ୍ଵତନ୍ତ୍ର ଭାବେ ଏଣ୍ଡୁରି ପିଠା ତିଆରି ହୁଏ । ଛେନା, ନଡିଆ ଓ ଗୁଡ ପୁର ଏବଂ ବିରି ଚାଉଳରେ ଏହା ପ୍ରସ୍ତୁତ ହୁଏ। ଏହି ପିଠା ତିଆରି ପାଇଁ ହଳଦୀ ପତ୍ରର ବ୍ୟବହାର ଏହାର ଏକ ବିଶେଷତ୍ତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ରର ବ୍ୟବହାର ହୁଏ ନାହିଁ। କେବଳ ପ୍ରଥମାଷ୍ଟମୀ ଅବସରରେ ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର ପ୍ରସିଦ୍ଧ । ଏହି ପିଠା ଅତ୍ୟନ୍ତ ସୁସ୍ଵାଦୁ । ଗୋଟିଏ ହାଣ୍ଡିର ମୁହଁରେ କନା ବାନ୍ଧି ସେହି ହାଣ୍ଡିକୁ ଚୁଲା ଉପରେ ରଖାଯାଏ । ଏହାକୁ ‘ଅଥାରହାଣ୍ଡି” କହନ୍ତି । ଏହି ଅଥାରହାଣ୍ଡି ଉପରେ ହଳପତ୍ରରେ ପୁରମିଶା ଆଣ ରଖି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ । କଛି ସମୟପରେ ପିଠା ସିଝିଗଲେ, ତ'କୁ କାଢ଼ି ଦିଆଯାଏ । ଏହା ହିଁ ଏଣ୍ଡୁରି ପିଠା।

ପ୍ରଭୁ ଲିଙ୍ଗରାଜଙ୍କ ମାମୁଘର ଯାତ୍ରା 

ପ୍ରଥମାଷ୍ଟମୀର ଅନ୍ୟ ଏକ ବୈଶିଷ୍ଟ୍ୟ ରହିଛି । ଓଡ଼ିଶାରେ ଏହିଦିନ ଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ପ୍ରଭୁ ମାମୁ ଘର ଭାବେ ପ୍ରସିଦ୍ଧ କାପାଳୀ ମଠ(ଲଙ୍ଗରଜ ମନ୍ଦିର ସଲଗ୍ନ)କୁ ଯାଆନ୍ତି ପଢ଼ୁଆଁ ହେବା ପାଇଁ । ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବୀ’ । ଏ ଦୁହେଁ ଲଙ୍ଗରାଜଙ୍କର ମାମୁଁ -ମାଇଁ ରୂପେ  ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୋଖରୀ ରହିଛି । ଯାହା ‘ପାପନାଶିନୀ' ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୋଖରୀର ଜଳପାନ କଲେ ପାପ କ୍ଷୟ ହୁଏ ଓ ବନ୍ଧ୍ୟାଦୋଷ ଦୂର ହୁଏ ବୋଲି ପ୍ରବାଦ ଅଛି । 

ଶ୍ରୀ ମନ୍ଦିରରେ ପଢୁଆଁ ପର୍ବ 

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ପଢୁଆଁ ହୁଅନ୍ତି । ଏଥିପାଇଁ ଜଗନ୍ନାଥଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଅଷ୍ଟମୀ ଭାର ଆସେ । ଏହି ଭାରରେ ବିରି, ଚାଉଳ, ନଡ଼ିଆ, ଗୁଡ଼, ପାନ, ଗୁଆ, ନୂଆ ବସ୍ତ୍ର ଏବଂ ବିଭିନ୍ନ ଫଳ ଆସେ । ଅଷ୍ଟମୀରେ ଏସବୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ତୃତୀୟ ଅନଙ୍ଗଭୀମଦେବଙ୍କ ଶାସନ କାଳରୁ ୧୨୨୬ ଖ୍ରୀଷ୍ଟାବ୍ଦରୁ ଏହି ପରମ୍ପରା ଚାଲି ଆସୁଛି ।

ପ୍ରଥମାଷ୍ଟମୀ ପାଳନ 

ଓଡ଼ିଶାରେ ପ୍ରଥମାଷ୍ଟମୀ ଏକ ପାରମ୍ପରିକ ଓ ପାରିବାରିକ ପର୍ବ  ।  ଏହି ଦିନ ବଡ଼ ପୁଅ ବା ବଡ଼ ଝିଅର କଲ୍ୟାଣ ପାଇଁ ବାପା ମା’ମାନେ ପ୍ରଥମାଷ୍ଟମୀ  ପାଳନ କରନ୍ତି । ସେଦିନ ବଡ ପୁଅ ବା ଝିଅକୁ ଗାଧୋଇ ଦେଇ  କପାଳରେ ଚନ୍ଦନଟିପା ଦିଆଯାଏ । ପଞ୍ଚପଲ୍ଲବ, ପଞ୍ଚଶସ୍ୟ ଆଦିରେ  ପଞ୍ଚଦେବତାଙ୍କୁ କଳସରେ ଆବାହନ ଓ ପୂଜା କରାଯାଏ । ପଞ୍ଚାମୃତ ଓ ପାଞ୍ଚପ୍ରକାର ପିଠା, ଖିରି ତରକାରୀ ନୈବେଦ୍ୟ ଦିଆଯାଏ । କଳସରେ ଲଗି ହୋଇଥିବ ନୂଅ ଲୁଗା ପଢୁଆଁ ପୁଅ, ଝିଅ ପିନ୍ଧନ୍ତି। ମା’ମାନେ ଗୋଟିଏ ଥାଳିରେ ଦୁବ, ଅରୁଆଚାଉଳ, ଗୁଆ, ଫୁଲ, ଘିଅଦୀପ ରଖି ପଢୁଆଁ ପୁଅ, ଝିଅକୁ ବନ୍ଦାନ୍ତି । ପଢୁଆଁ ପୁଅ, ଝିଅଙ୍କ ପାଇଁ ନୂଆ ଲୁଗା ମାମୁଁ ଘରୁ ଆସିଥାଏ ।କଳସ ପୂଜା ଅବସରରେ ଏକବର୍ଣ୍ଣ ଗାଈର ଗୋବର ଲେଣ୍ଡାଏ ରଖାଯାଏ । ସେଥିରେ ନୂଆ ଧାନକେଣ୍ଡାଟିଏ ପୋତି ଦିଆଯାଏ । ସେଥିରେ ଚନ୍ଦନ, ସିନ୍ଦୂର, ଫୁଲ ଦେଇ ଲକ୍ଷ୍ମୀଙ୍କୁ ପୂଜା କରଯାଏ । ନୂଆ ଚାଉଳରେ ହୋଇଥିବା ଖିରି ଭୋଗ ଦିଆଯାଏ। ଏହି ଦିନ ନୂଆ ବଡି ତିଆରି ହେବାର ପରମ୍ପରା ରହିଛି।

Advertisment
Related Articles
Advertisment