Advertisment

Love Turns Costly: ପ୍ରେମିକା ପାଇଁ ଫସିଗଲା ମଧୁକାନ୍ତ, ଫୋନ୍ ଟ୍ରାକିଂ ଧରାଇଦେଲା ମଧୁକାନ୍ତର ଠିକଣା

୫ ମାସର ଛକାପଞ୍ଛା ପରେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା କୁଖ୍ୟାତ ବିହାରୀ ଅପରାଧୀ ମଧୁକାନ୍ତ ବନ୍ଧା ହେଲା ସତ, କିନ୍ତୁ ଏବେ ବି ମାଳ ମାଳ ରହସ୍ୟ ଉପରୁ ହଟିନି ପରଦା। ତ୍ରିସ୍ତରୀୟ ସୁରକ୍ଷାକୁ ଭେଦ କରି ସାଥୀ କଏଦୀ ରାଜା ସାହାଣୀ ସହ କେମିତି ହୋଇଗଲା ସୀମାପାର ?

author-image
Tapan Swain
ACCUSED

ACCUSED Photograph: (OTV)

ନାଁ ମଧୁକାନ୍ତ ରାଣା। ଶୁଣିବାକୁ କାନକୁ ଯେତିକି ଭଲ ଲାଗୁଛି, ତାର କାରନାମା ଶୁଣିଲେ କାନ ତାବଦା ହୋଇ ଯାଉଛି। ସିଏ ଏମିତି ସେମିତି କଏଦୀ ନୁହଁ, ସିଏ ଦୁର୍ଦ୍ଦାନ୍ତ ଅପରାଧୀ। ଜେଲ୍ ବାହାରେ ଯେତିକି ଜଘନ୍ୟ କାଣ୍ଡ ଭିଆଏ, ଜେଲ୍ ଭିତରେ ବି ସେ ଚତୁରତାର ସହ ସୁରକ୍ଷା ବ୍ୟବସ୍ଥାକୁ ଚକମା ଦିଏ। ଦୀର୍ଘ ୫ ମାସର ବ୍ୟବଧାନ ପରେ ଏବେ ମଧୁକାନ୍ତ ପୁଣି ସେହି ଖୁଆଡ଼ରେ ପଡ଼ିଛି, ଯେଉଁ ଖୁଆଡ଼ରୁ ଦଶହରାରେ ହୋଇଥିଲା ଚମ୍ପଟ। ଏବେ ପୁଣି ସେହି ପୁରୁଣା ଠିକଣା ଚୌଦ୍ବାର ଜେଲ୍।

Advertisment

ଚୌଦ୍ୱାର ଜେଲର ସେଲ୍ ନମ୍ବର ୩। ଗ୍ରୀଲ୍ ଭିତରେ ମଧୁକାନ୍ତ, ଗ୍ରୀଲ୍ ବାହାରେ ବନ୍ଧୁକଧାରୀ ପୋଲିସ। ଜେଲ୍ କର୍ମଚାରୀ ନୁହଁନ୍ତି, କମିଶନରେଟ୍ ପୋଲିସର ଦକ୍ଷ ବନ୍ଧୁକଧାରୀ ପୋଲିସ ଦେଉଛନ୍ତି ୨୪ ଘଣ୍ଟିଆ କଡ଼ା ପହରା। ହାଇ ରିଜୋଲ୍ୟୁସନ୍ ସିସିଟିଭିରେ ବି ମିନିଟ୍ ଟୁ ମିନିଟ୍ କରାଯାଉଛି ମନିଟରିଂ। ଏଥର ସେ ଆଉ ଯେମିତି ଖସିନଯାଏ, ଜେଲ୍ ବିଭାଗଠାରୁ ପୋଲିସ୍ ବିଭାଗ ଯାଏ ସଜାଗ୍।

ଜେଲ୍ ମାନୁଆଲ୍ କହୁଛି, ମଧୁକାନ୍ତ ଭଳି କଏଦୀଙ୍କୁ ପୁଣି ଯଦି ଜେଲରେ ରଖାଯାଏ, ତେବେ ତାଙ୍କ ପାଇଁ ରହିଛି ସ୍ବତନ୍ତ୍ର ନିୟମ। ଓଡ଼ିଶା ମଡେଲ୍ ଜେଲ୍ ମାନୁଆଲ-୨୦୨୦ ରୁଲ୍ ୫୬୮ ଅନୁଯାୟୀ ସଂପୃକ୍ତ କଏଦୀକୁ ହ୍ୟାଣ୍ଡକପ୍, ନହେଲେ ଗୋଡରେ ଶିକୁଳି ପକାଇ ରଖାଯିବ। ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ କୋର୍ଟଙ୍କଠାରୁ ଅନୁମତି ଆଣିବେ।  

Advertisment

ଚୌଦ୍ବାର ଜେଲର ଗଳାବାଟ ସମ୍ପର୍କରେ ପୂର୍ବରୁ ଅବଗତ ରହିଛି ମଧୁକାନ୍ତ। ଅକଟୋବର ୨ ବିଳମ୍ବିତ ରାତିରେ ରାଜା ସାହାଣୀ ସହ ଯେମିତି ଖସିପଳାଇଲା, ତାହା ଜେଲ୍ ବିଭାଗ ଏବଂ ପୋଲିସ ବିଭାଗକୁ ତାଜୁବ୍ କରିଛି। କିନ୍ତୁ ତାକୁ ଧରିବା ପାଇଁ ବିଳମ୍ବରେ ହେଲେ ବି ପୋଲିସ ଦେଖାଇଛି ନିଜର ଦକ୍ଷତା।

ପ୍ରେମ ସପ୍ତାହରେ ପ୍ରେମିକା ପାଇଁ...

