Advertisment

Songs That Changed Bollywood Music: ହଠାତ୍ ଅରିଜିତଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ରହସ୍ୟ

ଗୀତ ଗାଇବା ଛାଡ଼ିଲେ ଅରିଜିତ୍। ୟୁଥ୍ ସେନସେସନ୍ ଅରିଜିତ୍ ସିଂହଙ୍କ ବଡ଼ ଘୋଷଣା। ଗୀତ ଗାଇବା ଛାଡ଼ିବା ନେଇ ଘୋଷଣା କଲେ। ଆଉ ପ୍ଲେବ୍ୟାକ୍ କରିବେନି ଅରିଜିତ୍। ହଠାତ୍ ଅରିଜିତଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ରହସ୍ୟ।

author-image
Pramod Behera
Songs That Changed Bollywood Music

ହଠାତ୍ ଅରିଜିତଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ରହସ୍ୟ Photograph: (OTV)

ଆଉ ଶୁଣାଯିବନି ସେଇ ସ୍ୱର, ସିନେମା ସିନା ଚାଲିବ କିନ୍ତୁ ସେ ଆଉ ଗାଇବେନି। ଯାହାଙ୍କ ଗୋଟିଏ ଗୀତ ସାରା ସିନେମାକୁ ହିଟ୍ କରିଦିଏ, ଯାହାର ଗୋଟିଏ ‘ଆଲାପ’ ମନର ଆଘାତକୁ ଭରି ଦିଏ, ସେ ହେଲେ ଅରିଜିତ୍। ଯୁବ ହେଉ କି ବୟସ୍କ, ହିନ୍ଦୀ ହେଉ କି ବଙ୍ଗଳା, ଓଡ଼ିଶାର ହେଉ କି ତାମିଲନାଡ଼ୁ ସେ ଜାଣିଛି ଅରିଜିତଙ୍କୁ, ଅରିଜିତଙ୍କ ଗୀତକୁ। ଫ୍ୟାନଙ୍କୁ ସପ୍ରାଇଜ୍ କରି ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍କୁ ଅଲବିଦା କହିଛନ୍ତି ଅରିଜିତ୍ ସିଂହ। ଇନଷ୍ଟାଗ୍ରାମର ଏଇ ପୋଷ୍ଟ ଯେ ଫ୍ୟାନଙ୍କ ମନରେ କେତେ ବଡ଼ ଆଘାତ ଦେଇଛି ତାହା ବୋଧେ ସେ ବୁଝି ପାରି ନଥିବେ। ହେଲେ ସେ ପରା ଅରିଜିତ୍, ଏମିତି ହିଁ ସେ।

Advertisment

ଅରିଜିତ୍ ଯେ ଖାଲି ଗାୟକ ଥିଲେ ତା ନୁହେଁ ବିଫଳତାରୁ ସଫଳତାର ଯାତ୍ରା ଆଉ ସଫଳ ହେବା ପରେ ବି ସାଧାରଣ ଜୀବନ ବିତାଇବାର ଏକ ଜୀବନ୍ତ ଉଦାହରଣ। ୨୦୦୫ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ରିଆଲିଟି ଶୋ’ରେ ଭାଗ ନେଇ ବାଦ୍ ପଡ଼ିଥିଲେ। ହେଲେ ଏଥିରେ ସେ ହାରି ନଥିଲେ କି ପଛକୁ ବୁଲି ଦେଖିନଥିଲେ। 

ବିଳମ୍ବରେ ହେଉ ପଛେ ବଲିଉଡରେ ଏଣ୍ଟ୍ରି ମିଳିଥିଲା କିନ୍ତୁ ତାହା ବି ସ୍କ୍ରାଚ୍ ଅର୍ଥାତ ଛୋଟିଆ ଅଂଶ ଗାଇବାକୁ ସୁଯୋଗ ମିଳିଥିଲା। ହେଲେ ଜୀବନ ବଦଳିଥିଲା ୨୦୧୨ରେ ‘ମର୍ଡର ୨’ର ‘ଫିର୍ ମୋହବତ୍’ରୁ...ବାସ୍ ଏଇ ଗୀତ ଦେଇଥିଲା ଦେଶରେ ନୂଆ ଷ୍ଟାର୍। ଦୁଇ ବର୍ଷ ପରେ ‘ଆଶିକୀ ୨’ ଆଣିଥିଲା ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ବିପ୍ଲବ। 

Advertisment

ପରେ ଚେନ୍ନାଇ ଏକ୍ସପ୍ରେସ, ୟେ ଜୱାନୀ ହେ ଦିୱାନୀ, ଖାମୋସିଆଁ, ରୟ, ବଦଲାପୁର, ହମାରୀ ଅଧୁରୀ କାହାନୀ, ଏ ଦିଲ୍ ହେ ମୁସକିଲ, ବ୍ରହ୍ମାସ୍ତ୍ରଠୁ ନିକଟରେ ରିଲିଜ୍ ହେବାକୁ ଥିବା ସଲମାନଙ୍କ ଗଲୱାନ୍ ଫିଲ୍ମ ଭଳି ଏକାଧିକ ଗୀତରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପରିସ୍ଥିତି ଏମିତି ହେଇଛି କି ସିନେମାରେ ଅଭିନେତା ଅଭିନେତ୍ରୀଙ୍କଠୁ ଅଧିକ ଚର୍ଚ୍ଚିତ ଅରିଜିତଙ୍କ ଗୀତ।

ବିପ୍ଲବର ବହ୍ନି ବି ଜାଳିଛି ତାଙ୍କ ଗଳାରୁ ବାହାରିଥିବା ସ୍ୱର। ଏଇ ଯେମିତି କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ପରେ ରିଲିଜ୍ ହେଇଥିବା ଛୋଟିଆ ଗୀତ ଯେ ସାରା ବେଙ୍ଗଲରେ ଚହଲ ପକାଇଥିଲା।

ଅରିଜିତ୍ ସବୁଠୁ ସଫଳ, ସବୁଠି ପରିଚିତ କିନ୍ତୁ ନା ତାଙ୍କ ପାଖରେ ଏଥିପାଇଁ ଥିଲା ଟିକିଏ ଗର୍ବ ନା କୌଣସି ଅବସୋସ। ସେଥିପାଇଁ ବୋଧେ ସେ ଏବେ ବି ନିଜ ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଘରେ ଅଧିକ ସମୟ ରୁହନ୍ତି, ସ୍କୁଟର ଧରି ରାସ୍ତାକୁ ବାହାରି ଯାଆନ୍ତି, ବିନା ସୁରକ୍ଷାରେ ଏଣେତେଣେ ବୁଲନ୍ତି। ନିକଟରେ ଓଡ଼ିଶାର ଯାଜପୁରକୁ ସେମିତି ହିଁ ବୁଲୁ ବୁଲୁ ସେ ଚାଲି ଆସିଥିଲେ।

Bollywood Bollywood Singers indian music industry news
Advertisment
Advertisment