ପ୍ରେମ ସପ୍ତାହରେ ପ୍ରେମିକା ପାଇଁ କେମିତି ଫସିଗଲା ପୋଲିସ ଜାଲରେ ସାମ୍ନାକୁ ଆସିଛି ସତ। ଚୌଦ୍ବାର ଜେଲରୁ ଖସିଯିବା ପରେ ଟ୍ରେନରେ ପ୍ରଥମେ ପୁରୀ, ପରେ ସେଠାରୁ ବିହାର ଚାଲିଯାଇଥିଲା। ମଧୁକାନ୍ତ ଭଲଭାବେ ଜାଣିଥିଲା ପୋଲିସ ପିଛା କରୁଛି। କିନ୍ତୁ ନିଡ଼ର ଆଉ ନିର୍ଭୟରେ ଲୁଚି ଗାର୍ଲଫ୍ରେଣ୍ଡ ସହ ମଉଜ କରୁଥିଲା। ଉତ୍ତରପ୍ରଦେଶର ବୃନ୍ଦାବନରେ ଥିବା ଏକ ମଠର ଗେଷ୍ଟହାଉସରେ ଚାକିରୀ କରୁଥିଲା ମଧୁକାନ୍ତ। ମଧୁକାନ୍ତରୁ ବନିଯାଇଥିଲା ବାସୁ ପାଣ୍ଡେ। କ୍ଲିନସେଭ୍ ସହ ଆତ୍ମଗୋପନ କରି ରହୁଥିଲା ବୃନ୍ଦାବନରେ। 

ହେଲେ ସବୁକିଛିର ସୁରାଗ୍ ପାଉଥିଲା ତାକୁ ପିଛା କରୁଥିବା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍ପେଶାଲ୍-୨୬ ଟିମ୍। ସବୁ ପରେ ବି ନିଜ ପ୍ରେମିକାକୁ ଭୁଲି ପାରିନଥିବା ମଧୁକାନ୍ତ କ୍ରମାଗତ ଭାବେ ଫୋନରେ ଚଳାଇଥିଲା ବାର୍ତ୍ତାଳାପ। ଫଳରେ ମଧୁକାନ୍ତକୁ ଟ୍ରାକିଂ ସହ ଯେଉଁ ଗେଷ୍ଟହାଉସରେ ମଧୁକାନ୍ତ ଚାକିରୀ କରୁଥିଲା ତାର ଠିକଣା ପାଇଯାଇଥିଲା ପୋଲିସ। ଆଉ ଆରମ୍ଭ ହୋଇଥିଲା ଅପରେସନ୍ ମଧୁକାନ୍ତ। ସେହି ଗେଷ୍ଟହାଉସରେ ରହିବା ପାଇଁ ପୋଲିସ୍ କଲ୍ କରିଥିଲା ମଧୁକାନ୍ତକୁ।

ମଧୁକାନ୍ତ କିନ୍ତୁ କୌଣସି ଚାଲ୍ ବୁଝିନପାରି କଲ୍ ରିସିଭ୍ କରିବା ସହ ବୃନ୍ଦାବନ ରେଳଷ୍ଟେସନକୁ ଆଣିବାକୁ ଯାଇଥିଲା ପୋଲିସକୁ। ଶେଷରେ ପୋଲିସ ଗେଷ୍ଟହାଉସରେ ୩ ଦିନ କାଳ ରହି ସବୁକିଛି ଯାଞ୍ଚ କରି ନିଶ୍ଚିତ ହେବା ପରେ ସେଠାରୁ ମଧୁକାନ୍ତକୁ କାବୁ କରିଥିଲା।

ମଧୁକାନ୍ତ ତ ଧରାପଡ଼ିଛି, କିନ୍ତୁ ରାଜା ସାହାଣୀ କେଉଁଠି ? କେମିତି ଓ କାହା ସହଯୋଗରେ ଉଭୟେ ହୋଇଥିଲେ ସୀମାପାର୍ ? ତାକୁ ନେଇ ନାନା ପ୍ରଶ୍ନ ଉଠୁଥିବାରୁ ମଧୁକାନ୍ତକୁ ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି। ତା’ସହ ସୁରକ୍ଷା ଦୃଷ୍ଟିରୁ ଚୌଦ୍ବାର ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ଯୋଜନା ରଖିଛି। ଅପେକ୍ଷା କୋର୍ଟଙ୍କ ଅନୁମତିକୁ। 

Accused Arrested
Advertisment
Related Articles
Advertisment